Unknown

 

 

 

 

 

 

 

 

 

 

 

ମୋର ଗଳ୍ପ

ଶ୍ରୀ ଯଦୁନାଥ ଦାଶ ମହାପାତ୍ର

 

 

 

 

 

There is the life we have lost in living ?

Where is the wisdom we have lost in knowledge ?

There is the knowledge we have lost in information ?

The cycles of Heaven in twenty centuries

Bring us further from God and nearer to the Dust.’’

 

T. S. Elliot.

★★★

 

ଜୀବନରେ ଜ୍ୱାଳା ଅନେକ । ସେହି କଥା ହିଁ ଏଥିରେ ସନ୍ନିବେଶିତ ଗଳ୍ପ ଗୁଡ଼ିକର ବିଷୟବସ୍ତୁ । ବସ୍ତୁବାଦୀ ଦୁନିଆରେ ସେଇଟାହିଁ ବୋଧହୁଏ ସତ୍ୟ । ତଥାପି ଜୀବନ ପ୍ରତି ମଣିଷର ମମତା ଅସୀମ । ଜ୍ୱାଳାର ଦହନ ନ ଥିଲେ ମିଳନର ଆଶା ନ ଥାନ୍ତା, ଜୀବନରେ ପଡ଼ିଯାନ୍ତା ପୂର୍ଣ୍ଣଚ୍ଛେଦ । ସେହି ଦୃଷ୍ଟିରୁ ଗଳ୍ପଗୁଡ଼ିକର ଆବଶ୍ୟକତା ରହିଛି । ପାଠିକା-ପାଠକବୃନ୍ଦ ଏହା ହୃଦୟଙ୍ଗମ କରିବେ—ବିଶ୍ୱ ।

★★★

 

ସୂଚୀପତ୍ର

 

୧.

ଶତ୍ରୁ ଶିବିର

୨.

ସାହୁପଡ଼ା

୩.

ଅନ୍ଧାର ଘର

୪.

ବର୍ଷଣ ରଜନୀ

୫.

ଜୀବନ ଭାଙ୍ଗିପଡ଼ୁଚି

୬.

ବାହୁଡ଼ା ଜୁଆର

୭.

ଗରୁଡ଼ପୁରାଣର ଉକ୍ତି

୮.

ଅନ୍ଧୁଣୀର ରଥଯାତ

୯.

ଅପରାଧୀ

୧୦.

ଶେଷ ଆଲୋକସ୍ତମ୍ଭ

୧୧.

ଦୁଇଟି ଚିତ୍ର

୧୨.

କ୍ଷୁଧା

୧୩.

ଲାଲ୍ ଗୀର୍ଜା

୧୪.

ଶୂନ୍ୟ ପ୍ରାନ୍ତର

୧୫.

ଜୀବନ-ଜ୍ୱାଳା

★★★

 

ଶତ୍ରୁ ଶିବିର

 

ଥରେ ନୁହେଁ, ଦୁଇଥର ନୁହେଁ, ତିନି ତିନି ଥର—ବର୍ବର ଚୀନାମାନଙ୍କ ଆକ୍ରମଣକୁ ପ୍ରତିହତ କରିଦେଇଛି ଏଇ ଜଙ୍ଗ ଗାଁ । ହିମାଳୟର ପାର୍ବତ୍ୟ ମେଖଳାରେ ମୌନୀ ସନ୍ନ୍ୟାସୀ ପରି ଏଇ ଗାଁଟି ନୀରବ ନିଶ୍ଚଳ ହେଇ ଆସିଥିଲା ଅନନ୍ତ କାଳରୁ । କେତେ ଥାପ୍‍ପା, କେତେ ଶେର୍ପା, କେତେ ସିଂ ଏଇ ଗାଁ ବୁକୁରେ ଜନ୍ମଲଭି ବରଫର ଆସ୍ତରଣରେ ଲୋଟିପଡ଼ିଛନ୍ତି ! କେତେ ଶିକାର କାହାଣୀ, ବରଫ ମଣିଷର ବୃତ୍ତାନ୍ତ ଶୁଣିଚି, ଦେଖିଚି ବି କେତେ ଭଲ୍ଲୁକର ଅତ୍ୟାଚାର ଏଇ ଶାନ୍ତ ଶୀତଳ ଗାଁ ।

ଜଙ୍ଗ ଗାଁର ଅଧିବାସୀମାନେ ଖୁବ୍ ବୀର । ନାଲ ନାଲ ଚେହେରା—ଦେହଗୁଡ଼ାକ ପଥର ପରି ଟାଣ । ସେମାନେ କାହାକୁ ପରୱା କରନ୍ତି ନାହିଁ । ସେଲା ପାସ୍ ଅତିକ୍ରମ କରି ସେମାନେ ମଝିରେ ମଝିରେ ବ୍ରହ୍ମପୁତ୍ରର ସମତଳ ଅଞ୍ଚଳକୁ ଆସନ୍ତି । ଅଟା ଆଉ ଆଳୁ ନେଇ ପୁଣି ଫେରିଯାନ୍ତି ସେମାନଙ୍କର ସେଇ ବରଫାବୃତ ଆଦିମ ଆବାସସ୍ଥଳକୁ ।

ଜୀବନଟା ବେଶ୍ ସ୍ଥଚ୍ଛନ୍ଦ—ପାର୍ବତ୍ୟ ନଦୀର ଗତି ପରି ଚଞ୍ଚଳ । ଅଭାବ ନାହିଁ—ଅଭିଯୋଗ ନାହିଁ । ଆସିବ ବା କୁଆଡ଼ୁ ? ମଣିଷ ତ ଜାଣି ଜାଣି ଅଭାବ ସୃଷ୍ଟି କରେ । ଅଭାବଟା ଇଚ୍ଛାଧୀନ । ଯେ ଅଭାବ ସୃଷ୍ଟି ନକରେ ସେ ଜୀବନରେ ପାଏ ପରମ ଶାନ୍ତି ।

ଜଙ୍ଗ ଗାଁଆର ଲୋକେ ଅଭାବ କଣ ଜାଣି ନାହାନ୍ତି । ପାର୍ବତ୍ୟ ପଶୁପକ୍ଷୀର ମାଂସରେ ସେମାନଙ୍କର କ୍ଷୁଧା ନିବୃତ୍ତ ହୁଏ । ତୃଷ୍ଣା ମେଣ୍ଟାଇବା ପାଇଁ ଝରଣା ଜଳର ଅଭାବ ନାହିଁ । ସେମାନେ ସେମାନଙ୍କ ମେଷପଲ ସହିତ ବେଶ୍ ଭଲରେ କାଳ କାଟୁଥିଲେ ।

 

କିନ୍ତୁ......

 

ୟା ଭିତରେ ଚୀନ ଭାରତ ସୀମାନ୍ତ ଲଢ଼େଇ ଲାଗିଯାଇଚି । ଶାନ୍ତିକାମୀ ଭାରତୀୟ ଜନତା ଉପରେ ଅକସ୍ମାତ୍ ଆକ୍ରମଣ ଆରମ୍ଭ କରି ଦେଇଚି ବର୍ବର ଚୀନ୍ । ବିଶ୍ୱାସଘାତକ । ପଞ୍ଚଶୀଳ ନୀତି ମୁହଁରେ ବୟାନ କରି କାର୍ଯ୍ୟରେ ଓଲଟା କାମ କରିଚି । ପୃଥିବୀର ବହୁ ଦେଶ ଚୀନର ଏଇ ଅଚାନକ ଆକ୍ରମଣ ବିରୁଦ୍ଧରେ ସ୍ୱର ତୋଳିଛନ୍ତି ।

 

ବନ୍ଧୁକ, କମାଣ, ଟେଙ୍କ୍‌ର ଶକ୍ତିଶାଳୀ ଗର୍ଜନ । ସୀମାନ୍ତର ଶାନ୍ତିକାମୀ ଅଧିବାସୀଙ୍କ ଉପରେ ବର୍ବରୋଚିତ ଆକ୍ରମଣ ।

 

ଚୀନ ମାଡ଼ିଆସିଚି । ଭାରତୀୟ ସୈନ୍ୟମାନେ ଯୁଦ୍ଧ ପାଇଁ ପ୍ରସ୍ତୁତ ନଥିଲେ । ଏଇ ଅତର୍କିତ ଆକ୍ରମଣର ଜବାବ୍ ଦିଆଯିବା ଆଗରୁ ଚୀନ ଆଗକୁ ମାଡ଼ିଆସିଚି ।

 

ଆଗରେ ଜଙ୍ଗ ଗାଁ । ଭାରତୀୟ ସୈନ୍ୟ ଜଙ୍ଗ ଗାଁର ଉପକଣ୍ଠରେ ଜଗି ରହିଛନ୍ତି । ଚୀନମଧ୍ୟ ସ୍ଥାପନ କରିଚି ଅଦୂରରେ ଶିବିର । ଚିନା ସୈନ୍ୟ ଛାଉଣୀର ମାଂସ ଆଉ ମଦର ଗନ୍ଧରେ ଦେବାତ୍ମା ହିମାଳୟ ଅଙ୍ଗରେ ସୃଷ୍ଟି ହେଇଚି ଏକ କୁତ୍ସିତ ପରିବେଶ ।

 

ରୋକ୍ ଯାଓ ! ଆଉ ଆଗକୁ ମାଡ଼ିଆସନା ! ପବିତ୍ର ମାତୃଭୂମିର ଇଞ୍ଚେ ଜାଗା ଆମେ ଛାଡ଼ି ଦେବୁନାହିଁ । ମାତୃଭୂମିକୁ ରକ୍ଷା କରିବାର ପଣ ନେଇ ଭାରତୀୟ ଜୱାନ୍ ଆଜି ଶତ୍ରୁ ସୈନ୍ୟର ମୁକାବିଲା କରିବାକୁ ପଡ଼ିବ । ଜଣେ ଜୱାନ୍ ମରିବା ଆଗରୁ ଦଶଜଣ ଶତ୍ରୁ ସୈନ୍ୟଙ୍କୁ ମାରି ସାରିଥିବ । ସାବଧାନ୍ ! ସାବଧାନ୍ !

 

ଜଙ୍ଗ୍ ଗାଆଁର ନିସ୍ତବ୍ଧ ବାୟୁମଣ୍ଡଳ ଥରି ଉଠୁଛି । ମଦ ଆଉ ମାଂସରେ ଭୋଳ ହୋଇ ଚୀନ୍‌ ସୈନ୍ୟମାନେ ପଶୁଠାରୁ ବି ହୀନ ହୋଇଯାଇଛନ୍ତି—ଭୁଲି ଯାଇଛନ୍ତି ସେମାନଙ୍କ ମନୁଷ୍ୟତ୍ୱ । ହାୟ, ହାୟ, ପୃଥିବୀର କି ଦୁର୍ଭାଗ୍ୟ ! ହେ ବୁଦ୍ଧ, ଚୀନକୁ ତୁମେ କଣ ଏଇ ଶିକ୍ଷା ଦେଇଥିଲ ?

 

ଜଙ୍ଗ୍ ଗାଆଁର ଏକ ନିଭୃତ କୋଠରିରେ ବାହାଦୁର ଶେର୍ପା ବସି ଚିନ୍ତା କରୁଥିଲା । ସେ ଯେତେବେଳେ କିଶୋର ହୋଇଥିଲା, ସ୍କୁଲରେ ପାଠ ପଢ଼ୁଥିଲା, ସେତେବେଳେ ସେ ଶୁଣିଥିଲା—ନାଳନ୍ଦାରୁ ଅଧ୍ୟୟନ ଶେଷ କରି ଚୀନ ଦେଶର ଛାତ୍ରମାନେ ନୌକାରେ ଫେରି ଯାଇଥିଲେ । ସେମାନଙ୍କୁ ବାଟେଇ ଦେବାପାଇଁ ଭାରତୀୟ ଛାତ୍ର କେତେଜଣ ସାଙ୍ଗରେ ଯାଇଥିଲେ । ଜଳପଥରେ ହେଲା ଅସମ୍ଭବ ଝଡ଼ । ନୌକାର ଭାର ନ କମିଲେ ନୌକା ବୁଡ଼ିଯିବ ଓ ସମସ୍ତେ ଲଭିବେ ସଲୀଳ ସମାଧି । ବିଷମ ସମସ୍ୟା । ଭାରତୀୟ ଛାତ୍ରଗଣ ଭାବ ଗଦ୍‌ଗଦ କଣ୍ଠରେ କହିଥିଲେ—ହେ ଚୈନିକ ଛାତ୍ରଭାଇ, ଆମେ ଭାରତୀୟ ଛାତ୍ରଗଣ ଏଇ ଜଳରାଶି ମଧ୍ୟରେ ଆତ୍ମାତ୍ସର୍ଗ କରୁଚୁ । ତୁମେମାନେ ନିରାପଦରେ ତୁମ ଦେଶକୁ ଫେରିଯାଇ ଆମ ଦେଶର ଶିକ୍ଷା ସଂସ୍କୃତିର ପ୍ରଚାର କର ।

 

ଭାରତୀୟ ଛାତ୍ରଦଳଙ୍କର ଏ ଆତ୍ମାତ୍ୟାଗର ଏଇ କଣ ଆଜି ପ୍ରତିଦାନ ?

 

ବାହାଦୁର ଶେର୍ପାର ରକ୍ତ ଗରମ ହୋଇ ଉଠୁଥିଲା । ବିଶ୍ୱାସଘାତକ ଚୀନକୁ ଉପଯୁକ୍ତ ଉତ୍ତର ଦିଆଯିବ ।

 

ସେ ତା କୋଠରିରୁ ବାହାରି ଗାଁ ମଝିକୁ ଆସିଲା । ବୁଢ଼ା ଶାମ ସିଂ ବସି କାନ୍ଦୁଛି । ତା’ ପୁଅକୁ ଚୀନ ସୈନ୍ୟମାନେ ବନ୍ଦୀକରି ନେଇ ଯାଇଛନ୍ତି । ଏକା ତା’ ପୁଅ ନୁହେଁ—ଜଙ୍ଗ ଗାଁର ଆହୁରି ଆଠଜଣ ଯୁବକ ଚୀନ ହାତରେ ବନ୍ଦୀ ।

 

ଶାମ ସିଂ ବାହାଦୁରକୁ ଦେଖି କହିଲା—ଟୋକାଗୁଡ଼ାକ ଗାଁ ବାହାରେ ମେଣ୍ଢା ଚରାଉଥିଲେ । ଚୀନ ସୈନ୍ୟମାନେ ହଠାତ୍ ପହଞ୍ଚି ମେଣ୍ଢାଗୁଡ଼ାଙ୍କୁ ନେଇ ଯିବାକୁ ଚାହିଁଲେ । ମାତ୍ର ଆମ ଟୋକାମାନେ ନ ଦେବାରୁ ସେମାନେ ମେଣ୍ଢା ସହିତରେ ଟୋକାଗୁଡ଼ାଙ୍କୁ ବାନ୍ଧି ନେଇଗଲେ ।

 

ବାହାଦୁର ଶେର୍ପାର ରକ୍ତ ମୁଣ୍ଡକୁ ଉଠିଗଲା । ଏଇ କଣ ଯୁଦ୍ଧ ନୀତି ? ଅସହାୟ ନିରସ୍ତ୍ର ଯୁବକଗୁଡ଼ାଙ୍କୁ ବନ୍ଦୀ କରିନେବା କଣ ନ୍ୟାୟସଂଗତ ?

 

ଶତ୍ରୁସୈନ୍ୟ ମଦ ନିଶାରେ ଉନ୍ମତ୍ତ । ବାହାଦୁର ତାର ଲାଠି ଆଉ ଛୁରା ଧରି ଆଗେଇଗଲା । ଭାରତୀୟ ସୈନ୍ୟଦଳ ସଂଖ୍ୟାରେ ଖୁବ୍ କମ୍ । ଅବିଶ୍ରାନ୍ତ ଯୁଦ୍ଧ କରି କ୍ଳାନ୍ତ, ଶ୍ରାନ୍ତ ।

 

କାହାରି ସାହାଯ୍ୟ ଲୋଡ଼ାନାହିଁ । ବାହାଦୁର ଏକା ଏକା ଆଗେଇ ଗଲା ।

 

ସାମନାରେ ଚୀନ ସୈନ୍ୟର ଶିବିର । ଏ କ’ଣ ? ଏ’ କଣ ଶିବିର ନିକଟରେ ସ୍ତ୍ରୀ ଲୋକ ଗୁଡ଼ାଏ—ଇସ୍ କି ବୀଭତ୍ସ ଦୃଶ୍ୟ । ସ୍ତ୍ରୀଲୋକଗୁଡ଼ାକ ମଧ୍ୟ ମଦ ନିଶାରେ ଭୋଳ । ଏକ ପାଶିବିକ ଲୀଳା । ଏଇ ଏ ପାଖରେ ଜଙ୍ଗ୍ ଗାଆଁର ଯୁବକମାନେ ଗଛ ଦେହରେ ବନ୍ଧା ହୋଇଛନ୍ତି-। ଆଉ ମେଣ୍ଢାଗୁଡ଼ାକୁ ମାରି ଦିଆଯାଇଚି ।

 

ବାହାଦୁର ଚିତ୍କାର କରି ଉଠିଲା—ଏମାନଙ୍କୁ ମୁକ୍ତି ଦିଅ—ଏମାନଙ୍କୁ ମୁକ୍ତି ଦିଅ ।

 

ଚୀନ ସୈନ୍ୟଦଳର ସର୍ଦ୍ଦାର ବାହାରି ଆସିଲା ଭିତରୁ । ସେ ଶତ୍ରୁର ଆବାଜ୍ ପାଇଛି ।

 

କଣ ଚାହୁଁ ? —କଣ୍ଠରେ ତାର ନିର୍ମମ ପ୍ରଶ୍ନ ।

 

ବାହାଦୁର କହିଲା—ମୁଁ ଚାହେଁ ଏଇ ଯୁବକ ଆଉ ଆମର ସର୍ବସ୍ୱ ଏଇ ମେଷ ପଲର ମୁକ୍ତି ।

 

ଅପେକ୍ଷା କର ।

 

ସର୍ଦ୍ଦାର ଇସାରା ଦେଇ ଅବୋଧ୍ୟ ଚିନା ଭାଷାରେ କଅଣ କହିଲା । ଦୁଇଜଣ ସୈନିକ ହାତରେ ବନ୍ଧୁକ ଧରି ଆସିଲେ । ତା’ପରେ ଯାହା ହେଲା ସେ ଏକ ନାରକୀୟ କାଣ୍ଡ ।

 

ସୈନିକ ଦୁଇଜଣ ଜଣେ ପରେ ଜଣେ ଆଠଜଣ ଭାରତୀୟ ଯୁବକଙ୍କୁ ଗୁଳି କରି ମାରିଦେଲେ । ବାହାଦୁରର ମୁଣ୍ଡ ଘୂରେଇ ଦେଲା । ଶତ୍ରୁ ଶିବିର ମଧ୍ୟରେ ଏକାକୀ ସେ–ଅସହାୟ-

 

ତଥାପି ସେ ହୁଙ୍କାର ଛାଡ଼ିଲା—ବର୍ବର....

 

ଆଗରେ ଠିଆ ହୋଇଥିଲା ସର୍ଦ୍ଦାର । ଗୁଳି ଚୋଟରେ ସଦ୍ୟମୃତ ଭାରତୀୟ ଯୁବକମାନଙ୍କ ଆଡ଼େ ତା’ର ଲକ୍ଷ୍ୟ । ବାହାଦୁର ଆଉ ସମ୍ଭାଳି ପାରିଲା ନାହିଁ । କ୍ରୁଦ୍ଧ ସିଂହପରି ଝାମ୍ପି ଦେଲା ସେ । ତାର ଲାଠିର ଆଘାତରେ ସର୍ଦ୍ଦାର ଢଳି ପଡ଼ିଲା ତଳେ । ବାହାଦୁର ବିଜୁଳି ବେଗରେ ପ୍ରବେଶ କଲା ତମ୍ୱୁ ଭିତରେ । ପାଞ୍ଚ ଛ’ଜଣ ଚୀନ ସୈନ୍ୟ ମଦ ଖାଇ ଗଡ଼ୁଛନ୍ତି ।

 

ସବୁ ଆଜି ଶେଷ କରିଦେବି । ତମ୍ୱୁ ଭିତରୁ ଶତ୍ରୁର ଗୋଟାଏ ରାଇଫଲ୍ ଉଠାଇ ନେଇ ବର୍ବର ଚିନାମାନଙ୍କ ଉପରକୁ ଗୁଳି ବର୍ଷଣ କଲା ବାହାଦୁର । ଏକ.....ଦୁଇ.....ତିନ୍....ଚାରି....

 

ସେ ନିଜେ ଶତ୍ରୁର ଗୁଳିରେ ଢଳିପଡ଼ିବା ଆଗରୁ ଦଶ ଜଣ ଶିତ୍ରୁ ସୈନ୍ୟଙ୍କୁ ଶେଷ କରିଦେଇଥିଲା ।

 

ଶତ୍ରୁ ଶିବିର ମଧ୍ୟରେ ଏଇ କାଣ୍ଡର ଯବନିକା ପଡ଼ିବା ଆଗରୁ ପ୍ରସ୍ତୁତ ହୋଇଯାଇଥିଲେ ଭାରତୀୟ ସୈନ୍ୟ ଓ ଜଙ୍ଗଲ ଲଢ଼ୁଆ ଅଧିବାସୀ ।

 

ବାରମ୍ୱାର ଚୀନ ଆକ୍ରମଣ ପ୍ରତିହତ ହୋଇଥିଲା ଜଙ୍ଗ ଗ୍ରାମର ଉପକଣ୍ଠରେ । ଜଙ୍ଗ ଗ୍ରାମର ଅଧିବାସୀଗଣ ଆଜି ଉନ୍ମତ୍ତ । ବାହାଦୁର ଓ ଅନ୍ୟ ଯୁବକମାନଙ୍କର ମୃତ୍ୟୁର ପ୍ରତିଶୋଧ ନେବା ପାଇଁ ସେମାନେ ଜୀବନ ବଳି ଦେବାକୁ ତିଆର ।

 

ସମସ୍ତେ ପ୍ରତିଜ୍ଞାବଦ୍ଧ—ମରିବୁ ପଛେ ପ୍ରତିଶୋଧ ନେବୁ ।

 

ମରିବୁ ପଛେ ଇଞ୍ଚେ ଜାଗା ଶତ୍ରୁକୁ ଛାଡ଼ିବୁ ନାହିଁ ।

 

ଥରେ ନୁହେଁ, ଦୁଇଥର ନୁହେଁ, ତିନିଥର ଶତ୍ରୁମାନଙ୍କୁ ହଟାଇ ଦେଇଚି ଜଙ୍ଗ ଗାଁ । ଶତ୍ରୁ ଶିବିର ଆଉରି ପଛେଇଯାଇଚି । ହଟିଯାଇଛି ଆହୁରି ପଛକୁ । ଜୱାନ୍‌ମାନଙ୍କ ମୁହଁରୁ ଶୁଭୁଛି ବାରମ୍ୱାର—

 

ଜଙ୍ଗ ଗାଁ—ଜିନ୍ଦାବାଦ ।

 

ଶତ୍ରୁ ଶିବିର ଧ୍ୱଂସ ହେଉ ।

★★★

 

ସାହୁପଡ଼ା

 

ବଳଙ୍ଗ ନଦୀ ବଢ଼ୁଛି । ପ୍ରତିବର୍ଷ ବଢ଼େ, ଏଥର ମଧ୍ୟ ବଢ଼ୁଛି । ନଈ କୂଳରେ ଜଙ୍ଗଲ ପରି ବଢ଼ିଥିବା ଅମରି ଗଛ ସବୁ ବୁଡ଼ିଗଲାଣି । ଗୋରା ସରକାରଙ୍କ ଅମଳରୁ ନଈର ବାଁ କଡ଼ରେ ସାପପରି ଲମ୍ୱାହୋଇ ଶୋଇଥିବା ମାଟିବନ୍ଧ ଦେହରେ ପାଣି ଆସି ଲହରୀ ପିଟୁଚି । ଫେଣୁଆ ଗୋଳିଆ ପାଣି । ନଈ ଛାତିରେ ଠାଏ ଠାଏ ଭଉଁରୀ ଖେଳୁଚି—ତାର ସୁ ସୁ ଶବ୍ଦରେ ସାହୁପଡ଼ା ଗାଁର କଲିଜା ଥରୁଚି ।

 

ରାତି ସେତେବେଳକୁ ପହରେ । ଗାଁର ମୁଖିଆ ନିଧି ସାହୁ ବୁଢ଼ା ଦିନ ଦିପହରୁ ଡଙ୍ଗୀରେ ନଈ ପାରହୋଇ ଯାଇଥିଲା ଆରପାରି ହଳଦିଆ ଗାଁକୁ । ହଳଦିଆ ଗାଁରେ ତାର ଝିଅଘର । ଖବର ଆସିଥିଲା ଯେ ଚାରି ଦିନ ହେଲା ଝିଅ ବାଧିକି ପଡ଼ିଚି । ଜୋଇଁପୁଅ ଥାଏ କଲିକତା ମାଟିଆ ବୁରୁଜ ଚଟକଳରେ । ଝିଅର ଭଲମନ୍ଦକୁ ଆଉ କେହି ନଥାନ୍ତି । ସାହୁ ବୁଢ଼ାର ବୟସ ହେଲାଣି ସତୁରି । ଗାଁବାଲାଙ୍କର ତାକୁ ଭାରି ଖାତିର—କାହିଁକି ନା ସମସ୍ତଙ୍କ ଭଲମନ୍ଦରେ ସେ ଆସି ଛିଡ଼ାହୁଏ, କଳିତକରାଳ ମେଣ୍ଟାଏ, ମାଲିମକଦ୍ଦମା ରଫାକରେ । ବାହାସାହାକୁ ଟଙ୍କା କରଜ ଦିଏ । ଏୟା ସବୁ କରି ପୈତୃକ ସମ୍ପତ୍ତି ଦୁଇମାଣକୁ ବାଇଶି ମାଣକୁ ସେ ଅବଶ୍ୟ ବଢ଼େଇଚି-। ହେଲେ ଏଥିପାଇଁ ଗାଁର କେହି ତାକୁ ଈର୍ଷା କରିନାହାନ୍ତି । ସବୁ କଥାରେ ବୁଢ଼ାକୁ ପଚାରନ୍ତି ଗାଁବାଲାଏ ।

 

ସାହୁ ବୁଢ଼ାର ସ୍ତ୍ରୀ, ଚାଳିଶ ବର୍ଷର ଭେଣ୍ଡିଆ ପୁଅ, ବୋହୂ, ନାତି ନାତୁଣୀ ଘରକୁ ମଣ୍ଡିତ କରି ବୁଢ଼ା କମେଇଥିବା ପାଳ ଆଉ ଧାନ ଜମିର ଫସଲରେ ବେଶ୍ ଆରାମରେ ଚଳନ୍ତି । ସମ୍ପତ୍ତି କମେଇବାର ଦୁଃଖ ସେମାନେ ଜାଣିନାହାନ୍ତି । ସେମାନଙ୍କ ବଦ୍‍ଖର୍ଚ୍ଚ ଗୁଡ଼ାକ ବୁଢ଼ା ଆଖିରୁ ବାଦ୍ ଯାଏନା । ତେଣୁ ଘରେ ଥିବାବେଳେ ବୁଢ଼ାଟା ସଦାବେଳେ କଟର କଟର ହେଉଥାଏ ।

 

ବୁଢ଼ା ଘରେ ନଗଦଟଙ୍କା ବହୁତ ଜମା ରଖିଚି । ବିଡ଼ା ବିଡ଼ା ନୋଟ ସିନ୍ଦୁକ ଭିତରେ ପ୍ରତି ସାଲ ଧାନ ଅମଳ ପରେ ସେ ଜମା ରଖେ । ବର୍ଷକୁ ଗୋଟେ ବିଡ଼ା—ସେ ନୋଟ୍ ଆଉ ବାହାରେନା । ସିନ୍ଦୁକର ଚାବିକାଠି ବୁଢ଼ା କେତେବେଳେ ହେଲେ ହାତଛଡ଼ା କରେ ନାହିଁ । ନିଜ ଛଡ଼ା ତାର ଆଉ କାହାରି ଉପରେ ବିଶ୍ୱାସ ନାହିଁ—ଏପରିକି ବୁଢ଼ୀ ଉପରେ ମଧ୍ୟ ନୁହେଁ ।

 

ଝିଅଘର ଖବର ବୁଝି ରାତି ପହରେ ବେଳକୁ ବୁଢ଼ା ପୁଣି ଫେରି ଆସିବ ବୋଲି ନଈ କୂଳକୁ ଆସି ଦେଖିଲା—ନଈ ଭାରି ଭୟଙ୍କର ହେଇଚି । ପାର ହବା ପାଇଁ ଗୋଟିଏ ବୋଲି ଡଙ୍ଗୀ ଆଉ ନାହିଁ ।

 

ସେଦିନ ଅନ୍ଧାର ପକ୍ଷର ଚତୁର୍ଦ୍ଦଶୀ ରାତି । ନାଉରୀ ବାପୁଡ଼ାଏ ନଈ ବଢ଼ି ଦେଖି ଡଙ୍ଗୀ ନେଇ କୁଆଡ଼େ ଛୁ କଲେଣି । ନାଉରୀ ବସ୍ତିଟା ଭାରି ଅସଜ ଜାଗାରେ । ନଈ ଟିକିଏ ବଢ଼ିଲେ ସେହି ସାଇ ଭିତରକୁ ପାଣି ପଶିଯାଏ । ଶଙ୍ଖ ହୁଳିହୁଳି ପଡ଼ିଯାଏ ।

 

ସେଦିନ ମଧ୍ୟ ନାଉରୀ ସାଇରୁ ଶଙ୍ଖ ହୁଳହୁଳି ଶୁଭୁଚି । ସାହୁବୁଢ଼ା ହାତରେ ଲଣ୍ଠନଟି ଧରି ନଈ ଅତଡ଼ା ଉପରେ ଠିଆ ହେଇଚି । ନଈର ସୁ ସୁ ଶବ୍ଦ ସାଙ୍ଗକୁ ସାଇର ଶଙ୍ଖ ହୁଳହୁଳି ଶବ୍ଦ-

 

ନଈ ବଢ଼ୁଚି....ବଢ଼ୁ ।

 

ବଳଙ୍ଗନଈ ବଢ଼ିବାକୁ ଡର କଣ ଅଛି ?

 

ଗଲା ଦିଦିନ ହେଲା ଅନବରତ ବରଷା ହେଉଥିଲା । ସଞ୍ଜ ପହରୁ ଏଇ ବର୍ଷା ଥମିଥିଲେହେଁ ମଝିରେ ମଝିରେ ଝିପଉଚି । ସାହୁ ବୁଢ଼ା ତା’ର ସତୁରି ବର୍ଷ ଉମର ଭିତରେ ଏମିତି କେତେ ନଈବଢ଼ି ଦେଖିଚି, କିନ୍ତୁ ଏ ନଈ କେବେ ସରବଖିଆ ହେଇନି ।

 

ନଈ ଦି’ପାଖ ଗାଁର ଲୋକେ ଏଇ ନଈକୁ ଭାରି ଭଲପାଆନ୍ତି । ସେମାନଙ୍କ ବଢ଼ତି ତ ଏହାରି ଯୋଗୁ ! ପନିପରିବା, ଫଳମୂଳ, ଧାନ ଚାଉଳ, ଗୋପଲକ୍ଷ୍ମୀ ସବୁ ତ ଏହାରି ଯୋଗୁ ସମ୍ଭବ ହୋଇପାରିଚି ।

 

ସାହୁ ବୁଢ଼ା ନଈ ପାରହୋଇ ଗାଁକୁ ଆସିବାକୁ ଭରସି ପାରିଲା ନାହିଁ । ଝିଅଘରୁ ବାହାରିବାବେଳେ ଝିଅ ମନା କରୁଥିଲା ଆସିବା ପାଇଁ, କିନ୍ତୁ ସେ ତା’ ମନା ନମାନି ଚାଲିଆସିଲା ।

 

ନଈ ଆର ପାରିରେ ତାର ଗାଁ—ଠିକ୍ ନଈ ବନ୍ଧର ତଳକୁ । ଅନ୍ଧାର ଭିତରେ ମଧ୍ୟ ତା’ ଆଖିକି ଦିଶୁଛି—ହେଇ ଆମ୍ୱତୋଟା, ତାପରେ ଶିବାନନ୍ଦ ହାଇସ୍କୁଲ, ତା’ ପରେ ପରେ ତା ଘର—ତା ଶୋଇବା କୋଠରି, ସିନ୍ଦୁକ, ଟଙ୍କାବିଡ଼ା.......

 

ତା ସତୁରି ବର୍ଷ ଉମର ଭିତରେ ସେ ଦିନେ ହେଲେ ରାତିରେ ଘରଛାଡ଼ି ବାହାରେ ରହିନାହିଁ । ଆଜି କିନ୍ତୁ ଫେରିଲା ଝିଅଘରକୁ ।

 

ତାର ସତୁରି ବର୍ଷ ଉମର ଭିତରେ ଆଜିଟାହିଁ ବ୍ୟତିକ୍ରମ ।

 

ସାହୁପଡ଼ା ଗାଁ ସଞ୍ଜପହରୁ ବେଶ୍ ଶାନ୍ତ ଥିଲା । ରାତି ବଢ଼ିବା ସଙ୍ଗେ ସଙ୍ଗେ ଗାଁ ଭିତରେ ଆତଙ୍କ ବଢ଼ୁଚି । ଏମିତି ସବୁ ସନ ବଢ଼େ....ନଈ ଛାତି ଫୁଲେ ପୁଣି କମେ । ଏ ଗାଁ ଲୋକଙ୍କର ସେ କେବେହେଲେ କ୍ଷତି କରିନି ।

 

ତେଣୁ ଆତଙ୍କ ବଢ଼ିଲେ ମଧ୍ୟ ଯେ ଯାହା ଘରେ ଖିଆପିଆ ଶେଷ କରୁଚନ୍ତି । କେହି କେହି ବା ଖିଆ ପିଆ ଶେଷକରି ବିଛଣାର ଆଶ୍ରୟ ନେଲେଣି ।

 

ଶିବାନନ୍ଦ ହାଇସ୍କୁଲ ହଷ୍ଟେଲରେ ଆଲୁଅ ଜଳୁଛି । ପିଲାମାନେ ଏ ଯାଏ ଖାଇନାହାନ୍ତି । ହେଡ଼ମାଷ୍ଟର କେଉଁ ଏକ କାମରେ ବାଲେଶ୍ୱର ଯାଇଥିଲେ—ଏଇ ମାତ୍ର ଫେରିଲେ ।

 

ସେ ଆସି କହୁଛନ୍ତି—ବାଲେଶ୍ୱରରୁ ଶୁଣି ଆସିଲେ ରାଞ୍ଚିର କଲେକ୍ଟର ବାଲେଶ୍ୱର କଲେକ୍ଟରଙ୍କ ପାଖକୁ ଫୋନ୍ ବାର୍ତ୍ତା ପଠେଇଛନ୍ତି ଯେ ରାଞ୍ଚି ଓ ସେପାଖ ଅଞ୍ଚଳରେ ପ୍ରବଳ ବର୍ଷା ହେଇଚି—ନାହିଁ ନଥିବା ବର୍ଷା । ଆଉ ଏଇ ବର୍ଷା ଫଳରେ ବଳଙ୍ଗ ଓ ସୁବର୍ଣ୍ଣରେଖା ଖୁବ୍ ବଢ଼ିଚି ।

 

ସୁବର୍ଣ୍ଣରେଖା ବଢ଼ିବାରେ ବିପଦ ଅଛି—ଜଳେଶ୍ୱର, ଭୋଗରାଇ, ବାଲିଆପାଳ ଅଞ୍ଚଳରେ ସୁବର୍ଣ୍ଣରେଖା ଯେଉଁ କ୍ଷୟକ୍ଷତି କରେ ତାର ହିସାବ ନାହିଁ । ଗାଁ ଗାଁ ନିଶ୍ଚିହ୍ନ କରିଦିଏ । ସେ ନଈଟାର ସ୍ୱଭାବ ଭାରି ଖରାପ । ବର୍ଷକୁ ବର୍ଷ ଗତିପଥ ବଦଳକରେ ।

 

କିନ୍ତୁ ବଳଙ୍ଗ ?

 

କେଉଁ ଆବହମାନ କାଳରୁ ଠିକ୍ ସେମିତି ବହି ଚାଲିଚି । ଦିଲ୍ଲୀରେ ମୁସଲମାନ ମୋଗଲ ଦରବାର ଥିବାବେଳେ ଏ ନଈ ଠିକ୍ ଏମିତି ବହୁଥିଲା । ଫକୀରମୋହନଙ୍କ ଲଛମା ପରା ଏହାରି କୂଳରେ ଯୁଦ୍ଧ କରିଥିଲା !

 

ଆଉ ବାଘା ଯତୀନ୍, ନୀରେନ୍, ମନୋରଞ୍ଜନ ? ବିଦେଶୀ ଗୋରା ସରକାର ବିରୁଦ୍ଧରେ ଏଇ ନଦୀକୂଳରେ ବନ୍ଧୁକ ଚଳେଇ ସ୍ୱାଧୀନତାର ସୁଆଦ ଚାଖିବାକୁ ଚେଷ୍ଟା କରିଥିଲେ ।

 

ବଳଙ୍ଗ ନଦୀ ବଢ଼ିବାକୁ କେହି ଗୁରୁତ୍ୱ ଦିଅନ୍ତି ନାହିଁ ।

 

ରାତି ଦଶଟା ବେଳକୁ ଶିବାନନ୍ଦ ହାଇସ୍କୁଲର ହେଡ଼ମାଷ୍ଟର ଛତା ଆଉ ଲଣ୍ଠନ ଧରି ନଈବନ୍ଧ ପାଖକୁ ଝାଡ଼ାଫେରି ଗଲେ । ସାଥିରେ ତାଙ୍କର ଗଲେ ଚାରୋଟି ନାବାଳକ ପିଲା ।

 

ସ୍କୁଲ ପଛ ତୋଟା ପାରହୋଇ ସେ ଆଉ ଆଗକୁ ଯାଇ ପାରିଲେ ନାହିଁ । ସମୁଦ୍ର ଜୁଆର ମାଡ଼ିଆସିବା ଭଳି ଆଗରୁ ପାଣି ମାଡ଼ିଆସୁଚି । ନଈ ବନ୍ଧ ଭାଙ୍ଗି ପାଣି ଛୁଟିଚି ଗାଁ ଭିତରକୁ-

 

ପଳେଇ ଚାଲରେ, ପଳେଇ ଚାଲରେ, ନଈ ମାଡ଼ିଆଇଲାରେ.....

 

ହେଡ଼ମାଷ୍ଟର ଝାଡ଼ାଫେରିବେ କଣ, ଚାରିଟି ପିଲାଙ୍କୁ ଛାଡ଼ି ପ୍ରାଣବିକଳରେ ଦଉଡ଼ିଲେ । ଆଖି ପିଛୁଡ଼ାକେ ଅଣ୍ଟେ ପାଣି । ନିଦର ଶାନ୍ତକୋଳରେ ଆଶ୍ରା ନେଇଥିବା ଗାଁଲୋକେ ହଠାତ୍ ଜାଗିଉଠିଲେ । ସେମାନେ ଏଇ ପ୍ରକାର ପରିସ୍ଥିତି କେବେ ଅଙ୍ଗେ ନିଭେଇ ନାହାନ୍ତି । ଚାହୁଁ ଚାହୁଁ ଘର କାନ୍ଥ ଅଧାକୁ ପାଣି ଲାଗିଗଲାଣି । ପ୍ରାଣ ଆକୁଳରେ କିଏ ଧାଇଁଲା ଗାଁମୁଣ୍ଡର ଜାତୀୟ ରାଜପଥ ଉପରକୁ । କିଏ ବା ଚଢ଼ିଲା ଗଛରେ, କେହି ବା ଘର ମଥାନ ଉପରେ । ଜିନିଷପତ୍ର ଯାହା ଯେଉଁଠି ଥିଲା ପଡ଼ିରହିଲା—ଆଗେ ପ୍ରାଣଟା ବଞ୍ଚେଇବା ଦରକାର । ସକ୍ଷମ ଲୋକେ ସିନା କିଏ କୋଉଠି ଆଶ୍ରା ପାଇଁ ଧାଇଁଲେ; କିନ୍ତୁ ଅକ୍ଷମ ବୁଢ଼ା ପିଲାଗୁଡ଼ାକ ନଈର ଭଉଁରି ଭିତରେ କୋଉଆଡ଼େ ଯେ ନିଶ୍ଚିହ୍ନ ହାଇଗଲେ ତା’ ଜଣାପଡ଼ିଲା ନାହିଁ ।

 

ଆଉ ଗୋରୁଗାଈ ଛେଳି ମେଣ୍ଢା ପ୍ରଭୃତି ଘରପୋଷା ଜୀବଗୁଡ଼ାକ ଚାହୁଁ ଚାହୁଁ ପାଣିର ଏଇ ସର୍ବଗ୍ରାସୀ ଗର୍ଭରେ ଅଦୃଶ୍ୟ ହୋଇଗଲେ ।

 

ଶିବାନନ୍ଦ ହାଇସ୍କୁଲ ହଷ୍ଟେଲଟା ସମ୍ପୂର୍ଣ୍ଣ ବୁଡ଼ିଗଲା । ଗାଁ ଭିତରେ ଯେତେ ଘର, ଯେତେ ଯାହାର ଚଳନ୍ତି ସମ୍ପତ୍ତି, ସବୁ କୁଆଡ଼େ ଭାସିଗଲା ।

 

ସାହୁ ଘରଟା ଖୁବ୍ ଢିପ ଜାଗା ଉପରେ ଥିଲା । କେତେକ ଭାବିଥିଲେ ଘରଟା ରକ୍ଷା ହୋଇଯିବ । ହେଲେ ଉତଳା ନଦୀ ଯେମିତି ପଣ କରି ଆସିଥିଲା—ଏ ଗାଁର ଗୋଟିଏ ହେଲେ ଘର ରଖିବ ନାହିଁ ।

 

ସାହୁକାରଙ୍କ ଭେଣ୍ଡିଆ ପୁଅ ପାଣି ପଶିଯିବା ଦେଖି ପିଲା-ମାଇପଙ୍କୁ ଧରି ଘରୁ ବାହାରିପଡ଼ିବା ବେଳକୁ ଗାଁଟା ନିଶୂନ ହୋଇଗଲାଣି । ସମସ୍ତଙ୍କ ସାଙ୍ଗରେ ଘରୁ ବାହାରି ପଡ଼ିଥିଲେ ହୁଏତ ରକ୍ଷା ହୋଇଯାଇଥାନ୍ତା । କିନ୍ତୁ ଉଚ୍ଚା ଜାଗାରେ ଘର ବୋଲି ମନରେ ଦମ୍ଭ ଥିଲା ।

 

ପଳେଇଯିବା ବେଳକୁ ଗାଁ ଦାଣ୍ଡରେ ସୁଅ ପ୍ରବଳ ହେଲାଣି । ବାଡ଼ଗୁଡ଼ାକ ବୁଡ଼ିବା ଉପରେ । ପ୍ରଚଣ୍ଡ ସୁଅ ମୁହଁରେ ସ୍ତ୍ରୀଲୋକଟା ପଡ଼ିଗଲା । ଆଉ ରକ୍ଷା କାହିଁ ? ଅନ୍ଧାରିଆ ରାତିର ଛାତି ଫଟେଇ ଖାଲି ପାଟି ଶୁଭୁଥିଲା—ମୁଁ ଭାସିଗଲି.....ମୋର ଗେରସ୍ତ ଆଉ ଛୁଆଙ୍କୁ ବଞ୍ଚାଅ...

 

ନଈର ଗର୍ଜନ ଭିତରେ ଏ ଶବ୍ଦର ଆବାଜ କାହାରି କାନରେ ବାଜିଲା ନାହିଁ ।

 

ପାଣି ମଣିଷେ ଉପରକୁ ଟପି ଚାଳ ଛୁଇଁଲାଣି । ଭେଣ୍ଢିଆ ସାହୁପୁଅ ପିଲା ଦି’ଟାଙ୍କ ସହିତ ଜାତୀୟ ରାଜପଥ ପାଖକୁ ଆସି ପାରିଲା ନାହିଁ । ନିଶା ଗର୍ଜୁଚି । କାନ୍ଥଗୁଡ଼ା ମିଳେଇ ଯାଉଚି ପାଣି ଭିତରେ । ଚାଳ ଭାସିଯାଉଚି ଗୋଟାକ ପରେ ଗୋଟେ ।

 

ଖାଲି ସାହୁପଡ଼ା ନୁହେଁ—ନଈ ସେପାରିର ହଳଦିଆ, କଲ୍ୟାଣପୁର ଓ ଆହୁରି କେତେ ଗାଁ ପୂରାପୂରି ନିଶ୍ଚହ୍ନ ହୋଇଗଲା ଏଇ ଗୋଟିଏ ରାତିରେ ।

 

ହଳଦିଆ ଗାଁରେ ରାତି କଟାଉଥିବା ସାହୁବୁଢ଼ା ରାତି ସାରା ଚାଳ ଉପରେ ବସି ହାୟ ହାୟ କରୁଥିଲା । ଅଥଳ ପାଣିରେ ରୋଗରେ ପଡ଼ିଥିବା ଝିଅର ପତ୍ତା ନାହିଁ ।

 

ସକାଳ ବେଳକୁ ମାଇଲ ମାଇଲ ଖାଲି ସମୁଦ୍ର ପରି ଦିଶୁଚି । କୋଉଟା ନଈ, କୋଉଟା ଘାଇ, କୋଉଟା ବିଲ, କୋଉଟା ଘର କିଛି ଜାଣିହଉନି । ସକାଳୁ ସୁଅର ତୋଡ଼ ଆଉରି ବଢ଼ୁଚି ।

 

ସାହୁ ବୁଢ଼ା ମାଙ୍କଡ଼ ଭଳି ଚାଳକୁ ଆବୋରି ବସିଚି । ରାତିସାରା ଖାଲି ଭଗବାନଙ୍କୁ ଡାକୁଚି । ପୁଅ.....ମାଇପ....ନୋଟବିଡ଼ା....ବୁଢ଼ାର ଭାବନା—ତାର ଛିଡ଼ି ଖିନ୍‌ଭିନ୍ ହୋଇଗଲାଣି ।

 

ସକାଳକୁ ପାଣିସୁଅରେ ଚାଳଟା ଭାସିବାକୁ ଆରମ୍ଭ କଲା । ଜାତୀୟ ରାଜପଥ ବହୁ ଜାଗାରେ ବୁଡ଼ିଗଲା । କେତେଠି ଘାଇ ହୋଇଗଲା ।

 

ସାହୁ ବୁଢ଼ା ଅଚେତ ପ୍ରାୟ—ଏ ସୁଅ ଯେ ଚାଳଟାକୁ ସମୁଦ୍ର ଭିତରକୁ ଭସେଇନବ !

 

ଜାତୀୟ ରାଜପଥ ଉପରେ ହଜାର ହଜାର ଲୋକ ରୁଣ୍ଡ ହୋଇଛନ୍ତି ।

 

ଅଟକାଅ...ଅଟକାଅ—ଚାଳ ଉପରେ କିଏ ଜଣେ ବସିଚି । ସାହସୀ ଟୋକା ଚାରି ଛଅ ଜଣ ମିଳି ଚାଳଟାକୁ ଅଟକାଇବାକୁ ଚେଷ୍ଟା କରି ବିଫଳ ହେଲେ । ହେଲେ ଚାଳଟା ଯାଇ ସଡ଼କ ସେ ପାରିରେ ବିରାଟ ଏକ ବରଗଛରେ ଲାଖିଗଲା ।

 

ସାହୁ ବୁଢ଼ା ଜୁଳୁଜୁଳୁ କରି ଚାହୁଁଚି । ଚାଳଟା ଉପରେ ତିନି ଚାରିଟା ସାପ ବି ଆଶ୍ରୟ ନେଇଛନ୍ତି ।

 

ଦ୍ୱିତୀୟ ଦିନ ବିତିଗଲା । ତୃତୀୟ-ଦିନ ପାଣି ଟିକିଏ କମିବାରୁ ଗୋଟାଏ ନଉକା ଯାଇ ସାହୁବୁଢ଼ାକୁ ଚାଳ ଉପରୁ ଉଦ୍ଧାର କରି ଆଣିଲା । ବୁଢ଼ା ଖାଲି ପ୍ରଳାପ କରୁଚି—ମୋର ଘର କାହିଁ-? ମୋ ପୁଅ କାହିଁ ? ମୋ ସ୍ତ୍ରୀ କାହିଁ ? ମୋ ଟଙ୍କା କାହିଁ ?

 

ସେମାନଙ୍କ ସନ୍ଧାନ କିଏ ଦେଇପାରିବ ?

 

ଆଉରି ଦିନେ ପରେ ଗାଁ ଭିତରକୁ ଯିବା ସମ୍ଭବ ହୋଇପାରିଲା । ଛାତିଫଟା ଦୃଶ୍ୟ—ଯୋଉଠି ସେଠି ମଡ଼ା—ପଚା ଗନ୍ଧ ।

 

ସାହୁବୁଢ଼ା ହାଲିଆ ହେଇ ପଡ଼ିଚି । ଗାଁଆର ଟୋକାଏ ତାକୁ ଧରି ଧରି ଗାଁ ଭିତରକୁ ନେଇଗଲେ । ତା ଘରଟା ଉଚ୍ଚ ଜାଗାରେ ଥିବାହେତୁ ଚାଳଟା ଭାସିଯାଇନି । ଚାରି ପାଖର କାନ୍ଥ ହଜିଯାଇଚି ପାଣି ଭିତରେ । ଠାଏ ଠାଏ ଖାଲି ଓଦା ମାଟି । ଆଉ ସେଇ ଓଦା ମାଟି ଭିତରେ ସାହୁବୁଢ଼ୀର ଶବଟା ପଡ଼ିଚି—ବେକ ପର୍ଯ୍ୟନ୍ତ ମାଟି ଭିତରେ ପୋତିହୋଇଯାଇଛି—ବାହାରକୁ ଦିଶୁଚି ଖାଲି ମୁହଁଟା ।

 

ଆଉ ସିନ୍ଦୁକ ?

 

କୁଆଡ଼େ ଯେ ଭାସିଯାଇଚି ତାର ପତ୍ତା ନାହିଁ ।

 

ସାହୁବୁଢ଼ା ଏ ଦୃଶ୍ୟ ଦେଖି ଗୁମ୍‌ମାରି ବସିଗଲା । ସେଇ ଯେ ବସିଗଲା ଆଉ ଉଠିଲା ନାହିଁ ।

 

ଧ୍ୱସ୍ତ-ବିଧ୍ୱସ୍ତ ସାହୁପଡ଼ା ଗାଁ କାନ୍ଦୁଚି । ମଳିମୁଣ୍ଡିଆ ଆଉ ଥିଲାବାଲା ସଭିଏଁ ସମାନ ହେଇଯାଇଛନ୍ତି । ତାଙ୍କ ମୁହଁରେ ଆଜି ଗୋଟିଏ ଭାଷା ଆମକୁ ବଞ୍ଚାଅ—ଆମକୁ ଖାଇବାକୁ ଦିଅ ।

★★★

 

ଅନ୍ଧାର ଘର

 

ସୁଷମା ଯେତେବେଳେ ଷୋଡ଼ଶ ବସନ୍ତରେ ଉପନୀତ ହେଲା ମୁଁ ତାକୁ ଲକ୍ଷ୍ୟ କରିଥିଲି-। ତା’ର ସଦ୍ୟସ୍ଫୁଟ ଗୋଲାପ ମୁଖରେ ଫୁଟିଉଠିଥିଲା ଉଦ୍ଦାମ ତରଳ ହାସ୍ୟ—ମୃଗିଣୀ ପ୍ରସାରିତ ନେତ୍ରରେ ଫୁଟିଉଠିଥିଲା ଯୌବନ-ସ୍ୱପ୍ନର ସହସ୍ର ରଙ୍ଗିନ ଛବି । ହେମଗୌର ବକ୍ଷରେ ତା’ର ପ୍ରେମର ପ୍ରଥମ ଆଭାସ ମୁଁ ପାଇଥିଲି । ଷୋଡ଼ଶ ବସନ୍ତର ପ୍ରଥମ ଉପହାର ନେଇ ସେ ଯେତେବେଳେ ଯୌବନ ଦେବତାର ପୂଜା କରିଥିଲା, ମୁଁ ମୋର ପ୍ରଥମ ଉପହାର ରକ୍ତ ଗୋଲାପରେ ତା’ର କଳାକୃଷ୍ଣ କବରୀକୁ ରଞ୍ଜିତ କରି ତାର ନାରୀତ୍ୱର ଶ୍ରେଷ୍ଠ ରତ୍ନଟିକକ ଅପହରଣ କରିଥିଲି ।

 

ତାର ଅକ୍ଷୁଣ୍ଣ ଅକ୍ଷତ ଯୌବନର ଶତସହସ୍ର ଶୋଭା ନେଇ ମୋର ନିଖୁଣ ମନକୁ ସେ ଆକ୍ରମଣ କରିଥିଲା । ସେ ଦିନ, ସେଇ ଦିଗ୍‌ବଳୟବ୍ୟାପୀ ସବୁଜ ପ୍ରାନ୍ତରରେ ଥିଲା ଶୀତାର୍ତ୍ତ-ମୁମୂର୍ଷୁ ଅର୍ଦ୍ଧଚନ୍ଦ୍ରର ଅସ୍ପଷ୍ଟ ଆଲୋକ, ଆଉ ନିଦ୍ରିତ ସ୍ୱପ୍ନଭୀତ ପୃଥିବୀ ।

 

ମୋ ପକ୍ଷେ ସେ ଅତି ଗୌରବମୟ । ଯୌବନର ପ୍ରଥମ ପାଦରେ ଉପନୀତ ହୋଇ ତୋଳିଥିଲି ସ୍ମୃତିର ତାଜମହଲ ଅବା ନଭଶ୍ଚୁମ୍ୱୀ କୁତବମିନାର । କଳ୍ପନା କରିଥିଲି ଚିରଦିନ ସେ ସେମିତି ସରଳରେଖା ପରି ଦଣ୍ଡାୟମାନ ରହିବ । କିନ୍ତୁ ହାୟ, ସେ କଥା ଭାବି ମୁଁ ଆଜି ଅନୁତାପ କରେ—ଶୟନକକ୍ଷରେ କାନ୍ଦେ—ସେଇ ଗୌରବମୟ ଅତୀତ ମୋତେ ଉପହାସ କରେ....ବିଦ୍ରୂପ କରେ ।

 

ମୁଁ ନିଦ୍ରା ତେଜି ଚମକିଉଠେ....ହାତ ବୁଲେଇ ଦେଖେ ସୁଷମା ଅର୍ଦ୍ଧନଗ୍ନ...ନିଦ୍ରିତ । ଛାତିରେ ଲୁଗାଟା ଘୋଡ଼େଇ ଦେଉ ଦେଉ ତା’ର ଅଲରା ଅସନା ବାଳଗୁଡ଼ାକରେ ହାତ ବୁଲେଇ ଦିଏ । ମୋର ହାତସ୍ପର୍ଶରେ ତା’ର ନିଦ୍ରା ଭାଜେ ।

 

ମୁଁ ଦେଖେ—ସେ ତା ଆଖିଲୁହରେ ଉପାଧାନଟି ଭିଜେଇ ଦେଇଛି । ସନ୍ତାନହୀନ ନାରୀ ସେ—ବାତ୍ସଲ୍ୟ-ସ୍ନେହର ଆଧିକ୍ୟ ହେତୁ ଉପାଧାନଟିକୁ ବକ୍ଷରେ ଜାକିଧରି ଘନ ଘନ ଚୁମ୍ୱନ ଦେଇଛି । ଆହା ! ଭଗ୍ନ ହୃଦୟ ମୋର କାନ୍ଦିଉଠେ । ଜନନୀ ହେବାରେ ଯେ’ କି ଗୌରବ, ତାହା ମୁଁ ବୁଝିବି କାହୁଁ ?

 

ମୋର ସୁନ୍ଦର ରୂପ ନେଇ ସେତେବେଳେ ମୁଁ ଗର୍ବ କରୁଥିଲି । ସେଇ ଯାଦୁକରୀ କାଉଁରି ପରଶରେ କେତେ ନିରୀହ-ଜଡ଼-ନିର୍ଜୀବ କୁମାରୀ ଜୀବନଦାନ ପାଇଥିଲେ....ମୁଁ ତାଙ୍କୁ ବଶ କରିଥିଲି । ମୋର ଏଇ ପ୍ରତାରଣା ଯୋଗୁ ଆଜି ଜୀବନର ମଳିନ ସନ୍ଧ୍ୟାରେ ବସି ମୁଁ ଅନୁତାପ କରେ—କାନ୍ଦେ କଅଁଳ ଛୁଆଟି ପରି କଇଁକଇଁ ହୋଇ ।

 

ସୁଷମା ତୁଳସୀ ଚଉତରାମୂଳେ ନିତି ସଞ୍ଜବତି ଜାଳିଦେଇ ବୃନ୍ଦାବତୀଙ୍କ ପାଖେ କେତେ କଣ ମନାସିଯାଏ । ଗୃହର ଲକ୍ଷ୍ମୀ ସେ....ସରଳା ସେ...ମୋର ରୁକ୍ଷ ନିର୍ମମ ହୃଦୟକୁ ବୁଝିପାରିନଥିଲା । ତା’ର ମନ ପ୍ରାଣ ଯୌବନ ସବୁ ଅଜାଡ଼ି ଦେଇଥିଲା ମୋ’ରି ପାଦତଳେ; କିନ୍ତୁ ମୁଁ ତା’ର ଅପବ୍ୟବହାର କରିଚି । ତା’କୁ ସନ୍ତୁଷ୍ଟ କରିବାରେ ଭୀଷଣ ଅନ୍ୟାୟ କରିଚି—କୃପଣତା କରିଚି । ସେ ଆଜି ବୁଝିଚି, ସେଥିପାଇଁ ସେ ଦୁଃଖ କରେ—ମୋତେ ନିଜର କରିବା ପାଇଁ ଦିଅଁଦେବତାଙ୍କ ପାଖେ ଜଣାଏ ।

 

ମୁଁ ଆଜି ଭାବୁଚି—ମୁଁ ତାକୁ ଭଲ ନ ପାଇଥିଲେ ଅନ୍ତତଃ ଏତେ ଅନୁତାବ କରିବାକୁ ପଡ଼ୁ ନଥାନ୍ତା । ଆଜି ଜୀବନର ଏଇ ଧୂସର ସଂଧ୍ୟାରେ—ସେପାରିକି ପାଦ ଦେଲାବେଳେ ତା’ ଚିନ୍ତା ମୋତେ ଏତେ ବ୍ୟଥିତ କରୁ ନଥାନ୍ତା । ମୋର କର୍ମକ୍ଳାନ୍ତ ଜୀବନ ପରେ ଏ ଭଗ୍ନ ହୃଦୟ ନେଇ ମୁଁ ଚିତ୍କାର ଛାଡ଼େ—ମୋର ସର୍ବନାଶ ମୁଁ ନିଜେ କରିଚି—ସେଥିପାଇଁ ଦାୟୀ ମୁଁ ।

 

ସୁଷମା ଗୃହକାମରେ ବ୍ୟସ୍ତ ଥାଏ । ମୁଁ ସବୁବେଳେ ତାହାରି କଥା ଭାବେ । ତା’ ପ୍ରତି ଅନ୍ୟାୟ ବ୍ୟବହାର ଯୋଗୁଁ କାନ୍ଦେ । ସେଥିପାଇଁ ଦିନକୁଦିନ ମୋର ସ୍ୱାସ୍ଥ୍ୟ ଖରାପ ହେଉଛି । ସମ୍ପୂର୍ଣ୍ଣ ବାର୍ଦ୍ଧକ୍ୟରେ ପ୍ରବେଶ କରି ନଥିଲେ ହେଁ ଚର୍ମ ଶିଥିଳ କୁଞ୍ଚିତ ହୋଇଯାଇଛି—ଚକ୍ଷୁ କୋଟରଗତ ହେଉଛି—ତା’ରି ପାଇଁ ମୋର ଏ ଦଶା । ସେ ବୁଝେ, ବୁଝାଏ—ଯା’ ହବାର ହେଇଯାଇଚି, ଆଉ ଅନୁତାପ କଲେ ଫେରିଆସିବନି । ତୁମେ କାନ୍ଦନା, ଧନଟି ପରା ମୋର, ମୋର ଲାଗି ଚିନ୍ତା କରି କରି ଅକାଳ-ବାର୍ଦ୍ଧକ୍ୟରେ ପାଦ ଦେଲାଣି....ଆଉରି କାନ୍ଦୁଚ... ?

 

ମୁଁ ତା’ର ଅଳସ ତନୁଲତାଟିକୁ ମୋ ବକ୍ଷ ଉପରକୁ ଆଉଜେଇ ଆଣେ । କହେ—ସୁଷମା, ମୋତେ କ୍ଷମା କରିବ ? ତୁମ ପ୍ରତି ମୁଁ ଭୀଷଣ ଅନ୍ୟାୟ କରିଚି । ମାତୃତ୍ୱର ଗୌରବରେ ନାରୀ ନିଜକୁ ଭାଗ୍ୟବତୀ ମଣେ । ତମର ସେ ଭାଗ୍ୟ ନାଇଁ । ସୁଷମା, ସେଥିପାଇଁ ଦାୟୀ ମୁଁ ନୁହେଁ କି ?

 

ଶିବ-ଜଟା-ନିସୃତ ଭାଗୀରଥୀ ପରି ତା’ର ଉଷ୍ଣ ଲୋତକରେ ମୋ ଦେହର ପରିଧାନ ଓଦା ହେଇଯାଏ । ସରଳ ମନକୁ ସେ ବୁଝେଇପାରେନି—କାନ୍ଦେ । ଜୀବନରେ କି ସୁଖ ସେ ପାଇଲା ? କଣ ନେଇ ସେ ଗର୍ବ କରିବ ? କଣ ଅଛି ତାର ? ଅଭାଗିନୀ ସେ—ମୁଁ ତାର ଅଯୋଗ୍ୟ ପତି ।

 

ସେ ଯାଏ ରୋଷେଇଘରକୁ ନିତି । ମୁଁ ମୋର ଅବସର ଜୀବନର ସାଥୀ ତୁଳସୀ ମାଳି ଧରି ବସିପଡ଼େ—କୃଷ୍ଣ ନାମ ଜପ କରେ । ସେଇ ଦଣ୍ଡକ ଅନ୍ତତଃ ତା’ର ସବୁ ସ୍ମୃତି ମନରୁ ପୋଛିପକେଇବା ପାଇଁ ଚେଷ୍ଟା କରେ; କିନ୍ତୁ ପାରେନି । ମୋର ଭକ୍ତି-ନିବିଷ୍ଟ ମନ ଭିତରେ ତାର ସୁନ୍ଦର ରୂପ ନାଚେ । ମୁଁ ବସି ବସି ସେଇ ଅତୀତ କଥା ଭାବି ଆତ୍ମବିସ୍ମୃତ ହୋଇପଡେ ।

 

ସେ ରୋଷେଇ ସାରି ଆସି ମୋ’ରି ପାଖରେ ବସେ–ସଂଧ୍ୟା ସାରିଲେ ଯିବି–ଖାଇବି-। ସେ ଡାକେନି.... ।

 

ମୋ ସଂଧ୍ୟା ସରେନି, ରାତି ବେଶି ହୁଏ । ଇମିତିକି ଦିନେ ଦିନେ ଆମେ ଖାଇ ଶୋଇବାବେଳକୁ ପାଖଘରଗୁଡ଼ାକରେ ସବୁ ଆଲୁଅ ନିଭିଯାଇଥାଏ । ତଥାପି ସେ ଡାକେନି । ମୋର ଜରାଗ୍ରସ୍ତ ହତାଶମୟ ଜୀବନରେ ସେ ବି ମୋତେ ଭଲ ପାଏ—ଆଦର କରେ ।

 

ମୁଁ ବସୁ ବସୁ ଢଳିପଡ଼େ । ସେ କେତେ କଣ ଆଶଙ୍କା କରି ଧାଇଁଆସେ । ମୁଁ ପ୍ରଳାପ କରେ—ସେ ବୁଝାଏ । ମୁଁ କାନ୍ଦେ—ସେ ସାନ୍ତ୍ୱନା ଦିଏ—ଛି, ଏତେ ବୁଝାଇଲି....ତଥାପି ତୁମେ ଅବୁଝା ! କେତେବେଳୁ ସଂଧ୍ୟା ସାରି କଣ ଭାବୁଚ ?

 

ମୁଁ ଲଜ୍ଜିତ ହୁଏ... ।

 

ମୁଁ ବସେ । ସେ ଅନ୍ନ ପରଶି ଦେଇଯାଏ । ଏଣୁତେଣୁ ଦି’ଥର ଖାଇ ମୁଁ ଉଠିପଡ଼େ । ଖାଇବାରେ ସୁଖ ନାଇଁ । ସେ ଦୁଃଖ କରେ, ଭାବେ—ତରକାରିପତ୍ର ଭଲ ନ ଲାଗିବାରୁ ମୁଁ ଉଠିପଡ଼ିଲି ।

 

ରାତିରେ ମୁଁ ସ୍ୱପ୍ନ ଦେଖେ—

 

ପ୍ରେତପୁରୀରୁ ସେଇ ଅଲିଅଳି ସନ୍ତାନଟି ଆସି ମୋ ବେକ ଚିପିଧରିଚି । ମୁଁ କହେ—ଧନରେ, ମୋତେ ଇମିତି କରୁଚୁ ? ମୁଁ....ମୁଁ ପରା ତୋ ବାପ.... ।

 

ସୁଷମା ଆସି ତାକୁ ନେଇଯାଏ, ଖେଳନାଟାଏ ଧରେଇଦେଇ ଭୁଲେଇ ଦିଏ; ସେ କିନ୍ତୁ ଭୁଲେନି । ଫେରି ଧାଇଁଆସେ । ମୋର ପ୍ରସାରିତ ବକ୍ଷକୁ ତା’ର କଅଁଳ ପାଦ ଦୁଇଟିରେ ଦଳିଦେଇଯାଏ—ଧୂସର କେଶଗୁଡ଼ିକୁ ମୁଠେଇ ଧରି ଝିଙ୍କେ । ମୋତେ କଷ୍ଟ ହୁଏ । ମୁଁ ସନ୍ତାନର ମାୟାମମତା ନ ରଖି ତାକୁ କଚାଡ଼ି ଦିଏ । ସେ କାନ୍ଦେ, ମା ପାଖକୁ ଧାଇଁଯାଏ ।

 

ସୁଷମା କହେ—ସେ ରାକ୍ଷସ, ରକ୍ତପାୟୀ ପାଖକୁ ଯିବୁନି ବାପ ! ସେ ରକ୍ତ ଶୋଷିନବ-

 

ମୋ ପ୍ରାଣରେ ଆଘାତ ଲାଗେ । ମୁଁ ପିତା ହୋଇ ସନ୍ତାନର ରକ୍ତ ପିଇବି ? ସେ କଣ ମୋର ନୁହେଁ ସୁଷମା ? ତମେ ତାର ଜନନୀ ହୋଇ ଯେତିକି ଗର୍ବ କରୁଚ—ମୁଁ ତାର ପିତା ହୋଇ ମୋର କଣ ସେତିକି ଗର୍ବ କରିବାର ନାଇଁ ?

 

ସୁଷମା ନିଷ୍ଠୁର ଭାବେ ଉତ୍ତର ଦିଏ—ନାଇଁ ।

 

ମୁଁ କାନ୍ଦେ....ଚିତ୍କାର କରେ..... ।

 

ନିଦ ଭାଜିଯାଏ—ଶଯ୍ୟା ଅଣ୍ଡାଳି ପକାଏ—ସନ୍ତାନ କାଇଁ ? ଆଖି ଖୋଲି ଚାହେଁ—ସୁଷମା ସେମିତି ଉପାଧାନଟିକୁ ବକ୍ଷରେ ଜଡ଼ାଇ ଧରିଚି । ସନ୍ତାନ ପାଇଁ—ଖାଲି ସ୍ୱପ୍ନ—ଦୁଃସ୍ୱପ୍ନ ।

 

ପ୍ରାଣ କାନ୍ଦିଉଠେ । ପ୍ରକୃତ ସନ୍ତାନ ପରିବର୍ତ୍ତେ ସୁଷମାକୁ ଆଜି ନକଲି ସନ୍ତାନ ଦେଇ ଭୁଲେଇଚି କିଏ ? ଜଡ଼ ନିର୍ଜୀବ ଉପାଧାନ କାହା ପାଇଁ ତା’ର ସେ ସ୍ଥାନଟିକୁ ପୂରଣ କରିଚି ?

 

ନିର୍ମମ ମୁଁ—ମୋର ଯେମିତି ରୂପ ଥିଲା ମୁଁ ଚାହୁଁଥିଲି ସେମିତି ସୁଷମାର ରହୁ । ସେଥିପାଇଁ ସେ ଦିନ ସୁଷମା ଯେତେବେଳେ ଗର୍ବ କରି ଆସି କହିଥିଲା ଯେ—ସେ ଆଜି ଖାଲି ମୋର ସ୍ତ୍ରୀ ନୁହେଁ—ମୋ ସନ୍ତାନର ମାଆ, ତାର ଛାତି ଗର୍ବରେ ଫୁଲିଉଠୁଥିଲା । ମାତୃତ୍ୱର ଗୌରବରେ ସେ ସେଇ ଅନାଗତ ମୂହୂର୍ତ୍ତର ପ୍ରତୀକ୍ଷାରେ ଚାତକ ପରି ଚାହିଁ ବସିରହିଥିଲା । ମନ ମୋର ବ୍ୟଥାରେ ଥରିଉଠିଲା—ସୁଷମା ଆଜି ତା’ର ରୂପକାନ୍ତିକି ନଷ୍ଟ କରିବାକୁ ଯାଉଚି । ମୋର ରାଗ ହେଲା । ପିତା ହବାର ଗୌରବ ମୋର ପ୍ରାଣକୁ ବ୍ୟଥିତ କଲା ନାଇଁ । ମୁଁ ନରହନ୍ତା—ଶିଶୁହନ୍ତା ଘାତକର ମୂର୍ତ୍ତି ଧଇଲି । ଡାକ୍ତର ପାଖକୁ ଯାଇ ଔଷଧ ଆଣିଲି । ସୁଷମା ଜାଣେ ନାଇଁ—ତାର ବଳିଷ୍ଠ ସନ୍ତାନ ହବ ଏଇ ପ୍ରତାରଣା କରି ଶିଶିକି ଆଲମାରିରେ ଲୁଚାଇ ରଖି ତା’କୁ ଖୁଆଇଲି-। ସେ ସେତେବେଳକୁ ଭାବୀ ସନ୍ତାନର କୁଆଁ କୁଆଁ କାନ୍ଦ ଖାଲି ଶୁଣୁଥିଲା, ଅନ୍ଧଭାବରେ ଖାଇଦେଲା ।

 

ତା’ପରେ ଦିନେ ସେ ଜାଣିଲା—ଦେଖିଲା ଗର୍ଭ ଭଙ୍ଗାଇବାର ଔଷଧ । ହୃଦୟ ତା’ର ଭାଙ୍ଗିପଡ଼ିଲା—ସେ କାନ୍ଦିଲା । ମୁଁ ସେଇ କାନ୍ଦ ନ ଶୁଣିବି ବୋଲି ଘରୁ ପଳେଇଗଲି । ତା’ ମନରେ ଦୁଃଖ ଆସିଲା—ମୋ ପାଖକୁ ଚିଠି ଲେଖିଲା ସେ—ଆସ, ଯାହା ହେବାର ହୋଇଗଲାଣି । ମୋ ପୋଡ଼ା କପାଳରେ ଜନନୀ ହେବାର ଗୌରବ ନାଇଁ । ସେଥିପାଇଁ ତମେ ଦୋଷୀ ନୁହଁ ।

 

ସେ ସବୁ କଥା ଆଜି ମୋ ହୃଦୟକୁ ମନ୍ଥି ଦେଇଯାଏ । ମୋର ସବୁ ଦୋଷରେ ସୁଷମା ମୋତେ କ୍ଷମା କରିଚି—କିନ୍ତୁ ମୁଁ...

 

ସେଇ ଦିନୁ ତା’ର ଆଉ ମୋ ଭିତରେ ବିରାଟ ବ୍ୟବଧାନ ସୃଷ୍ଟି କରିଚି ମୁଁ ।

 

ସୁଷମା ଆଜି ବି ଏସବୁ ଭାବେ—ଦୁଃଖ କରେ—କାନ୍ଦେ । ସେ ଦିନ ମୋର ସ୍ପଷ୍ଟ ମନେପଡ଼ୁଚି । ସେଦିନ ଦିଆଲୀ । ମୁଁ ସକାଳେ କଚେରିକି ବାହାରିଗଲି...କଣ ଗୋଟାଏ କାମ ଥାଏ । କାମ ସାରୁ ସାରୁ ସୂର୍ଯ୍ୟରଶ୍ମି ତୀର୍ଯ୍ୟକ୍‌ରୁ ସରଳ ଭାବେ ଆସି ପଡ଼ିଲାଣି । ଚଞ୍ଚଳ ହୋଇପଡ଼ିଲି । ଘୋଡା ଗାଡ଼ିରେ ବସି ଆଦେଶ ଦେଲି—ଚଲା ଜଲ୍‌ଦି । ସୁଷମା କେତେବେଳୁ ରୋଷେଇ ସାରି ସେଇଠି ଶୋଇପଡ଼ିଥିବ । ଆଜି ଦିଆଲୀ । ମନେପଡ଼ିଲା ରାତିରେ ଭାତ ଖିଆ ହେବନି । ଘୋଡ଼ାଗାଡ଼ିଟାକୁ ଅଟକେଇ କିଛି ଚିନି, ଘିଅ ଆଉ ମଇଦା କିଣିଲି । ଗାଡ଼ି ଚାଲିଲା ।

 

ଘରେ ପହଞ୍ଚିଲି । ସୁଷମା ଚେୟାର ଉପରେ ବସି ସେଲ୍‍ଫରେ ଥିବା ନିର୍ଜୀବ ଗୋଲାପି ବର୍ଣ୍ଣର କଣ୍ଢେଇଟିକି ଏକ ଧ୍ୟାନରେ ଚାହିଁଚି । ତା’ ଚେୟାର ପଛରେ ଯାଇ ଠିଆହେଲି । ତା’ର ଲକ୍ଷ୍ୟ ନାଇଁ । ସେ ଗାଉଚି ଧୀରେ ଧୀରେ ବେଦନାଭରା କଣ୍ଠ ଥରାଇ....

 

ଘର୍‌ଘରମେଁ ଦିୱାଲୀ

ମେରୀ ଘରମେଁ ଅନ୍ଧେରା....

 

ଅଜାଣତରେ ଉଷ୍ଣ ଲୋତକ ଠୋପେ ତା’ ଦିହରେ ପଡ଼ିଲା । ସେ ଚମକି ଉଠିପଡ଼ିଲା । ପଛରେ ମୁଁ....ସନ୍ତାନଘାତୀ । ସେ ପଳାଇଗଲା ଭିତରକୁ ।

 

ମୋର ବକ୍ଷପଞ୍ଜର ଥରେଇ ଦୀର୍ଘ ନିଶ୍ୱାସଟାଏ ଆସିଲା—ହାୟ, ପିତା ହବାର ଗର୍ବ ମୋର ନାଇଁ !

★★★

 

ବର୍ଷଣ ରଜନୀ

 

କର୍ମକ୍ଳାନ୍ତ ଜୀବନର ମୁଖରତାକୁ ଦି ମାସ ପାଇଁ ବିଦାୟ ଦେଇ ଫେରିଥାଏ ।

 

ରାତି ପହରକୁ ବଳିପଡ଼ିଚି । ଉଆଁସ ଆକାଶର ଅଧୀର ବତାସ ହୃଦୟରେ ଶଙ୍କା ଜଗାଇ ଦେଉଥାଏ । କେଉଁ ଏକ ଅଜ୍ଞାତ ଅଶୁଭ ସ୍ୱପ୍ନର କଳା-ପରଦା ମନ ଭିତରେ ବିପଦର ବାତାବରଣ ସୃଷ୍ଟି କରୁଥାଏ; ଯେ କେହି ଭୀତ ହୋଇଯିବାର କଥା । ମୟୂରଭଞ୍ଜର ଗୋଟାଏ ନିର୍ଜନ ବଣୁଆ ରାସ୍ତା ।

 

ତାରି ଉପରେ ମୁଁ ଚାଲିଛି । ସାଥିରେ ଅଛି ରଘୁଆ—ଆମ ଗାଁରେ ତାର ଘର ।

 

ଚାଲିଛି ସବୁ ପ୍ରକାର ଆଶଙ୍କାକୁ ଏଡ଼ି । କାରଣ ମୋତେ ଯିବାକୁ ହେବ, ଜରୁରୀ ଚିଠି ଆସିଛି—ସିପ୍ରା ଶକ୍ତ ବେମାର । ଆଖି ଆଗରେ ମୋର ଆକାଶ ଭାଜିପଡ଼ୁ ଥାଏ—ପୃଥିବୀ ରସାତଳସ୍ଥ ହେଉଥାଏ...ସିପ୍ରା ସ୍ୱପ୍ନରେ ମୁଁ ଧୈର୍ଯ୍ୟ ହରେଇ ଦେଉଥାଏ ବେଳେ ବେଳେ.... ।

 

...ସିପ୍ରା ଗାନରତା, ହାତରେ ବୀଣା । ଅଙ୍ଗରେ ତାର କି କମନୀୟତା—ମୁଖରୁ ଫୁଟି ଝରିପଡ଼ୁଚି ଲକ୍ଷ ଲକ୍ଷ ଗୋଲାପ । କାକ କୃଷ୍ଣ ଗଭାରେ ସଦ୍ୟସ୍ଫୁଟ ସୁଗନ୍ଧରାଜର ଉତ୍ସବ । କବି ମୁଁ-। ହୃଦୟରୁ ମୋର ଝରିପଡ଼ିଥାଏ କଳ୍ପନାର ଫଲ୍‌ଗୁ ।

 

—‘‘ସିପ୍ରା, ତୁମେ କେଡ଼େ ସୁନ୍ଦର !’’

 

—‘‘ଇସ୍ !’’

 

ପୂର୍ଣ୍ଣମୀ ରଜନୀର ତୋଫା ଚନ୍ଦ୍ରିକା—ଘର ସାରା ଆଲୁଅ ହୋଇଉଠେ । ଯତ୍ନନିର୍ମିତ ଉଦ୍ୟାନ ବୁକୁରୁ ଭାସିଆସେ ମଲ୍ଲୀ-ମାଳତୀର ମାଦକତା ।

 

—‘‘ତୁମ ଗୀତ ଭାରି ସୁନ୍ଦର ସିପ୍ରା !’’

 

ସିପ୍ରାର ଅଭିମାନ ଆରମ୍ଭ ହୋଇଯାଏ । ଗୀତ ବନ୍ଦ ହୁଏ । ବୀଣା ରହିଯାଏ ତାର ଆସ୍ଥାନରେ । ସିପ୍ରା ମୁହଁରେ ଉଦାସ ଚାହାଣୀ—ଚାପା ହସ । ସେ ମୌନବ୍ରତ ଅବଲମ୍ୱନ କରେ ।

 

ମାତ୍ର ମୁଁ ତହିଁରୁ ଆନନ୍ଦ ପାଏ । ଅଭିମାନିନୀ ସେ । ମୋ ଆଖିରେ ଆହୁରି ସୁନ୍ଦର ହୋଇଉଠେ ।

 

ଚକ୍ରବାକ ଡାକିଯାଏ । ତା’ର ବିରହୀ କଣ୍ଠର କରୁଣ ମୂର୍ଚ୍ଛନା ଆମ ହୃଦୟରେ ଝଂକାର ତୋଳେ । ଚନ୍ଦ୍ରିକାର ନିଶା ପ୍ରବଳ ହୁଏ । ରାତି ବଢ଼ିଉଠେ । ବିଛଣାକୁ ଆଲିଙ୍ଗନ କରି ପଢ଼ୁ ପଢ଼ୁ ଆଖି ବୁଜିଆସେ । ଛାଇନିଦ ଘାରିଯାଏ ।

 

ଆରେ.....ହଠାତ୍ ଏ କ’ଣ ?

 

—‘‘ସିପ୍ରା, ତୁମେ ଯେ ଜାଗିଚ ।’’

 

ଶଯ୍ୟାଧାରରେ ସିପ୍ରା ବସି ମୋ ମୁଣ୍ଡରେ ହାତ ବୁଲାଇ ବୁଲାଇ ଡାକେ—‘‘କବି’’ !

 

ଉତ୍ତର ଦିଏ ମୁଁ—‘‘କବିତା !’’

 

ସବୁଦିନେ ଏପରି ସେ ଗୋଟିଏ ଦାନ ମାଗେ । ସବୁଦିନେ ତା’ର ଗୋଟିଏ ଭିକ୍ଷା । ସେ ଆରମ୍ଭ କରେ—

 

‘‘ମନେ ଅଛି ତମର ? ପ୍ରେମିକ ବାଦ୍‌ଶା ତାଙ୍କର ପ୍ରିୟତମାକୁ ଅମର କରି ଯାଇଛନ୍ତି କବି ! ତମେ ତମ କବିତାରେ ମୋତେ କଣ ଅମର କରିପାରିବନି ?’’

 

ଏଇ ଗୋଟିଏ ଅନୁନୟ ତା’ର—କବି କବିତାରେ ତାକୁ ଅମର କରିବ । କେଜାଣି କ’ଣ ହେବ ?

 

ରାତି ଗର୍ଜିଉଠେ । ସ୍ୱପ୍ନ ହଜିଯାଏ ।

 

X X X

 

—‘‘ସିପ୍ରା ! କବିର ଆଶୀର୍ବାଦ....ତମେ ଅମର ହୁଅ ।’’

 

‘‘କବି, ମୋରି ସ୍ମୃତିରେ କବିତାର ତାଜ୍ ତମେ ଗଢ଼ିଯାଅ । ଏଇ ଗୋଟିକ ଭିକ୍ଷା ପୂର୍ଣ୍ଣ କରିପାରିବନି ?’’

 

—‘‘ପାରିବ ସିପ୍ରା !’’ ମଥା ନତ ହୋଇଯାଏ । ଧୀରେ—ନମ୍ରଭାବରେ ମୁଁ ଉତ୍ତର ଦିଏ-

 

X X X

 

‘‘ଆଉ ମୁଁ ଭଲ ହେବିନି । ଚିରଦିନ ପାଇଁ ବୀଣା ମୋର ଆଉ ବାଜିଉଠିବନି । ବୀଣାର ଝଙ୍କାରରେ ତମ ହୃଦୟର କବିତାପ୍ରବାହ ଆଉ ଜୀବନ ପାଇବନି କେବେ । ମୁଁ ତୁମକୁ ଆଜି ନିରାଶ କରୁଚି ।’’

 

‘‘ସିପ୍ରା !’’

 

ଆଖିରେ ମୋର ଲୁହ ଭରିଯାଏ ।

 

‘‘ହଁ, ମୋର ସେଇ ଗୋଟିଏ ଭିକ୍ଷା । କବିତାର ତାଜ୍ ଅମର ତାଜ୍ ସମାଧିର ମାର୍ବଲ ଉପରେ ଆଙ୍କି ଦେବ । କବି ତୁମେ । ତମ ବେଦନାସିକ୍ତ ନିଭୃତ ହୃଦୟର ଅପୂର୍ଣ୍ଣ-କାହାଣୀ....ଜଗତ ଜାଣିବ । ସିପ୍ରା ତମର ହେବ ଅମର । ପ୍ରେମର ମିଳନ-ଛବି ଆଉ ଫୁଟିବନି ଅରୁଣ ସ୍ପର୍ଶରେ ପଦ୍ମ ଫୁଟିଲା ପରି । ଏଣିକି ଉଠିକ ବିରହୀଙ୍କଠାରେ କରୁଣା ଉଲ୍ଲାସ । କବି, ଆଉ ବେଶି ବେଳ ମତେ ରଖି ପାରିବନି । ମୁଁ ଯାଉଚି.... ।’’

 

କବିତାର ଆଖି ବୁଜି ଆସିଲା ଚିରଦିନ ପାଇଁ—ମୋ’ରି ଆଖି ଆଗରେ । ମଣ୍ଡଳାକାରେ ଘୂରିବୁଲୁଥିଲା ନିରାଶାର ଚକ୍ର ।

 

X X X

 

ସିପ୍ରା ଯାଇଚି । ତାରି ସ୍ମୃତି ଝୁରି ଝୁରି ମୋତେ ଆଜି ଜିଇ ରହିବାକୁ ପଡ଼ିଚି । ତା’ର ଶେଷ କଥା—‘‘କବି, ମୋତେ ଅମର କରିଯାଅ’’—ଆଜି ବି ଜାଗିଉଠି ମନ ତଳେ ତଳେ ବ୍ୟଥାର କରୁଣ-ଅଶ୍ରୁ ଢାଳିଯାଏ । ପ୍ରାଣରେ ଗଭୀର ଚିହ୍ନ ରହେ । ଅପୂର୍ଣ୍ଣ ଗୀତରେ ହୃଦୟ ଉଦବେଳିତ ହୋଇଯାଏ । ଜଗତରେ ଆଉ ବଞ୍ଚିରହିବାର ତିକ୍ତତାରେ ପ୍ରାଣ ଭିତରେ ବ୍ୟର୍ଥ ଗୀତର ଝଙ୍କାର ଉଠେ । ତଥାପି ପ୍ରାଣରେ ଶାନ୍ତି ଆସେନି.... ।

 

ସିପ୍ରାର ଗନ୍ଧମୟ ସୁକୋମଳ ତନୁ ଭସ୍ମ ହୋଇଯାଇଚି; ମାତ୍ର ମୃତ୍ୟୁ ଶଯ୍ୟାରେ ହାତ ପାତି ସେ ଯେଉଁ ଦାନଟିକକ ମାଗିଥିଲା ତାର ପୂର୍ଣ୍ଣତା କାହିଁ ? ଦୁଃଖିନୀ ସିପ୍ରାର ଅସମ୍ପୂର୍ଣ୍ଣ ଜୀବନନାଟିକା କଥା ଭାବି ଆଖିପତା ମୋର ଓଦା ହୋଇଆସେ—ଭାରି ହୋଇଆସେ । ମନରେ କୋହ ଉଠେ । ରାତିର ଅନ୍ଧାରରେ ପ୍ରକୋଷ୍ଠ ଭିତରେ ସିପ୍ରାର ଛବି ଦେଖି ମୁଁ ଚିତ୍କାର କରିଉଠେ । ପରପାରିରେ ତା’ର ଆତ୍ମାର ମଙ୍ଗଳ କାମନା କରେ । ବେଳେ ବେଳେ ଶୟନ ପ୍ରକୋଷ୍ଠର ବାତାୟନ ଫାଙ୍କରେ ଦୂର ମଶାଣି ବୁକୁରେ ସିପ୍ରାର ଚିତାଗ୍ନି ଦିଶିଯାଏ....ରାତି ଭୟଙ୍କର ହୁଏ । ଶୂନ୍ୟ ଶେଯରେ କାହାର ସନ୍ଧାନ କରୁ କରୁ ବିରହୀ-ବୁକୁ ମୋର ବାହୁନି ଉଠେ.... ।

★★★

 

ଜୀବନ ଭାଙ୍ଗିପଡ଼ୁଚି

 

ସକାଳ । ଶ୍ୟାମଳ-ଦୁନିଆର ବୁକୁ ଉପରେ ବିଞ୍ଚି ହୋଇଯାଉଛି ନୂଆ ସୂର୍ଯ୍ୟର ସୁନା କିରଣ । ମୁଣ୍ଡ ପାଖରେ ଝର୍କା ବାଟେ ଏଇ ଉଦ୍ୟାନରୁ ଭାସି ଆସୁଛି ଶତ ଶତ ଫୁଲର ଗନ୍ଧ । ସଡ଼କ ସେ ପାଖର ଗଛଟାରୁ କାହିଁକି କେଜାଣି ଏ ଅଦିନଟାରେ କୋଇଲି ତାର ଗୀତ ଗାଇବା ସୁର୍ କରିଦେଇଛି ।

 

ବଡ଼ ଅସ୍ୱାଭାବିକ । ବୈଶାଖର ଏଇ ଗରମ ସକାଳେ କୋଇଲିର ସଂଗୀତଟା ଅଭିନବ-। ତଥାପି ସେ ଗାଉଛି । ମନରେ ବୋଧହୁଏ ତାର ଭାରି ଆନନ୍ଦ—ସ୍ୱାଧୀନ ଭାରତର ଏଇ ପ୍ରଥମ ପ୍ରଭାତରେ ।

 

ଖବର କାଗଜବାଲା ସାଇକେଲ ଘଣ୍ଟି ବଜାଇ ଚାଲିଯାଉଚି ।

 

କାଗଜରେ ଆଜି ବହୁତ ଖବର—ବଡ଼ ବଡ଼ ଅକ୍ଷରରେ ଛାପା—ପଟେଲ୍ ମରୁ ମରୁ ବଞ୍ଚିଗଲେ... ଉଡ଼ାଜାହାଜ ଚାଳକର ଅସୀମ ଚତୁରତା....ଇତ୍ୟାଦି ।

 

ଜୀବନ ସହିତ ଯୁଦ୍ଧ କରିବାକୁ ପଡ଼ୁଚି ପ୍ରତିଦିନ । ହତଭାଗ୍ୟ କିରାଣି ଜୀବନର ରକ୍ତବୋଳା ଇତିହାସ । ଦିନ ଦଶଟାଠାରୁ କାମ କରି ବାଜିଯାଏ ରାତି ଦଶ । ଶାନ୍ତି ନାଇଁ ଏ ଜୀବନରେ ।

 

ସୋଫା ଉପରେ ଆଉ ଟିକିଏ ଘାଲେଇ ପଡ଼ିଲି । ଆଗରେ ମେଡ଼ିକାଲ କଲେଜ୍ ହସ୍‌ପିଟାଲରେ ବଡ଼ ଘଣ୍ଟାଟାରେ ବାଜିଲା ସାତ । ମେସ୍‌ର ବହୁ ଦିନର ପୁରୁଣା ଚାକର ମଧୁ ଆସି ଡାକ ଛାଡ଼ିଲା—‘‘ସାତ ବାଜିଗଲା ବାବୁ, ଉଠିପଡ଼ନ୍ତୁ ।’’

 

ଉଠିଲି ।

 

‘‘ବାବୁ କଣ ଦେବି ? ଚା ? ଟୋଷ୍ଟ ? କେକ୍ ?’’

 

ପ୍ରତିଦିନ ଏଇ ପୁରୁଣା ଢଙ୍ଗର ଚା, କେକ୍ ଖାଇ ଖାଇ ମୁହଁର ସ୍ୱାଦ କମିଆସିଲାଣି । ତଥାପି ଖାଇବାକୁ ହେବ । ମଧୁ ବୁଢ଼ାର ଛୋଟ କେଣ୍ଟିନଟିର ଗୌରବ ଅଛି । ସେ ଖଣ୍ଡକରେ ପରା ଏମିତି ଭଲ ଚା ଆଉ କୋଉଠି ମିଳେନି !

 

ଚା ଖାଇ ସିଗାରେଟ୍ ଖଣ୍ଡେ ମୁହଁରେ ଜାଳି ଖବରାକାଗଜଟା ଧରି ବସି ପଢ଼ିଲେ । ଆହୁରି ଖବର ଅଛି—‘ସରୋଜିନୀଙ୍କ ଚିତାଭସ୍ମ କାଶ୍ମୀରରେ ବିସର୍ଜନ ଦିଆଗଲା ।’

 

ସରୋଜିନୀ ନାଇଡୁ—ଗଣତାନ୍ତ୍ରିକ ଭାରତର ଜଣେ ଶ୍ରଷ୍ଠ ନେତ୍ରୀ । ଆପଣ ଜାଣନ୍ତି—ମୁଁ ଜାଣିଚି—ଓ ଦୁନିଆ ଜାଣେ ଏ କଥା । ସ୍ୱାଧୀନ ଭାରତର ଆରମ୍ଭରେ ସେ ବିଦାୟ ନେଇଗଲେ-। ଗାନ୍ଧିଜୀଙ୍କ ପରେ ପରେ ପୁଣି ସରୋଜିନୀ.....ଲୋକନେତ୍ରୀ—ହାୟରେ ଦୁର୍ଭାଗା ଦେଶ-!

 

ମେସ୍‌ର ଆଗରେ ନାଲିଆ ବିଲ୍‌ଡିଙ୍ଗଟା—ଏଜରା ହସ୍‌ପିଟାଲ । ଚିତ୍କାର ଶୁଭୁଛି । ହାର୍ନିଆ ପେସେଣ୍ଟ—ଅପରେଶନ ରୁମକୁ ନିଆହେଉଚି ତାକୁ । ମୁହଁରେ ତାର ରକ୍ତ ନାହିଁ—ଶେତା ହୋଇଗଲାଣି ।

 

ମୋର ଛାତି ଭିତରେ ବେଦନାର ଢେଉ ଉଠିଲା । ଜୀବନ କାହିଁ ? ସୁଖ କାହିଁ ? ମଣିଷ ସୃଷ୍ଟିର ଶ୍ରେଷ୍ଠ ଜୀବ । ତଥାପି ତାର ଚାରିପାଖେ ପାର୍ଶ୍ୱଚର ପରି ଘେରିରହିଚି ଅଭାବ, କ୍ଷୁଧା, ଯନ୍ତ୍ରଣା, ମୃତ୍ୟୁ । ଆଜିର ମଣିଷ କାଲି ଇତିହାସର କଥା । ଏଇ ତ ଦେଖିଲେ, ଆପଣଙ୍କ ଆଖି ସାମନାରେ—ଗାନ୍ଧୀ, ଜିନ୍ନା, ସରୋଜିନୀ—କାହାନ୍ତି ସେମାନେ ଆଜି ? ସେ ଦିନର ହିଟ୍‌ଲର—ସେ ଦିନର ମୁସୋଲିନୀ ! ପାଉଁଶଗଦାର ଅଲୋଡ଼ା ଚିଜ ପରି ଦେହ ତାଙ୍କର ଭୂଇଁରେ ମିଶିଯାଇଛି-

 

ଭାବନ୍ତୁ ପୁଣି । ଆଜିର ଗଣତାନ୍ତ୍ରିକ ନେତାମାନେ । ବହୁ ଶତାବ୍ଦୀ ଧରି ଯେଉଁ ରାଜା ମହାରାଜାମାନେ ଗରିବ ପ୍ରଜାର ରକ୍ତର ଆହୁତି ଘେନି ଆସିଛନ୍ତି, ସେମାନଙ୍କ ଭିତରୁ ଗଣତନ୍ତ୍ରର ନମୁନା ଖୋଜୁଛନ୍ତି—ବିରାଟ ରାଜସ୍ଥାନ ଗଢ଼ୁଛନ୍ତି । ଖେଳ ଖେଳୁଛନ୍ତି ଏଇ ନେତାମାନେ । ଦେଶରେ ବିରାଟ ଅଭାବ । ଡାକ୍ତରଖାନା ବାହାରେ ଆମ୍ୱଗଛ ତଳେ ଶହ ଶହ ରୋଗୀର ବ୍ୟର୍ଥ ଚିତ୍କାର ନୀଳଗଗନ ଭିତରେ ମିଶିଯାଇଚି । ଡାକ୍ତରଖାନାରେ ସିଟ୍‌ ଲିମିଟେଡ୍—ଜାଗା ନାହିଁ । ପିଲାମାନେ ପଢ଼ିବାକୁ ସୁବିଧା ପାଉନାହାନ୍ତି । ଶତ ବାଧାବିଘ୍ନ ଭିତରେ ଦିହର ରକ୍ତ ବୈଶାଖ ମାସର ଉଷ୍ଣ ଧୂଆଁରେ ମିଶିଯାଉଚି । ଅଭାବ.....ଅନଟନ...ଚାରିଆଡ଼େ ଯିମିତି ବିକଟ ଚିତ୍କାର....ତ୍ରାହିର ଡାକ । ତଥାପି ଚାଲିଛି ନୂଆ ମଡ଼େଲର ରାଜଧାନୀ ତିଆରି । ହାୟରେ ସ୍ୱାଧୀନ ଭାରତ ! ଏ ସବୁ କେତେ ଦିନ ? ଏଇଟା ଅସ୍ଥାୟୀ ଦୁନିଆ ।

 

ଖବରକାଗଜଟା ହାତରୁ ଖସିପଡ଼ିଲା ।

 

ଏଜରା ହସ୍ପିଟାଲ ସାମନାରେ ଭୀଷଣ ଗୋଳ । ଜଣକୁ ମାଡ଼ ହେଉଛି । ସିଆଲଦାଠୁ ଲୋକ ଧାଇଁଛନ୍ତି । ମେସ୍‌ର ପିଲା ଧାଇଁଛନ୍ତି । ସେ ଗୋଟାଏ ରିଫିଉଜି—ପକେଟ ମାରିଚି । ଗଣ୍ଡଗୋଳ....ଚିତ୍କାର । ଭଲଲୋକ ଜଣକ ଏକଜିଦ୍ ଧରିଛନ୍ତି ଲୋକଟାକୁ ପୋଲିସକୁ ଦେବେ । ତାଙ୍କୁ ଡାକିଲି । ବୁଝିଲି ଲୋକଟା କେବଳ ରୁମାଲଟାଏ ମାରି ନେଇଛି । ଭଦ୍ରଲୋକଙ୍କୁ ବୋଧ କରିଦେଇ ଫେରିଲି ।

 

ହସ୍ପିଟାଲର ବାଁ ପାଖରେ ଜଣେ ଭଦ୍ରଲୋକଙ୍କର ଘର । ବେଶ୍ ପରିଚୟ ଅଛି ମୋ ସହିତ ତାଙ୍କର । ତାଙ୍କରି ଚାକର ଏତିକିବେଳେ ଆସି ଡାକିଲା—‘‘ବାବୁ, ମା କହିଛନ୍ତି ଚାଲନ୍ତୁ । ବଡ଼ଦିଦିଙ୍କର ଆଜି ଜନ୍ମଦିନ ।’’

 

‘‘ଆଚ୍ଛା, ଟିକିଏ ପରେ ଯିବି’’—କହି ବସିରହିଲି ।

 

ବଡ଼ଦିଦିଙ୍କର ଜନ୍ମଦିନ । ଅନିମାର ଜନ୍ମଦିନ । ଆଖି ଆଗରେ ଇଷ୍ଟ ବେଙ୍ଗଲ୍ ସୋସାଇଟି, କମଳାଳୟ ଷ୍ଟୋର୍ସର ବିରାଟ ମନୋହରୀ ଚିଜର ସୁସଜ୍ଜିତ ଆଲମିରାର ଛାୟା ଭାସିଗଲା । ଅନିମାର ଜନ୍ମଦିନ । ଅନିମା ମୋତେ ଭଲପାଏ—ତା ସହିତ ଅନେକ ସନ୍ଧ୍ୟା କଥା କହି କହି କଟେଇ ଦେଇଚି । ତାରି ଜନ୍ମଦିନ । ଗୋଟାଏ ଭଲ ଜିନିଷର ଉପହାର ସେ ଚାହିଁଥିବ ଆଜି । ମାତ୍ର କ୍ଷୁଧିତ କିରାଣୀ ଜୀବନ—ମୋର ଏଇ ବିରାଟ ଆଶା ଉପରେ ଯିମିତି ହାତୁଡ଼ିର ନିର୍ମମ ପ୍ରହାର କରିଗଲା । ଝର୍କାର ସେ ପାଖେ ଛୋଟ ପିଲାଟିଏ ଗୀତ ଗାଇ ଗାଇ ଚାଲିଆସୁଚି । ଗୀତ....ଭଲ ଗୀତ ।

 

ସତ କଥା ତ । ଅନିମା....ବଡ଼ଲୋକର ଝିଅ ସେ । କୁହୁଡ଼ିରେ ପହଁରି ପହଁରି ମୋର ସମସ୍ତ ନଷ୍ଟ ହୋଇଯିବାକୁ ବସିଚି ଯେମିତି । ଗଲିନି । ଅନିମାର ଜନ୍ମଦିନରେ ତାଙ୍କ ଘରକୁ ଯାଇପାରିଲିନି ।

 

ତା ପରଦିନ ସକାଳ । ଅନିମା ଆସି ମେସ୍‌ର ଭିଜିଟରସ୍ ରୁମରେ ହାଜର । କୈଫିୟତ୍ ଚାହୁଁଚି ସେ—ମୁଁ ନ ଯିବାର କାରଣ ?

 

କଣ କାରଣ ? କଣ କହିବି ? ‘‘ଦେହ ଭୀଷଣ ଖରାପ ଥିଲା । ଏବେ ବି ମୁଣ୍ଡବଥା ଅଛି—ଦେଖୁନ ।’’

 

ବିଶ୍ୱାସ କରିଗଲା ସେ । ଭଲପାଇବା ନିକଟରେ ମୋର ଫନ୍ଦି ଜିତିଗଲା । ଅନିମା କହିଲା—‘‘ଗୋଟାଏ କଥା କହିବି—କିଛି ଭାବିବ ନାହିଁ ତ ମନରେ !’’

 

‘‘ଭାବିବି ଆଉ କ’ଣ ? କହୁନା ।’’

 

‘‘ବାପା-ମା ରାଜି । ତମର ମୋର ବାହାଘରଟା ହେଲେ କିମିତି ହୁଅନ୍ତା ?’’ କବିମାନେ କହିଛନ୍ତି—ପ୍ରେମ ଅନ୍ଧ । ମାତ୍ର ପ୍ରେମ କରି ତିକ୍ତ ସ୍ୱାଦ ମଣିଷ ପାଏ ବିବାହିତ ଜୀବନରେ । ସତ କି ମିଛ ମୁଁ ଜାଣେନା । ମୋର ସେ ଅଭିଜ୍ଞତା ନାହିଁ ।

 

ଚାହିଁଲି ତା ମୁହଁକୁ । ବିଭା ହେବାର ପୂରା ଇଚ୍ଛା । ତଥାପି ମନେ ପଡ଼ିଲା—ମୁଁ କିରାଣି....ଗରିବ । ପୁଣି ମନେପଡ଼ିଲା—ଆମ୍ୱେଦକରଙ୍କ ନୂଆ ଛାଡ଼ପତ୍ର ବିଲ୍ ।

 

—‘‘ମତେ ଜୀବନସାରା ଭଲ ପାଇ ପାରିବ ?’’ —ପଚାରିଲି ।

 

ସେ କିଛି କହିଲାନି । ତା’ର ମୌନ ନୀରବତା ବୋଧହୁଏ ତା ଅନ୍ତରର ଇଚ୍ଛା ଜଣେଇଦେଲା ମୋତେ ।

 

ମୁଁ ତାର କେଶଗୁଚ୍ଛ ସ୍ପର୍ଶ କଲି । ସ୍ୱାଧୀନ ଭାରତର ଏଇ ପ୍ରଥମ ପ୍ରଭାତରେ ତା ଭିତରେ ମୁଁ ସୀତା-ଅହଲ୍ୟା ଯୁଗର ନାରୀମୂର୍ତ୍ତି ଖୋଜୁଥିଲି ।

 

ସେ କହିଲା—‘‘ଆମ ଘରେ ପୂର୍ବବଙ୍ଗର ଯେଉଁ ରିଫିଉଜି ପିଲାଟା ଥିଲା ନା, କାଲି ସେ ମରିଗଲା ।’’

 

‘‘କିପରି ?’’ —ପଚାରିଲି । ଆଖିରେ ମୋର ଉତ୍ସୁକତା ।

 

‘‘କାଲି ଆମ ଘରକୁ ଆସିଥିଲେ ସ୍ୱାସ୍ଥ୍ୟ ମନ୍ତ୍ରୀ—ମୋର ଜନ୍ମଦିନରେ—ତାଙ୍କରି ମୋଟର ଧକ୍‌କାରେ । ବିଚରା ବଡ଼ କଷ୍ଟ ପାଇଲା ।’’

 

ଅନିମା ମୁହଁକୁ ଚାହିଁଲି । ରିଫିଉଜି ପିଲାଟା ପାଇଁ ପ୍ରାଣରେ ତା’ର ବେଦନାର ମନ୍ଦାକିନୀ ଛୁଟିଆସୁଚି ।

 

‘‘ଅନିମା, ଦୁଃଖ କଣ ? ମାତ୍ର ତମେ ଚିତାଭସ୍ମ ରଖିଛ ?’’

 

‘‘କଣ କରିବ ?’’

 

‘‘ଗଙ୍ଗାରେ ପକାଇବି ।’’

 

ହସିଲା ଅନିମା ।

 

‘‘କାହିଁକି ? ସେ କଣ ସ୍ୱର୍ଗ ଚାହେଁନି !’’

 

ଅନିମା ଠିକ୍ ବୁଝିଗଲା । ମୋର କ୍ଷୁଦ୍ର ଜୀବନ ଭିତରୁ ସେ ମଣିଷର ସନ୍ଧାନ ପାଇଲା ।

 

‘‘ଅନିମା, ମଣିଷ ଜୀବନର ସୁଖ ନାଇଁ ।’’

 

ଏଥିରେ ସେ ଏକମତ ।

 

ସ୍ୱାଧୀନ ଭାରତରେ ଏଇ କିରାଣି ଜୀବନର ରକ୍ତବୋଳା ଇତିହାସ । ଗଣତନ୍ତ୍ର ଯୁଗରେ ରିଫିଉଜି ପିଲାର ଆକସ୍ମିକ ମୃତ୍ୟୁ ।

 

ବାସ୍ତବିକ ସେ ମରୁ—ବଞ୍ଚି ତାର ଲାଭ ନାହିଁ ।

 

‘‘ଅନିମା ତମେ ମଣିଷର ସେବିକା ହୁଅ । ତମ ପରି ସମସ୍ତେ ମଣିଷଜାତିର ସେବା କରନ୍ତୁ, ଭାରତର ଭବିଷ୍ୟତ ଉଜ୍ଜ୍ୱଳ ହେବ ।’’

 

ପଞ୍ଜରାତଳୁ ଦୀର୍ଘ ନିଶ୍ୱାସ ଉଠି ବାହାର ପବନରେ ମିଳେଇଗଲା । ଅନିମା ମୋ କଥାର ଗୁରୁତ୍ୱ ବୁଝିଲା ।

 

ତଥାପି ମନଭିତରେ ଭୟର ସଞ୍ଚାର କରାଉଥାଏ ଆମ୍ୱେଦକରଙ୍କ ନୂଆ ଛାଡ଼ପତ୍ର ବିଲ୍-

★★★

 

ବାହୁଡ଼ା ଜୁଆର

 

.....ବାବୁ ଡେସ୍‌ଟିଚିଉଟ୍‌ସ ! Some thing we want—ବହୁତ ଗରିବ..... ।

 

—wait.....

 

—ବାବୁ...

 

—wait, wait…

 

ଅଧ୍ୟୟନ ସମୟର ଶେଷଘଣ୍ଟା ବାଜିଉଠିଚି । ସୂର୍ଯ୍ୟରଶ୍ମି ରୁଦ୍ଧ ଝରକାର କାଚ ଦେଇ ଝରିପଡ଼ିଚି ତଳକୁ । ଦର୍ପଣ ଝଲସି ଉଠିଚି ।

 

ପୁଣି ଶୁଭିଲା—ବାବୁ—We are hungry….

 

—Sit down here—ଚାୟାରଟାକୁ ଟାଣିଆଣିଲି । ‘‘ବସ’’—

 

—No time—ସେମାନେ ସବୁ ରାସ୍ତାରେ ।

 

ପଞ୍ଜାବୀ କିଶୋରୀଟିର କପାଳରୁ ଝରିପଡ଼ୁଥିଲା ବିନ୍ଦୁ ବିନ୍ଦୁ ଝାଳ । ଧୀର ଉଷ୍ଣ ପବନ ସ୍ପର୍ଶରେ ଆଲୁଳାୟିତ କେଶ ଇତସ୍ତତଃ ସଞ୍ଚରଣଶୀଳ । ଧୂଳିସିକ୍ତ ପାଦଦୁଇଟିରେ ବହୁଦିନର ଜରାଜୀର୍ଣ୍ଣ ପୁରୁଣା ଚପଲ । ଅଙ୍ଗର ଯୌବନକୁ ଢାଙ୍କି ରଖିଥିଲା ମଳିନ—ଛିନ୍ନ ବ୍ଳାଉଜ୍ ଆଉ ଦେହରେ ଥିଲା ସବୁଜ ରଙ୍ଗର ଶାଢ଼ି । ହାତରେ ପୁରୁଣା ଭେନିଟି ବେଗ୍ ।

 

ତାର ପୁଣି ତାଗ୍‌ଦା—Give ବାବୁ ।

 

ଚାରିଆଡ଼କୁ ଚାହିଁଲା । ସେ ତଥାପି କହୁଛି—

 

—Very poor ବାବୁ ! ରୟଟ୍ ଏଫେକ୍ଟେଡ୍ ।

 

ପୁଣି ଥରେ ତାର ବ୍ୟଥିତ ଶୁଖିଲା ମୁହଁକୁ ଭଲକରି ନିରୀକ୍ଷଣ କଲି । ବିଂଶବୟସ୍କା ତରୁଣୀ ହେଲେ ବି ମୁହଁରୁ ସରସତା ମରିଯାଇଚି । ଆଖିରେ ଯୌବନସୁଲଭ ଚପଳତା ନାହିଁ । ବହୁଦିନୁ ଅସିକ୍ତ ତନୁରୁ ଦୁର୍ଗନ୍ଧ ଉଠିଲାଣି । ଟିକିଏ କ୍ଷୁବ୍ଧ ହେଲି ।

 

ପଚାରିଲି—How many are you ?

 

—Oh, we ? Two hundred and fifty women.

 

ସେମାନେ ସମସ୍ତେ ମାତୃଭୂମିର କୋମଳ ବକ୍ଷରୁ ବିତାଡ଼ିତା । ଅତ୍ୟାଚାରର କଷାଘାତରେ ହାହାକାର କରିଉଠିଚନ୍ତି ସେମାନେ । ମାତ୍ର ସେମାନଙ୍କ ପାଇଁ ‘ଆହା-କାର’ ନାଇଁ । ସମବେଦନାର କଥା ପଦେ ବିରଳ । ଜଗତରେ ମନୁଷ୍ୟତା କଣ ମରିଯାଇଚି ?

 

ଭାରି ଦୁଃଖ ହେଲା । ଏମାନଙ୍କ ଭବିଷ୍ୟତ କଣ ? ଯା’ହେଉ ଜୀବନ ରଖିବାର ମୋହ ଯେତେବେଳେ ଅଛି—ଉପାୟ ମିଳିବ । ବିରାଟ ଜଗତରେ ସ୍ଥାନର ଅଭାବ ନାହିଁ । ନଦୀ ପୁଷ୍କରିଣୀରେ ବି ଜଳର ଅଭାବ ନାଇଁ । ତେବେ ଏମାନଙ୍କୁ ଆଉ ବେଶୀ ଦୂର ଯିବାକୁ ହେବନି ।

 

ହାଲ୍‌କା ଆଉ ଚିନ୍ତାଶୂନ୍ୟ ମନଟା ଭାରି ହୋଇ ଆସିଲା । ପଞ୍ଜାବୀ କିଶୋରୀର ନରମ ବୁକୁଫଟା ଚାହାଣୀ । ଚପଳାଙ୍ଗୀ-ଗଙ୍ଗା ଯେମିତି ମୂର୍ତ୍ତିମୟୀ ହୋଇଉଠିଚି—ଆଖିରେ ତାର ରୁଦ୍ଧ-ବାଷ୍ପର ଉଷ୍ଣତା ।

 

ଚାହିଁଲି—ଥରେ ନୁହେଁ ଶତାଧିକ ବାର ଚାହିଁଲି । ଅଙ୍ଗ ପ୍ରତ୍ୟଙ୍ଗର ଶିରାପ୍ରଶିରାରେ କ୍ଷୁଧା ଯେମିତି ରୂପ ପାଇ ନାଚିଉଠୁଚି—ବିକଟ—କରାଳ । ହାୟ ! ଦୀର୍ଘନିଶ୍ୱାସ ଉଠିଲା ମୋ ଛାତି ଫଟାଇ ।

 

Well ବାବୁ, Give what you can….

 

ହଁ ଦେବି । ମାତ୍ର କଣ ଦେବି ?

 

ଭାବିଲି—ପଚାରିବି ।

 

କଣ ସେ ଚାହୁଁଚି ? କଣ ପାଇଲେ ସେ ସନ୍ତୁଷ୍ଟ ହବ ?

 

ମାତ୍ର ଯା’ର ସବୁକିଛିର ଅଭାବ ତାକୁ ଏ ପ୍ରଶ୍ନ ପଚାରିବା ନିଜର ମୂର୍ଖତା ଭାବି ନିବୃତ୍ତ ହେଲି ।

 

ସେ ଭିକ୍ଷୁକ—ଭିକ୍ଷା କରେ କରୁଣା । ଜୀବନ ବଞ୍ଚେଇବାର ସମସ୍ତ ଦ୍ରବ୍ୟରୁ ଗୋଟିଏ ସୁଦ୍ଧା ତା’ ନିକଟରେ ଆତ୍ମସମର୍ପଣ କରିନି । ଗୋଡ଼ଠୁ ମୁଣ୍ଡ ପର୍ଯ୍ୟନ୍ତ ଅଭାବର ଶକ୍ତ ରଜ୍ଜୁରେ ସମସ୍ତ ଅବୟବ ତା’ର ଯେମିତି ଛନ୍ଦି ହୋଇ ଯାଇଚି ।

 

କଣ ଦେବି ?

 

ଭାବିଲା—ସ୍ତ୍ରୀ ପରିବାର ନେଇ ବାସ କରିଥିଲେ ଅବା ଖଣ୍ଡେ ଶାଢ଼ି ବା ଗୋଟାଏ ଶାୟା ବା ସ୍ତ୍ରୀର ଅନ୍ୟକିଛି ପ୍ରୟୋଜନୀୟ ବସ୍ତୁଦେଇ ତାକୁ ସନ୍ତୁଷ୍ଟ କରିପାରିଥାନ୍ତି । ମାତ୍ର ସେପରି ସାଂସାରିକ ବନ୍ଧନ ତ ମୋର ନାହିଁ । ମୁଁ ଏକାକୀ । ପୁରୁଷର ବ୍ୟବହାର୍ଯ୍ୟ ଆବଶ୍ୟକୀୟ ଜିନିଷ କେତୋଟି ବ୍ୟତୀତ ମୋ ନିକଟରେ ଅନ୍ୟ କିଛି ନାହିଁ । ସେଇଥିରୁ ଦେବି କି ? ମାତ୍ର ସ୍ତ୍ରୀ.....

 

ଚିନ୍ତା କରିବାର ବେଳ ନଥିଲା । ଘଡ଼ିକି ଚାହିଁଲି....ଦଶ ବାଜି ଆସୁଚି । ସୂର୍ଯ୍ୟରଥ ଉଠିଯାଉଚି ସମ୍ମୁଖରେ ଥିବା ଚମ୍ପାଗଛ ଶିଖକୁ । ପଞ୍ଜାବୀ-ତରୁଣୀ ଦାବି କରୁଛି କିଛି । ଟ୍ରଙ୍କ୍ ଖୋଲିଲି । ମୋର ଆଦରଣୀୟ ଇସ୍ତିରିକରା ଧୋତି ଖଣ୍ଡେ କାଢ଼ି ଫିଙ୍ଗିଦେଲି ତା’ ହାତକୁ । ଆଲମାରିରୁ ଗୋଟାଏ ନୂଆ ହେୟାର୍ ଅଏଲ୍ କାଢ଼ି ବଢ଼େଇଦେଲି, ଆଉ ମନିବେଗରୁ ଖଣ୍ଡିଏ ଦଶଟଙ୍କିଆ ନୋଟ୍ ବାହାର କରି ତା’ ହାତ ଉପରେ ଥୋଇଦେଲି ।

 

ସେ ଚାହିଁଲା—ଆଶ୍ଚର୍ଯ୍ୟ ଆଉ ବିସ୍ମୟରେ ଆଖିର ପଲକ ହଜିଯାଇଥିଲା ।

 

କହିଲି— I can give you nothing more.

 

କୃତଜ୍ଞତାରେ ମୁଣ୍ଡ ତା’ର ନଇଁଗଲା ବୋଧହୁଏ । ସେ କହିଲା—We are poor ବାବୁ ! God save you. You are kindhearted.

 

ସେ ହାତ ବଢ଼େଇଲା । କର ମର୍ଦ୍ଦନ କଲି । ନାରୀହସ୍ତର ସ୍ପର୍ଶର ଦେହ ପୁଲକିତ ହେବାର କଥା—ରୋମାଞ୍ଚିତ ହେବାର କଥା । ମାତ୍ର ତାର କର୍କଶ ହାତମୁଠା ଭିତରେ ମୋର ହାତ ଥରିଉଠିଲା । ମୁଖର ଜ୍ୟୋତି ନିଷ୍ପ୍ରଭ ହୋଇଗଲା । ମାତ୍ର ସେ କହିଲା—We are near the station.

 

ଅଯାଚିତ ଭାବରେ ସେ କହିଗଲା ତାର ଦୁଃଖ-ଦୈନ ସଂସାରର ସ୍ଥାନ । ଷ୍ଟେସନ୍ ନିକଟ....ଭିକାର ଦଳଙ୍କର ଆଡ଼୍‍ଡ଼ା ଜମେ ଯେଉଁଠି...ସେଇଠି ।

 

ତା’ପରେ ମୁଁ ଚିନ୍ତା କରି ବସିଲି ।

 

X X X

 

ବର୍ଷକ ପରେ ।

 

ପୃଥିବୀ ବକ୍ଷକୁ ପୁଣି ଆସିଛି ଅଗ୍ନିବର୍ଷୀ ବୈଶାଖ । ଦିବାର ପ୍ରଖର ରଶ୍ମିରେ ଜଳିଜଳି ଅଙ୍ଗରେ ତାପର ମାତ୍ରା କମି ନ ଥିଲା । ଚନ୍ଦ୍ରପକ୍ଷ ରାତି । ବାହାର ବଗିଚାର କ୍ରୋଟନ କୁଞ୍ଜକୁ ଚାହିଁ ଚାହିଁ ମୁଁ ମୃଦୁମନ୍ଦ ପବନ ଉପଭୋଗ କରୁଥିଲି । ଦଶମୀ ଚନ୍ଦ୍ର ମୋର ତାପଗ୍ରସ୍ତ ହୃଦୟରେ ସ୍ପନ୍ଦନ ଆଣୁଥିଲା—ଆଖିରେ ମୋର ଥିଲା ଚନ୍ଦ୍ରକୁ ଅର୍ଘ୍ୟ ଦେବା ପାଇଁ ସ୍ୱପ୍ନିଳ-ସରସତା । କଣ୍ଠରେ ଥିଲା ଜମାଟବନ୍ଧା ବନ୍ଦନାଗୀତ । ମୁକ୍ତ ଗଗନକୁ କ୍ଷଣେ କ୍ଷଣେ ଆଚ୍ଛାଦିତ କରି ଘୂରିବୁଲୁଥିଲେ ମେଘ ପରି ବାଦୁଡ଼ିଦଳ । ପଶ୍ଚାତରେ ଥିଲା ମୋର ମୁଖର ରାଜପଥ । ମୁଁ ଥିଲି ନୀରବ ।

 

ଇଲେକ୍‌ଟ୍ରିକ୍ ସକ୍ ଲାଗିଲା ଭଳି ହଠାତ୍ ଦେହଟା ଥରିଉଠିଲା । ପଛକୁ ଚାହିଁଲି । ବନମାଳୀ କହୁଚି—‘‘ଆସ ମହାପାତ୍ର ! ମେଡ଼ିକାଲ ଯିବାକୁ ହେବ ।’’

 

ପଚାରିଲି—‘‘ମେଡ଼ିକାଲ କାହିଁକି ?’’

 

—‘‘ଆସନା, ସୁପରିଣ୍ଟେଣ୍ଡେଣ୍ଟ୍ ଠିଆ ହୋଇ ଡାକୁଚନ୍ତି । ଗୋଟାଏ ଶବ ସଂସ୍କାର କରିବାକୁ ହେବ ।’’

 

‘‘ଶବ ? କା’ର ଶବ ??’’

 

ଆଉ କିଛି ଉତ୍ତର ଦେଲାନି ବନମାଳୀ । ଦେହରେ କମିଜ ଖଣ୍ଡେ ଗଳେଇପକେଇ ଝଞ୍ଜା ବେଗରେ ସେ ଧାଇଁଗଲା । ଦେହ ଓ ମନରେ ତାର ଉତ୍ତେଜନା ।

 

ତା’ପରେ ଆସିଲା ସୁବ୍ରତ—‘‘ମହାପାତ୍ର ! ଯିବ ମେଡ଼ିକାଲ ?’’

 

‘‘ହଁ’’.....କହି କମିଜଖଣ୍ଡଟା ଗଳେଇ ପକେଇଲି ।

 

‘‘କାହାର ଶବ ଯୋଷୀ ?’’ —ପଚାରିଲି ।

 

‘‘ଶୁଣିନ ?’’

 

‘‘ନା’’—ଚମ୍ଭୀରଭାବରେ ଉତ୍ତର ଦେଲି ।

 

‘‘କିଏ ଗୋଟାଏ ଡେଷ୍ଟି ଚିଉଟ୍...ପଞ୍ଜାବୀ ମାଇକିନା । ସେଇ ସମୟରେ ଗୁଡ଼ାଏ ଆସି ନ ଥିଲେ ନା ?’’

 

‘‘ହଁ’’—ଚିନ୍ତା କରିବାର ଛଳନା କରି କହିଲି ।

 

‘‘ତା’ରି ଭିତରୁ ଗୋଟାଏ କୁଆଡ଼େ ହୋଇଯାଇଥିଲା ପ୍ରେଗନେଣ୍ଟ୍ । ଡାକ୍ତରଖାନାରେ ସେଇ ମରିଯାଇଚି । ଖବର ଆସିଲା । ତେଣୁ ଶବ ସତ୍କାର କରିବାକୁ ଯିବାକୁ ପଡ଼ିବ ।’’

 

ହୃଦୟରେ ମୋର ଯେମିତି ଝଞ୍ଜାର ପ୍ରଚଣ୍ଡ ଆଘାତ । ଛାତିର ଚର୍ମ ଚିରି ଯେମିତି ବାହାରି ଆସିବାକୁ ସେ ବାଟ ଖୋଜୁଚି ।

 

ଡାକ୍ତରଖାନାର ଗୋଟିଏ ନିର୍ଜନ କୋଣରେ ତରୁଣୀଟି ବେକଭାଙ୍ଗି ତାର ଇହଲୀଳା ଶେଷ କରିଚି । ଦେହଟାକୁ ଆବୃତ କରିଚି ଖଣ୍ଡିଏ ବସ୍ତ୍ର । ମୁଖ ବିକୃତ । ଭଲଭାବରେ ନିରୀକ୍ଷଣ କଲି । ଆଖିକି ମୋର ଲୁହ ଆସିଗଲା । ସନ୍ଦେହ ମୋର ସତ୍ୟ । ପଞ୍ଜାବୀ କିଶୋରୀର ଭବିଷ୍ୟତ ମୁଁ ଆଗରୁ କଳ୍ପନା କରିଥିଲି; ମାତ୍ର ଏପରି ଘୃଣ୍ୟଭାବରେ ନୁହେଁ ।

 

ମୋର ପଞ୍ଜର ଥରେଇ ନିଃଶ୍ୱାସ କ୍ଷିପ୍ରତର ହେଲା । ହାୟ ବିଦେଶିନୀ ! ନିଜ ମାତୃଭୂମିଠୁ ଶହଶହ କ୍ରୋଶ ଦୂରରେ—ନିର୍ଜନ ଡାକ୍ତରଖାନାର ଏଇ କୋଣରେ ଏମିତି ମରିବାଠାରୁ ତାର ସେଇ ଜନ୍ମଭୂମିରେ ବରଂ ଅନାହାରରେ ମରିବା ତା’ପକ୍ଷରେ ଶ୍ରେୟସ୍କର ଥିଲା । ଜୀବନର ଶେଷ ମୂହୂର୍ତ୍ତରେ ପଞ୍ଜାବର ବକ୍ଷ ଫଟେଇ ‘‘ଜନନୀ ଜନନୀ’’ ଶବ୍ଦରେ ଦ୍ୟାବା ପୃଥିବୀର ବକ୍ଷ ମଥିତ କରି ମା’ର କୋଳରେ ଶେଷ ଆଶ୍ରୟ ନେଇପାରିଥିଲେ ମୁଁ ଅନ୍ତତଃ ଖୁସି ହୋଇଥାନ୍ତି ।

 

ତଥାପି—ମା’ର ସନ୍ତାନ ବକ୍ଷରେ ଧରି ସେ ମରିଚି । ସେ କଣ ମା ? ଜନନୀ ? ନମସ୍ୟା ?

 

ଖାନନଗର ମଶାଣିରେ କାଠଯୋଡ଼ିର ଶୁଖିଲା ହାୱାରେ କ୍ଷଣକ ପାଇଁ ଜଳିଉଠିଲା ଚିତା—ତା’ପରେ ସବୁ ଶେଷ ।

 

ସେଇଦିନଠୁ ରାତିରେ ମୁଁ ସେଇପାଖ ଝରକା ଖୋଲା ରଖି ବିଶ୍ରାମ କରେ । ଅର୍ଦ୍ଧନିଶୀଥରେ ଚକ୍ଷୁ ମୋର ଟାଣିହୋଇଯାଏ ସେଇ ଦିଗକୁ । ଖାନନଗର ମଶାଣିରେ—ପଞ୍ଜାବୀ ତରୁଣୀର ଶବ ସତ୍କାର ସ୍ଥାନରେ ଯେମିତି ଦପ୍ ଦପ୍ ହୋଇ ସବୁବେଳେ ଜଳୁଚି ଚିତା—ରକ୍ତାଙ୍ଗ ମଶାଣି ଆଲୋକିତ ହୋଇଉଠୁଚି ।

★★★

 

Unknown

ଗରୁଡ଼ ପୁରାଣର ଉକ୍ତି

 

ବୁଢ଼ା ବଅସରରେ ଯେ’ ମଣିଷ ଏତେ ପ୍ରେମ କରିପାରେ ତା’ ମୁଁ ଜାଣି ନଥିଲି ।

 

ସେଦିନ ଏକା ଏକା ବସିଚି । ଦିନ ପ୍ରାୟ ଦୁଇଟା ହବ । ବାରଟା ଠିକ୍‌ କଣ ଥିଲା କେଜାଣି ମନେ ନାଇଁ । ତେବେ ବିବାହ-ଲଗ୍ନ ଥିଲା ନିଶ୍ଚୟ । ହାତରେ ଓଡ଼ିଆ ପତ୍ରିକା ଖଣ୍ଡେ ଧରି ଓଲଟାଉଥିଲି । ଆଗର ରାସ୍ତାଟା ହଠାତ୍‌ କ୍ଷଣେ କାଳ ପାଇଁ ଜମକିଗଲା ।

 

ଏ କଣ ? ବାହାଘର ଯାତ୍ରୀ ଅନେକ । ବାଜା ବହୁ ପ୍ରକାରର—ଦିନବେଳେ ମଧ୍ୟ ରୋଷଣିର ଫୁଆରା । ମୋଫସଲର ଲୋକେ ପ୍ରଥମେ ତଟସ୍ଥ ହୋଇଗଲେ । ୟା’ଆଗରୁ ଏ ଗାଁରେ କେହି ଏକ ସମୟରେ ଏତେ ଲୋକଙ୍କର ଶୋଭାଯାତ୍ରା ଦେଖି ନ ଥିଲେ କି ଏମିତି ଗୋଟାଏ ବାହାଘର ମଧ୍ୟ ଦେଖି ନ ଥିଲେ । ଅବଶ୍ୟ ଅତି ବୁଢ଼ାମାନେ କହନ୍ତି—ଆଗେ ଯେତେବେଳେ ଗାଆଁର ପରାକ୍ରମୀ ଜମିଦାର ମନ୍ଦରନୀଳ ସାଆନ୍ତେ ବୁଢ଼ା ବଅସରେ ବାହା ହେଇ ଆସିଥିଲେ ତାଙ୍କ ସହିତରେ କୁଆଡ଼େ ଆସିଲେ ଘୋଡ଼ା, ହାତୀ ଆଉ ଲୋକ ଅମାପ । ରାତିଟା କୁଆଡ଼େ କିଛି ସମୟ ପାଇଁ ଦିନ ହୋଇ ଯାଇଥିଲା । ଏବେ ଏ କାଳରେ ମୋଫସଲ ଗାଁରେ ଏମିତି ଜାକଜମକର ବାହାଘର ଏଇ ପ୍ରଥମ । ସାରା ଗାଁଟା କମ୍ପି ଉଠୁଚି ।

 

ପତ୍ରିକା ଖଣ୍ଡଟା ଟେବୁଲ ଉପରେ ଥୋଇ ବାହାରକୁ ଆସିଲି । ଦାଣ୍ଡ ଲୋକାରଣ୍ୟ ।

 

ଏ କାହାର ବାହାଘର ?

 

ଆମ ଆର ଗାଆଁର ଚାକର ଟୋକା କହିଲା—ବୀରହରିପୁରର ରାମପ୍ରାଣ ଶାସ୍ତ୍ରୀ ବାହାହୋଇ ଆସୁଚନ୍ତି ।

 

ମୁଁ ପ୍ରଥମେ ଚମକି ପଡ଼ିଲି । ବିଶ୍ୱାସ କରି ପାରିଲିନି ରାମପ୍ରାଣ ଶାସ୍ତ୍ରୀ ବାହା ହଉଚନ୍ତି ! ମତେ ହସ ମାଡ଼ିଲା । ମାଡ଼ିବାର ବି କଥା । ଯେ’ ଶୁଣିବ ତାକୁ ହସ ମାଡ଼ିବ । ଶାସ୍ତ୍ରୀ ମହାଶୟଙ୍କ ବଅସ ପଞ୍ଚାବନ ଟପି ଥିବ । ମୋ ଜନ୍ମ ବର୍ଷ ତାଙ୍କ ବଡ଼ ଝିଅ ଜନ୍ମ ହୋଇଥିଲା । ସେ ଝିଅ ଏବେ ଦକ୍ଷିଣରରେ ବାହା ହେଇଚି । ତାର ପରା ଏବେ ଦୁଇଟି ପୁଅ—ଦୁଇଟି ଝିଅ ।

 

ଶାସ୍ତ୍ରୀଙ୍କ ସ୍ତ୍ରୀ ଅବଶ୍ୟ ଗତବର୍ଷ ମାରା ପଡ଼ିଥିଲେ । ହେଲେ ବି ତାଙ୍କ ଶୁଶ୍ରୁତ ଧଳା ହୋଇ ଆସିଲାଣି—ମୁଣ୍ଡରେ କଳାବାଳ ମିଳିବା କଷ୍ଟ । ଏ ଖଣ୍ଡମଣ୍ଡଳରେ ସେ ଜଣେ ପଣ୍ଡିତ ବ୍ୟବସ୍ଥାପକ (ବ୍ୟବସ୍ଥା ସଭାର ସଭ୍ୟ ନୁହେଁ) । ବାହାଘରର ପ୍ରକୃଷ୍ଟ କାଳ ବିଷୟରେ ଗଣନା କରି ସେ ପରାମର୍ଶ ଦିଅନ୍ତି । ବହୁ ଲୋକ ନିଜ ପୁତ୍ର କନ୍ୟାର ବିବାହାର୍ଥେ ଜାତକ ମେଳ କରିବା ପାଇଁ ତାଙ୍କ ପାଖକୁ ଆସନ୍ତି । ସେ ନିଜେ ପୁଣି ଏ ବଅସରେ ବାହାହେଇ ପଡ଼ିଲେ । ପୁତ୍ରାର୍ଥେ କ୍ରୀୟତେ ଭାର୍ଯ୍ୟା—କଣ ଏଇଥିପାଇଁ ?

 

ଆଶ୍ଚର୍ଯ୍ୟ ହେଲି । ଦୁଃଖିତ ବି ହେଲି । ପଞ୍ଚାବନ ବର୍ଷର ବୁଢ଼ା ହୁଏତ ଜାକଜମକରେ ବାହାହେଇ ରସିକତାର ସୁଅ ଛୁଟଉଚନ୍ତି...ଅଥଚ ଠିକ୍‌ ସେଇ ସମୟରେ ଆମପରି ବହୁ ହତଭାଗ୍ୟ ବେକାର ଯୁବକ ବାହାଲଗ୍ନ ବିତିଯାଉଥିଲେ ବି ବାହା ହେଇପାରୁ ନାହାନ୍ତି ।

 

ଦୁର୍ଭାଗ୍ୟ ! ଦୁର୍ଭାଗ୍ୟ !!

 

ବାହାଘରର ତୃତୀୟ ଦିନ । କେତେକ ଜିନିଷ କିଣିବା ପାଇଁ ବଜାରକୁ ଯାଇଥିଲି । ହଠାତ୍ କସ୍ମେଟିକ୍‌ ଦୋକାନରେ ଶାସ୍ତ୍ରୀଙ୍କ ସହିତ ଦେଖାହେଲା । ସେ ସ୍ନୋ, ସେଣ୍ଟ୍‌, ପାଉଡ଼ର, ଲିପଷ୍ଟିକ୍‌ ପ୍ରଭୃତି କେତେକ ଜିନିଷ ତାଲିକା ଅନୁସାରେ ଖରିଦ କରୁଥିଲେ । ମୋ ନିଜ ଆଖିକୁ ମୁଁ ନିଜେ ବିଶ୍ୱାସ କରି ପାରିଲି ନାହିଁ । କିଛିଦିନ ପୂର୍ବରୁ ପଞ୍ଚାବନ ବର୍ଷ ବୟସ୍କ ବୃଦ୍ଧ ଶାସ୍ତ୍ରୀ ଆଉ ଆଜିର ଏ ଶାସ୍ତ୍ରୀ—କି ପ୍ରଭେଦ ! ହୁଏତ ମନୋବୈଜ୍ଞାନିକମାନେ କହିବେ ଏ ପରିବର୍ତ୍ତନର ମନସ୍ତତ୍ତ୍ୱ । ଦେଖିଲି ଅରସିକ କୃପଣ ବୃଦ୍ଧ ଗଣକ ଆଜି ଶୁଶ୍ରୁ ବିହୀନ ପୁନଃଯୌବନପ୍ରାପ୍ତ ସୁଗୋଲ ସୁଠାମ ଦାମିକା ବସନ ପରିହିତ ଏକ ଭିନ୍ନ ମଣିଷରେ ପରିଣତ ।

 

ମୁଁ ତାଙ୍କୁ ନମସ୍କାର କଲି । ସେ ହାତ ଟେକି ଆଶୀର୍ବାଦ କଲେ । ତା’ ପରେ କିଛି ସମୟ କଥାବାର୍ତ୍ତାରେ କଟିଲା ପରେ ତାଙ୍କର ବାହାଘର ବିଷୟଟା ପକେଇଦେଲି, ଆଉ ସେ ଯେ ବାହାହେଇ ଗୋଟାଏ ମସ୍ତବଡ଼ ଅନ୍ୟାୟ କରିଛନ୍ତି ଏ କଥା ମଧ୍ୟ ସୂଚାଇ ଦେଲି । ମାତ୍ର ଶାସ୍ତ୍ରୀଙ୍କ ଯୁକ୍ତି ବଡ଼ ଅକାଟ୍ୟ । ତାଙ୍କ ପାନଖିଆ ବଡ଼ ବଡ଼ ପାଚିଲା ଦାନ୍ତ ଦେଖିଲେ ଯୁକ୍ତି କରିବାକୁ ବି ଭୟ ମାଡ଼େ । ମୁଁ ବିଶେଷ ଯୁକ୍ତି ନକରି ଚୁପ୍‌ ରହିବାକୁ ପସନ୍ଦ କଲି । ମାତ୍ର ସେ ବନ୍ଦ ନ ହୋଇ କହି ଚାଲିଲେ—

 

ପ୍ରଥମ କଥା—ପୁତ୍ର ଜାତ ପାଇଁ ଯେଉଁ ବଅସରେ ମଧ୍ୟ ବିଭା ହେବା ଦୋଷାବହ ନୁହେଁ-। ଆମ୍ବେଦକର କୁଆଡ଼େ ଆଉରି ବେଶୀ ବଅସରେ ପୁଣି ବାହା ହୋଇଥିଲେ । ବଡ଼ ବଡ଼ ଲୋକେ ଯାହା କରିଗଲେ ସେଇଟା କରିବା ଅବିଧି ନୁହେଁ । ମହାଜନୋ ଯେନ....

 

ଦ୍ୱିତୀୟ କଥା—ଦେଶର ଅବସ୍ଥା ଖରାପ ଥିବା ସମୟରେ ସେ ଗୋଟିଏ ପୂର୍ବଦିଗର ରିଫଉଜି ଝିଅକୁ ବାହା ହେଇଚନ୍ତି । ସେ ଗର୍ବ କରନ୍ତି—ଅନ୍ତତଃ ଗୋଟାଏ ଅନାଥା ଝିଅର ଭରଣପୋଷଣ ଭାର ସେ ନିଜେ ବହନ କରିପାରିଚନ୍ତି ବୋଲି ।

 

ଏତଦ୍‌ବ୍ୟତୀତ ଆଉରି ଅନେକ ଯୁକ୍ତି—ଉତ୍ତର ଦବାକୁ ଇଚ୍ଛା ହେଉଥିଲେ ବି ଦେଲିନି । ମନରେ ମୋର ଅସୁମାରି ଦୁଃଖର ଝଡ଼ ଉଠୁଥାଏ । ଦେହରେ ଭରା-ତାରୁଣ୍ୟ ଧରି ବି ମୁଁ ବିଭା ହେଇ ପାରୁନି । ବିବାହ ବଜାରରେ ବେକାରମାନଙ୍କ ଦାମ୍‌ ଖୁବ୍‌ କମ୍‌ ।

 

ଆଉ କିଛି ସମୟ କଥାବାର୍ତ୍ତା କରି ଆମେ ଦୁହେଁ ଘରକୁ ଫେରିଲୁ । ଆଗାମୀ କାଲି ତ ତାଙ୍କର ଚତୁର୍ଥୀ—ମଧୁଶଯ୍ୟା । ଏଇ ଚତୁର୍ଥୀ ପାଇଁ ସେ ମତେ ନିମନ୍ତ୍ରଣ କରିଗଲେ । ବାରମ୍ବାର ଅନୁରୋଧ—ବାପାଟି ଆସିବ ।

 

ଚତୁର୍ଥୀ ନିମନ୍ତ୍ରଣ ଖାଇବାର ଲୋଭ ଯେତିକି ନଥିଲା ତା’ଠୁଁ ଅଧିକ ଥିଲା ତାଙ୍କର ବର୍ତ୍ତମାନ ଅବସ୍ଥାକୁ ଦେଖିବାର କୌତୁହଳ । ତେଣୁ ଅସମ୍ଭାଳ ହେଇ ତାଙ୍କ ଘରକୁ ଚାଲିଲି । ତାଙ୍କ ଗାଁ ଦାଣ୍ଡରେ ପିଲାମାନେ ଗୀତ ବୋଲୁଥିଲେ—

 

ବୁଢ଼ା ବଅସରେ ପଣ୍ଡିତ ଆଣିଚି କନିଆଁ

କନିଆଁକୁ ଦେଖି ଗାଁଆର ଟୋକାଏ ଛାନିଆଁ ।

 

ଆଃ—ବୁଢ଼ାଟା ବାହା ହେଇ କି କାମ ନ କରିଚି—ଖାଲି ବଦ୍‌ନାମର ବୋଝ—ବାହାଘର ପ୍ରତି ଅସମର୍ଥନ ।

 

ଶାସ୍ତ୍ରୀଙ୍କ ଘରେ ପହଞ୍ଚି ଯାହା ଦେଖଲି ତାହା ନିମ୍ନପ୍ରକାରେ ଲେଖୁଚି—

 

ଶାସ୍ତ୍ରୀ ଆପଣେ ପାଇଜାମା ଆଉ ପଞ୍ଜାବୀ ପିନ୍ଧି ନିମନ୍ତ୍ରୀତ ଅତିଥିମାନଙ୍କୁ ତାଙ୍କ ନବବଧୁଙ୍କ ସହିତ ପରିଚୟ କରେଇ ଦେଉଥାନ୍ତି । ଆଖିକି ତ ପ୍ରଥମେ ଅବିଶ୍ୱାସ କଲି । ପଣ୍ଡିତଙ୍କ ଘରେ ଏ ପୁଣି ସମ୍ଭବ ହେଲା ? ନ ଦେଖିଲେ ବିଶ୍ୱାସ କରିବ କିଏ ? ମାତ୍ର ମୋର ସବୁ ଅବିଶ୍ୱାସ ତୁଟିଗଲା—ସବୁ ପ୍ରକାର ଜଡ଼ତା କଟିଗଲା ଯେତେବେଳେ ବୀଣାଜୀଣା କଣ୍ଠର ସରୁ ପ୍ରଶ୍ନଟିଏ ମୋ ଉପରେ ଧୀର ଭାବରେ ପଡ଼ିଲା । ସେ ପଚାରିଲେ ବଙ୍ଗ ଭାଷାରେ—(ଯାହାର ଓଡ଼ିଆ ଏହିପରି)—

 

‘‘ଆପଣ କଣ କଲିକତାରେ ପଢ଼ନ୍ତି ?’’

 

ଆରେ, ମତେ ଏ କଣ କଲିକତାରେ ଦେଖିଚନ୍ତି ? କେଉଁଠି ଦେଖିଥିବେ ? କଲେଜ୍‌ ଷ୍ଟ୍ରିଟରେ ? ହେଦୁଆ ପାର୍କରେ ? ରୂପବାଣୀ ସିନେମାରେ ନା ଚିଡ଼ିଆଖାନା ବା କାଳୀ ଘାଟରେ ?

 

ଟିକିଏ ରହି କହିଲି—ହଁ, ମୁଁ କଲିକତାରେ ପଢ଼େ । ମାତ୍ର ଆପଣ....ସେ ଟିକିଏ ମୁରୁକି ହସ ହସି କହିଲେ—ଓ, ମୁଁ କେମିତି ଜାଣିଲି ? ମିଷ୍ଟର ପ୍ରାନ୍‌ ମତେ କହୁଥିଲେ ଆପଣଙ୍କ କଥା ।

 

ମିଷ୍ଟର ପ୍ରାନ୍‌ ? ଚଳଚ୍ଚିତ୍ର ଅଭିନେତା ପ୍ରାନ୍‌ ନୁହନ୍ତି ତ ?

 

ମୋର ତଟସ୍ଥ ଭାବ ଭାଙ୍ଗିଲା ଯେତେବେଳେ ପଣ୍ଡିତେ ଦାନ୍ତ ଚିପି ଚିପି ହସି ହସି କହିଲେ...ବୁଝି ପାରୁନାହିଁ । ମିଷ୍ଟର ରାମ ପ୍ରାଣ୍‌.....

 

—ଓ....ଓ...କ୍ଷମା କରିବେ ଆଜ୍ଞା । ମୁଁ ଏ ଯାଏ କିଛି କଳନା କରି ପାରୁ ନଥିଲି ।

 

ସତରେ....ପଣ୍ଡିତ ରାମ ପ୍ରାଣ ଶାସ୍ତ୍ରୀ ଯେ’ ମିଷ୍ଟର୍‌ ପ୍ରାନରେ ପରିଣତ ହେଇ ସାରିଲାଣି ୟା’ ଭିତରେ, ଏ କଥା ମତେ ଜଣାନଥିଲା ।

 

ଘର ଭିତରେ ତ ଅନେକ ପରିବର୍ତ୍ତନର ସୂଚନା—ପୁଣି ମିଷ୍ଟର ପ୍ରାନ୍‌ଙ୍କ ଦେହରେ ତା’ର ସୂଚନା ଆଉରି ବେଶି ।

 

ମିସେସ୍‌ ପ୍ରାନ୍‌ କହିଲେ—ମୋତେ ସମ୍ବୋଧନ କରିବାକୁ ହେଲେ ମିସେସ୍‌ ପ୍ରାନ୍‌ ବୋଲି ଡାକିବେ । ଏଇ ଡାକରେ ମୋତେ ବହୁତ ଆନନ୍ଦ ମିଳିବ ।

 

କଲିକତା ବିଷୟରେ ଆମେ ଦୁହେଁ କେତେ କଥାବାର୍ତ୍ତା ହେଲୁ । ତାଙ୍କ କଥା ଭିତରେ ସେ ବାରମ୍ବାର ମୋତେ ପ୍ରଶଂସା କରିବାକୁ ଲାଗିଲେ ।

 

ମିଷ୍ଟର୍‌ ପ୍ରାନ୍‌ ମୋର ଖାଇବା ପାଇଁ ବ୍ୟସ୍ତ ହୋଇ ପଡ଼ିଲେ । ଅନ୍ୟାନ୍ୟ ଅତିଥିମାନେ ବି ଆସିଯାଇଥିଲେ ସେତେବେଳକୁ । ଶୀଘ୍ର ଖାଇବାର ଯୋଗାଡ଼ ହେଲା । ମିଷ୍ଟର୍‌ ଓ ମିସେସ୍‌ଙ୍କର ଗୋଟିଏ ଟେବୁଲରେ ବଢ଼ା ଯାଇଥିଲା । ମାତ୍ର ମିସେସ୍‌ ପ୍ରାନ୍‌ ଆସି ମୋରି ଟେବୁଲରେ ବସିଲେ । ଏମିତି ବସିବା ଭଦ୍ରତା । ପଣ୍ଡିତମାନଙ୍କର ତାଙ୍କୁ କିଛି କହିବାର ସାହସ ନ ଥିଲା ।

 

ଯେହେତୁ—ବୃଦ୍ଧସ୍ୟ ତରୁଣୀ ଭାର୍ଯ୍ୟା....

 

ମିସେସ୍‌ ପ୍ରାନ୍‌ କେତେ ଯେ କଣ କହୁଥିଲେ—ସେ ଶିକ୍ଷିତା—ସେ ଆଧୁନିକା—ପଦ୍ମାନଦୀ ତୀରର ଏକ ସୁନ୍ଦର ସହରରେ ତାଙ୍କର ଘର ଥିଲା । ପୂର୍ବ ବଙ୍ଗ ଦଙ୍ଗା ହାଙ୍ଗାମରେ ତାଙ୍କ ବାପ ମା ଭାଇ ସମସ୍ତଙ୍କୁ ସେ ହରେଇଚନ୍ତି । ତାଙ୍କର ସୌଭାଗ୍ୟ ଯୋଗୁ ସେ ଉଧୁରି ଯାଇଚନ୍ତି ଆଉ ଆଜି ନିଜର ସଂସାର ଗଢ଼ି ପାରିଚନ୍ତି । କିନ୍ତୁ ଏଇ ମୋଫସଲ ଗାଁରେ ତାଙ୍କ ଜୀବନ କଟିବ କିପରି ?

 

ସେ ବାରମ୍ବାର କହୁଥାନ୍ତି—ବୁଝିଲ, ମୁଁ ମନେ ମନେ ଶିକ୍ଷିତ ସାଙ୍ଗଟିଏ ଖୋଜୁଥିଲି । ଯା’ହେଉ, ତୁମେ ତ ଅଛ । କିଛି ଲଜ୍ଜା କରିବନି । ଯେତେବେଳେ ସମୟ ମିଳିବ ଆସିବ । ତୁମ ପାଇଁ ରାତି ଦିନର ବାଛ ବିଚାର କିଛି ରହିବନି । ତୁମ ପାଇଁ ଏ ଘରର ଦୁଆର ସବୁବେଳେ ଖୋଲା ରହିବ । ତୁମେ ନିଶ୍ଚୟ ଆସିବ ।

 

ଖିଆପିଆ ପରେ । ମିଷ୍ଟର ପ୍ରାନ୍‌ ମତେ କେତେଗୁଡ଼ିଏ କଥା କହିଲେ । ଆରେ ଏ କଣ-? ହଠାତ୍‌ ତାଙ୍କ ମନରେ ମୋ ପ୍ରତି ସନ୍ଦେହ କାହିଁକି ? କଥା ପ୍ରସଙ୍ଗରେ ସେ ମୋତେ ତାଗିଦ୍‌ କଲେ—ଅବଶ୍ୟ ଅଯଥା ।

 

ବିଦାୟ ନେଲି । ମିସେସ୍‌ ପ୍ରାନ୍‌ ମୋ ସହିତ ହାତ ମିଳେଇଲେ । ମିଷ୍ଟର୍‌ ପ୍ରାନ୍‌ ଅସହାୟ ଭାବରେ ଚାହିଁ ରହିଥାନ୍ତି । ମିସେସ୍‌ ପ୍ରାନ୍‌ କହିଲେ—ତୁମେ ହାତ ମିଳାଉ ନାହଁ ମିଷ୍ଟର୍‌ ପ୍ରାନ୍‌—ବୁଦ୍ଦୁ କୋଉଠିକାର । ମିଷ୍ଟର୍‌ ପ୍ରାନ୍‌ ଥରି ଥରି ତାଙ୍କ ହାତଟାକୁ ମୋ ଆଡ଼କୁ ବଢ଼ାଇଦେଲେ-

 

ତା’ପରେ । ଅନେ ମଧ୍ୟାହ୍ନରେ—ଅନେକ ସଂଧ୍ୟାରେ ମିସେସ୍‌ ପ୍ରାନ୍‌ ମତେ ଡକେଇ ପଠେଇଚନ୍ତି । ମାତ୍ର ମୁଁ କାହିଁକି କେଜାଣି ଯିବାକୁ ସାହସ ସଞ୍ଚୟ କରିପାରିନି ।

 

କିଛିଦିନ ପରେ—ପୁନର୍ବାର ରାମପ୍ରାଣ ଶାସ୍ତ୍ରୀଙ୍କ ସହିତ ଦେଖାହେଲା ବଜାର ଭିତରେ-। ପୁଣି ଏ କି ପରିବର୍ତ୍ତନ ! ସେ ପେଣ୍ଟ୍‌ ହାଓ୍ୟାଇନ୍‌ ଜୋତା ମୋଜା ପିନ୍ଧି ଆଉରି ଆଧୁନିକ ହେଇଯାଇଚନ୍ତି ।

 

ସେ ମତେ କହିଲେ—ସେ ଏଇ ବଜାର ଉପରେ ଗୋଟାଏ କୋଠାଘର ତିଆରି କରୁଚନ୍ତି, କାରଣ ମିସେସ୍‌ ପ୍ରାନ୍‌ଙ୍କୁ ମୋଫସଲ ପୋଷଉ ନାଇଁ । ଅଧିକ ଦି ନ ମୋଫସଲରେ ରହିଲେ ତାଙ୍କୁ କୁଆଡ଼େ ହିଷ୍ଟିରିୟା ହୋଇଯିବ । ତେଣୁ ତାଙ୍କର ସହର ଦର୍କାର—ସହରୀ ବନ୍ଧୁ ଦର୍କାର—ସହର ଆଦବ କାଇଦା ଦରକାର ।

 

ସେ ପୁଣି ମତେ କହିଲେ—ତୁମେ ଟିକିଏ ଆମ ଘର ଆଡ଼େ ଆସନ୍ତ ନାହିଁ—ତାଙ୍କୁ ଏକୁଟିଆ ବସି ବସି ଭାରି ଖରାପ ଲାଗୁଚି ।

 

ମୁଁ କିନ୍ତୁ ଯିବା ପାଇଁ ଅକ୍ଷମତା ପ୍ରକାଶ କଲି । ମୋର ଲ’ ପରୀକ୍ଷା ଫଳ ବାହାରିଯାଇଚି-। ମୁଁ ଯାଉଚି ହାଇକୋଟରେ ଓକିଲାତି କରିବି ।

 

ସେ ଦୀର୍ଘନିଶ୍ୱାସ ପକାଇଲେ ।

 

ମୁଁ ଭାବୁଥିଲି—ହାୟ ବୃଦ୍ଧ ରାମପ୍ରାଣ ଶାସ୍ତ୍ରୀ—ବନାମ ମିଷ୍ଟର୍‌ ପ୍ରାନ୍‌ । ତୁମରି ଜୀବନରେ ତୁମେ ଗରୁଡ଼ ପୁରାଣର ଭବିଷ୍ୟ-ଉକ୍ତିକୁ ଅକ୍ଷରେ ଅକ୍ଷରେ ସତ୍ୟ ପ୍ରମାଣିତ କରିଚ ।

★★★

 

ଅନ୍ଧୁଣୀର ରଥଯାତ

 

ଜଗବନ୍ଧୁ ହେ ପ୍ରଭୁ ଯଦୁ ନନ୍ଦ....ଅ....ଅ.....ନ, ଗଜବନ୍ଧୁ ହେ.....

 

ଅନ୍ଧୁଣୀର ନୟନ ଲୋତକାପ୍ଳୁତ—ଗାଉ ଗାଉ ତାର ଆଖିକି ଲୁହ ଆସିଛି । ଖଞ୍ଜଣି ଚାଲିଛି ହାତରେ ତାର ଅବିରାମ—କାଖତଳୁ ସାମନାକୁ ଲମ୍ବି ଆସିଛି ବାଉଁଶର ଯଷ୍ଟି—ଆଗେ ଆଗେ ଚାଲୁଛି ଲମ୍ବି ଆସିଥିବା ଯଷ୍ଟିଟିକୁ ହାତରେ ଧରି ଦଶ ଏଗାର ବର୍ଷର ପିଲାଟିଏ—ତା’ରି ପୁଅ ହେବ ବୋଧେ ।

 

ଅନ୍ଧୁଣୀ ତନ୍ମୟ । କଣ୍ଠନିଃସୃତ ଗୀତର ଲହରୀରେ ସମଗ୍ର ବଡ଼ଦାଣ୍ଡ ଥରିଉଠୁଛି ।

 

ମୁଁ ବାହାରକୁ ଚାହିଁଲି—ସେ ଧୀରେ ଧୀରେ ମୋର ଦ୍ୱାର ଦେଶକୁ ଆସିଲା ।

 

‘‘ବାବା, ଭଗବାନ ତମର ମଙ୍ଗଳ କରିବେ—ଅନ୍ଧୁଣୀକି କିଛି ଦୟା ହଉ ।’’

 

ବାସ୍ତବିକ ଦୟା ହେଲେ । ତାଙ୍କୁ ମୁଁ ଭଲକରି ଚାହିଁଲି । ଦେହରେ ଗୈରିକ ବସନ—କଣ୍ଠଦେଶରେ ତୁଳସୀ ମାଳି—ମୁଖରେ ଚକାଡ଼ୋଳାଙ୍କ ଅନିନ୍ଦ୍ୟ ଭଜନ । ଗୋଡ଼ରେ ବହଳ ଧୂଳିର ଦାଗ । ବୋଧହୁଏ ବହୁତ ବାଟ ଚାଲିଲାଣି । ବୟସର ଚାପରେ ମୁଣ୍ଡର କେଶ ଧଳା ହୋଇ ଆସୁଚି–ଆରମ୍ଭ ମାତ୍ର । ତଥାପି ତାର ମୁହଁକୁ ଚାହିଁଲେ ସଂସାରର ଜଞ୍ଜାଳ ଯେ ସେ ଖୁବ୍‌ ଅଙ୍ଗେ ନିଭେଇଚି ଏହା ସ୍ପଷ୍ଟ ବୁଝାପଡ଼େ ।

 

ବୟସ ହେବ ବୟାଳିଶ କି ତେୟାଳିଶ । ତଥାପି କପାଳ ତାର କୁଞ୍ଚିତ ହୋଇ ଆସୁଚି । ଏହା ଗୋଟାଏ ଗଭୀର ଯନ୍ତ୍ରଣାଦାୟକ ଚିନ୍ତାର ସୂଚନା ନୁହେଁ ତ ଆଉ କଣ ?

 

‘‘କେତେ ଦୂରରୁ ଆସିଛି ?’’ ବାହାରକୁ ଆସି ଟିକିଏ କୌତୁହଳୀ ହେଇ ମୁଁ ପ୍ରଶ୍ନକଲି ।

 

ସେ ବୋଧହୁଏ ବୁଝି ପାରିଲା ନାହିଁ କାହାକୁ ଲକ୍ଷ୍ୟ କରି ଏ ପ୍ରଶ୍ନ ।

 

ସେ ପଚାରିଲା—‘‘ମତେ ପଚାରୁଚ ବାବୁ ?’’

 

‘‘ହଁ’’—ଧୀର ଉତ୍ତର ମୋର ।

 

‘‘ବାବୁ, ଆଜି ପରା ଜଗନ୍ନାଥଙ୍କ ରଥଯାତ ?’’

 

‘‘ହଁ, ଆଜି ରଥଯାତ ।’’

 

‘‘ବାବୁ, ମୁଁ ଆସିଚି କଟକ ସେ ପାରିରୁ—ମଧୁପୁରରୁ । ରଥଯାତ ଦେଖି ଫେରିଯିବି । କେତେବେଳେ ମହାପ୍ରଭୁଙ୍କର ପହଣ୍ଡି ବିଜେ ହବ ?’’

 

‘‘ପହଣ୍ଡି ବିଜେର ବେଳ ହେଇଆସିଲା । କିନ୍ତୁ ତୁମେ ଏତେ ଦୂରରୁ କଣ ଚାଲି ଚାଲି ଆସିଲ ?’’

 

‘‘ବାବୁ, ଭାରି ଗରିବ । ଭିକମାଗି ତ ଖାଏ—ପଇସା କୋଉଠୁ ପାଇବି ଯେ ଗାଡ଼ି ଚଢ଼ି ଆସିବି ? ପାଦଶ୍ରମ କରି ଆସିଲେ ସିନା ଜଗନ୍ନାଥେ ବର ଦେବେ ! ଚାଲି ଚାଲି ଆସିଲି ବାବୁ ! ସାଥିରେ ଏଇ ପିଲା ବକଟକ । ଦଶଦିନ ହେଇଗଲା ଘରଠୁ ବାହାରିଚୁ । ଯା ହଉ ବାବୁ, ଆଜି ପରା ପବିତ୍ର ଦିନରେ ପୁରୀ ବଡ଼ଦାଣ୍ଡର ଧୂଳି ମୋପରି ପାପୀ ଦିହରେ ଲାଗିଲା ।’’

 

‘‘ପିଲାଟି କଣ ତମର ପୁଅ ?’’

 

‘‘ପୁଅ... ?’’ ମୁଣ୍ଡ ହଲେଇ ସେ ମନାକଲା । ଆଖି ଦୁଇଟି ତାର ଛଳ ଛଳ ହେଇ ଆସିଲା । ‘‘ପୁଅ ମୋର କାହୁଁ ଆସିବ ବାବୁ ? ମୁଁ ଯେ ଜନମରୁ ଅନ୍ଧୁଣୀ । ବାପମାଙ୍କୁ ତ ପିଲାଟି ଦିନରୁ ଖାଇଚି । କେହି ଆଉ ନାହାନ୍ତି । ଏମିତି ଚାଲି ଚାଲି ଆସିଚି—ଜଗବନ୍ଧୁଙ୍କ ନାମ ନେଇ । ଅନ୍ଧୁଣୀ ହେଇ କାହାକୁ ବା ବାହା ହେଇଥାନ୍ତି ? ବାହା ହେଲିନାହିଁ । କିନ୍ତୁ ବାବୁ, ଭାରି ଭୁଲ ହୋଇଗଲା । ବାହା ହେଇଥିଲେ ମା ତ ହେଇ ପାରିଥାନ୍ତି ! ବାବୁ, ଭଗବାନ ଆମପରି ମଣିଷକୁ ଯେ କାହିଁକି ଜନ୍ମଦିଏ କେଜାଣି..... ?’’

 

ତା’ର ସୂକ୍ଷ୍ମତମ ତନ୍ତ୍ରୀରେ ଆଘାତ ଲାଗିଲା ଯେମିତି । ଫୁଟି ସେ ମଉଳି ପଡ଼ିଚି ତା’ ଦେହ ଫୁଲର ସୌରଭ ସଂସାର ଉପବନକୁ ମହକିତ କରିବା ପୂର୍ବରୁ । ମା ରୂପରେ ଯେଉଁ ନାରୀ ଦେଖାଦିଏ ସେଇ କଣ ଭାଗ୍ୟବତୀ ? ସାର୍ଥକତା କଣ ସେଇଠି ? ମା ତାର ସ୍ତନର ଅମୃତ ଢାଳିଦିଏ ସନ୍ତାନର ମୁଖରେ । ଗଢ଼ିଉଠେ ସୁନ୍ଦର ସୃଷ୍ଟି ।

 

ଇଏ ମା ହେଇ ପାରିନି । ଆଜନ୍ମ ଅନ୍ଧୁଣୀ ଜଗତକୁ ଉପଭୋଗ କରି ପାରିନି ।

 

‘‘ବାବୁ’’—ସେ ପୁଣି କହିଲା—’’ଏଇଟା ଗୋଟିଏ ବଜୁଲିଆ ପିଲା । ତାର ବାପ ମା ନାହାନ୍ତି—ଛେଉଣ୍ଡ । ତା’ର ଦୁଇବରଷଠାରୁ ମୁଁ ତାକୁ ପାଳି ଆସିଚି । ଅଣ୍ଡାଳି ଅଣ୍ଡାଳି ତା’ପାଟିରେ କ୍ଷୀର ଖୁଆଇଚି । ସେଇ ମୋର ପୁଅ । ହଁ ବାବୁ, ସେ ପୁଅ ନ ହବ କାହିଁକି ? ମୁଁ ତାକୁ ଜନମ ଦେଇନି ବୋଲି ସେ କଣ ମୋର ପୁଅ ହୋଇପାରିବନି ? ମକୁରୁ...’’

 

ସେ ହଠାତ୍‌ ସନ୍ତାନ ପ୍ରେମରେ ଗଦ୍‌ଗଦ ହୋଇ ପିଲାଟିର ଶିର ଚୁମ୍ବନ କଲା ।

 

—‘‘ବାପ, ତୁ ଆଉ ଟିକିଏ ବଡ଼ ହେଇଗଲେ ମତେ ପୋଷିବୁ..... ।’’

 

ମୁଁ ସବୁ ଦେଖୁଥିଲି । ଯେଉଁମାନେ କହନ୍ତି ସନ୍ତାନହୀନା ସନ୍ତାନର ସ୍ନେହ ଜାଣେନି, ସେମାନେ ବୋଧହୁଏ ଭୁଲ କହନ୍ତି । ତାର ନମୁନା ତ ମୋରି ସାମନାରେ ।

 

ମୁଁ କହିଲି—‘‘ସଂସାରରେ ସ୍ନେହ ହଉଚି ସବୁଠୁ ବଡ଼ । ଘରର ପୋଷା ବିରାଡ଼ି କୁକୁର ବି ସ୍ନେହରେ କିଣାହେଇଯାଆନ୍ତି । ଆଉ ମଣିଷ କଥା—ସେ ତ ସବୁଦିନେ ସ୍ନେହକାଙ୍ଗାଳ !’’

 

ସେ ମୁଣ୍ଡ ହଲେଇ ସମ୍ମତି ଜଣାଇଲା—‘‘ତମେ ଠିକ୍‌ କହିଚ ବାବୁ, ତମେ ଠିକ୍‌ କହିଚ । ଖାଣ୍ଟି କଥାଟିଏ କହିଚ ।’’

 

ଅନ୍ଧୁଣୀ... କିନ୍ତୁ ମନରେ ତାର ଜଗନ୍ନାଥ ଦର୍ଶନର ପ୍ରବଳ ଆକାଂକ୍ଷା । କିନ୍ତୁ କଣ ବା ସେ ଦେଖିବ ?

 

ମୁଁ ପଚାରିଲି—‘‘ଏତେ ଦୂରରୁ ଆସିଛ; କିନ୍ତୁ କଣ ତୁମେ ଦେଖିବ ? ଜଗନ୍ନାଥ କଣ ତୁମକୁ ଦେଖାଯିବେ ?’’

 

ସେ ହଠାତ୍‌ ମୋ ପ୍ରଶ୍ନର ଜବାବ ଦେଲା—

 

‘‘ଭୁଲ କହୁଚ ତମେ ବାବୁ, ଭୁଲ କହୁଚ । ମହାପ୍ରୁ କଣ ଆଖିରେ ଦେଖାଯାନ୍ତି ? ତାଙ୍କୁ କେହି କଣ ଆଖିରେ ଦେଖେ ? ଏ ପରା ଚର୍ମ ଆଖି ! ଚର୍ମ ଆଖିରେ ମହାପ୍ରୁଙ୍କ ଦର୍ଶନ ହୁଏ ନାହିଁ-। ବାବୁ, ତାଙ୍କୁ ଦେଖିବା ପାଇଁ ମନ ଆଖି ଦରକାର । ମୁଁ ଠିକ୍‌ ଦେଖିବି । ମୋ ମକରା ଦେଖିବ । ମୁଁ ଏତେ ବାଟରୁ ଆସିଚି, କଳା ଧଳାଙ୍କୁ ଦେଖିବି ନାହିଁ ? ନିଶ୍ଚେ ଦେଖିବି ।’’

 

ତା’ ହାତରେ ମୁଁ ଦୁଇଟି ଟଙ୍କା ଦେଲି । ବଡ଼ଦାଣ୍ଡରୁ ଶୁଭିଲା ପହଣ୍ଡି ବିଜେ ଘଣ୍ଟା । ସେ ଚଞ୍ଚଳ ହେଇ ପଚାରିଲା—‘‘ବାବୁ, ମହାପ୍ରୁ କଣ ପହଣ୍ଡି ବିଜେ ହେଲେ ?’’

 

‘‘ହଁ, ତାହାହିଁ ହେବ ।’’ —ମୁଁ କହିଲି ।

 

‘‘ତମେ କଣ ବାବୁ ଯିବନାହିଁ ? ମହାପ୍ରୁଙ୍କୁ ଆଜିପରା ଦିନରେ ଦେଖିବ ନାହିଁ ?’’

 

‘‘ହଁ, ମୁଁ ପଛରେ ଯିବି ।’’ —ମୁଁ କହିଲି ।

 

‘‘ହଉ ତେବେ ବାବୁ, ତମେ ପଛରେ ଆସ । ଜଗନ୍ନାଥେ ତମର ଭଲ କରନ୍ତୁ । ଆମେ ଯାଉଛୁ । ଚାଲ ମକରା, ପହଣ୍ଡି ବିଜେ ହେଲେଣି ମହାପ୍ରୁ । ଚାଲ ଚାଲ.....’’

 

ସେ ଚାଲିଗଲା । କଣ୍ଠରୁ ତାର ଝରି ପଡ଼ିଲା ପୁଣି ସେଇ ଜଗବନ୍ଧୁ ହେ....ଜଣାଣ । ମୁଁ ଚାହିଁରହିଥିଲି ତାରି ଯିବା ପଥକୁ ।

 

ରଥଦାଣ୍ଡ ଫାଟିପଡ଼ୁଚି । ଲକ୍ଷ ଲକ୍ଷ ଯାତ୍ରୀ । ଘଣ୍ଟ ଘଣ୍ଟାର କାନଫଟା ଶବ୍ଦ । ତିନିଟି ଯାକ ରଥ ବଡ଼ଦାଣ୍ଡର ଛାତି ଉପରେ ଠିଆ ହେଇଚି । ତିନି ରଥରେ ତିନି ଠାକୁର ବିଜେ । ମଣିଷ ଅସଂଖ୍ୟ—ସମୁଦ୍ର ଜୁଆର ଭଳି ସେମାନେ ପାଗଳ ହେଇଯାଇଛନ୍ତି ଯେମିତି ।

 

ମୁଁ ଲୋକଗହଳିଠୁ ଟିକିଏ ଦୂରରେ ଠିଆହୋଇ ଦେଖୁଥିଲି । ନୀଳଚକ୍ରର ପତାକା ତଳେ ପ୍ରଣତ ଆଜି ଲକ୍ଷ ଲକ୍ଷ ଯାତ୍ରୀ । କାହିଁ ଗୁଜୁରାଟ, କାହିଁ ମଧ୍ୟପ୍ରଦେଶ, ବଙ୍ଗ, ବିହାର, ମହାରାଷ୍ଟ୍ର, ଉତ୍ତର ପ୍ରଦେଶ—ଭାରତର ପ୍ରତି ପ୍ରାନ୍ତରୁ ଆସି ଏମାନେ ଏଠି ଏକତ୍ରିତ । ହିନ୍ଦୁ ଜାତିର ନମସ୍ୟ ଦେବତା ରଥରେ ବିଜେ—ମୁଁ ପ୍ରଣାମ କଲି ।

 

ରଥ ଟଣା ଆରମ୍ଭ ହେଲା । ମଣିଷର ସମୁଦ୍ର ମାଡ଼ିଆସୁଚି ଆଗକୁ ଆଗକୁ ।

 

କିନ୍ତୁ ହଠାତ୍‌ କାହିଁକି ରଥ ଠିଆହେଇଗଲା । ରଥଚକ ପାଖକୁ ଧାଇଁଗଲେ ଅନେକ ମଣିଷ । କଣ ହେଲା ?

 

ପାଖରେ ଥିବା ପୋଲିସକୁ ମୁଁ ପଚାରିଲି—‘‘କଣ ହେଲା ?’’

 

ସେ କହିଲା—‘‘ଦୁର୍ଘଟଣା’’

 

ଦୁର୍ଘଟଣା ! ମୁଁ ଆଉ ଟିକିଏ ଆଗେଇ ଗଲି । ଏକ ସ୍ତ୍ରୀ ଲୋକ କଣ୍ଠରୁ ଭାସି ଆସୁଚି ଚିତ୍କାର—କ୍ରନ୍ଦନ ରୋଳ ।

 

ନିକଟକୁ ଯାଇ ଦେଖିଲି । ମୋରି ଘରକୁ ଯାଇଥିବା ଅନ୍ଧୁଣୀ ମଥା ପିଟି କାନ୍ଦୁଚି । ମଣିଷ ଚାପରେ ଅଚେତ ହେଇ ପଡ଼ିଛି ତା’ର ପ୍ରିୟ ମକରା ।

 

ଲୋକମାନଙ୍କୁ ଆଡ଼େଇ ମୁଁ ପାଖକୁ ଗଲି । ଆମ୍ଭୁଲେନ୍‌ସ ପିଲାଟିକି ଡାକ୍ତରଖାନା ବହିନେଲା ।

 

ସ୍ତ୍ରୀ ଲୋକଟି ସମସ୍ତଙ୍କୁ ପଚାରୁଥିଲା—‘‘ମକରା ମୋର ଭଲ ହେଇଯିବ ତ ? ସେ ଭଲ ନ ହେଲେ ମୁଁ କଣ କରିବି ? ସେ ତ ମୋର ସବୁ ।’’

 

ମୁଁ ତା ପାଖକୁ ଯାଇ ଆଶ୍ୱାସନା ଦେଇ କହିଲି—‘‘ହଁ, ଭଲ ହୋଇଯିବ ।’’ ମୁଁ ଅନ୍ଧୁଣୀକୁ ମୋ ଘରକୁ ନେଇଆସିଲି । ତାର କାତର କଣ୍ଠର ଭାଷା—ସେଇ ଗୋଟିଏ ପ୍ରଶ୍ନ—‘‘ମକରା ମୋର ଭଲ ହେଇଯିବ ତ ? ତା ବିନା ମୁଁ ଯେ ଚଳି ପାରିବିନି—ବଞ୍ଚି ପାରିବିନି ।’’

 

ଠିକ୍‌ ସନ୍ଧ୍ୟାବେଳେ ମୁଁ ଡାକ୍ତରଖାନା ଗଲି । ସେ ଦିନସାରା କିଛି ଖାଇ ନ ଥାଏ । ମକରା କଥା ନ ଶୁଣିବା ପର୍ଯ୍ୟନ୍ତ କିଛଇ ଖାଇବ ନାହିଁ ।

 

କିନ୍ତୁ ଦୁର୍ଭାଗ୍ୟ । ମୁଁ ଡାକ୍ତରଖାନାରେ ପହଞ୍ଚିବା ପୂର୍ବରୁ ମକରା ସଂସାରର ବନ୍ଧନ କାଟି ଚାଲିଯାଇଥିଲା ।

 

ମୁଁ କିଛି ସମୟ ପାଇଁ ସେଇ ଡାକ୍ତରଖାନା ପିଣ୍ଡାରେ ବସିପଡ଼ିଲି । ଆଖିରେ ମୋର ଲୁହ । ଅଜଣା ଅଶୁଣା ସମ୍ପର୍କବିହୀନ ପିଲାଟି ପାଇଁ ପ୍ରାଣରେ ସମବେଦନା ।

 

ଜଗନ୍ନାଥଙ୍କ ରଥର ଘଣ୍ଟ ଘଣ୍ଟା ବନ୍ଦ ହେଇଯାଇଚି । ତିନିଟିଯାକ ରଥ ଗୁଣ୍ଡିଚା ମନ୍ଦିରରେ ପହଞ୍ଚିସାରିଲାଣି ।

 

ମୁଁ ଫେରିଲି । ସେ ସେମିତି ବସିରହିଚି । କିନ୍ତୁ ସତକୁ ଲୁଚେଇ ଲାଭ କଣ ? ମୁଁ ନିଷ୍ଠୁର ଭାବରେ ମକରା କଥା ତାକୁ ଜଣେଇଦେଲି । ଏହାଛଡ଼ା ମୋର ଆଉ ଅନ୍ୟ ଉପାୟ ବା କଣ ଥିଲା-

 

ସେ ଢୋକିନି ତଳେ ମୁଣ୍ଡ କଚାଡ଼ିଦେଲା ।

 

‘‘ଜଗବନ୍ଧୁ ହେ, ଶେଷରେ ଏଇୟା କଲ ? ମୁଁ କଣ ଏଇଥିପାଇଁ ଏତେ ବାଟ ଆସିଥିଲି-? ମୁଁ ଫେରିବି କେମିତି ?’’

 

ମୁଁ ବହୁତ ବୁଝାଇଲି—‘‘ତମେ ଆଉ କୁଆଡ଼େ ନ ଯାଇ ଏଇଠି ରହିଯାଅ ।’’

 

ସେ କିନ୍ତୁ ଅବୁଝା । କଣ ନ ହେଲା ତାର ? କାହା ପାଇଁ ସେ ଏଠି ରହିବ ?

 

ସେଇ ରାତିର ଅନ୍ଧକାରରେ ‘‘ମକରା ମକରା’’ ଡାକି ସେ ବାହାରିପଡ଼ିଲା । ମୋର ତାକୁ ଅଟକାଇବାର ସବୁ ପ୍ରକାର ଚେଷ୍ଟା ବିଫଳ ହେଲା । ମୋର ମନେ ହେଲା ସମୁଦ୍ରକୁ ଭେଟିବା ପାଇଁ ନଦୀ ଯେମିତି ଅନ୍ଧଭାବରେ ବିଲ ବଣ ପାହାଡ଼ ଅତିକ୍ରମ ଆଗେଇଯାଏ, ଅନ୍ଧୁଣୀର ଏ ଯାତ୍ରା ଠିକ୍‌ ସେମିତି ।

 

ସେ ଅଟକିଲା ନାହିଁ ।

 

ପରଦିନ ସକାଳେ ଖବର ମିଳିଲା—ଗୁଣ୍ଡିଚା ମନ୍ଦିର ସାମନାରେ ରଥ ଚକକୁ ଲାଗି ଗୋଟିଏ ଅନ୍ଧୁଣୀ ମରି ପଡ଼ିଚି । ପଡ଼ି ତ ନାହିଁ—ଜଗନ୍ନାଥଙ୍କ ଉଦ୍ଦେଶ୍ୟରେ ଯୋଡ଼ହାତ କରି ଶୋଇଚି ।

 

ସେ ହେଉଚି ମଧୁପୁରର ସେଇ ଅନ୍ଧୁଣୀ—ଯେ’ ରଥଯାତ ଦେଖିବାକୁ ଏତେ ଦୂରରୁ ଚାଲି ଚାଲି ଆସିଥିଲା ।

★★★

 

ଅପରାଧୀ

 

ଦେବବ୍ରତ କିରାଣି—ଏକଶହ ଟଙ୍କା ତାର ମାସିକ ଆୟ । ଘରେ ସ୍ତ୍ରୀ ଏବଂ ତିନୋଟି ସନ୍ତାନ—ମାସକର ଫର୍ଦ୍ଦ ତୁଳନାରେ ଏଇ ଟଙ୍କା କିଛି ନୁହେଁ । ଆୟ ଯାହାକିଛି ହେଉ ପଛେ, କିରାଣି ସବୁଦିନେ କିରାଣି । ତା’ର କ୍ଷୁଧିତ ଅନ୍ତର ଭିତରେ ଜଳିଉଠେ ଅସନ୍ତୋଷର ଅଗ୍ନି—ସବୁ ଯୁଗରେ ଚିତ୍କାର କରିଉଠିଚି ତାର ଆତ୍ମା—ସେ ବଞ୍ଚିବାକୁ ଚାହେଁ ମଣିଷ ପରି ।

 

ଶୁଣିଚି କିଏ ? ତାର ଏହି ଜଠର ନିଆଁର ନିର୍ବାପନ ଲାଗି ତାକୁ ସହାନୁଭୂତି ଜଣେଇଛି କିଏ ? ଧନୀ ଆଉ ନିର୍ଦ୍ଧନର ଏହି ବିରାଟ ବ୍ୟବଧାନ ଅତୀତରେ ଥିଲା, ବର୍ତ୍ତମାନ ମଧ୍ୟ ଅଛି ।

 

ପ୍ରକୃତିର ସବୁଜିମା—ପୃଥିବୀର ବିଳାସ କେନ୍ଦ୍ରଠୁ ବହୁ ଦୂରରେ ସେ, ବଞ୍ଚି ମଧ୍ୟ ଯେମିତି ମରିଯାଇଛି । ଅଭାବର ଅଭିଯୋଗ ନିତି ଶୁଣି ଶୁଣି ସେ କାଠ ପାଲଟିଯାଇଛି ।

 

ବୈଶାଖର ମଧ୍ୟାହ୍ନ—ସକାଳ କଚେରି ସାରି ଦିନ ଦି’ଟାରେ ଫେରି ଏଣୁ ତେଣୁ ଗଣ୍ଡିଏ ଖାଇଦେଇ ଦେବବ୍ରତ ଖବରକାଗଜର ପୃଷ୍ଠା ଓଲଟାଉଚି—ମନ ଘୂରିବୁଲୁଚି ଏଣେତେଣେ । ସ୍ତ୍ରୀ ସୁନନ୍ଦାର ମୁହଁରେ ହସ ନାଇଁ । ବଡ଼ପୁଅର ପେଣ୍ଟ ଚିରିଗଲାଣି, ସାନପୁଅର ଶାର୍ଟ, ଝିଅର ଫ୍ରକ୍‌ ଦରକାର ।

 

ସୁନନ୍ଦା ଆସି ଠିଆହେଲା ପାଖରେ—କଣ ବୁଝିଲ ?

 

ବିଷଣ୍ଣ ମୁହଁରେ ଚାହିଁଲା ଦେବବ୍ରତ । ଆଖିତଳୁ ଝରିପଡ଼ୁଥିଲା ଯେମିତି ଏକ ସକରୁଣ ବେଦନା—ସେ ଅପରାଧୀ ।

 

ସୁନନ୍ଦା ପୁଣି କହିଲା—ବେଳହୁଁ ୟାର ପ୍ରତିକାର ନ କଲେ ପଛକୁ ବିପଦ । କଥାଟା ଚାରିଆଡ଼େ ଯେତେବେଳେ ପ୍ରଘଟ ହୋଇଯିବ ସେତେବେଳେ ଆଉ କିଛି କରିବାକୁ ନଥିବ—ପୋଲିସ ଲୋକଙ୍କ ଧୂର୍ତ୍ତ ଆଖି ସବୁବେଳେ ପଡ଼ିବ ଆମ ଉପରେ । ଡାକ୍ତରଠୁ କିଛି ବୁଝିଲ ?

 

ଦେବବ୍ରତ ମନେ ମନେ ଭାବୁଥିଲା ଆକାଶ-ପାତାଳ । ଆଖି ସଜଳ-ଆର୍ତ୍ତା । ସେ କହିଲା—ହଁ, ମୁଁ ବୁଝିଥିଲି ସୁନ, କିନ୍ତୁ.....

 

—କିନ୍ତୁ, କଣ ହେଲା କୁହ ? ଉତ୍‌କଣ୍ଠିତ ହୋଇପଡ଼ିଲା ସୁନନ୍ଦା ।

 

ଡାକ୍ତରର ଦାବି ପାଞ୍ଚଶହ ଟଙ୍କା । ସମ୍ବଳ କାହିଁ ଆମର ?

 

ସୁନନ୍ଦାର ମନ-ମରୁରେ ହଠାତ୍‌ ଦେଖାଗଲା ଜ୍ୟେଷ୍ଠ ମାସର ଧୂଳିଝଡ଼ । ତା ଦେହରେ ଯେତିକି ଅଳଂକାର ଅଛି, ତାର ମୂଲ୍ୟ ଶହେ ଟଙ୍କାରୁ ବେଶି ନୁହେଁ—ଉଦ୍ଧାର ପାଇବାର ଉପାୟ ?

 

ଉପାୟ ଖୋଜୁଥିଲେ ବସି ସ୍ୱାମୀ ଆଉ ସ୍ତ୍ରୀ । ସାନପୁଅ ନନ୍ଦନ ଆସି ଅଳିକଲା ଆଠଅଣା ପଇସା ଦେଲେ ସେ ଯାଇ ଦୋକାନରୁ ବଲ୍‌ଟିଏ କିଣି ଆଣିବ—ପାଖ ଘର ମାଜିଷ୍ଟ୍ରେଟ୍‌ ହେମବାବୁଙ୍କ ପୁଅ ବଲ୍‌ ନେଇ ଖେଳୁଛି । ପିଲାଲୋକ—ସେ ବି ଚାହେଁ ଖେଳିବ, ନାଚିବ । ପହିଲା ରହିଲା ଆଉ ଦି’ଦିନ । ଚାଉଳ, ପରିବା ଧାରରେ ଆସୁଛି—ଦରମା ପାଇଲେ ସୁଝାଯିବ । ସବୁଯାକ ସୁଟକେଶ ଟ୍ରଙ୍କ ଅଣ୍ଡାଳିଲେ ଆଠଅଣା ପଇସା ହୁଏତ ମିଳିପାରେ । ସେତକ ସମ୍ବଳ ବେରାମ-ଆରାମ ପାଇଁ—ଆଠପାନ ହୋମିଓପାଥିକ୍‌ ଔଷଧର ଦାମ ।

 

ଦେବବ୍ରତ କହିଲା—ହଉ ହଉ, ମୁଁ ସଞ୍ଜକୁ ଗଲେ କିଣିଦେବି । ନନ୍ଦନ କିନ୍ତୁ ଛାଡ଼ିବା ପିଲା ନୁହେଁ । ପାଟି ଲଗେଇ ସ୍ୱାଭାବିକ ପିଲାଳିଆ କଣ୍ଠରେ ସେ କହିଲା—ହଁ, ତମେ ସିମିତି କହିକିନି ଦିଅନାଇଁ । ମୁଁ କିନିବି । ତା’ପରେ ଝୁଙ୍କ—ରୋଦନ-ଶିଶୁର ଅମୋଘ ଅସ୍ତ୍ର ।

 

ଅଗତ୍ୟା ସୁନନ୍ଦା ଯାଇ ଟ୍ରଙ୍କ ଅଣ୍ଡାଳି ଆଠଣା ପଇସା ଆଣି ତା’ ହାତରେ ଧରେଇଦେଲା । ସେ ଚାଲିଗଲା ପାଖ ଦୋକାନକୁ ନାଚି ନାଚି ।

 

ଦେବବ୍ରତ କହିଲା—ସୁନ, ଏ କଟକଣା ଭିତରେ ଆମର ବାହାହେବା ଉଚିତ ନ ଥିଲା-

 

ସୁନନ୍ଦାର ଚିନ୍ତାଧାରା ଥିଲା ଭିନ୍ନ । ବିବାହର ନବମ ବର୍ଷରେ ଉଚିତ ଅନୁଚିତର ପ୍ରଶ୍ନ ମୋଟେ ଉଠୁନାହିଁ । ଆଖି ସାମନାରେ ବର୍ତ୍ତମାନ ଏକମାତ୍ର ପ୍ରଶ୍ନ—ଉଦ୍ଧାର ପାଇବାର ଉପାୟ ?

 

ଅନ୍ଧକାରମୟ ଭବିଷ୍ୟତର କଦର୍ଯ୍ୟ ଅବୟବ ବେଶ୍‌ ସ୍ପଷ୍ଟହୋଇ ଉଠୁଥିଲା ସେମାନଙ୍କ ଆଗରେ । ସୂର୍ଯ୍ୟ ନଇଁ ଆସୁଥିଲା—ବାତାୟନ ଦେଇ ଘର ଭିତରକୁ ଝରିପଡ଼ିଥିଲା ଚେନାଏ ରଶ୍ମି-। ଦକ୍ଷିଣା ପବନର ମୃଦୁ ସ୍ପର୍ଶ ବେଳେ ବେଳେ ସିଞ୍ଚିଦେଇ ଯାଉଥିଲା ଅପରୂପ ରସ ।

 

ସୁନନ୍ଦାର ଅବୟବରେ ବେଶ୍‌ ଫୁଟିଦିଶୁଚି ଆଉ ଏକ ଶିଶୁର ପ୍ରତିଚ୍ଛବି । ସ୍ପଷ୍ଟ ଶୁଭୁଚି ଆଗାମୀ କେଉଁ ଅଶୁଭ ସକାଳରେ ନବାଗତ ଏକ ସନ୍ତାନର ପ୍ରଥମ କଳରବ ।

 

ଜେଲ୍‌ଖାନାର ଫାଟକ ପାଖରେ ଯାଇ ଅଟକିଯାଉଚି ଭାବନା । ଦେବବ୍ରତ ଆଖି ବୁଜିଲା ।

 

ଚତୁର୍ଦ୍ଦିଗ ଅନ୍ଧକାର । ସବୁବେଳେ ସେ ଅନ୍ୟମନସ୍କ । ମୁଣ୍ଡରେ ତାର ବିଛାର ଦଂଶନ । ସୁନନ୍ଦା ଆଜି ଚତୁର୍ଥ ସନ୍ତାନର ଜନନୀ ହେବାକୁ ଯାଉଛି । ଡାକ୍ତର ଚାହୁଁଛି—ପାଞ୍ଚଶ ଟଙ୍କା ପାଇଲେ ତାକୁ ଏ ଗୁରୁ ଅପରାଧରୁ ମୁକ୍ତ କରିଦିଅନ୍ତା; କିନ୍ତୁ ଦେବବ୍ରତ କିଏ ଆଉ ପାଞ୍ଚଶ ଟଙ୍କା କିଏ ? ମୁହଁରେ ତାର ପାଗଳର ହସ । ଇତିହାସରେ ସେ ପଢ଼ିଚି ତା’ରି ପୂର୍ବପୁରୁଷମାନେ ପନ୍ଦର କୋଡ଼ିଏଟି ସନ୍ତାନର ଜନକ ହେଉଥିଲେ । ପୁତ୍ରାର୍ଥେ କ୍ରିୟତେ ଭାର୍ଯ୍ୟା ବିବାହର ଲକ୍ଷ୍ୟଥିଲା ପୁତ୍ର ଉତ୍ପାଦନ । ସେତେବେଳେ ଏସବୁ କଟକଣା ନଥିଲା । ସେ ଆଜି ଚତୁର୍ଥ ସନ୍ତାନର ପିତା ହେବାକୁ ଯାଉଛି । କିନ୍ତୁ ସେ କଣ ଏଥିପାଇଁ ଦାୟୀ ? ତାର ଆଦିମ ପ୍ରବୃତ୍ତି ଉତ୍ତରାଧିକାର ସୂତ୍ରେ ସେ ପାଇଚି । ତାର ଅପରାଧ କଣ ? ଯୌନକାମନା ଯଦି ନ ଥାଆନ୍ତା...

 

ଠକ୍-ଠକ୍‌-ଠକ୍‌ ।

 

ଦେବବ୍ରତ ଚାହିଁଲା ବନ୍ଦଥିବା ଦାଣ୍ଡଦୁଆରକୁ ।

 

ପୋଲିସ୍‌ ! ଆଃ, ପୁଣି ତାର ମୁଣ୍ଡ ଗୋଳମାଳ ହୋଇଗଲା । ଚତୁର ପୋଲିସର ରଙ୍ଗ ଆଖି ତା ଉପରେ ଫୋକସ୍‌ ହେଲାଣି—ରକ୍ଷାନାହିଁ ଆଉ ।

 

କବାଟ ଖୋଲ—ଦୁଆରୁ ଶୁଭିଲା ।

 

ନା, ସେ ଖୋଲିବ ନାହିଁ ।

 

—ସୁନନ୍ଦା, ସୁନନ୍ଦା, ତୁମେ ଆତ୍ମହତ୍ୟା କର । ସମସ୍ତ ପରିବାରର ମଙ୍ଗଳ ପାଇଁ ତମେ ଫେରାର ହୁଅ ।

 

କବାଟରେ ଧକ୍‌କା—ଖୋଲ; ଖୋଲ ବାବୁ !

 

ବାବୁ ? ବାବୁ ? ଦେବବ୍ରତ ?

 

ଯା’ହଉ, ପୋଲିସର ଏଇ ସହାନୁଭୂତିଶୀଳ ଡାକ ପାଖରେ ଦବିଗଲା ତାର ମନ । ସେ କବାଟ ଖୋଲିଦେଲା । ତିନିଜଣ ପୋଲିସ୍‌ କନଷ୍ଟେବଲ୍‌ ପଶିଆସିଲେ ସାମନା ଘରକୁ । ଦେହ ଥରୁଚି ଦେବବ୍ରତର—ପାଟି ଶୁଖିଯାଉଚି । ମୁଣ୍ଡରେ ଝାଳ ।

 

—ଆପଣଙ୍କର ସ୍ତ୍ରୀଙ୍କୁ ବର୍ତ୍ତମାନ ଆମ ସହିତ ଡାକ୍ତରଖାନା ଯିବାକୁ ପଡ଼ିବ । ଦେବବ୍ରତ ନିର୍ବାକ୍‌ ।

 

—ବର୍ତ୍ତମାନ ଯିବାକୁ ପଡ଼ିବ—ଓ୍ୱାରେଣ୍ଟ୍‌ ଅଛି ଆମ ହାତରେ ।

 

ଓ୍ୱାରେଣ୍ଟ୍‌ ?

 

ସର୍ବନାଶ ! ପୋଲିସ୍‌ ବୋଲକରା, ସେ’ବା ଛାଡ଼ିବ କେମିତି ? ଦେବବ୍ରତ ଆଉ ସୁନନ୍ଦା ବାଧ୍ୟହେଲେ ଡାକ୍ତରଖାନା ଯିବାକୁ ।

 

ଡାକ୍ତର ରିପୋର୍ଟ ଦେଲେ—ସୁନନ୍ଦା ଗର୍ଭବତୀ—ପାଞ୍ଚମାସ । ଗର୍ଭସ୍ଥ ସନ୍ତାନ ଯେମିତି ନଷ୍ଟ ନ ହୁଏ ଡାକ୍ତର ସେଥିପାଇଁ ତାଗିଦ୍‌ କରିଦେଲେ ।

 

ହସ ମରିଯାଇଚି ମୁହଁରୁ—ପାଞ୍ଚମାସ ପରେ ସେ ହୁଏତ ହେବ ଅଭିଯୁକ୍ତ ଆସାମୀ ।

 

ଦୁଶ୍ଚିନ୍ତାର ଘୂର୍ଣ୍ଣୀ ଭିତରେ ବିତିଗଲା ପାଞ୍ଚମାସ—ଦେବବ୍ରତ ହେଲା ନୂତନ ଏକ ପୁତ୍ରର ଜନକ....ହସ୍ପିଟାଲର ମୁଖର ଓ୍ୱାର୍ଡରେ ନବଜାତ ଏକ ଶିଶୁ ତାର ପ୍ରଥମ କ୍ରନ୍ଦନରୋଳ ଶୁଣାଇଦେଲା ଜଗତକୁ ।

 

ଏକମାସ ପରର କଥା ।

 

ଦେବବ୍ରତ ଠିଆହୋଇଚି ଡକ୍‌ ଭିତରେ ଆସାମୀ ହୋଇ । ବିଚାର ସରିଯାଇଛି ତାର । ଖାଲି ରାୟ ହେବ । ବୃଦ୍ଧ ମାଜିଷ୍ଟ୍ରେଟ୍‌ ସୁନାଫ୍ରେମ୍‌ର ପ୍ରଚକ୍ଷୁ ଟେକି ବାରମ୍ବାର ଚାହୁଁଛନ୍ତି ତାହାରିଆଡ଼େ ।

 

ଶେଷ ପ୍ରଶ୍ନ—ଏଇ ସନ୍ତାନ ଆପଣଙ୍କର ତ ?

 

ଆଉ କାହାର ସନ୍ତାନ ସେ ହୋଇପାରନ୍ତା ?

 

ଏଇ ତ ଠିକ୍‌ ତାହାରି ପରି ନାକ, ତାହାରି ପରି ଆଖି, ମୁହଁ, ନାକ, ସବୁକିଛି ।

 

ଦୃଢ଼ଭାବରେ ଦେବବ୍ରତ ଜବାବ ଦେଲା—ହଁ ସାର୍‌, ସେ ସନ୍ତାନ ମୋର ।

 

—ଆଇନ ଅନୁଯାୟୀ ଆପଣ ଦୋଷୀ ।

 

ତଳକୁ ମୁହଁ ପୋତିଲା ସେ । ଅଦୂରରେ ଛିଡ଼ା ହୋଇଥିବା ସୁନନ୍ଦାର କୋଳରୁ କାନ୍ଦିଉଠିଲା ନବଜାତ ଶିଶୁଟି । କୋର୍ଟରୁମ୍‌ ଭରପୂର । ଦେବବ୍ରତ ସରକାରୀ କର୍ମଚାରୀ ହୋଇ ସରକାରଙ୍କ ଆଇନ ଭଙ୍ଗ କରିଚି । ଚାରି ପାଖରେ ପୋଲିସ ପହରା ।

 

ଡକ୍‌ ଭିତରେ ସେ ଭାବୁଥିଲା—ତାର ଏଇ ମୁହୂର୍ତ୍ତରେ ମୃତ୍ୟୁ ହୋଇଯାଆନ୍ତା କି ? ବେଶ୍‌ ଖୁସି ହୁଅନ୍ତା ସେ ମୃତ୍ୟୁର ଶୀତଳ ଚିବୁକରେ ଗାଢ଼ ଆଲିଙ୍ଗନ ଦେଇ ଶବ ପାଲଟିଯିବାକୁ । ଖାଦ୍ୟ ପାନୀୟ ଅଭାବଠୁ ଆତ୍ମସଂଯମ ଆହୁରି କଷ୍ଟକର ।

 

ମାଜିଷ୍ଟ୍ରେଟ୍‌ ପୁଣି କହିଲେ—ଯେଉଁମାନେ ଏପରି ଅପକର୍ମରେ ଲିପ୍ତ ହେଉଛନ୍ତି, ସେମାନେ ଦେଶଦ୍ରୋହୀ । ତାଙ୍କ ପ୍ରତି କଠିନ ଦଣ୍ଡର ବ୍ୟବସ୍ଥା ଅଛି ।

 

ଦେବବ୍ରତର ମାନସିକ ଚିନ୍ତାରେ ଆସୁଥିଲା ପରିବର୍ତ୍ତନ—ସେ ହୁଏତ ଏଇ ମୁହୂର୍ତ୍ତରେ ଜେଲ୍‌କୁ ଚାଲିଯିବାକୁ ଚାହୁଁଛି—ସେଇଠି ମିଳିବ ତାକୁ ଶାନ୍ତି । ବାହାର ଜଗତର ଅଶାନ୍ତ ପରିବେଶ ତାକୁ ଛୁଇଁପାରିବ ନାହିଁ । ତାର ଅବନମିତ ଆଖି ଲାଖିରହିଲା ସୁନନ୍ଦାର ମୁହଁ ଉପରେ । ଯେଉଁ ସନ୍ତାନମାନଙ୍କ ସହିତ ରକ୍ତ ମାଂସର ସମ୍ପର୍କ ତାର ଅଛି, ସେମାନେ ସବୁ ସାମନାରେ—କରୁଣ ନୟନରେ ଚାହିଁରହିଛନ୍ତି ତାକୁ । ହତଭାଗ୍ୟ ପିତା ସେ । ବନ୍ଧନ ଛାଡ଼ି ଚାଲିଯିବାକୁ ହେବ । ଚାଲିଯିବାକୁ ହେବ ସ୍ତ୍ରୀ ପୁତ୍ର କନ୍ୟାଙ୍କଠାରୁ ଦୂରକୁ । ଜେଲ୍‌ଖାନାର ଅନ୍ଧକାରମୟ ପ୍ରକୋଷ୍ଠ ଭିତରେ କଟିବ ହୁଏତ ଜୀବନର କେତୋଟି ବର୍ଷ । ସେ ଚିତ୍କାର କରିଉଠିଲା—ଭାବନାର ପ୍ରଖର ଉତ୍ତାପରେ କଚାଡ଼ି ପଡ଼ିଲା ତଳେ ।

 

ମାଜିଷ୍ଟ୍ରେଟ୍‌ ତାଙ୍କ ରାୟ ଶୁଣାଇଦଲେ—ତିନୋଟି ସନ୍ତାନଙ୍କ ଅବସ୍ଥିତିରେ ଚତୁର୍ଥ ସନ୍ତାନର ପିତା ହୋଇଥିବାରୁ ଶ୍ରୀ ଦେବବ୍ରତ ଦାସଙ୍କୁ ପାଞ୍ଚବର୍ଷ ସଶ୍ରମ କାରାଦଣ୍ଡ ଦିଆଗଲା ।

 

ପ୍ରତୀକ୍ଷମାଣା ସୁନନ୍ଦାର ନୟନରୁ ଝରିପଡ଼ିଲା ଟୋପାଏ ଅଶ୍ରୁ ।

 

ଏକ କରୁଣ ସ୍ମୃତିରେ କୋର୍ଟ ରୁମ୍‌ ଶାନ୍ତ—ନିଶ୍ଚଳ ।

★★★

 

[ପରିଶିଷ୍ଟ]

 

ଏ ଘଟଣାଟି ହେଉଛି ଆଜିଠାରୁ ଦୁଇଶହ ବର୍ଷ ପରର କଥା । ପୃଥିବୀର ଲୋକସଂଖ୍ୟା ବଢ଼ିଯାଇଚି ଅସମ୍ଭବ ଭାବରେ । ଉତ୍ପାଦନ ଯାହା ହେଉଚି ତାହା ଏତେ ଲୋକଙ୍କର ଚାହିଦା ମେଣ୍ଟାଇ ପାରୁନାହିଁ—ଭୂଇଁ ବି ଅଭାବ ପଡ଼ିଯାଇଚି । ରାଜନୈତିକ ପର୍ଯ୍ୟବେକ୍ଷକମାନେ ଆଗାମୀ ଏକ ପୃଥିବୀବ୍ୟାପୀ ମହାଯୁଦ୍ଧର କଳ୍ପନା କରି ଭୟଭୀତ ହୋଇପଡ଼ୁଛନ୍ତି; କିନ୍ତୁ ଲୋକସଂଖ୍ୟା ଯେତିକି ବଢ଼ିଚି, ଯଦି କିଛି ହଠାତ୍‌ କମି ନ ଯାଆନ୍ତି ତେବେ ଅବସ୍ଥା ଅସମ୍ଭାଳ ହୋଇପଡ଼ିବ । ଉନ୍ନତ ବୈଜ୍ଞାନିକ ଉପାୟରେ ନାନାପ୍ରକାର ପଦାର୍ଥ ତିଆରି ଚାଲିଛି—ଖାଦ୍ୟ, ପାନୀୟ, ପରିଧେୟ-। କିନ୍ତୁ ଲୋକସଂଖ୍ୟା ବଢ଼ିବା ସଙ୍ଗେ ବିଜ୍ଞାନ କଣ ଆଉ ଏକ ନୂଆ ଧାରା ସୃଷ୍ଟିକରି ଲୋକଙ୍କୁ ସ୍ଥାନ ଦେଇପାରିବ ?

 

ପୃଥିବୀର ସମସ୍ତ ସ୍ୱାଧୀନ ରାଜ୍ୟର ସ୍ୱାର୍ଥ ବଜାୟ ରଖିବା ପାଇଁ ଏବଂ ଶାନ୍ତିପୂାର୍ଣ୍ଣ ଉପାୟରେ ସବୁକିଛିର ସମାଧାନ କରିବା ପାଇଁ ପୃଥିବୀ ପଞ୍ଚାୟତ ଗଢ଼ାଯାଇଛି । ଆଇନ କରି ମଦ୍ୟପାନକୁ ଯେମିତି ବନ୍ଦ କରିଦିଆଯାଇଛି, ଠିକ୍‌ ସେମିତି ଆନ୍ତର୍ଜାତିକ ଆଇନ ଜାରି ହେଇଛି ଯେକୌଣସି ଲୋକର ତିନିଟି ସନ୍ତାନ ଜୀବିତ ଥିଲେ, ଚତୁର୍ଥ ସନ୍ତାନକୁ ସେ ଆଉ ଜନ୍ମ ଦେଇପାରିବ ନାହିଁ । ଏଇ ଆଇନ ଜାରିହେବା ପୂର୍ବରୁ ଜନ୍ମନିରୋଧ ପାଇଁ ବହୁପ୍ରକାର ଔଷଧ ଉଦ୍ଭାବିତ ହୋଇଥିଲା । କିନ୍ତୁ ସେ ସବୁ ସନ୍ତୋଷଜନକ ଭାବରେ କାମ ଦେଇନାହିଁ । ତେଣୁ ପୃଥିବୀ ପଞ୍ଚାୟତ ଏହିପରି ଆଇନ କରିଛନ୍ତି—ତା’ ନ ହେଲେ ପୃଥିବୀରେ ପୁଣି ଗଢ଼ିଉଠିବ ପଶୁରାଜ—ଖାଦ୍ୟ ଓ ବାସଗୃହ ପାଇଁ ଯେତିକି ଲୋକ ଜନ୍ମିଛନ୍ତି ସେତିକି ଆଗେ ଶାନ୍ତିରେ ରହନ୍ତୁ । ଯେଉଁମାନେ ଜନ୍ମ ହେବାର କଥା ସେମାନଙ୍କର ଏଇ ସମସ୍ୟାବହୁଳ ପୃଥିବୀରେ ପ୍ରବେଶ ନିଷେଧ-

 

‘ସମାବେଶ’ରେ ପ୍ରକାଶିତ

★★★

 

ଶେଷ ଆଲୋକସ୍ତମ୍ଭ

 

ଶାରଦ ସନ୍ଧ୍ୟାର ଏକ ଜ୍ୟୋତ୍ସ୍ନାୟିତ ମୁହୂର୍ତ୍ତ ।

 

ଭୟାର୍ତ୍ତ ସିଦ୍ଧାର୍ଥ ଶ୍ମଶାନର ଦ୍ୱାରଦେଶରେ ପହଞ୍ଚି ଚତୁର୍ଦ୍ଦିଗକୁ ଦୃଷ୍ଟିନିକ୍ଷେପ କଲା । ଶୂନ୍ୟ–ଜନହୀନ । ସନ୍ଧ୍ୟାରେ ଅବ୍ୟବହିତ ପୂର୍ବରୁ ଯେଉଁ ଗୃହାଭିମୁଖୀ ପକ୍ଷୀମାନେ ସେମାନଙ୍କର ସ୍ୱତଃସ୍ଫୂର୍ତ୍ତ କାକଳିରେ ଭୂମାତା ବକ୍ଷରେ କୋଳାହଳ ସୃଷ୍ଟି କରୁଥିଲେ, ସେମାନେ ସବୁ ନୀରବ-। ଦକ୍ଷିଣର ସୁରଭିସ୍ନିଗ୍ଧ ମଳୟରେ ବୃକ୍ଷଲତା ଦେହରେ ଜାଗିଛି ଅପୂର୍ବ ଶିହରଣ । ଭାରାକ୍ରାନ୍ତ ମନରେ ସେ ଆହୁରି ଆଗେଇଗଲା ।

 

ବଳଙ୍ଗ ନଦୀ ବହିଯାଉଛି—କେଉଁ ଅନନ୍ତ ଅନାଦି କାଳରୁ, ତା କେହି କହିପାରିବେ ନାହିଁ । କିନ୍ତୁ ସେ ବହିଯାଉଛି ବହୁ ଶତାବ୍ଦୀର ସ୍ମୃତି ବହନ କରି । ଅବିରାମ ତାର ଗତି—ବନ୍ଧନ-ବାଧାହୀନ ।

 

ସିଦ୍ଧାର୍ଥ ଭାବୁଥିଲା—ଆଃ, ଜୀବନର ଗତି ଯଦି ଏଇ ନଦୀର ସ୍ୱଚ୍ଛନ୍ଦ ଗତିଭଳି ସାବଲୀଳ ହୋଇଥାନ୍ତା.....

 

କିନ୍ତୁ....ଜୀବନର ଗତି ମରୁନଦୀ ଭଳି—ଲକ୍ଷସ୍ଥଳରେ ପହଞ୍ଚିବା ପୂର୍ବରୁ କେତେବେଳେ ଯେ ନିଶ୍ଚିହ୍ନ ହୋଇଯାଏ ତା କେହି ଜାଣିପାରନ୍ତିନାହିଁ । ପଦ୍ମପତ୍ର-ଜଳ ପରି ତାହା ଅତ୍ୟନ୍ତ କ୍ଷଣସ୍ଥାୟୀ । ପୁଣି....

 

ନଦୀର କଳକଳ ସଙ୍ଗୀତ ଆଜିକାଲି ଜୀବନରେ କାହିଁ ? ଜୀବନ ତ ଆଜି ପ୍ରସ୍ଫୁଟିତ ହୁଏନା—ହୋଇପାରେନା । ପୃଥିବୀର ଆଜି ଅଗଣନ ଜଞ୍ଜାଳ, ସ୍ୱାସ୍ଥ୍ୟହୀନ କନ୍ୟାର କ୍ରନ୍ଦନ, ଖାଦ୍ୟହୀନା ଜନନୀର ଚିତ୍‌କାର; କେଉଁଠି ବା ଜୀବନପ୍ରିୟାର ଆଖିଲୋତକରେ ମାଟିର ଛାତି ଆର୍ଦ୍ର ହେଉଛି । ସ୍ୱାସ୍ଥ୍ୟ ଆଜି ରୋଗାକ୍ରାନ୍ତ—ଉପଦଂଶ, କ୍ୟାନସର ପ୍ରଭୃତି ରାକ୍ଷସ ସେମାନଙ୍କ ମୁଖ ବ୍ୟାଦାନକରି ଆଗେଇ ଆସୁଛନ୍ତି—ତ୍ରାହି କାହିଁ ? ରକ୍ଷା କାହିଁ ?

 

ସୁନ୍ଦର ସୃଷ୍ଟିକି ଶେଷ କରିଦେବା ପାଇଁ ସେମାନେ ଯେମିତି ବଦ୍ଧପରିକର ।

 

ଫଡ଼ଫଡ଼ ଶବ୍ଦ କରି ଅଜ୍ଞାତ କେଉଁ ଏକ ପକ୍ଷୀ ଅଦୃଶ୍ୟ ବୃକ୍ଷଶାଖାରେ ତାର ଉପସ୍ଥିତ ଜଣାଇଦେଲା । ସିଦ୍ଧାର୍ଥର ଦୃଷ୍ଟି ଊର୍ଦ୍ଧ୍ୱମୁଖୀ ହେଲା । କିଛି ଦିଶୁନାହିଁ । ବୃକ୍ଷଗହଳିରେ ଚନ୍ଦ୍ରକିରଣ ଅସ୍ପଷ୍ଟ ।

 

ଶ୍ମଶାନର ବକ୍ଷ ଯେମିତି ଅସଂଖ୍ୟ ବ୍ୟଥାରେ ଭରିଯାଇଛି । ପ୍ରତ୍ୟେକଟି ସମାଧି କେଉଁ ଏକ ଅବ୍ୟକ୍ତ ବେଦନାରେ ଚିତ୍କାରକରି ଉଠୁଚି । ଏଇ ତ ! ପ୍ରଥମ ସମାଧି ! ଏଇଠି ପ୍ରଣବ ମହାନ୍ତିଙ୍କର ଶେଷକୃତ୍ୟ ସମାପନ ହୋଇଥିଲା । ପ୍ରଣବ ମହାନ୍ତିଙ୍କର ତିନୋଟି ପୁତ୍ର—ସିଦ୍ଧାର୍ଥ ନିଜେ ଜାଣେ । ସେ ସତୁରି ବର୍ଷରେ ମରିଥିଲେ । ତାଙ୍କର ମୃତ୍ୟୁ ପରେ ପୁତ୍ରମାନଙ୍କ ମଧ୍ୟରେ ଜମିବାଡ଼ି, ଅଳଙ୍କାରପତ୍ର ଲାଗି ଗଣ୍ଡଗୋଳ ଆରମ୍ଭ ହୋଇଯାଇଥିଲା । ବୃଦ୍ଧଙ୍କର ଶବଦାହ କରିବାକୁ କୌଣସି ପୁତ୍ର ଆଗଭର ହୋଇନଥିଲେ । କିନ୍ତୁ ବୃଦ୍ଧ ତାହାଙ୍କର ଜୀବନକାଳ ମଧ୍ୟରେ ପୈତୃକ ସମ୍ପତ୍ତି ପାଞ୍ଚ ମାଣରୁ ପଚାଶ ମାଣ ପର୍ଯ୍ୟନ୍ତ ବଢ଼ାଇ ପାରିଥିଲେ । ମରହଟ୍ଟା ଅମଳର ମାଟିଘରକୁ ଭାଙ୍ଗି ତା ଉପରେ ପକ୍‌କାଘର ଛିଡ଼ା କରାଇଥିଲେ । ଆଉ ମୃତ୍ୟୁ ବେଳକୁ ପୁତ୍ରମାନଙ୍କ ପାଇଁ ନଗଦ ବାରହଜାର ରଖିଯାଇ ଥିଲେ ।

 

ଶେଷରେ ବୃଦ୍ଧଙ୍କର ମୃତ୍ୟୁର ଦୀର୍ଘ ସତର ଘଣ୍ଟା ପରେ ଗ୍ରାମବାସୀମାନେ ଆସି ତାଙ୍କର ଶବଦାହ କଲେ । କୌଣସି ପିତାମୁଖରେ ମୁଖାଗ୍ନି ଦେବାକୁ ମଧ୍ୟ ଶ୍ମଶାନରେ ଉପସ୍ଥିତ ନଥିଲେ ।

 

ତତ୍‌ପରଦିନ ପୁତ୍ରମାନେ ପିତୃତ୍ୟକ୍ତ ସମସ୍ତ ସମ୍ପତ୍ତି ନିଜ ନିଜ ମଧ୍ୟରେ ବାଣ୍ଟିନେଲେ । ବୃଦ୍ଧ ପ୍ରଣବ ମହାନ୍ତିଙ୍କର ମୂକ ସମାଧି—ଆଜି ଯେମିତି ମୁଖର ହୋଇଉଠୁଛି । ସିଦ୍ଧାର୍ଥ ଯେମିତି ଶୁଣିପାରିଲା—ସମାଧିର କଣ୍ଠତଟରେ ଏଇ ଅବିଶ୍ୱାସୀ ଦୁନିଆ ପାଇଁ ଅବିରତ ବୃଷ୍ଟି ହେଉଛି ଅଭିଶାପ । ମଣିଷକୁ ବିଶ୍ୱାସ କର ନାହିଁ—ହାୟ, ହାୟ ! ଶଙ୍କରାଚାର୍ଯ୍ୟ ଠିକ୍‌ କହିଥିଲେ—କା ତବ କାନ୍ତା କସ୍ତେ ପୁତ୍ରଃ, ସଂସାରୋଽୟମତୀବ, ଅତୀବ ବିଚିତ୍ରଃ ।

 

ସିଦ୍ଧାର୍ଥ ଆହୁରି ଆଗେଇଗଲା । ତା’ ପରର ସମାଧି...ବିଖ୍ୟାତ ଚୌଧୁରୀ ବଂଶର ଏକ ବୃଦ୍ଧାଙ୍କର । କାଳଚକ୍ରର ଆବର୍ତ୍ତନରେ ଚୌଧୁରୀବଂଶର ଆଭିଜାତ୍ୟ ଆଜି ଧ୍ୱଂସମୁଖରେ । ବିରାଟ ପ୍ରାସାଦ ଆଜି ଭଗ୍ନସ୍ତୂପରେ ପରିଣତ ହେବାକୁ ବସିଛି । ରାଜତନ୍ତ୍ର ଲୋପ ପାଇ ପ୍ରଜାତନ୍ତ୍ର ଶାସନ ଦେଶରେ ପ୍ରତିଷ୍ଠିତ ହୋଇଛି । ନିଷ୍ଠୁର ଇତିହାସରେ ପ୍ରତ୍ୟେକ ପୃଷ୍ଠାରେ ଆଜି ନୂତନ ଏ ଯୁଗର ସ୍ୱାକ୍ଷର । ଚୌଧୁରୀବଂଶର ଶେଷ ଜମିଦାର ଜୀବନନାନନ୍ଦ ଜନନୀଙ୍କ ସମାଧି ନିକଟରେ ଠିଆହୋଇ ସିଦ୍ଧାର୍ଥ ଭାବୁଥିଲା ଏଇ ଜମିଦାରଗୋଷ୍ଠୀଙ୍କ କଥା—କି ଦୁର୍ଦ୍ଦଶା ସେମାନଙ୍କର ଆଜି । ଯେଉଁମାନେ ଭୋଗବିଳାସର ଶୀର୍ଷସ୍ଥାନରେ ପହଞ୍ଚିଥିଲେ ସେମାନେ ଆଜି ହୋଇଛନ୍ତି ଏକାନ୍ତ ନିଃସ୍ୱ, ଦୀନ । ସାମନ୍ତବାଦର ଶେଷ ଆଲୋକ ଜଳିଉଠି ଚିରଦିନ ପାଇଁ ନିର୍ବାପିତ ହୋଇଯାଇଛି । ଜୀବନାନନ୍ଦଙ୍କ ଏଇ ବୃଦ୍ଧା ଜନନୀଙ୍କ ଶେଷ କର୍ମ ଋଣ କରାହୋଇ ସମାପ୍ତ ହୋଇଥିଲା—ଏଇ ସମାଧିର ଲୋତକାପ୍ଳୁତ ନୟନରେ ବେଶ୍‌ ଏକ ଅସୀମ ଯନ୍ତ୍ରଣାର ସଙ୍କେତ ।

 

ସିଦ୍ଧାର୍ଥ ମଣିଷର ଜୀବନ ଆଉ କାଳର ପରିବର୍ତ୍ତନ କଥା ଭାବୁଥିଲା । ଗୋଟିଏ ପରେ ଗୋଟିଏ ସମାଧି ରହିଯାଉଥିଲା ପଛରେ । ପ୍ରତ୍ୟେକଟି ଦେହରେ କିଛି ନା କିଛି ବ୍ୟଥାଜଡ଼ିତ ଇତିହାସ । ସାମନାରେ ଶ୍ମଶାନର ଶେଷ ସମାଧି—ସଦ୍ୟ ନିର୍ମିତ ଏଇ ସମାଧି ଦେହର ଉଷ୍ଣତା ସେ ମର୍ମେ ମର୍ମେ ଅନୁଭବ କଲା । ୟାରି ତଳେ ଯେଉଁ ଗହମ ରଙ୍ଗର ଦେହଟି ନିଆଁ ସଙ୍ଗେ ଖେଳି ପାଉଁଶ ହୋଇ ଯାଇଛି, କେଡ଼େ ପ୍ରିୟ ନଥିଲା ସେ ତାର ! ତାହାରି ପାଇଁ କେତେ ବିନିଦ୍ର ରଜନୀ, ଉତ୍କଣ୍ଠିତ ସନ୍ଧ୍ୟା, ଧୂସର ମଧ୍ୟାହ୍ନରେ ସେ ଜୀବନ-ବୀଣାରେ ସ୍ୱର ତୋଳିଛି, ତାର ଇୟତ୍ତା ନାହିଁ ।

 

ମହାମାୟା ଦାସ । ସିଦ୍ଧାର୍ଥର ତରୁଣ ଜୀବନର ସର୍ବଶ୍ରେଷ୍ଠ ସ୍ମୃତି ସେ ବହନ କରି ମୃତ୍ୟୁର ଶାନ୍ତ କ୍ରୋଡ଼ରେ ଆଶ୍ରୟ ଲଭିଛି । ମୃତ୍ୟୁ ହିଁ ଯେମିତି ଅଶାନ୍ତ ଜୀବନର ସମାଧାନ । ସିଦ୍ଧାର୍ଥର ନୟନଯୁଗଳ ଲୋତକରେ ପରିପୂର୍ଣ୍ଣ ହେଲା । ହାତରେ ତାର ଚମ୍ପାଫୁଲର ମାଳା—ଏଇ ସମାଧି ଉପରେ ସ୍ଥାପନ କରି ଭଗ୍ନ-ହୃଦୟରେ ସେ ଫେରିଯିବ । ତାର ସମସ୍ତ ସୁଖ-ସ୍ୱପ୍ନ ସବୁକିଛି ଆକାଂକ୍ଷା ଧରିରଖିଛି ଏଇ ଶ୍ୱେତ କଠିଣ ସମାଧି । ପ୍ରାଣରେ ତାର ଘନ ଘନ ସ୍ପନ୍ଦନ—ଦେହରେ ଏକ ନଗ୍ନ ଶୀତ ସନ୍ଧ୍ୟାରେ କମ୍ପନ । ସମାଧିର ଶ୍ୱେତ ଚୂଡ଼ା ଉପରେ ଝରିପଡ଼ିଲା ତା’ରି ନୟନ ଅଶ୍ରୁ–ଚମ୍ପାଫୁଲର ମାଳାଟିକୁ ପିନ୍ଧାଇଦେବା ପାଇଁ ସେ ହାତ ବଢ଼ାଇଲା । କିନ୍ତୁ ବିଚିତ୍ର ଅନୁଭୂତି-! ତା’ରି ହାତ ସ୍ପର୍ଶରେ ସମଗ୍ର ସମାଧି ଥରିଉଠିଲା...ପୃଥିବୀବକ୍ଷରେ ଭୂମିକମ୍ପ ହେଲା ଭଳି-। ଶ୍ମଶାନର ଚତୁର୍ଦ୍ଦିଗ ଯେମିତି ଅହିରାଜର ନିଃଶ୍ୱାସରେ ଏକ ଭୟଙ୍କର ରୂପ ଧାରଣ କଲା । ସମାଧି ଫଟାଇ କାହାର ଆର୍ତ୍ତନାଦ ଶୁଭିଲା ।

 

ଶଂକିତ ସିଦ୍ଧାର୍ଥ ପଛେଇ ଆସିଲା । ସର୍ବାଙ୍ଗରୁ ସ୍ରବି ଆସିଲା ଘର୍ମ । ଚକିତ ଧରିତ୍ରୀ ଉପରେ ଚନ୍ଦ୍ର ମେଲିଦେଇଛି ତାର ଉଜ୍ଜ୍ୱଳ ଉତ୍ତରୀୟ ଆକାଶାର ସୀମାହୀନ ବକ୍ଷରେ ଅସ୍ପଷ୍ଟ ଚିତ୍କାର କରି ଉଡ଼ିଗଲେ ପକ୍ଷୀ ମିଥୁନ—ପ୍ରାନ୍ତରରେ ଶୃଗାଳର ରବ ।

 

ନା, ଏସବୁ ମନର ଭୟ । ସିଦ୍ଧାର୍ଥ ପୁଣି ଆଗେଇଗଲା । ମହାମାୟାର ସମାଧି ଚନ୍ଦ୍ରକିରଣରେ ଉଦ୍ଭାସିତ । ସବୁ ପୁଣି ଯେମିତି ଶାନ୍ତ—ନୀରବ ହୋଇଗଲା । ଏଇ ସମାଧିର କଣ୍ଠରେ ବୃର୍ଥ ବରଣମାଳା ଲମ୍ବାଇ ଦେଇ ସେ ପୁଣି ଢାଳିଦେବ ଦୁଇବିନ୍ଦୁ ଲୁହ, ଏଇଥିରେ ଯଦି ଶାନ୍ତି ମିଳେ ସେ ରକ୍ଷା ପାଇବ । ସେ ମୁହୂର୍ତ୍ତେ ଠିଆହୋଇଗଲା ସମାଧିର ପ୍ରାନ୍ତଦେଶରେ । ଅତୀତର ପ୍ରୀତିସ୍ନଗ୍ଧ ସ୍ମୃତି ପ୍ରାଣରେ ତାର ବିଦ୍ଧକଲା ଅସଂଖ୍ୟ ତୀର । ହଠାତ୍‌ ପୁଣି ସମାଧିର କଣ୍ଠତଟରୁ ଶୁଭିଲା ଏକ ପରିଚିତ କଣ୍ଠର ବାଣୀ....

 

....ଫେରିଯାଅ ସିଦ୍ଧାର୍ଥ, ଯେ ଅସ୍ପୃଶ୍ୟ ତାକୁ ଆଉ ଆରାଧନା କରିବାର ଏ ନିଷ୍ଫଳ ପ୍ରୟାସ କାହିଁକି ? ଜୀବନକାଳ ମଧ୍ୟରେ ଯାହା କଣ୍ଠରେ ବରଣମାଲ୍ୟ ଦେବା ପାଇଁ ତମେ ପଶ୍ଚାତ୍‌ପଦ ହେଲ, ମୃତ୍ୟୁ ପରେ ଆଉ ତା ଗଳାରେ ସେ ମାଳା ଲମ୍ବାଇଦେଇ କି ଲାଭ ପାଇବ ତୁମେ ? ତୁମେ ଉଚ୍ଚବଂଶଜ, ସମାଜରେ ପୂଜ୍ୟ, ଧନୀମାନୀ ବ୍ୟକ୍ତି ହୋଇପାର; କିନ୍ତୁ ଏଇ ନିଷ୍ପ୍ରାଣ–ନିର୍ଜୀବ ସମାଧି ଆଜି ତୁମର ଦାନ ଗ୍ରହଣ କରିବାକୁ ଅକ୍ଷମ । ତୁମେ ଫେରିଯାଅ–ଫେରିଯାଅ–ଫେରିଯାଅ......

 

ଏକ ଅଶାନ୍ତ ବ୍ୟଥାରେ ସାରା ଶ୍ମଶାନ କ୍ଷଣକ ପାଇଁ ଆନ୍ଦୋଳିତ ହେଲା । ଧରିଥିବା ଚମ୍ପାଫୁଲର ମାଳଟି ଖସିପଡ଼ିଲା ତଳେ । ମହାମାୟାର କଣ୍ଠ ଶୁଣି ସିଦ୍ଧାର୍ଥ ବିସ୍ମିତ ହେଲା—ମେଘ-ମେଦରୁ ଆକାଶର ଛାତି ଭଳି ସବୁ ଯେମିତି ରହସ୍ୟମୟ । ଶ୍ମଶାନ ବୁକୁରେ ସବୁଜ ଘାସର ଗାଲିଚା । ସେ ଅବସନ୍ନ ହୋଇ ସେଇଠି ବସିପଡ଼ିଲା । ଆଖିଆଗରେ ତାର ଭାସିଗଲା କେତୋଟି ଦିନର ସ୍ମୃତି—ଅତ୍ୟନ୍ତ ସଜୀବ ଓ ସଜଳ ।

 

ମହାମାୟା ଦାସ....କ୍ଷୁଦ୍ର ସହରର କ୍ଷୁଦ୍ର ଏକ ଗଳିରେ ତାର ଜନ୍ମ । ମା ତା’ର ବିଖ୍ୟାତ ଗଣିକା ଚମ୍ପାବତୀ । ତାର ଲଳିତ କଣ୍ଠର ଛନ୍ଦ ଆଉ ରୂପରେ ସମଗ୍ର ସହର ରୋମାଞ୍ଚିତ ହେଉଥିଲା-। ଏଇ ଗଣିକାର ମିଳନ ମନ୍ଦିରରେ ନିତି ସନ୍ଧ୍ୟାରେ ହେଉଥିଲା ଅସମ୍ଭବ ଭିଡ଼ । ତା’ର ଭ୍ରୂବିଳାସ, ମନୋମୁଗ୍ଧକର ବକ୍ଷୋଜ, ଆନିତମ୍ବଲମ୍ବୀ ବେଣୀଛଟା, ନୃତ୍ୟମାନ ଜଘନ, ପଳାଶନିନ୍ଦୀ ଓଷ୍ଠାଧରର ସ୍ପର୍ଶ ପାଇବା ପାଇଁ ଏଇ ସହରର ଯୁବକଦଳ ବ୍ୟସ୍ତ ହୋଇ ପଡ଼ୁଥିଲେ; ଅଗ୍ନି ଦେଖି ପତଙ୍ଗ କେବେ ସ୍ଥିର ହୋଇ ରହିପାରେନା ।

 

ତାପରେ.... । ରାତ୍ରିର କୌଣସି ଏକ ନିର୍ଜନ ଲଗ୍ନରେ ଚମ୍ପାବତୀ ହେଲା ଗର୍ଭବତୀ । କନ୍ୟାପ୍ରାପ୍ତି ଆଶାରେ ଦେବଦେବୀଙ୍କ ଚରଣ ତଳେ ସେ ବହୁ ନିବେଦନ ଜଣାଇଲା । ଗଣିକା ଚମ୍ପାବତୀ ପୁତ୍ର ଚାହେଁନା—ସେ ଚାହେଁ ଏକ ଭୁବନମୋହିନୀ କନ୍ୟା, ସେ ଚାହେଁ ଧରାପୃଷ୍ଠରେ ଏକ ଅଦ୍ୱିତୀୟା ଉର୍ବଶୀ । ଯଥାସମୟରେ ପ୍ରଥମ କ୍ରନ୍ଦନରେ ଧରଣୀକୁ ଧ୍ୱନିତ୍ୱ କରି ଚମ୍ପାବତୀର ଗର୍ଭ ଚିରି ଜନ୍ମନେଲା ଏକ ଅପରୂପା କନ୍ୟା । ଚମ୍ପାବତୀର ଜ୍ଞାନ ଫେରିଆସିଲା ଉତ୍ତାରୁ ସେ ଏଇ କନ୍ୟାଟି ମୁହଁରେ କାହିଁ କେତେ ଚୁମ୍ବନ ଆଙ୍କିଦେଲା ।

 

ଗଣିକା ଚମ୍ପାବତୀ ଆଜି ଜନନୀ । ଏଇ ଶିଶୁ-ସନ୍ତାନକୁ ବକ୍ଷରେ ଚାପିଧରି ସେ ଯେମିତି ଭୁଲିଗଲା କାଳପାତ୍ର-ଜ୍ଞାନ । ଶିଶୁଟି ଯେତେବେଳେ ଚିତ୍କାର କରିଉଠିଲା ସେ ତା ମୁହଁରେ ଭରିଦେଲା ତାର ସ୍ତନ । ଇସ୍‌, ଏ ଏକ ନୂତନ ଅନୁଭୂତି । ଶିଶୁଟି ତାର ନରମ ପାଟିରେ ଅମୃତ ଶୋଷିବାକୁ ଚେଷ୍ଟା କରୁଛି । ଚମ୍ପାବତୀର ଦେହରେ ଜାଗୁଛି ଶିହରଣ, ନୂତନ ଏକ ପରିତୃପ୍ତିରେ ପରିପୂର୍ଣ୍ଣ ହେଉଛି ତାର ଅନ୍ତର ।

 

ଦିନ ପରେ ଦିନ ଗଡ଼ିଯାଉଛି—ରାତିରେ ଶିଶୁଟିକୁ ପାଖରେ ଶୁଆଇ ତା’ର ନୟନଯୁଗଳ ଆର୍ଦ୍ର ହେଉଛି । କିଏ ଏଇ ଶିଶୁଟିର ଜନକ—ତାର ପରିଚୟ ଯଦି ସେ ପାଇଥାନ୍ତା, ହୁଏତ ରାତ୍ରିର ତାମସ ତିଥିରେ ସମସ୍ତଙ୍କ ଅଲକ୍ଷ୍ୟରେ ତା’ରି ପାଖକୁ ଯାଇ ସେ କହନ୍ତା—ଆହେ, ତୁମେ ହେଉଛ ଏଇ ଝିଅର ବାପ । ନିଅ, କୋଳରେ ଟିକିଏ ଧର । ପିଲାକୁ କୋଳରେ ଧରିବା ଖୁବ୍‌ ଆରାମଦାୟକ ।

 

କିନ୍ତୁ ଗଣିକା ଚମ୍ପାବତୀ ଏଇ ଶିଶୁକନ୍ୟାର ପିତାର ପରିଚୟ ପାଇନାହିଁ । ଚିରଦିନ ପାଇଁ ତାହା ଅଜ୍ଞାତ ରହିଗଲା । ବାସ୍ତବିକ ତା ପ୍ରାଣତନ୍ତ୍ରୀରେ ଆଘାତ ଲାଗେ ।

 

ଶିଶୁଟି ବଢ଼ିଉଠୁଛି—ଚାହୁଁ ଚାହୁଁ ଛ’ମାସ ହୋଇଗଲା । ଶିଶୁର ଦୁଷ୍ଟାମି ବଢ଼ୁଛି—ଶକ୍ତି ମଧ୍ୟ ବଢ଼ିଛି । ମାତାର ସ୍ତନକୁ ମୁହଁରେ ପୂରାଇ ଦୁଇହାତରେ ସେ ତାକୁ ଚିମୁଟୁଛି । ଆଃ, ଏ ଅନୁଭୂତି ଯେମିତି ଅବିସ୍ମରଣୀୟ । କାମୁକା ରାତ୍ରିର ବିଳାସିନୀ କକ୍ଷରେ କେତେ ଲମ୍ଫଟ କରୁଣଙ୍କୁ ଅର୍ଥବିନିମୟରେ ସେ ଅର୍ପଣ କରିଚି ତାର ଦେହ—ସେମାନେ ସମସ୍ତେ ନିଷ୍ଠୁର ଭାବରେ ତା’ଉପରେ ଅତ୍ୟାଚାର କରିଯାଇଛନ୍ତି—ତା ଦେହର କୋମଳତା ପ୍ରତି କେହି ଭ୍ରୁକ୍ଷେପ କରିନାହାନ୍ତି-। ତା’ ମୁଖନିଃସୃତ ଯନ୍ତ୍ରଣା ସୂଚକ ‘ଆଃ’ ଶବ୍ଦ ରାତ୍ରିର ବ୍ୟର୍ଥ ବକ୍ଷରେ ନିଶ୍ଚିହ୍ନ ହୋଇଯାଇଛି-। କେତେ ଶକ୍ତି ହାତର କଠିଣ ମୁଠା ଭିତରେ ଚାପିହୋଇ ଯାଇଛି ତା’ର ତନୁର କୋମଳାଂଶ— ଅଣନିଶ୍ୱାସୀ ହୋଇପଡ଼ିଚି ସେ । କାମନାର ସେଇ ଅନୁଭୂତି ଶାନ୍ତି ବଦଳରେ ତାକୁ ଦେଇଯାଇଛି ଅଜସ୍ର ଅର୍ଥ ଆଉ ଅତ୍ୟାଚାର । କିନ୍ତୁ ଆଜି ଏଇ ଶିଶୁକନ୍ୟାର ଅତ୍ୟାଚାର—ବକ୍ଷୋଜ ଉପରେ ଉତ୍ପୀଡ଼ନ ତାକୁ ଦେଇଛି ପରମ ଶାନ୍ତି ।

 

ଗଣିକା ଚମ୍ପାବତୀ ଏଇ ନୂତନ ଅନୁଭୂତିର ସ୍ୱାକ୍ଷର ନେଇ ଜୀବନପଥରେ ଅଗ୍ରସର ହେଲା । ସେ ଆଉ ବେଶ୍ୟାବୃତ୍ତି କଲା ନାହିଁ, ଭୁଲିଗଲା ତାର ବ୍ୟବସାୟ । କାମୁକ ତରୁଣଙ୍କ ଉତ୍ତପ୍ତ ନିଶ୍ୱାସ ତା’ର ରୁଦ୍ଧ ଦ୍ୱାରରେ ବାଜି ଫେରିଗଲା । ସମସ୍ତଙ୍କୁ ସେ ନିରାଶ କରି ଆଶାଦୀପ୍ତ ନୟନରେ ଚାହିଁଲା ଆଗକୁ । ତା’ର ପଡ଼ୋଶୀ ବୃନ୍ଦାବନ ବାବୁଙ୍କ ସ୍ତ୍ରୀ ଅହଲ୍ୟା ତାଙ୍କ କନ୍ୟା ପଦ୍ମିନୀକୁ ବି. ଏ. ପାଶ୍‌ କରାଇ ବିଭା ଦେଇଛନ୍ତି । ପଦ୍ମିନୀ ଆଉ ତାର ସ୍ୱାମୀ ଜଳଧର ବେଳେ ବେଳେ ଆସନ୍ତି ଅହଲ୍ୟାଙ୍କ ଘରକୁ । ଚମ୍ପାବତୀ ନିଜେ ଦେଖିଛି ଅହଲ୍ୟା ଝିଅ ଜୋଇଁଙ୍କୁ ଦେଖି କେଡ଼େ ଖୁସି ନ ହୁଅନ୍ତି ! ଜଳଧରଙ୍କ ସାଙ୍ଗରେ ଥିବାବେଳେ ସୁନ୍ଦରୀ ପଦ୍ମିନୀର ସୌନ୍ଦର୍ଯ୍ୟ ଦ୍ୱିଗୁଣିତ ହୁଏ । ମୁଖରୁ ଝରିପଡ଼େ ଅନିନ୍ଦ୍ୟ ହସର ଝରଣା ।

 

ଚମ୍ପାବତୀ ସବୁ ଦେଖେ । ମାତୃହୃଦୟ ତାର ଆଶାଦୀପ୍ତ ହୁଏ । ତା’ରି କନ୍ୟା ମହାମାୟାକୁ ପାଠ ପଢ଼ାଇ ସେ ବିଭା ହେବ ।

 

ଦିନ ପରେ ଦିନ, ମାସ ପରେ ମାସ, ବର୍ଷ ପରେ ବର୍ଷ ଗଡ଼ିଗଲା ଏମିତି । ମହାମାୟା ଚନ୍ଦ୍ରକଳା ପରି ବଢ଼ିବାକୁ ଲାଗିଲା । ସେ ପାଖ ସ୍କୁଲରେ ତା ନାଁ ଲେଖାଇଦେଲା । ମହାମାୟା ସ୍କୁଲରେ ସବୁ ପିଲାଙ୍କ ମଧ୍ୟରେ ପ୍ରଥମ ହେଉଛି । ଶିକ୍ଷୟିତ୍ରୀ ପ୍ରଶଂସାପତ୍ର ପଠାଇଛନ୍ତି । ସେ ଦିନ କି ଆନନ୍ଦ ଚମ୍ପାବତୀର ! ଅହଲ୍ୟା ଦେବୀଙ୍କ ଘରକୁ ଯାଇ ସେ ଏହି ପ୍ରଶଂସାପତ୍ରକୁ ଦେଖାଇଲା । ପାନଦୋକାନୀ ଶରତ—ସପନ କବିରାଜ—କଲେକ୍‌ଟରିଏଟ୍‌ କିରାଣୀ ମନ୍ଦରଧର କେହି ବାକି ରହିଲେ ନାହିଁ । ତା ଝିଅ ପ୍ରଶଂସାପତ୍ର ପାଇଛି ! ସମସ୍ତ ବାଃ ବାଃ କଲେ ।

 

ମହାମାୟା ପୁଣି ଶେଷ ପରୀକ୍ଷାରେ ବୃତ୍ତି ପାଇଲା । ମାଇନର କ୍ଳାସରେ ଭର୍ତ୍ତି ହେଲା । ଝିଅ ପାଇଁ ଚମ୍ପାବତୀକୁ ନିଦ ନାହିଁ । ସେ ତାର ନାଁ ରଖିବ । ସତକୁ ସତ ତାର ସ୍ୱପ୍ନ ସଫଳ ହେଲା-। ମହାମାୟା ମାଇନର ପରୀକ୍ଷାରେ ବୃତ୍ତି ପାଇ ମେଟ୍ରିକ୍‌ କ୍ଳାସରେ ନାଁ ଲେଖାଇଲା ।

 

ହିରଣ୍‌ମୟୀ ବାଳିକା ବିଦ୍ୟାଳୟର ଅଷ୍ଟମ ଶ୍ରେଣୀର ଛାତ୍ରୀ ମହାମାୟା ଦାସ । —ଦେହ ମନରେ ତାର ଜାଗିଛି ଜୀବନ-ଯୌବନର ଅପୂର୍ବ ବସନ୍ତ, ଅବୟବ ତାର ପୂର୍ଣ୍ଣତା ଲଭିଛି । ବନର ହରିଣୀ ପରି ଚଞ୍ଚଳ ହୋଇଛି ତାର ନୟନ, ବକ୍ଷୋଜଭାରରେ ମନ୍ଥର ହୋଇଚି ଚରଣର ଗତି । ଜନନୀ ଚମ୍ପାବତୀ ନିଜେ ତା କନ୍ୟାର ସୌନ୍ଦର୍ଯ୍ୟରେ ମୁଗ୍ଧ ହୁଏ ।

 

ପଥଚାରୀ ପାନ୍ଥ ଏଇ ଅନିନ୍ଦ୍ୟସୁନ୍ଦରୀ ଝିଅଟିକୁ ଘଡ଼ିଏ ଚାହିଁ ପୁଣି ଚାଲିଯାଏ ତାର ଗନ୍ତବ୍ୟ ପଥରେ । କେତେ ତରୁଣଙ୍କ ଅନ୍ତରପଟରେ ପ୍ରତିଭାତ ହୁଏ ଏଇ ସୁନ୍ଦରୀ ବାଳିକାର ପ୍ରତିଛବି । ସେ ଦିନର କଥା—ମହାମାୟା ସ୍କୁଲ ଫେରନ୍ତା ଯାଉଁ ଯାଉଁ ସାଇକେଲ ଚଢ଼ାଳି ସିଦ୍ଧାର୍ଥ ତା ଦେହରେ ସାଇକେଲ ଲଗାଇ ଦେଇଥିଲା । ସିଦ୍ଧାର୍ଥ ସେତେବେଳେ କଲେଜର ପ୍ରଥମବାର୍ଷିକ କଳାଛାତ୍ର । ନୂତନ ସାଇକେଲ ଚଢ଼ାଳି । ସାଇକେଲର ଆଗଚକ ଲାଗିଗଲା ମହାମାୟା ଦେହରେ-। ସେ ‘ମା ଲୋ’ ଚିତ୍କାର କରି ଡେଇଁପଡ଼ିଲା ଆଗକୁ । ସିଦ୍ଧାର୍ଥ ରାସ୍ତା କଡ଼ରେ ପଡ଼ିଯାଇ ଧୂଳିଧୂସରିତ ଦେହରେ ଉଠି ନମ୍ର କଣ୍ଠରେ କହିଲା—କ୍ଷମା କରିବେ, ନୂଆ ସାଇକେଲ ଚଢ଼ିଶିଖିଚି-। ମହାମାୟା ଦେହରେ ବିଶେଷ କିଛି ଆଘାତ ଲାଗିନାହିଁ । ସେ ଅଳ୍ପ ହସି କହିଲା—ନା, ମୋର କିଛି ହୋଇନି ।

 

ସିଦ୍ଧାର୍ଥ ପୁଣି ତା’ ପଥରେ ଚାଲିଗଲା । କିନ୍ତୁ ତାର ତାରୁଣ୍ୟ ଯେମିତି ସଂଜୀବିତ ହୋଇଉଠିଲା କ୍ଷଣକ ପାଇଁ । ମହାମାୟାର ଅଙ୍ଗରେ ପୃଥିବୀର ସମସ୍ତ ସୌନ୍ଦର୍ଯ୍ୟ ଯେମିତି ଠୁଳ ହୋଇଛି ।

 

ଦ୍ୱିତୀୟ ଥର ପୁଣି ଦେଖା ନୂଆ ସିନେମା ହାଉସରେ । ମହାମାୟା ହାତତୋଳି ନମସ୍କାର କଲା—ଭଲ ଅଛନ୍ତି ? ମୁହଁରେ ତାର ଆତ୍ମୀୟତାସୂଚକ ପ୍ରଶ୍ନ । ସିଦ୍ଧାର୍ଥ ସୌଖୀନ ଫୁଲକୁ ପାଖରେ ପାଇ ଆତ୍ମବିସ୍ମୃତ ହେଲା ।

 

ସିନେମା ଭାଙ୍ଗିବା ପରେ ଦୁହେଁଯାକ ଚାଲି ଚାଲି ଆସିଲେ । କଥୋପକଥନ ଭିତରେ ଉଭୟେ ଉଭୟଙ୍କ ପରିଚୟ ପାଇସାରିଥିଲେ ।

 

ମହାମାୟା ସୁନ୍ଦରୀ, ସ୍ୱାସ୍ଥ୍ୟବତୀ, ଶିକ୍ଷିତା । ସିଦ୍ଧାର୍ଥ ସୁନ୍ଦର, ସ୍ୱାସ୍ଥ୍ୟବାନ୍‌ ଶିକ୍ଷିତ । ଏହା ପରେ ବହୁତ ଥର ଉଭୟଙ୍କର ସାକ୍ଷାତ୍‌ ହୋଇଛି । ଚାରିଟି ଚକ୍ଷୁର ଆକୁଳ ଚାହାଣିରେ ରୋମାଞ୍ଚିତ ହୋଇଛି ତନୁ-ମନ । ଉଭୟ ଉଭୟଙ୍କୁ ସ୍ୱପ୍ନ ଦେଖିଛନ୍ତି—ପାଇବା ପାଇଁ ବ୍ୟାକୁଳ ହୋଇଉଠିଛନ୍ତି ।

 

ଆଉ ଦିନକର ଘଟଣା । ଆଷାଢ଼ ମାସରେ ବଳଙ୍ଗ ଛାତିରେ ଜାଗିଛି ବନ୍ୟା-ତାଣ୍ଡବ । ସ୍ଫୀତବକ୍ଷା ନଦୀ ଭୟଙ୍କର ରୂପରେ ଦୁଇକୂଳକୁ ଧ୍ୱଂସମୁଖରେ ପକାଇ ଧାଇଁଚାଲିଛି ସମୁଦ୍ର ସହିତ ମିଶାଇଦେବା ପାଇଁ ତାର ଅସମ୍ଭାଳ ଦେହ । ମଣିଷ, ଗୋରୁଗାଈର ଶବ ଭାସିଚାଲିଛି ନଦୀସ୍ରୋତରେ । ସହର ଲୋକେ ନଦୀର ଏଇ ଭୀମରୂପ ଦେଖିବା ପାଇଁ ଚାଲିଛନ୍ତି । ସିଦ୍ଧାର୍ଥ କଲେଜରୁ ଫେରି ନଦୀର ଏଇ ପ୍ରଳୟ ଲୀଳା ଦେଖିବା ପାଇଁ ଯାଇଥିଲା । ନଦୀକୂଳରେ ସେ ଦେଖିଲା—ମହାମାୟା ଏକାକିନୀ ଏକ ଲକ୍ଷ୍ୟରେ ଚାହିଁ ଠିଆହୋଇଛି ।

 

ମହାମାୟା.....

 

ସିଦ୍ଧାର୍ଥର ଡାକରେ ଚମକି ପଡ଼ିଲା ମହାମାୟା—ଆରେ, ସିଦ୍ଧାର୍ଥ ବାବୁ ଯେ....

 

—ଆସ ଆଗକୁ ଯିବା ।

 

ଦୁହେଁଯାକ ଆଗେଇଗଲେ । ଜନଗହଳିର ଦୂରରେ କେତୋଟି ମୁହୂର୍ତ୍ତ ରହିପାରିଲେ ହୁଏତ ଉଭୟଙ୍କୁ ଶାନ୍ତି ମିଳିବ ।

 

ପ୍ରମତ୍ତା ନଦୀର କୂଳପ୍ରଦେଶରେ ଠିଆହୋଇ ସିଦ୍ଧାର୍ଥ ସେ ଦିନ ପ୍ରଥମ କରି କହିଥିଲା–ମହାମାୟା, ମୁଁ ତୁମକୁ ଭଲପାଏଁ ।

 

ମହାମାୟାର ମୁଖମଣ୍ଡଳ ଲଜ୍ଜାରେ ରକ୍ତିମ ହୋଇଥିଲା; ସାକ୍ଷୀ ଥିଲା ଚଞ୍ଚଳଗାମିନୀ ନଦୀ, ନଦୀ ତଟର ବୃକ୍ଷଲତା ।

 

ତା’ପରେ ମହାମାୟା ପ୍ରଥମ ଶ୍ରେଣୀରେ ମେଟ୍ରିକ୍‌ ପାଶ୍‌କରି କଲେଜରେ ନାମ ଲେଖାଇଲା । ସିଦ୍ଧାର୍ଥ ଚତୁର୍ଥ-ବାର୍ଷିକ ଶ୍ରେଣୀର ଛାତ୍ର । ସେଥର କଲେଜ ଡ୍ରାମାରେ ସୁନ୍ଦର ସିଦ୍ଧାର୍ଥ ନାୟକ ଭୂମିକାରେ ଏବଂ ସୁନ୍ଦରୀ ମହାମାୟା ନାୟିକା ଭୂମିକାରେ ଅବତାରଣ କରି ସମଗ୍ର ଦର୍ଶକମଣ୍ଡଳୀକୁ ମୁଗ୍ଧ କରିଥିଲେ । ସେଇ ରାତ୍ରିରେ ମହାମାୟାର ଚିବୁକ ଧରି ସିଦ୍ଧାର୍ଥ କରିଥିଲା—ମୁଁ ତମକୁ ବିବାହ କରିବି, ତା’ ନ ହେଲେ ମୁଁ ମରିଯିବି ମାୟା, ତୁମେଇଁ ମୋର ତ୍ରିକାଳର ପ୍ରଣୟିନୀ-

 

ମହାମାୟା ଆଉ ସିଦ୍ଧାର୍ଥ—ସେ ଦିନ ସଂକଳ୍ପ କରିଥିଲେ ସିଦ୍ଧାର୍ଥର ବି. ଏ. ପରୀକ୍ଷା ପରେ ଦୁହେଁ ବିବାହ କରିବେ । ଆକାଶର ଚନ୍ଦ୍ର ମେଘକୋଳରେ ଲୁଚି ହସୁଥିଲା । ହସୁଥିଲା ଧରଣୀରାଣୀର ବକ୍ଷୋପରି ସମସ୍ତ ପଦାର୍ଥ ।

 

ବି. ଏ. ପରୀକ୍ଷାରେ ସିଦ୍ଧାର୍ଥ କୃତିତ୍ୱର ସହ ଉତ୍ତୀର୍ଣ୍ଣ ହେଲା । ତାର ଏଇ କୃତକାର୍ଯ୍ୟତାରେ ତାକୁ ପ୍ରଥମ ଅଭିନନ୍ଦନ ଜଣାଇଥିଲା ମହାମାୟା । ବଳଙ୍ଗ କୂଳରେ ଏକ ଘନାଚ୍ଛାଦିତ ନିର୍ଜନ ବକ୍ଷ ଉଭୟଙ୍କ ମିଳନ-ସଙ୍ଗୀତରେ ମୁଖର ହୋଇଉଠିଥିଲା । ଉଭୟଙ୍କ ଅନ୍ତରର ବହୁଦିନର କାମନା ନିର୍ବାପିତ ହୋଇଥିଲା ସେଦିନ । ରାତ୍ରିର ସୁରଭିତ କକ୍ଷରେ ଶୀଘ୍ର ବିବାହର ଆୟୋଜନ କରିବାକୁ ପ୍ରତିଶ୍ରୁତି ଦେଇ ଫେରିଯାଇଥିଲା ସିଦ୍ଧାର୍ଥ ।

 

ସେଇ ଦିନ ରାତ୍ରରେ ସେ ତା ମନକଥା ମା’ଙ୍କ ପାଖରେ ବ୍ୟକ୍ତ କରିଥିଲା । ମା ତତ୍‌କ୍ଷଣାତ୍‌ ପିତା ଅଶୋକବାବୁଙ୍କୁ ଜଣାଇ ଦେଇଥିଲେ । କିନ୍ତୁ ବୃଦ୍ଧ ଅଶୋକବାବୁ ଆଭିଜାତ୍ୟର ପକ୍ଷ ଉପରେ ବସି ଗର୍ଜନ କରି ଉଠିଲେ—କଣ ? ତୁମେ ସବୁ କଣ ପାଗଳ ? ସିଦ୍ଧାର୍ଥ ବିବାହ କରିବ ଚମ୍ପା ବେଶ୍ୟାର ଝିଅକୁ ? ଏ ସମାଜରେ ମୁଁ ଆଉ ରହିପାରିବି ତ ? ଅପଦାର୍ଥ, ତା ମୁଣ୍ଡରେ ଏସବୁ ପଶିଲା କେମିତି ? ନିର୍ଲଜ୍ଜ ପରି ସେ ବା ଏ ପ୍ରସ୍ତାବ ମୋ ଆଗରେ ବାଢ଼ୁଚି କେମିତି ?

 

ଅଶୋକବାବୁଙ୍କ ଗର୍ଜନରେ ଅପର ଗୃହରେ ଅପେକ୍ଷା କରିଥିବା ସିଦ୍ଧାର୍ଥ ପ୍ରାଣରେ ଭୟରେ ସଞ୍ଚାର ହେଲା । ହୃତ୍‌କମ୍ପ ହେଲା ତାର ।

 

ଅଶୋକବାବୁ ପୁଣି କହିଲେ—ଯଦି ସେ ଏସବୁ ଚିନ୍ତା ନ ଛାଡ଼େ, ତେବେ ମୁଁ ତାକୁ ଘରୁ ବାହାର କରିଦେବି । ଧରିନେବି ମୁଁ ନିଃସନ୍ତାନ । ବେଶ୍ୟାର ଝିଅକୁ ବୋହୂ କରି ଆଣିବା ଆଗରୁ ମୁଁ ମରିଯିବାକୁ ଚାହେଁ । ମୁଁ ମଲାପରେ ଗୋଟାଏ କହିଁକି ଶହେଟା ବେଶ୍ୟା ଆଣି ସେ ଏ ଘରେ ନଚାଉ, ମୁଁ ଆଉ ନଥିବି ଆପତ୍ତି କରିବାକୁ.......ନରମ ହୋଇଆସିଲା ତାଙ୍କ କଣ୍ଠ—ତା ଉପରେ ମୁଁ କେତେ ଆଶା କରିଛି—ସେ ମୋ ବଶଂର ମୁଖ ଉଜ୍ଜ୍ୱଳ କରିବ । ଗୋଟିଏ ପୁଅ ମୋର—ତାକୁ ମୁଁ କୋଟିଏ ପୁଅର ସ୍ନେହ ଦେଇଛି; କିନ୍ତୁ ଏଇ ବଂଶରେ କାଳି ଲେପିବା ପାଇଁ ସେ ଯଦି ପଶ୍ଚାତ୍ପଦ ନହୁଏ, ମୁଁ ତାହା ଦେଖିବା ଆଗରୁ ସେ ମୋତେ ତା ନିଜ ହାତରେ ମାରିଦେଉ । ସିଦ୍ଧାର୍ଥ କିଂକର୍ତ୍ତବ୍ୟବିମୂଢ଼ । କଣ କରିବ ସେ ? ଏତେଦିନର ସ୍ମୃତି କଣ ସବୁ ମିଥ୍ୟା ହୋଇଯିବ ? ସେ ଅସହାୟ, ସେ ଭୀରୁ, କାପୁରୁଷ ।

 

ପିତାଙ୍କର ଦୃଢ଼ତା ଆଗରେ ସମସ୍ତ ସାହସ ତାର ଭାଙ୍ଗିପଡ଼ିଲା । ହାୟ, ମହାମାୟାର ଅବସ୍ଥା କ’ଣ ହେବ ? ମହାମାୟା—ସେତେବେଳକୁ ସିଦ୍ଧାର୍ଥର ସନ୍ତାନକୁ ଗର୍ଭରେ ବହନ କରି ଆଗାମୀ କାଳର ଅଶୁଭ ସ୍ୱପ୍ନ ଦେଖୁଥିଲା । ଅନୂଢ଼ା ତରୁଣୀ ମହାଭୟର ଆବର୍ତ୍ତ ଭିତରେ କ୍ରନ୍ଦନ କରୁଥିଲା ଅହରହ । ଚମ୍ପାବତୀ ଦିନେ ସେ କଥା ଜାଣିଲା, ଆଉ ଜାଣିଲା ସିଦ୍ଧାର୍ଥ ତା କନ୍ୟାକୁ ବିବାହ କରିବା ପାଇଁ ପ୍ରତିଶ୍ରୁତି ଦେଇଛି ।

 

ମନରେ ଅସୀମ ସାହସ ଧରି ସେଦିନ ସେ ସିଦ୍ଧାର୍ଥର ଘରକୁ ଆସି ଅଶୋକବାବୁଙ୍କୁ ସବୁକଥା ଜଣାଇଲା । ମାତ୍ର ଅଶୋକବାବୁ କ୍ରୁଧିତ ସିଂହ ଭଳି ଗର୍ଜନ କରି ତାକୁ ଗୃହରୁ ବହିଷ୍କାର କରିଦେଲେ । ସେ ଆଖିରୁ ଲୋତକ ଝରାଇ ଫେରିଆସିଲା । ଛାତିରେ ତାର ଛୁରୀ ପରି ବାଜୁଥିଲା ତାଙ୍କର ଶେଷ କେଇପଦ କଥା—ବେଶ୍ୟାର ପୁଣି ସତୀତ୍ୱ—ବେଶ୍ୟା ଗର୍ଭ ହେବା ଯେମିତି ନୂଆ କଥା—ମିଥ୍ୟାରେ ମୋ ବଂଶରେ କାଳି ଲଗେଇବାକୁ କେଉଁ ସାହସରେ ଧାଇଁଆସିଲୁ ? ଦୂର ହ’ ଏଠୁ....

 

ମହାମାୟା ସବୁ ଶୁଣିଲା । ଆହତ ପକ୍ଷିଣୀର ଡେଣା ଭାଙ୍ଗି ପଡ଼ିଲା । ସେ ବେଶ୍ୟାର କିନ୍ୟା—କିନ୍ତୁ ସେ ନିଜେ ତ ବେଶ୍ୟା ନୁହେଁ ? ସେ କାହିଁକି ଅସ୍ପୃଶ୍ୟା ହେବ ? ଦୁଇଟି ଜୀବନର ଗୋପନ ରୋମାଞ୍ଚ କଣ ମିଥ୍ୟା ? ସିଦ୍ଧାର୍ଥ ପ୍ରତାରକ, ସିଦ୍ଧାର୍ଥ ପ୍ରବଞ୍ଚକ, ଦୁର୍ବଳ, ଭୀରୁ, ସ୍ୱାର୍ଥପର । ଗୋଟିଏ ତରୁଣୀ କନ୍ୟାକୁ ସମୁଦ୍ର ଗର୍ଭକୁ ଠେଲିଦେଇ ସେ ଚାହେଁ ରକ୍ଷା କରିବାକୁ ତା ବଂଶର ଗୌରବ । ହେଉ, ସେ ସେଥିରେ ପ୍ରତିବନ୍ଧକ ହେବ ନାହିଁ । ତା’ ଜୀବନ-ବନସ୍ତ ପୋଡ଼ି ଛାରଖାର ହୋଇଯାଇଛି—ସବୁ ମିଥ୍ୟା—ଦୁଃସ୍ୱପ୍ନ ।

 

ସୁନ୍ଦରୀ ମହାମାୟା ସେଦିନ ରାତ୍ରିରେ ଆତ୍ମହତ୍ୟା କଲା । ଏଇ ଦୁଃଖର ଗୁରୁଭାର ବହନ କରିବାକୁ ସେ ଅକ୍ଷମ । ଗଣିକା ଚମ୍ପାବତୀର ଶେଷ ଭରସା ଧରାପୃଷ୍ଠରୁ ନିଶ୍ଚିହ୍ନ ହୋଇଗଲା-

 

ମହାମାୟାର ସମାଧି ନିକଟରେ ସିଦ୍ଧାର୍ଥର ଚେତନା ଲୋପ ପାଇଯାଇଛି । ରାତ୍ରି ଆସି ତୃତୀୟ ପ୍ରହରରେ ପାଦ ଦେଲା । ପବନ ବହୁଛି ବେଶ୍‍ ଶୀତଳ । ତାର ଜ୍ଞାନ ଆସିଲାମାତ୍ରେ ସେ ଦେଖିଲା–ମହାମାୟା ତା ସମ୍ମୁଖରେ ଠିଆହୋଇ କହୁଚି–ସିଦ୍ଧାର୍ଥ, ତଥାପି ତମ ପାଇଁ ମୋ ହୃଦୟରେ ଦୁର୍ବଳତା ଅଛି । ରାତି ବହୁତ ହେଲାଣି, ତୁମେ ଫେରିଯାଅ । ନୋହିଲେ ତୁମକୁ ଏକାଟିଆ ପାଇ ମୋର ସଙ୍ଗୀ ପ୍ରେତାତ୍ମାମାନେ ହତ୍ୟା କରିପାରନ୍ତି । ତୁମ ଉପରେ ବହୁତ ଦାୟିତ୍ୱ–ତୁମେ ତୁମ ବଂଶର ଆଲୋକମୟ ସନ୍ତାନ–ବଂଶର ମୁଖ ଉଜ୍ଜ୍ୱଳ କରିବ । କର୍ତ୍ତବ୍ୟ ତୁମର ଶେଷ ହୋଇନାହିଁ । ତୁମେ ଫେରିଯାଅ ।

 

ସିଦ୍ଧାର୍ଥ ପାଟିକରି ଉଠିଲା–ନା ନା, ମୁଁ ମଧ୍ୟ ମରିବାକୁ ଚାହେଁ, ମୁଁ ଆଉ ଫେରିବି ନାହିଁ–ମୁଁ ମରିବି–ମରିବି ।

 

ଗମ୍ଭୀର ପୃଥିବୀ ଆଉରି ଗମ୍ଭୀର ହୋଇଉଠିଲା ।

 

ତତ୍‌ପରଦିନ ସକାଳେ ଦେଖାଗଲା–ମହାମାୟାର ସମାଧି ଉପରେ ସଜ୍ଜିତ ହୋଇ ରହିଛି ଚମ୍ପାଫୁଲର ମାଳା; ଆଉ ନିକଟସ୍ଥ ଏକ ବଟବୃକ୍ଷରେ ଝୁଲୁଛି ସିଦ୍ଧାର୍ଥର ମୃତ ଦେହ ।

★★★

 

ଦୁଇଟି ଚିତ୍ର

 

ନିର୍ନିମେଷ ନୟନରେ ଚାହିଁ ରହିଥିଲା ସୁଜାତା । ତାର ଚକ୍ଷୁ ଅନ୍ତରାଳରେ ମିଶିଯାଉଥିଲା ଗହଳ ଗଛଲତା ଭିତରେ ଗୋଟିଏ ଛବି—ଦୂରେଇ ଯାଉଥିଲା ସାଇକେଲ୍‌ ଘଣ୍ଟିର ଆବାଜ୍‌ ।

ଆଗରେ ଆକାଶ ମିଶିଯାଇଛି ପୃଥିବୀ ସହିତ—ବିସ୍ତୀର୍ଣ୍ଣ ଧାନକ୍ଷେତ ଦିଗନ୍ତବିସ୍ତାରୀ । ସୁଜାତାର ଘରଟି ଯେମିତି ପୃଥିବୀର ଜନବସତିର ଶେଷ ସୀମାରେ—ତା’ପରେ ଆଉ କିଛି ନାହିଁ, ଖାଲି ପ୍ରାନ୍ତର ଆଉ ପ୍ରାନ୍ତର ।

ସୁଜାତାର ଆଖି ଆଢ଼ୁଆଳରେ ନିଶ୍ଚିହ୍ନ ହେଇଗଲା ସାଇକେଲ୍‌ ଖଣ୍ଡକ । ସେ ମୁହଁ ଫେରାଇଲା ।

ପଲ୍ଳୀ ଗ୍ରାମର ଶେଷ ଭାଗରେ ଛୋଟ ଗୋଟିଏ ଭଡ଼ାଘର । ଘରର ମାଲିକ ଅବଶ୍ୟ ଏ ଘରକୁ ଭଡ଼ା ଦେବା ଉଦ୍ଦେଶ୍ୟରେ କରି ନ ଥିଲେ । ତେଣୁ ଭଡ଼ାଘର ଯେଉଁ ଢଙ୍ଗରେ ହୁଏ, ଏ ଘରଟି ସେ ଢଙ୍ଗରେ ତିଆରି ହୋଇ ନଥିଲା । ଭିତରେ ମାତ୍ର ଦୁଇଟି କୋଠରି—ଛୋଟ ଅଗଣା ଆଉ ପିଣ୍ଡା । ସାମନାରେ ବୈଠକଘର ନାହିଁ । ମାଟି କାନ୍ଥ, ଉପରେ ଚାଳ । ପଛପଟରେ ଛୋଟ ବାଡ଼ିଟିଏ ଅଛି, ଆଉ ତା ଭିତରେ ଅଛି ଛୋଟ ଗଡ଼ିଆଟିଏ । ଗ୍ରାମସେବିକା ସୁଜାତା ବାଙ୍କିପୁର ଗାଁକୁ ଆସିବା ଦିନଠାରୁ ମାସିକ ଛ’ ଟଙ୍କାରେ ଏଇ ଘରଟିକୁ ଭଡ଼ାନେଇ ରହିଛି । ଏକା ଲୋକ, ହାତେ ହାତେ ରୋଷେଇ କରିନିଏ । ଅବସର ସମୟରେ ବାଡ଼ିରେ ଲଗେଇଥିବା ଫୁଲଗଛର ସେବା କରେ । ଅନ୍ୟ ସମୟତକ ଗାଁରେ କଟେ ।

ଗାଁରେ ବହୁମୁଖୀ ଯୋଜନା କାର୍ଯ୍ୟକାରୀ ହେଉଛି । ସବୁଗୁଡ଼ିକ କାର୍ଯ୍ୟକାରୀ କରିବାର ଦାୟିତ୍ୱ ଏଇ ସୁଜାତା ଭଳି ଗ୍ରାମସେବିକା ଅବା ଗ୍ରାମସେବକଙ୍କ ଉପରେ । ଲୋକେ କିନ୍ତୁ ବୁଝୁନାହାନ୍ତି । ଦ୍ୱିତୀୟ ପଞ୍ଚବାର୍ଷିକ ଯୋଜନା ଶେଷ ହେବାକୁ ବସିଲା; ମାତ୍ର ଯୋଜନାସବୁ ଯୋଜନାରେ ହିଁ ରହିଗଲା । ମଣିଷର ହୃଦୟଠାରୁ ଲକ୍ଷ ଯୋଜନ ଦୂରରେ ରହିଗଲା ପ୍ରଗତିର ପୋତମହାସିନ୍ଧୁର ଅତଳ ଗର୍ଭରେ ହଜିଗଲା ସ୍ୱପ୍ନ ଆଉ କାମନା ।

ସୁଜାତା କର୍ତ୍ତବ୍ୟନିଷ୍ଠା ଦେଖାଇ ଗାଁ-ଗାଁ ଘର-ଘର ବୁଲିଛି, ସାକ୍ଷରତା ପାଇଁ ବହୁ ଯୁକ୍ତି ବାଢ଼ିଛି, ଜାପାନୀ ଚାଷ ସପକ୍ଷରେ ଭାଷଣ ଦେଇଛି, ଲୋକ ସମ୍ପର୍କ ବିଭାଗଦ୍ୱାରା ବହୁ ଛାୟାଛବି ଗାଁରେ ଗାଁରେ ଦେଖାଇଛି—ଫଳ ବିଶେଷ କିଛି ହୋଇନାହିଁ ।

ସେ ଯେତେବେଳେ ପ୍ରଥମେ ଏଇ ବାଙ୍କିପୁର ଗାଁକୁ ଆସିଲା, କେତେ କିଏ ନାକ ଟେକିଲେ, କେତେ କିଏ ଖଣ୍ଡିକାଶ ମାଇଲେ, ଗାଁର ଅବିବାହିତ ଟୋକାଏ ଆଖି ଠରାଠରି ହେଲେ-। ସୁଜାତା ସବୁ ଦେଖିଲା । ତା ବିଷୟରେ ଯିଏ ଯେତେ ମନ୍ତବ୍ୟ କଲେ ସବୁ ସେ ନୀରବରେ ଶୁଣିଲା । ନିରାଶ ସେ ହୋଇନି କେବେ । ତାର ବିଶ୍ୱାସ— ଦିନ ଆସିବ, ଲୋକେ ନିଶ୍ଚୟ ବୁଝିବେ-

ସେ ଏଇ ଗାଁରେ ରହିବାର ଦୁଇବର୍ଷ ହୋଇଗଲାଣି । ବର୍ତ୍ତମାନ ତାର ଆଉ ଅସୁବିଧା ହେଉନି । ଏହା ଭିତରେ ସେ ଗୋଟିଏ ସିଲାଇ କେନ୍ଦ୍ର କରି ବସିଛି । ଗାଁର ଯୁବକ, ବୋହୂ-ଝିଅମାନେ ସନ୍ଧ୍ୟାବେଳେ ଗୋଟିଏ ଜାଗାରେ ରୁଣ୍ଡହୋଇ ସିଲାଇ ଶିଖୁଛନ୍ତି ।

ସୁଜାତାର ଏଇ ଉଦ୍ୟମ ସଫଳ ହେବା ପରେ ସେ ଭାରି ଲାଗିଛି ଗାଁରେ ଗୋଟିଏ ନୈଶ ବିଦ୍ୟାଳୟ ସ୍ଥାପନ କରିବା ପାଇଁ । ନିରକ୍ଷର ଲୋକେ ଅକ୍ଷର ଶିଖିବେ; ପୃଥିବୀ ଦରବାରରେ ଭାରତର ସମ୍ମାନ ବଢ଼ିବ । ସେଥିପାଇଁ କାଲି ସନ୍ଧ୍ୟାରେ କେନ୍ଦ୍ର ଅଫିସରୁ ଅର୍ଗାନାଇଜର ନଳିନୀକାନ୍ତ ଆସିଥିଲେ । ଛୋଟ ଧରଣର ସଭାଟିଏ ହୋଇଥିଲା । ଲୋକଙ୍କର ଆଗ୍ରହ ବଢ଼ିଛି । ଅନୁଗ୍ରହପ୍ରାର୍ଥୀ ସମସ୍ତେ—ସବୁ ହବ ବାବୁ, ହେଲେ ଆମ ପେଟ ଚାଖଣ୍ଡକ ପୂରାଅ ।

ସଭା ଭାଙ୍ଗୁ ଭାଙ୍ଗୁ ରାତି ଗୋଟାଏ ହୋଇଗଲା । ତରୁଣ ଅର୍ଗାନାଇଜର ନଳିନୀକାନ୍ତ ଅଗତ୍ୟା ସୁଜାତାର ଆତିଥ୍ୟ ଗ୍ରହଣ କରିଥିଲେ । ଦୁଇଜଣଯାକ ସରକାରୀ କର୍ମଚାରୀ, ଜଣେ ପୁରୁଷ, ଜଣେ ସ୍ତ୍ରୀ । ସେମାନଙ୍କର ଏକାଠି ରହିବାରେ ବାଧା କିଛି ନାହିଁ ।

ବଡ଼ିସକାଳୁ ଉଠି ଅର୍ଗାନାଇଜର ବିଦାୟ ନେଇଛନ୍ତି । ତାଙ୍କର ଯିବା ବାଟକୁ ଚାହିଁ ରହିଥିଲା ତରୁଣୀ ସୁଜାତା ।

ଦୀର୍ଘ ଚାରିବର୍ଷ ତଳର ଏକ ସ୍ମୃତି-ବହୁଳ ଇତିହାସ ତା ମନକୁ ଆଲୋଡ଼ିତ କରୁଛି । ପୁଣି ମନରେ ପ୍ରଶ୍ନ ଉଠୁଛି—କାହିଁକି ସେ ଚାକିରି କଲା ? କାହିଁକି ? କାହିଁକି ?

ସୁଜାତା ଏକ ଧନୀ ପିତାର ସନ୍ତାନ । ଛଅବର୍ଷ ତଳେ ଜଣେ ଉଚ୍ଚଶିକ୍ଷିତ ଉଚ୍ଚବଂଶଜ ସରକାରୀ କର୍ମଚାରୀଙ୍କୁ ସେ ବିବାହ କରିଥିଲା । ଦିନ ତାର ବେଶ୍‌ ମାଳତୀ ଫୁଲର ଶୁଭ୍ରତା ନେଇ ବିତିଯାଉଥିଲା । ସ୍ୱାମୀ ତାରାକାନ୍ତଙ୍କର ଆଦର ସୋହାଗ—ନିର୍ଜ୍ଜନ ରାତ୍ରିର କାମାକୁଳ ଦେହର ବେପଥୁ-ମଧୁକ୍ଷରା ସଫେଦ ଶେଯ ଆଜି ସ୍ମୃତିପଟରେ ବାରବାର ଦଂଶନ କରୁଛି । ସୁଜାତା ଥିଲା ଭାଗ୍ୟବତୀ; ବହୁ ସମବୟସୀଙ୍କର ଈର୍ଷାର ପାତ୍ରୀ । ମାତ୍ର ଦୁର୍ଭାଗ୍ୟକ୍ରମେ ବିବାହର ଦୁଇଟି ବର୍ଷ ନ ପୁରୁଣୁ ସ୍ୱାମୀ ତାର ସଂସାରଲୀଳା ସାଙ୍ଗକଲେ । ଆଖି ଲୁହର ସମୁଦ୍ର ଭିତରେ ଚେତା ତାର ବୁଡ଼ିଗଲା । ଶ୍ୱଶୁରଘରେ ଶାଶୁଙ୍କର କଟୂକ୍ତି, ଦିଅରଙ୍କ ଅତ୍ୟାଚାରରେ କ୍ରମେ ସେ ଅତିଷ୍ଠ ହୋଇଉଠିଲା । ବିବାହ କର୍ମ ଶେଷ କରି ଧନୀ ପିତା ଦାୟିତ୍ୱରୁ ମୁକ୍ତ ହୋଇଥିଲେ; ତେଣୁ ସେ ମଧ୍ୟ କୌଣସି ସାହାଯ୍ୟ କଲେ ନାହିଁ । ଦୁର୍ବିସହ ଜୀବନ ନେଇ ଆଉ ଅଧିକ କାଳ ଶ୍ୱଶୁରଘରେ ରହିବା ସମ୍ଭବ ହେଲା ନାହିଁ । ତେଣୁ ସେ ବାଛିନେଲା ଏଇ ଜୀବନ—ହୁଏତ ଏଇଠି ମିଳିବ ତାକୁ ଶାନ୍ତି; ସେବିକାର ପରମବ୍ରତରେ ସେ ହେବ ଧନ୍ୟା ।

ମାତ୍ର ! —ଦୁଇ ଆଖିରୁ ତାର ଲୋତକଧାରା ଝରୁଥିଲା ।

କାଲି ରାତିର ଦୁର୍ଘଟଣା ମୁଣ୍ଡକୁ ତାର ବିଛା ଭଳି ଦଂଶନ କରୁଥିଲା । ନିର୍ଜ୍ଜନତାର ସୁଯୋଗ ନେଇ ତରୁଣ ନଳିନୀକାନ୍ତ ତା’ ନିକଟରେ କରିଥିଲେ କାମନା ଚରିତାର୍ଥର ନିବେଦନ । ତାଙ୍କର ଏଇ କୁତ୍ସିତ ପ୍ରସ୍ତାବରେ ସୁଜାତାର ସର୍ବାଙ୍ଗ ଥରିଉଠିଥିଲା । ଯାହା ଜୀବନ ପଥରେ ମୁହୂର୍ତ୍ତକେ ପାଇଁ ଜଳି ଉଠି ସୁବୁଦିନ ପାଇଁ ନିର୍ବାପିତ ହୋଇଯାଇଛି, ତାର ପୁନରୁତ୍‌ଥାନ ତା ପକ୍ଷରେ ଦୁଃସହ । ସୁଜାତା ଏ ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରିଥିଲା । ନଳିନୀକାନ୍ତ ତାଙ୍କ ସପକ୍ଷରେ ବହୁ ଯୁକ୍ତି ବାଢ଼ିଥିଲେ—ଦେହର ଏଇ ଆବଶ୍ୟକତା ପାଇଁ କାହିଁକି ଲୋଡ଼ା ହେବ ସମାଜର ମଞ୍ଜୁରି-? ମାତ୍ର ତାଙ୍କର ସବୁ ଅନୁନୟ ସୁଜାତାର କଠିଣ ବକ୍ଷରେ ବାଜି ଚୂରମାର ହୋଇଯାଇଥିଲା-। ଶେଷରେ ସେ କରିଥିଲେ ପୁଣି ଥରେ ବିବାହର ପ୍ରସ୍ତାବ । କ୍ଷତି କଣ ? ନଳିନୀକାନ୍ତ ଅବିବାହିତ–ସେ ଯଦି ସବୁଦିନ ପାଇଁ ତରୁଣୀ ସୁଜାତାକୁ ଜୀବନ-ସଙ୍ଗିନୀ କରିନିଅନ୍ତି, ଦୋଷ ରହିବ ଆଉ କେଉଁଠି ? ପଲଙ୍କରୁ ଓହ୍ଲାଇ ଆସି ସୁଜାତାର ଦୁଇହାତକୁ ଧରି ତାର କଅଁଳ ପିଠିରେ ହାତ ବୁଲାଇ ସେ ପଚାରିଥିଲେ—କୁହ ସୁଜାତା, ତମର ଏଥିରେ ଅମତ ହେବାର କାରଣ କଣ ଅଛି ?

ସୁଜାତା ପିଲାଙ୍କ ଭଳି କାନ୍ଦିଉଠିଲା—ଭାବିବାକୁ ମୋତେ ସମୟ ଦିଅନ୍ତୁ । କାମାତୁର ରଜନୀରେ ନଳିନୀକାନ୍ତଙ୍କର ଧୈର୍ଯ୍ୟ ତୁଟିଯାଇଥିଲା । କାମନା ଅନଳରେ ପ୍ରଜ୍ଜ୍ୱଳିତ ହେଉଥିଲା ପ୍ରତିଟି ଅବୟବ ।

—ସୁଜାତା, କଥା ଦଉଛି ମୁଁ, ମୁଁ ତୁମକୁ ବିବାହ କରିବି ।

ତାଙ୍କର କଠିଣ ବାହୁପାଶରେ ବନ୍ଦିନୀ ହୋଇଥିଲା ତ୍ରସ୍ତା ସୁଜାତା । ପୁରୁଷର ଆଲିଙ୍ଗନ–କି ତୀବ୍ର ସେ ସତେ ! ମଣିଷଖିଆ ବାଘ ଭଳି ଯେଉଁ ମଣିଷ ଥରେ ମିଳନର ମାଧୁରୀ ଚାଖିଚି, ସେ ଆଉ ନିଜକୁ ସଂଯତ କରି ରଖିପାରେ ନାହିଁ । ସୁଜାତାର ମନେପଡ଼ୁଛି ବିଗତ ଦିନର ମିଳନାନ୍ତକ ରଜନୀର ନିବିଡ଼ ଅନୁଭୂତି—ତରୁଣ ନଳିନୀକାନ୍ତଙ୍କ ନିଃଶ୍ୱାସ ବାଜି ଛାତି ତାର ରୋମାଞ୍ଚିତ ହେଉଛି । ମନ ଭିତରେ କ୍ଷୀଣ ଦ୍ୱନ୍ଦ । ପ୍ରତିବାଦ ଆଉ ସେ କରିପାରୁନି—ରାତିର ଘନାନ୍ଧକାର ଭିତରେ ତାର ଭାଷା ଯେମିତି ଲୁଚିଯାଉଛି ।

ନଳିନୀକାନ୍ତ ସୁଜାତାର ଦେହ ଛୁଇଁ ଶପଥ କଲେ ସେ ତାକୁ ବିବାହ କରିବେ ।

ସକାଳୁ ଉଠି ସେ ଚାଲିଯାଇଛନ୍ତି । ସୁଜାତାର ମନ-କାନନ କେଉଁ ବାତ୍ୟାରେ ଯେମିତି ଅସ୍ଥିର ହେଉଛି । ସେ ବାଡ଼ି ଭିତରକୁ ଯାଇ ସଦ୍ୟ ଫୁଟିଥିବା ଗୋଲାପଟିଏ ଛିଡ଼ାଇ ଆଣି ନିଜ ଖୋଷାରେ ଖୋସିଦେଲା । ରାତିରେ ବିପର୍ଯ୍ୟସ୍ତ ହୋଇ ପଡ଼ିଥିବା ପଲଙ୍କକୁ ପୁଣି ଥରେ ସଜାଡ଼ି ଦେଲା । ମନରେ ତାର ଅସରନ୍ତି ଭାବନା—ସେ ଭାବନାର ଶେଷ ନାହିଁ ଯେମିତି ।

ୟା ଭିତରେ ଦୁଇ ମାସ ବିତିଯାଇଛି । ନଳିନୀକାନ୍ତ ବହୁଥର ସୁଜାତାର ନିଭୃତ କକ୍ଷରେ ତା ମାନସ-ମନ୍ଦିରର ଅତିଥି ବେଶ ଧରି ସମୟ କାଟିଛନ୍ତି । ଉଭୟ ଉଭୟଙ୍କୁ ବହୁ ପ୍ରେମପତ୍ର ଲେଖିଛନ୍ତି । ସଦ୍ୟ ମିଳୁଥିବା ଆନନ୍ଦ ଭିତରେ ଭବିଷ୍ୟତର ବିବାହ ଚିନ୍ତା ମନ ଭିତରୁ ଅପସରି ଯାଇ ନ ଥିଲେହେଁ କ୍ଷୀଣ ହୋଇ ଆସିଛି ।

 

ଚାରି ମାସ ପରର ଗୋଟିଏ ସନ୍ଧ୍ୟା । ନଳିନୀକାନ୍ତ ସୁଦୂର କେଉଁ ଏକ ଗାଁରୁ ଫେରି ସୁଜାତା ଘରେ ପହଞ୍ଚିଛନ୍ତି । ମନ ତାଙ୍କର ପଦ୍ମଫୁଲ ପରି ସତେଜ । ସୁଜାତା କିନ୍ତୁ ବିମର୍ଷ—ମୁହଁରେ ତାର ଭୟ ଆଉ ଆଶଙ୍କା । ନଳିନୀକାନ୍ତ ପ୍ରେୟସୀର ମନର ଅବସ୍ଥା ବୁଝିପାରି ତା’ ମନଦୁଃଖର କାରଣ ପଚାରିବସିଲେ । ଦୁଇଟିଯାକ ଜୀବନ ବର୍ତ୍ତମାନ ଏପରି ଭାବରେ ଜଡ଼ିତ ଯେ ଜଣକ ମନର ଭାବନାର ଛାପ ଅନ୍ୟ ଜଣକ ମନରେ ପ୍ରତିଫଳିତ ହୁଏ ।

 

ସୁଜାତା ମୁହଁରେ ସ୍ୱାଭାବିକ ଗାମ୍ଭୀର୍ଯ୍ୟ ରଖି ନଳିନୀକାନ୍ତ କାନରେ କହିଲା—ସେ ଜନନୀ ହେବାକୁ ଯାଉଛି ।

 

ଚମକି ପଡ଼ିଲେ ନଳିନୀକାନ୍ତ । କିଛି କ୍ଷଣ ନୀରବ ରହି ସେ କହିଲା—ସୁଜାତା, ବର୍ତ୍ତମାନର ଜନ୍ମ-ନିୟନ୍ତ୍ରଣ ଯୁଗରେ ଆମର ସନ୍ତାନର ଆବଶ୍ୟକତା ନାହିଁ ।

 

—କିନ୍ତୁ ଆମର ଆବଶ୍ୟକତା ଅନାବଶ୍ୟକତାକୁ ଅପେକ୍ଷା ନକରି ସେ ଆସିଛି, ତାର ଭାର ତ ଆମକୁ ନେବାକୁ ପଡ଼ିବ—କହିଲା ସୁଜାତା ।

 

—ଯଦି ଭ୍ରୂଣର ଜୀବନ ସଂଚାର ଆଗରୁ ତାକୁ ମୁକ୍ତି ଦିଆଯାଏ ?

 

—ନା, ତା କରିବାକୁ ମୁଁ ଦେବି ନାହିଁ ।

 

—କିନ୍ତୁ ପାଶ୍ଚାତ୍ୟ ଦେଶରେ ଏହାକୁ ତ ଆଇନସଙ୍ଗତ କରିଦିଆଯାଇଛି । ତମେ ଅବୁଝା ହୁଅନି ସୁଜାତା—ମୋ କଥା ମାନ ।

 

ଯେଉଁ ନାରୀ ସନ୍ତାନର ମୁଖ ଦେଖି ନଥିଲା, ସେ ଆଜି ଜନନୀ ହେବାର ଗୌରବକୁ ନିଜ ହାତରେ ଦୂରକୁ ଫିଙ୍ଗିଦେଇ ପାରିବ ନାହିଁ । ସୁଜାତା ଏଭଳି ପ୍ରସ୍ତାବରେ ସମ୍ମତ ହୋଇପାରିଲା ନାହିଁ । ତାର ସ୍ୱାଧୀନ ଇଚ୍ଛା ଉପରେ ହସ୍ତକ୍ଷେପ କରିବାର ସାହସ ନଳିନୀକାନ୍ତଙ୍କର ନଥିଲା ।

 

ଭାରାକ୍ରାନ୍ତ ମନରେ ସେଦିନ ସେ ଫେରିଯାଇଥିଲା—ବହୁ ପ୍ରକାର ଆଶ୍ୱାସନା ଦେଇଯାଇଥିଲେ ତାକୁ । ପ୍ରତିଶ୍ରୁତିର ଅନାଗତ ସଫଳ ମୁହୂର୍ତ୍ତକୁ ଚାହିଁ ବସିରହିଲା ସୁଜାତା ।

 

କ୍ରମେ ସେ ଦୁର୍ବଳ ହୋଇପଡ଼ୁଛି—କୌଣସି କାମରେ ମନ ଲାଗୁନାହିଁ । ଅସ୍ଥିରତା, ଭୟ, ଆଶଂକା ସବୁ ମିଳି ତାକୁ କ୍ଷୀଣ କରିପକାଉଛନ୍ତି । ପ୍ରତିଶ୍ରୁତି ମୁତାବକ ନଳିନୀକାନ୍ତ ଆଉ ଆସିନାହାନ୍ତି ।

 

ଦିନ ପରେ ଦିନ କି ଚଞ୍ଚଳ ରାତିରେ ଗଡ଼ିଯାଉଛି । ଗର୍ଭସ୍ଥ ସନ୍ତାନର ମମତା ସୁଜାତା ନିକଟରେ ଯେତିକି ନିବିଡ଼ ହେଉଛି, ବାହାରର ଆଶଙ୍କାରେ ମନ ତା’ଠାରୁ ଦ୍ୱିଗୁଣ ବେଗରେ ଆନ୍ଦୋଳିତ ହେଉଛି ।

 

କାହାନ୍ତି ନଳିନୀକାନ୍ତ ? ସୁଜାତା ସେଦିନ ପତ୍ର ଲେଖି ଗାଁର ଜଣେ ଲୋକକୁ ନଳିନୀକାନ୍ତଙ୍କ ପାଖକୁ ପଠାଇଥିଲା । ମାତ୍ର ସେ ଲୋକ ଫେରିଆସି ସମ୍ବାଦ ଦେଲା ଯେ—ସେ ମାସେ ହେଲା ଗଞ୍ଜାମ ଜିଲ୍ଲାକୁ ବଦଳିଗଲେଣି । ଏ ଖବର ପାଇ ସୁଜାତା ମୂର୍ଚ୍ଛା ଗଲା ଯେମିତି । ପ୍ରବଞ୍ଚନାର ସୀମା ଅଛି; ମାତ୍ର ଏ ପ୍ରକାର ପ୍ରବଞ୍ଛନା ସେ ସ୍ୱପ୍ନରେ ସୁଦ୍ଧା ଭାବି ନଥିଲା ।

 

ସେ ଚାକିରିରୁ ଦୁଇମାସ ପାଇଁ ଛୁଟି ନେଲା । ନଳିନୀକାନ୍ତଙ୍କର ଠିକଣା ଯୋଗାଡ଼ କରି ପତ୍ର ଲେଖିଲା । ବିବାହର ପ୍ରତିଶ୍ରୁତି ପୁଣି ଥରେ ମନେ ପକାଇ ଦେବାକୁ ଚେଷ୍ଟା କଲା । ନିଜର ଶକ୍ତି ଥିଲେ ସେ ହୁଏତ ଗଞ୍ଜାମ ଚାଲିଯାଇଥାନ୍ତା; ମାତ୍ର ନିଜର ଏପରି ଅବସ୍ଥାରେ ଏତେଦୂର ଯିବା ସମ୍ଭବ ହେଲା ନାହିଁ । ପତ୍ର ଦେବାର ଛ’ଦିନ ପରେ ଉତ୍ତର ଆସିଲା । ନଳିନୀକାନ୍ତ ଲେଖିଥିଲେ—

 

ସୁଜାତା,

 

ମୋ କଥା ମାନିଲ ନାହିଁ । ନିଜ ଇଚ୍ଛାରେ ତୁମେ ଏ ବିପଦ ବରଣ କଲ । ମତେ କ୍ଷମା କରିବ । ତମର ତ ଜୀବନ ଜଳିପୋଡ଼ି ଛାରଖାର ହୋଇଯାଇଛି, ମୋର ଏଇ ଜୀବନକୁ ଆଉ ନଷ୍ଟ କରିବି କାହିଁକି ? ବାପା-ମା’ଙ୍କର ଜିଦରେ ମୋର ବିବାହ ସ୍ଥିର ହୋଇଯାଇଛି । ମୁଁ ବର୍ତ୍ତମାନ ନାଚାର । ତୁମେ ତ ଥରେ ଘରସଂସାର କରିଥିଲ । ତୁମ ସ୍ୱାମୀଙ୍କର ଅକାଳ ବିୟୋଗ ପରେ କଠିଣ ବୈଧବ୍ୟ ବ୍ରତ ପାଳନ କରି ନପାରି ଘରର ଆବେଷ୍ଟନୀ ଛାଡ଼ି ବାହାରି ଆସିଲ ବାହାରର ସୌନ୍ଦର୍ଯ୍ୟ ଉପଭୋଗ କରିବାକୁ । ମୋ ମତରେ ଆମ ସମାଜରେ ପୂର୍ବରୁ ଯେଉଁ ନିୟମ ଥିଲା—ତା’ ଭଲ ଥିଲା । ବିଧବାର ଦ୍ୱିତୀୟବାର ବିବାହ ଆଇନସଙ୍ଗତ ନ ହୋଇ ଆଇନଦ୍ୱାରା ନିଷିଦ୍ଧ ହେବା ଉଚିତ । ତା’ହେଲେ ଦେଶର ସମୂହ ଉନ୍ନତି ହେବ । ଲୋକସଂଖ୍ୟା ଦ୍ରୁତଗତିରେ ବଢ଼ିଚାଲୁଚି ବୋଲି ନେତାମାନେ ଚିତ୍କାର କରୁଛନ୍ତି; ଏଣେ ବିଧବା-ବିବାହ ପ୍ରଚଳନ କରୁଛନ୍ତି । ଦୁଇଟିଯାକ ପରସ୍ପର ବିରୋଧୀ । ବିଧବାମାନଙ୍କୁ ବିବାହ କରିବାର ସୁଯୋଗ ଦିଆଯିବା ଉଚିତ ନୁହେଁ ।

 

ତୁମ ଜୀବନ-ଆକାଶରେ ଗୋଟାଏ ଧୂମକେତୁ ଭଳି ମୋର ଆବିର୍ଭାବ—ମୁଁ ଗୋଟାଏ ଦୁଃସ୍ୱପ୍ନ । ତୁମେ ବୁଦ୍ଧିମତୀ; ତମକୁ ଆଉ କି ଉପଦେଶ ମୁଁ ଦେବି ? ଏ ପରିସ୍ଥିତିରେ ନିଜର କର୍ତ୍ତବ୍ୟ ନିଜେ ସ୍ଥିର କରିନେବ ।

 

ଇତି

ତୁମର

ନ.....

 

ଚିଠି ପଢ଼ିସାରି ସୁଜାତା ମୂର୍ଚ୍ଛା ହୋଇପଡ଼ିଲା ଶୋଇଥିବା ସ୍ଥାନରେ । ତାର ଚେତା ଫେରିବା ବେଳକୁ ସେ ଦେଖିଲା ହସ୍‌ପିଟାଲାର ମାଟର୍ଣ୍ଣିଟିଓ୍ୱାଡ଼୍‌ର ଏକ ବେଡ଼୍‌ରେ ଶୋଇଛି । ପେଟରେ ଯନ୍ତ୍ରଣା—ଜରାୟୁ ଚିରି ଏଇ ଜନ୍ମନେବ ଏକ ନିର୍ମଳ ଶିଶୁ, ଯାହା ଦେହରେ ବାହାରର ମଳିଧୂଳି ଲାଗିନାହିଁ । ତାର ଚିତ୍କାରରେ କୋଠରି ପ୍ରତିଧ୍ୱନିତ ହେଉଥିଲା । ତାକୁ ଚତୁର୍ଦ୍ଦିଗ ଲାଗୁଥିଲା ଶୂନ୍ୟ । ସେଇ ଶୂନ୍ୟତା ଭିତରେ ସେ ଖୋଜୁଥିଲା ବଞ୍ଚିବାର ରାହା ।

★★★

 

Unknown

କ୍ଷୁଧା

 

ଅଖିଳ ଝୁଣ୍ଟି ପଡ଼ିଲା । ତାର ବବୁରି ବାଳଗୁଡାକରେ ଚାରିଦିନ ହେଲା ତେଲ ଲାଗି ନଥିବାରୁ ପବନରେ ସେଗୁଡାକ ଫୁର୍‌ଫୁର୍‌ ହୋଇ ଉଡ଼ୁଚି । ହାଓ୍ୱାଇନ ଶାର୍ଟର ସବୁଗୁଡାକ ବୋତାମ ଖୋଲିଦେଇ ସ ଆଗେଇ ଚାଲିଛି —ଆସନସୋଲ୍‌ ଗାଡ଼ି ଟାଇମ୍‌ ହୋଇଗଲାଣି । ଗାଡ଼ିରେ ବହୁତ ବଦାନ୍ୟ ବ୍ୟକ୍ତି ନିଶ୍ଚୟ ଯାତ୍ରା କରୁଥିବେ । ଅଖିଳ ତାଙ୍କରି ଆଗରେ ହାତ ପାତି କିଛି ଭିକ୍ଷା କରିବ—ୟା’ ଛଡ଼ା ତାର ଆଉ କିଛି ଉପାୟ ନାହିଁ । ଚିରପରିଚିତ କଟକ ସହରର ରାସ୍ତା ଉପରେ ସେ ଭିକ୍ଷା ମାଗି ପାରିବ ନାହିଁ । ତେଣୁ ସେ ଛୁଟିଛି ଷ୍ଟେସନ ।

 

—ଆରେ, ଆଖି ଥାଉ ଥାଉ ଅନ୍ଧ ! ରାସ୍ତା ଚାଲିଜାଣୁନୁ ?

 

ଅଖିଳ ପଡ଼ି ଯାଉ ଯାଉ ରହିଗଲା । ରିକ୍‌ସାବାଲାଟା ଆଉ ଟିକିଏ କ୍ରୂର ଦୃଷ୍ଟି ହାଣି ଚାଲିଗଲା ତା’ର ଗନ୍ତବ୍ୟ ପଥରେ । କଲେଜ ଛକ ଯେମିତି ଏକ ଅଟ୍ଟହାସ୍ୟ ତୋଳି ହସିଉଠିଲା—ଉପହାସ କଲା ତାର ଆଜିକାର ଏଇ ଦୁର୍ଭାଗ୍ୟକୁ ।

 

ଅଖିଳ ମହାନ୍ତି । ଛ’ବର୍ଷ ତଳେ ଏଇ ବଡ଼ କଲେଜରେ ସେ ପାଠ ପଢ଼ୁଥିଲା । ଏଇ କଲେଜ ଛକରେ ସେ ବି ଏମିତି କେତେ କାହାକୁ ଉପହାସ କରିଛି ।

 

ପ୍ରଭାମୟୀ ପଟ୍ଟନାୟକ—ସେତେବେଳେ ସେ ଥିଲା ଅଖିଳର ସହପାଠିନୀ—ସୁନ୍ଦରୀ, ସୁଶ୍ରୀ । ଏଇ ତନ୍ୱୀ ଯୁବତୀକି ନିଜର କରିବା ପାଇଁ ତାର କି ଆପ୍ରାଣ ଚେଷ୍ଟା ! ପ୍ରଭାମୟୀର ରିକ୍‌ସା ପଛରେ ସାଇକେଲ୍‌ ଛୁଟେଇ ସେ କେତେଥର କଟକଚଣ୍ଡୀ ପର୍ଯ୍ୟନ୍ତ ଯାଇଛି । କେତେ କଟାକ୍ଷ—କେତେ ଦୀର୍ଘଶ୍ୱାସ । ପ୍ରଭାମୟୀ ନାରୀ; ତେଣୁ ଦିନେ ସେ ଅଖିଳର ଏକନିଷ୍ଠତା ଆଗରେ ନଇଁଯାଇଥିଲା । ତା’ପରେ ଆରମ୍ଭ ହୋଇଥିଲା ଦୁଇଟି ଜୀବନର ହାସ-ରାସର ଉତ୍ସବ ।

 

ଅଖିଳ ଆଜି ନିରୋଳା ମୁହୂର୍ତ୍ତରେ ଭାବେ—କାହିଁ ଗଲା ସେଦିନର ଗନ୍ଦ୍ରଚକିତ ରଜନୀର ହର୍ଷୋତ୍‌ଫୁଲ୍ଲତା, ଜୋବ୍ରା ବନ୍ଧର କଳକଲ୍ଲୋଳ ସଙ୍ଗୀତ ! ଏଇ ବ୍ୟବଧାନ ପରେ ସେ ଖବର ପାଇଛି ପ୍ରଭାମୟୀ ଆଜି ବିଭା ହୋଇ ଘରଦ୍ୱାର କରିଛି—କୋଳରେ ପାଇଛି ସନ୍ତାନ । ସ୍ୱାମୀ ତାର ଜଣେ କଣ୍ଟ୍ରାକ୍ଟର—ଲକ୍ଷ ଲକ୍ଷ ଟଙ୍କାର ମାଲିକ ।

 

ଆଉ ସେ ? ମୁହଁରୁ ତାର ଫୁଟିଉଠୁଚି ଦୈନ୍ୟର ସଙ୍ଗୀତ—ଛାତି ଭିତରେ ଅନୁଭବ କରୁଛି କ୍ୟାନ୍‌ସରର ଯନ୍ତ୍ରଣା । ସେ ବେକାର, ସେ ବୁଭୁକ୍ଷୁ, ବିଜ୍ଞାପନର ଯୁଗରେ ତାର ଦାମ୍‌ ନାହିଁ–ଶିକ୍ଷା ତାର ମୂଲ୍ୟହୀନ ।

 

ବି. ଏ. ପାଶ୍‌ କରିସାରି ଚାକିରି ଖଣ୍ଡିଏ ପାଇଁ ସେ ଦୁଆର ଦୁଆର ବୁଲିଛି—ଏମ୍ପ୍‌ଲୟମେଣ୍ଟ ଏକ୍‌ସଚେଞ୍ଜରେ ନାମ ରେଜିଷ୍ଟ୍ରି କରି ବର୍ଷ ବର୍ଷ ଅପେକ୍ଷା କରିଛି—ମାତ୍ର ସବୁଆଡ଼ୁ ନିରାଶ ହୋଇଛି । ହତଭାଗ୍ୟ ସେ—କିରାଣୀ ଚାକିରି ଖଣ୍ଡିଏ ପାଇଁ ମଧ୍ୟ ଯୋଗ୍ୟ ବିବେଚିତ ହୋଇପାରିନି ।

 

ତିନିଦିନ ହେଲା ତାର ଉପବାସ । ପେଟ ଭିତରଟା କ୍ଷୁଧାରେ ଘାଣ୍ଟି ଚକଟି ହେଉଛି । ରାସ୍ତାକଡ଼ ଦୋକାନଗୁଡ଼ିକରେ ସଜା ହୋଇ ରହିଥିବା ଖାଦ୍ୟ ଦେଖି ତା’ ମନରେ ଜାତ ହେଉଛି କେତେ ପ୍ରକାର ଦୁର୍ଭାବନା —ଜବରଦସ୍ତ ଏଇ ଖାଦ୍ୟଗୁଡ଼ାକୁ ଲୁଟ୍‌ କରିନେଲେ କ୍ଷତି କଣ ? ଭିକରକୁ ପଶିଯାଇ ବେଶ୍‌ ପେଟେ ଖାଇ ପଇସା ନ ଦେଇ ଦଉଡ଼ି ପଳାଇଗଲେ କେମିତି ହୁଅନ୍ତା-?

 

ଚିନ୍ତା ଆଉ ଚିନ୍ତା । ସାମନାରୁ ବେଶ୍‌ ଚକଚକିଆ ମୋଟରଟିଏ ଆସୁଛି । ତା’ର ପାଖରେ ଆସି ବନ୍ଦ ହୋଇଗଲା

 

ଏ—ଏ, ଶୁଣ—ମୋଟର ଭିତରେ ବସିଥିବା ବାବୁ ଜଣକ ଡାକିଲେ । ସେ ପାଖେଇଗଲା । ମୋଟର ଭିତରେ ବସିଛି ପ୍ରଭାମୟୀ—ତା’ର ବହୁ ଦିନର ପରିଚିତ ପ୍ରଭା । ମୁହଁରେ ତାର ହସ ଉକୁଟି ଉଠୁଥିଲା । ମାତ୍ର ପ୍ରଭା ଥରଟିଏ ଚାହିଁ ଆଖି ଫେରାଇନେଲା—ଚାଲ, ମିଟିଂ କିଲାପଡ଼ିଆରେ ହେଉଥିବ ।

 

ଅଖିଳ ଦୀର୍ଘ ନିଃଶ୍ୱାସ ପକେଇଲା । ବାବୁଜଣକ ପଚାରିଥିଲେ—ଏ, ଏଠି ଅଗଷ୍ଟ ପନ୍ଦର ମିଟିଂ କେଉଁଠି ହେଉଛି ? ସେଠିକି ମନ୍ତ୍ରୀ ଆସିଛନ୍ତି —ତାଙ୍କ ପାଖରେ ଜରୁରୀ କାମ । କହିପାରିବୁ ?

 

ଅଖିଳ ମୁଣ୍ଡ ହଲାଇ ନାହିଁ କଲା । ସେ ତ ବେକାର, ବୁଭୁକ୍ଷୁ । ତା’ର ଏ ସବୁ ମିଟିଂ ସହିତ ସମ୍ପର୍କ ବା କଣ ?

 

ମୋଟର ଚାଲିଗଲା । ପ୍ରଭାମୟୀ ଚାହିଁଲା ନାହିଁ । ସଂସାରରେ ବନ୍ଧୁ ତାର ମୂଲ୍ୟ କଣ-? ଅଖିଳ ଏକା—ପିତାମାତା ଭାଇବନ୍ଧୁର ବନ୍ଧନ ତାର ନାହିଁ । ବରଂ ଭଲ ହୋଇଛି । ବନ୍ଧୁତାର ମୂଲ୍ୟ ଯଦି ଗୋଟଏ ନୂଆପଇସାଠାରୁ ବି କମ୍‌, ସଂସାରରେ ଏକା ରହିବା ବରଂ ଭଲ-

 

ହାୟ ପ୍ରଭାମୟୀ ! ଚିତ୍କାର କରିଉଠିଲା ଅଖିଳ । ତୋର ଏଇ ଆଭିଜାତ୍ୟକୁ ମୁଁ ଯଦି ଭାଙ୍ଗିପାରନ୍ତି ! ତୋ’ ମୁହଁରୁ ରୁପାର ଚାମୁଚଟା ମୁଁ ଯଦି ଛଡ଼ାଇ ଆଣିପାରନ୍ତି ! ହାୟ ହାୟ, ନିଷ୍ଫଳ ଭାବନା । ଲକ୍ଷପତି କଣ୍ଟ୍ରାକ୍ଟର ଆଉ ସର୍ବହରା ଅଖିଳ—ଆକାଶ ପାତାଳ ପ୍ରଭେଦ ।

 

ସେ ପଛକୁ ଚାହିଁଲା—ବହୁତ ଲୋକ ରାଣୀହାଟ ପୋଲ ପାଖକୁ ଧାଇଁଛନ୍ତି—ମୋଟର ଏକ୍‌ସିଡେଣ୍ଟ । ସେ ବି ଧାଇଁଲା । ଆରେ, ଏଇ ଯାଇଥିବା ଚକଚକିଆ ମଟରଟା ତ ରାଣୀହାଟ ପୋଲରେ ଧକ୍କା ଲାଗିଯାଇଛି—ତା’ର ଭିତରେ ଥିଲା ପ୍ରଭାମୟୀ । ଲୋକଭିଡ଼କୁ ଅତିକ୍ରମ କରି ସେ ଧାଇଁଗଲା । କଣ୍ଟ୍ରାକ୍ଟର ବାବୁ ସଂଜ୍ଞାହୀନ ହୋଇ ପଡ଼ିଛନ୍ତି—ମଟରର ସାମନା କାଚ ଭାଙ୍ଗି ଚୂରମାର ହୋଇଯାଇଛି—ସେଇ ଭଙ୍ଗା କାଚ କେଇଖଣ୍ଡ ଲାଗି ପ୍ରଭାମୟୀର କପାଳରୁ ରକ୍ତ ବହୁଛି-। ଅଖିଳ ଭିଡ଼ି ଠେଲା ମଟର ପାଖକୁ ଆଗେଇଗଲା ।

 

—ଏମିତି ଦୁର୍ଯୋଗ !

 

ଅଖିଳ କଣ୍ଠରୁ ଏତକ ଶୁଣି ପ୍ରଭାମୟୀ ଚାହିଁଲା । ପୋଲିସ୍‌ ‘ହଟୋ ହଟୋ’ କହି ଲୋକଙ୍କୁ ଦୂରକୁ ଘଉଡ଼ାଉଛି । ପ୍ରଭାମୟୀ ଚାହୁଁଛି ସାହାର୍ଯ୍ୟ—ହସ୍ପିଟାଲ ଯିବାର ପଥ ଖୋଜୁଛି ସେ । ସହର ଆଡ଼ୁ ଆଉ ଗୋଟିଏ ମୋଟର ଆସି ଠିଆ ହୋଇଗଲା ସେଇଠି । ସୁନା ଫ୍ରେମ୍‌ ଚଷମାଦିଆ ବାବୁ ଜଣେ ତା’ ଭିତରୁ ଓହ୍ଲେଇପଡ଼ି ପଚାରିଲେ—କଣ ହେଇଛି ?

 

ଅଖିଳ ଚିହ୍ନିପାରିଲା ଏଇ ବାବୁଙ୍କୁ—ସୁରେନ୍ଦ୍ର—ସେ ମଧ୍ୟ ତା’ରି ସହପାଠୀ, ବର୍ତ୍ତମାନ ଡେପୁଟୀ ମାଜିଷ୍ଟ୍ରେଟ । ପ୍ରଭାମୟୀ ପାଖକୁ ଆସି ସେ କହିଲେ —ହଲୋ ପ୍ରଭା !

 

—ଆରେ ସୁରେନ୍ଦ୍ର ବାବୁ ଯେ ! ଏମିତିକା ଦୁର୍ଯୋଗରେ ଆମେ ପଡ଼ିଚୁ । ଆପଣଙ୍କ କାରରେ ଆମକୁ ଟିକିଏ ହସ୍ପିଟାଲ୍‌ ନେଇ ଚାଲନ୍ତୁ ।

 

ପୋଲିସ ଲାଠି ଉଞ୍ଚେଇ ଲୋକଙ୍କୁ ଦୂରକୁ ତଡ଼ୁଛି । ଅଖିଳ ନିର୍ନିମେଷ ନୟନରେ ଚାହିଁ ରହିଛି ପ୍ରଭାମୟୀର ମୂର୍ଚ୍ଛାହତ ସ୍ୱାମୀଙ୍କ ଆଡ଼େ, ପୋଲିସର ଲାଠି ବସିଗଲା ତା’ କାନ୍ଧରେ–ହଟୋ-। ସିଂହ ପରି ଗର୍ଜୁଛି ପୋଲିସର କଣ୍ଠ ।

 

ଡେପୁଟୀ ମାଜିଷ୍ଟ୍ରେଟ ସୁରେନ୍ଦ୍ର ଆହତ ବ୍ୟକ୍ତିଙ୍କୁ ନେଇ ହସ୍ପିଟାଲ ଆଡ଼େ ଚାଲିଗଲେ । ଭାଙ୍ଗି ଯାଇଥିବା କାର୍‌ଖଣ୍ଡକ ପୋଲିସ ଦାୟିତ୍ୱରେ ରହିଲା ।

 

ଅଖିଳ ପେଟର କ୍ଷୁଧା ଦ୍ୱିଗୁଣିତ ହେଇଗଲା । ଖାଦ୍ୟ ନ ପାଇଲେ ଏଇ ମୁହୂର୍ତ୍ତରେ ସେ ହୁଏତ ମରିଯିବ । ଆସନସୋଲ ଟ୍ରେନ୍‌ ଚାଲିଯାଇ ନଥିବ । ଟ୍ରେନରେ ମାଗି ମାଗି ଖୋର୍ଦ୍ଧା ପର୍ଯ୍ୟନ୍ତ ଗଲେ ଏ ଓଳିର ଖାଦ୍ୟଟା ଯଦି ଯୋଗାଡ଼ ହୋଇଯାଏ... ଲଜ୍ଜା କଣ ? ଏଇ ଲଜ୍ଜାକୁ ଜଗିବସିଲେ ମରଣ ଯେ ଅବଶ୍ୟମ୍ଭାବୀ । ଇଂରେଜୀ ପଢ଼ୁଆ ବାବୁମାନଙ୍କୁ ଇଂରାଜୀରେ ନିଜର ଦୁର୍ଦ୍ଦଶା ଜଣେଇଲେ ସେମାନେ ହୁଏତ ଦୟା ବହିବେ । ସେ ପୁଣି ଷ୍ଟେସନ ଆଡ଼େ ପାଦ ବଢ଼େଇଲା । ଶକ୍ତି ନାହିଁ ଆଉ । ଏ ଯେଉଁ ଖରା ଆଉ ଝାଞ୍ଜି—ସେଥିରେ ସେ ଉପବାସୀ, ଦେହ ଥରୁଛି ।

 

ଷ୍ଟେସନ ମୋଡ଼ ଉପରେ ସେ ଆସି ପହଞ୍ଚିଲାଣି । ଅନ୍ଧଟିଏ ଖଞ୍ଜଣି ବଜେଇ ଗୀତ ଗାଉଛି । ଯାଉଥିବା ଲୋକେ ପଇସେ ଦି’ ପଇସା କରି ତା’ ହାତରେ ଦେଇଯାଉଛନ୍ତି । ଏଇ ଅନ୍ଧଟିକୁ ସେ ଆଠବର୍ଷ ହେଲା ଏମିତି ଭାବରେ ଦେଖିଆସୁଛି । ସକାଳଠୁ ସଂଧ୍ୟା ପର୍ଯନ୍ତ ଏଇଠି ଖଞ୍ଜଣି ବଜେଇ ସେ ତା’ର ଜୀବିକା ନିର୍ବାହ କରିପାରୁଛି । ଭିକ୍ଷା ବେଶ୍ ଲାଭଜନକ ବ୍ୟବସାୟ ।

 

—ବାବୁ, ଭୋକ ଲାଗୁଛି, କିଛି ପଇସା ଦିଅ, ଗଣ୍ଡେ ଖାଇବି ।

 

ଅଖିଳ ଚାହିଁଲା । ତା’ରି ପାଖରେ ହାତପାତି ଠିଆହୋଇଛି ଦଶ ଏଗାର ବର୍ଷର ପିଲାଟିଏ । ଦେହରେ ବୋଝେ ମଳି—ଆଖିପତା ଦି’ ଇଞ୍ଚ ଗଭୀରକୁ ପଶିଯାଇଛି ।

 

—ଦିଅ ବାବୁ, ଦି’ ଦିନ ହେଲା କିଛି ଖାଇନି ।

 

ଅଖିଳର ଆତ୍ମା କାନ୍ଦିଉଠିଲା । କି ଉତ୍ତର ସେ ଦେବ ଏଇ ଭିକ୍ଷୁ ପିଲାଟିକି ? ଯାହାକିଛି ଉତ୍ତର ଦେଲେ ମଧ୍ୟ ସେ କଣ ବିଶ୍ୱାସ କରିବ ? ପିଲାଟି ତା’ ପେଟରେ ଚାପଡ଼ା ମାରି ପେଟ ଦେଖାଉଛି ।

 

ଅଖିଳ ଠିଆହୋଇଗଲା—ଭିକ ମାଗୁଛୁ କାହିଁକି ?

 

—କଣ କରିବି ବାବୁ, ଘରେ କେହି ନାହାନ୍ତି । ଖାଇବି କଣ ?

 

—ତୋର ଘର ଅଛି ?

 

—କୁଡ଼ିଆଟିଏ ଅଛି ବାବୁ ।

 

ଅଖିଳ ଭାବୁଥିଲା, ତେବେ ତା’ ଅବସ୍ଥା ସହିତ ଏଇ ଭିକ୍ଷୁକ ପିଲାଟିର ଅବସ୍ଥା ସମାନ । ସେ କହିଲା—ଗାଡ଼ିରେ ଭିକ ମାଗୁନୁ ?

 

—ବାବୁ, ଗାଡ଼ିରେ ଭିକ ନ ଦେବା ପାଇଁ ରେଳ କମ୍ପାନୀ ଲେଖିଦେଇଛି । କେହି ଆଉ ଗାଡ଼ିରେ ଭିକ ଦଉନାହାନ୍ତି । ମୁଁ ଗୀତ ଗାଇ ଜାଣେନା ବାବୁ, ଜାଣିଥିଲେ ଗାଡ଼ିରେ ଗୀତ ଗାଆନ୍ତି । ଗୀତ ଗାଇବା ଲୋକକୁ ଭିକ ମିଳୁଛି ।

 

ସର୍ବନାଶ ! ଅଖିଳ କଣ କହି ଭିକ ମାଗିବ ?

 

—ଦିଅ ବାବୁ ! ଭିକାରୀ ପିଲାର ଅଝଟ ।

 

—ନା, ମୋ ପାଖରେ ପଇସା ନାହିଁ । ତୁ ଯା, ଅନ୍ୟ କେଉଁଠି ମାଗିବୁ ।

 

—ମିଛ କହୁଛ ବାବୁ !

 

—ଖାଇବାକୁ ଯଦି ନ ପାଉଛୁ, ରେଳ ଲାଇନରେ ଶୋଇଯା ।

 

—ତମେ ଅଦିଆ ।

 

ଭିକ୍ଷୁ ପିଲାଟି ଫେରି ଯାଇ ଅନ୍ୟ ଜଣକ ପାଖରେ ହାତ ପତେଇଲା । ଅଖିଳ ପାଦର ଗତି ଆହୁରି ବଢ଼େଇ ଦେଲା । ଯେମିତି ହେଉ ତାକୁ ଖାଦ୍ୟ ଯୋଗାଡ଼ କରିବାକୁ ପଡ଼ିବ ।

 

ତାକୁ ବାନ୍ତି ଲାଗୁଛି—ପେଟ ଅସମ୍ଭବ ମୋଡ଼ୁଛି । ରାସ୍ତାକଡ଼କୁ ଯାଇ ବାନ୍ତି କରି କରି ସେ ବେହାଲ୍‌ ହେଇପଡ଼ିଲା । ଦେହରେ ଆଉ ଉଠିବାକୁ ବଳ ନାହିଁ । ତଥାପି ତାକୁ ଉଠିବାକୁ ହେବ-। ଆସନସୋଲ ଗାଡ଼ି ହିଁ ତା’ର ଏକମାତ୍ର ଆଶା ଭରସା ।

 

ସେ ଉଠିଲା । ନା, କ୍ଷୁଧାର ତୀବ୍ର ଦାଉ ସେ ସମ୍ଭାଳି ପାରିବ ନାହିଁ । ଦୁର୍ବଳ ପାଦଯୋଡ଼ିକୁ ଘୋଷାରି ଘୋଷାରି ସେ ଆଗେଇଗଲା । ପ୍ଳାଟଫର୍ମରେ ସଂଧ୍ୟାବେଳର ଇଲେକ୍‌ଟ୍ରିକ୍‌ ବତି ଜଳୁଛି । ତା’ରି ପାଖ ଦେଇ ଯୁବକ ଆଉ ଯୁବତୀଟିଏ ମନଖୁସିରେ ଚାଲିଗଲେ । ଭବିଷ୍ୟତର ରଙ୍ଗୀନ ସ୍ୱପ୍ନ ସେମାନେ ଦେଖୁଛନ୍ତି । ସେ ଯାଇ ଗୋଟିଏ ବେଞ୍ଚ ଉପରେ ବସିପଡ଼ିଲା । ଆସନସୋଲ୍‌ଗାଡ଼ି ପାଇଁ ତା’ର ଅପେକ୍ଷା ।

 

ଘଣ୍ଟାଏ ବିତିଯିବାକୁ ବସିଲା । ଗାଡ଼ି କାହିଁ ? ପାଖରେ ବସିଥିବା ଆଉ ଜଣେ ଲୋକକୁ ସେ ପଚାରିଲା ଲୋକଟି ଜବାବ ଦେଲା—ନିର୍ଗୁଣ୍ଡି ଷ୍ଟେସନରେ ଗୋଟିଏ ମାଲଗାଡ଼ି ଦୁର୍ଘଟଣା ହେଇଛି—ସେଥିପାଇଁ ଆନସସୋଲ୍‌ ଛ’ ଘଣ୍ଟା ଡେରିରେ ଆସିବ ।

 

ଦୁର୍ଭାଗ୍ୟ । ଅଖିଳ କଣ ଏଇ ଛ’ଘଣ୍ଟା ରହିପାରିବ ? ଅସମ୍ଭବ । ଆଖିକୋଣରେ ତା’ର ଲୁହ । ଅତ୍ୟନ୍ତ ନିରାଶାରେ ସେ ଭାଙ୍ଗି ପଡ଼ଲା—ବେଞ୍ଚ ଉପରୁ ଢଳିପଡ଼ିଲା ତଳକୁ । ତା’ର ଶିକ୍ଷା ମାଲଗାଡ଼ିର ନିର୍ମମ ଚକତଳେ ଯେମିତି ପେଷି ହେଇଯାଉଥିଲା । ଆଲୋକିତ ପ୍ଳାଟଫର୍ମ ତାକୁ ଦିଶୁଥିଲା ଅନ୍ଧକାରମୟ ।

 

—ମୁଁ ମରିବାକୁ ଚାହେଁ—ମୁଁ ମରିବି ।

 

ବେଞ୍ଚରେ ବସିଥିବା ଲୋକଜଣକ ଅଖିଳକୁ ପାଗଳ ବୋଲି ଭାବି ବେଞ୍ଚ ଉପରୁ ଉଠି ଅନ୍ୟତ୍ର ଚାଲିଗଲେ । କଟକ ଷ୍ଟେସନର ମୁଖରିତ ପ୍ଳାଟଫର୍ମର ଗୋଟିଏ ଅପେକ୍ଷାକୃତ ନିର୍ଜନ କୋଣରେ ପଡ଼ିରହିଲା ଅଖିଳ—ତା’ ଜୀବନରେ ଆଉ ଆସନସୋଲ୍‍ ଟ୍ରେନ ଆସିବ କି ନାହିଁ ତା’ କିଏ ଜାଣେ ?

★★★

 

ଲାଲ୍‌ ଗୀର୍ଜା

 

ସେତେବେଳେ ସହର ବୋଲି ଥିଲା ସର୍ବମୋଟ ପଚିଶଟା ଦୋକାନ । ତେଜରାତି, ଜଳଖିଆ, ମନୋହରି ଦୋକାନ ସାଙ୍ଗକୁ ଦୁଇଟା ହୋଟେଲ ବି ଥିଲା । ମଫସଲରୁ ଯେଉଁ ଲୋକମାନେ କଚେରି କାମରେ ଆସୁଥିଲେ ସେମାନେ ହିଁ ହେଉଥିଲେ ଏ ହୋଟେଲ୍‌ର ଗ୍ରାହକ । ଦୁଇଟାଯାକ ହୋଟେଲ ପାଖାପାଖି—ଦୁହିଁଙ୍କ ଭିତରେ ପ୍ରତିଦ୍ୱନ୍ଦିତା । ଦୁଇଟି ଯାକ ହୋଟେଲ୍‍ ସାମନାରେ ଦୁଇଜଣ ଚିତାଚଇତନକଟା ଲୋକ ଠିଆହୋଇ ଗରାଖମାନଙ୍କୁ ଡାକନ୍ତି ।

 

ଭିତରେ ବ୍ୟବସ୍ଥା ଅତି କଦର୍ଯ୍ୟ ଥିଲା । ତାଳପତ୍ରବୁଣା ଚଟେଇ ଆସନ ଉପରେ ଅଧଇଞ୍ଚେ ବହଳର କଳା ଜମିରହିଥାଏ—ସିଲ୍‌ଭର ଗ୍ଳାସଗୁଡ଼ିକ ଅଷ୍ଟବକ୍ର ମୁନିଭଳି ବଙ୍କାତେଢ଼ା–ବଙ୍କା ଜାଗା ଉପରେ ଜମିରହିଚି ମଳି । ଯେଉଁ ଲୋକେ ମକଦ୍ଦମା କାମରେ ଆସୁଥିଲେ; କଚେରିକାମ ସାରି ଏଇ ଦୁଇ ହୋଟେଲ୍‍ ମଧ୍ୟରୁ ଗୋଟିକୁ ବାଛୁଥିଲେ । ଇଲିଶି ମାଛ ଅବା ବଡ଼ ବଡ଼ ଚିଙ୍ଗୁଡ଼ି ମାଛର ଝୋଳ ଥିଲା ମଫସଲ ଆଗତ ଲୋକମାନଙ୍କ ପାଖରେ ଖୁବ୍‌ବଡ଼ ଆକର୍ଷଶ-। ଛ’ଣା ପକେଇଦେଇ ପେଟପୂରା ଖାଇଦେଇ ତୃପ୍ତିର ହାକୁଟି ସେମାନେ ମାରୁଥିଲେ-

 

ଦୁଇଟିଯାକ ହୋଟେଲ ଚଳେ; କାରଣ ବାଦୀ ପ୍ରତିବାଦୀ କିମ୍ୱା ମୁଦାଲା ମୁଦେଇ ଦୁଇ ପକ୍ଷଯାକ ଏକା ହୋଟେଲ୍‌କୁ ଯାଆନ୍ତି ନାହିଁ । ଗୋଟିଏ ପକ୍ଷ ଗୋଟିଏ ହୋଟେଲକୁ ଗଲେ ଅନ୍ୟପକ୍ଷ ଆର ହୋଟେଲକୁ ଯାଏ ।

 

ଦୁଇଟିଯାକ ହୋଟେଲ୍‌ର ଦୁଇଟି ନାମ ଥିଲା । ହୋଟେଲ ସାମନାରେ କିରୋସିନିକାଠ ପଟାଦେହରେ କଳାପାତିରେ ଲେଖା ନାମ—ଗୋଟିକର ନାମ ଝାଡ଼େଶ୍ୱର ହୋଟେଲ ଏବଂ ଅନ୍ୟଟିର ନାମ କାଳୀମାତା ହୋଟେଲ୍‌ ।

 

ଆମ ଗାଁର ସଦେଇ ମିଶ୍ର ଏହାରି ଭିତରୁ କାଳୀମାତା ହୋଟେଲ୍‌ର ମାଲିକ । ତାଙ୍କରି ପୁଅ ଧୂର୍ଜଟୀ ମିଶ୍ର ମାଟ୍ରିକୁଲେସନ୍‌ ପାଶ୍‍ କରି କିରାଣୀ ହେଇଛି । ଆମ ଗାଁରେ ଲୋକେ କହନ୍ତି ସଦେଇ ମିଶ୍ର ତାଙ୍କ ଅମଳ ଭିତରେ ଖୁବ୍‌ କରିଛନ୍ତି । ପୈତୃକ ଜମି ତାଙ୍କର ଥିଲା ମୋଟ ଦୁଇପା’ । ଭାତ ବିକି ଦୁଇପା’ ଜମି ହେଲା ଦୁଇବାଟି ।

 

ମୁଁ ସେତେବେଳେ ସଦ୍ୟ ଏଇ ସହରକୁ ଆସିଥାଏ । ମିସନାରୀମାନେ ଗୋଟିଏ ହାଇସ୍କୁଲ ଆରମ୍ଭ କରିଥାନ୍ତି । ମୁଁ ସେଇ ସ୍କୁଲରେ ମାଷ୍ଟରି କରୁଥାଏ । ବଜାର ପାଖରେ ଏକବଖରିଆ ଘରଟେ ନେଇ ମତେ ରହିବାକୁ ପଡ଼ୁଥାଏ । ଦରମା ମାସିକ ତିରିଶି ଟଙ୍କା । ସେଥିରେ ଆଉ ବଡ଼ଘରେ ରହିବା ମୋ ପକ୍ଷରେ ସମ୍ଭବ ନୁହେଁ । ମୁଁ ପ୍ରଥମେ ଅଗଷ୍ଟ ମାସରେ ମୋ କାମରେ ଯୋଗ ଦେଲି । ନିଜ ପାଇଁ ଦୁଇବେଳା ଦି’ମୁଠା ଫୁଟେଇନିଏ ହାତେ ହାତେ । ପ୍ରଚଣ୍ଡ ଖରାରେ ଯେତେବେଳେ ସାରା ପୃଥିବୀ ତାତିଉଠିଲା, ସ୍କୁଲ ସକାଳୁଆ ହେଲା, ସେତେବେଳେ ଆଉ ଫୁଟେଇ ଖାଇବା ମୋ ପକ୍ଷରେ ସମ୍ଭବ ହେଲାନି ।

 

ଦିନେ କାଳୀମାତା ହୋଟେଲ୍‌ର ମାଲିକ ସଦେଇ ମିଶ୍ରଙ୍କୁ ଡକେଇ ପଠେଇ ତାଙ୍କରି ହୋଟେଲରେ ମୋ ଖାଇବାର ବନ୍ଦୋବସ୍ତ କରିଦେଲି । ଏଇ ଯେ ହୋଟେଲରେ ଖାଇବା ମୁଁ ଆରମ୍ଭ କଲି, ତାପରେ ମତେ ଆଉ ତ୍ରାହି ମିଳିଲା ନାହିଁ—ହୋଟେଲ୍‌ ମାଲିକଙ୍କ ବାକି ଖାତା ଲେଖିବା ଓ ହିସାବ ବୁଝିବା ପାଇଁ ଦୈନିକ ଗୋଟିଏ ଘଣ୍ଟା ମୋର ଯାଏ ।

 

ଏହି ସମୟରେ ଏଇ ଛୋଟିଆ ସହରରେ ଗୋଟିଏ ରୋମାଞ୍ଚକର ଘଟଣା ଘଟିଲା—ସେହି ଘଟଣା ପାଇଁ ସାରା ସହରରେ ହୈ-ଚୈ କାଣ୍ଡ । ଦିନେ ସକାଳେ ମୁଁ ଉଠି ଦେଖିଲି କାଳୀମାତା ହୋଟେଲ୍‌ ପାଖରେ ଲୋକଭିଡ଼—ପୋଲିସ ଜମା ହୋଇଛନ୍ତି । ସଦେଇ ମିଶ୍ର ଧଇଁସଇଁ ହେଇ ମୋ ପାଖକୁ ଦଉଡ଼ିଲେ । କଥା କଣ ?

 

ମିଶ୍ରଙ୍କ ମୁହଁ କଳା ପଡ଼ିଯାଇଥାଏ—ଦେହରୁ ବହୁଥାଏ ଗମ୍‌ଗମ୍‌ ଝାଳ । ସେ ଅତି ବ୍ୟସ୍ତ ହୋଇପଡ଼ି କହିଲେ—ବାବୁ, ପଚାଶଟା ଟଙ୍କା ଦିଅନ୍ତୁ । କାଲିକି ପୁଣି ମୁଁ ଦେଇଦେବି ।

 

ହଠାତ୍‌ ଟଙ୍କାର କଣ ଆବଶ୍ୟକତା ବୋଲି ପଚାରିବାରୁ ମିଶ୍ରେ କହିଲେ ଟଙ୍କାଟା ଆଗେ ଦିଅନ୍ତୁ, ମୁଁ ପୋଲିସ୍‌ବାଲାଙ୍କୁ ବିଦା କରିଦେଇ ଆସେ; ସବୁ କଥା କହିବି । ଅଗତ୍ୟା ବାକ୍ସ ଖୋଲି ମୁଁ ତାଙ୍କ ହାତକୁ ପଚାଶଟା ଟଙ୍କା ବଢ଼େଇ ଦେଲି । ସେ ତରତରରେ ଯାଇ ଜଣେ ପୋଲିସ ହାତକୁ ଟଙ୍କାଟା ବଢ଼େଇଦେଲେ । ଟଙ୍କା ପାଇ ସେମାନେ ଚାଲିଗଲେ—ହୋଟେଲ୍‌ ପାଖରେ ଭିଡ଼ ବି କମିଗଲା ।

 

ବେଳ ସେତେବେଳକୁ ଆଠଟା ହେବ । ସଦେଇ ମିଶ୍ରେ ଆସି ମୋ ପାଖରେ ବସି ଆରମ୍ଭ କଲେ—ବୁଝିଲେ ଅମୀୟବାବୁ, ବଡ଼ ବିପଦରେ ପଡ଼ଲି । ଧୂର୍ଜଟୀକି ଦେଖନ୍ତୁ । ପାଠଶାଠ ପଢ଼େଇ ତାକୁ ଚାକିରି କରେଇ ଦେଲି—ଶେଷକୁ ଗୋଟେ କିରସ୍ତାନ ଟୋକିକି ନେଇ କାଲି ରାତିଠୁ କୁଆଡ଼େ ପଳେଇଛି । କ’ଣ କରିବି କୁହନ୍ତୁ ?

 

ମିଶ୍ରଙ୍କ କଥା ଶୁଣି ଆଶ୍ଚର୍ଯ୍ୟ ହେଲି । ଧୂର୍ଜଟୀ ଶେଷରେ ଏଇୟା କରି ବସିଲା ! ଧୂର୍ଜଟୀର ବୟସ ଚବିଶ ହେବ—ମୋ’ଠୁ ଚାରି ପାଞ୍ଚ ବର୍ଷ ସାନ । ସେ ଅନେକ ସମୟରେ ମୋ ପାଖକୁ ଆସି ବସି ଗଳ୍ପ କରେ—ଖୁବ୍‌ ଶାନ୍ତ ଆଉ ଶିଷ୍ଟ । ବିଶେଷତଃ ମୁଁ ତାଙ୍କ ହୋଟେଲରେ ଖାଇବା ଆରମ୍ଭ କଲାଠୁ ସେ ଅବସର ସମୟତକ ଆସି ମୋ’ରି ପାଖରେ କଟାଏ । ଅବିବାହିତ ଯୁବକକଥା କହୁ କହୁ ଅନେକ କଥା କହେ । କିଛିଦିନ ପୂର୍ବେ ସେ ମତେ କହୁଥିଲା ତାର ପ୍ରଣୟ କାହାଣୀ—କିନ୍ତୁ ସେ ଯେ ଅବିବେକୀ ଭଳି ଏମିତି ଗୋଟିଏ କାଣ୍ଡ କରିବସିବ ତା’ମୁଁ ସ୍ୱପ୍ନରେ ସୁଦ୍ଧା ଭାବିନଥିଲି ।

 

ଧୂର୍ଜଟୀ ଯେଉଁ ଝିଅଟିକି ନେଇ ପଳେଇଯାଇଛି ସେ ଝିଅଟିର ନାମ ଶାନ୍ତା ବେହେରା । ସହର ମଝିରେ ପ୍ରୋଟେଷ୍ଟାଣ୍ଟ୍‌ମାନଙ୍କର ଯେଉଁ ବଡ଼ ଗୀର୍ଜାଟା ରହିଛି, ଯାହାର ଡାକନାମ ହେଉଛି ଲାଲାଗୀର୍ଜା—ଶାନ୍ତାର ଘର ଠିକ୍ ସେଇ ଗୀର୍ଜାକୁ ଲାଗି । ତା’ ବାପା ସାଇମନ ବେହେରା ଏଇ ଲାଲଗୀର୍ଜାର ତତ୍ତ୍ୱାବଧାରକ । ଶାନ୍ତା ଆଉ ଧୂର୍ଜଟୀ ସମବୟସୀ—ପୁଣି ଏକାସାଙ୍ଗରେ ପାଠ ପଢ଼ୁଥିଲେ । ଫାଦର ଏଣ୍ଟୋନୀ ଧୂର୍ଜଟୀକୁ କହନ୍ତି—ମିଶ୍ର, ତୁମେ ଖ୍ରୀଷ୍ଟିୟାନ୍‌ ହବାପାଇଁ ଉପଯୁକ୍ତ । ଭଗବାନ ତୁମକୁ ଖ୍ରୀଷ୍ଟିୟାନ୍‌ର ସବୁ ସଦ୍‌ଗୁଣ ଦେଇଛନ୍ତି ।

 

ଶାନ୍ତା କହେ—ଧୂର୍ଜଟୀ, ତୁମେ ଖ୍ରୀଷ୍ଟିୟାନ୍‌ ହୋଇଯା । ଫାଦର ତମକୁ ଖୁବ୍‌ ଭଲପାଆନ୍ତି । ଖ୍ରୀଷ୍ଟିୟାନ୍‌ ହେଲେ ବହୁତ ସୁବିଧା ତୁମେ ପାଇବ ।

 

ମାତ୍ର ଧୂର୍ଜଟୀ ଖ୍ରୀଷ୍ଟିୟାନ୍‌ ହୋଇନାହିଁ । ତରୁଣ ଛାତ୍ରଜୀବନରେ ତାର ଏକମାତ୍ର ଆଶ୍ରୟସ୍ଥଳ ବାପକୁ ଛାଡ଼ି ଖ୍ରୀଷ୍ଟିୟାନ୍‌ ହୋଇଯିବାକୁ ତାର ସାହସ ହୋଇନାହିଁ । ମିସନାରୀମାନେ ସେତେବେଳେ ଖୁବ୍‌ ତତ୍ପର—ଖ୍ରୀଷ୍ଟଧର୍ମର ପ୍ରସାର ପାଇଁ ଲୋକମାନଙ୍କୁ ଚାକିରି ପ୍ରଭୃତିର ପ୍ରଲୋଭନ ଦେଖାଇ ବହୁଲୋକଙ୍କୁ ସେମାନେ ନିଜ ଧର୍ମର ଦୀକ୍ଷିତ କରାଇ ନେଉଛନ୍ତି । ଲାଲଗୀର୍ଜା ଉଛୁଳି ଉଠୁଛି । ଫାଦର ଏଣ୍ଟୋନୀ ହସି ହସି ସମସ୍ତଙ୍କୁ ଆଶୀର୍ବାଦ କରୁଛନ୍ତି—ଭଗବାନ ତୁମର ମଙ୍ଗଳ କରିବେ ।

 

ଶାନ୍ତା ଆଉ ଧୂର୍ଜଟୀ—ଛାତ୍ରଜୀବନରେ ପରସ୍ପର ପ୍ରତି ଆକୃଷ୍ଟ ହୋଇଥିଲା । ଛାତ୍ରଜୀବନର ସମାପ୍ତି ପରେ ଶାନ୍ତା ରହିଥିଲା ଘରେ; ଆଉ ଧୂର୍ଜଟୀ ଏଇ ଫାଦରଙ୍କର ଦୟାରୁ କିରାଣୀ ଚାକିରି ଖଣ୍ଡିଏ ପାଇଥିଲା । ପ୍ରତ୍ୟହ ସେ ଲାଲଗୀର୍ଜାକୁ ଯାଏ—ଏଇ ଶିକ୍ଷିତ ତରୁଣକୁ ଖ୍ରୀଷ୍ଟଧର୍ମ ପ୍ରତି ଆକୃଷ୍ଟ କରାଇବା ପାଇଁ ତାକୁ ସବୁପ୍ରକାର ସୁବିଧା ଦିଆଯାଏ । ଲାଲଗୀର୍ଜାର ଦ୍ୱାର ତା’ ପାଇଁ ଉନ୍ମୁକ୍ତ । ତତ୍ତ୍ୱାବଧାରକଙ୍କ କନ୍ୟା ହିସାବରେ ଶାନ୍ତାର ମଧ୍ୟ ଗୀର୍ଜା ଭିତରକୁ ଅବାଧ ପ୍ରବେଶ କରିବାର ଅଧିକାର ଥିଲା । କଚେରି ଛୁଟି ପରେ ଧୂର୍ଜଟୀ ପ୍ରାୟ ପ୍ରତ୍ୟହ ଏଇ ଗୀର୍ଜାକୁ ଆସେ । ଗୀର୍ଜା ଚାରିପାଖରେ ପ୍ରଶସ୍ତ ବଗିଚା—ନାନା ଜାତିର ଫଳଫୁଲରେ ଭରା । ସନ୍ଧ୍ୟା ପରେ ଏହା ପ୍ରାୟ ନିର୍ଜନ ହୋଇଯାଏ । ଗୀର୍ଜାରେ ଧୂର୍ଜଟୀର ଶାନ୍ତା ସହିତ ଦେଖାହୁଏ ।

 

ଏ ଏକପ୍ରକାରର ଆକର୍ଷଣ । ଶାନ୍ତା ଧୂର୍ଜଟୀକୁ ଭଲପାଏ; ମାତ୍ର ତାର ନାରୀତ୍ୱକୁ ସେ କେବେହେଲେ ଅତ୍ୟାଚାରିତ ହେବାକୁ ଦେଇନାହିଁ । ସେ ସବୁବେଳେ କହେ—ଅପେକ୍ଷା କର । ସେଇ ମଙ୍ଗଳମୟ ମୁହୂର୍ତ୍ତ ନିଶ୍ଚୟ ଆସିବ ।

 

ଅପେକ୍ଷା ଆଉ ଅପେକ୍ଷା—ତରୁଣ ଧୂର୍ଜଟୀ ଅପେକ୍ଷା କରି କରି ଅତିଷ୍ଠ ହୋଇଉଠିଥିଲା-। ଆଉ କୌଣସି ଝିଅ ହୋଇଥିଲେ ସେ ହୁଏତ ତା’କୁ ପରିତ୍ୟାଗ କରିଥାନ୍ତା । ମାତ୍ରା ଶାନ୍ତା ଭଳି ଝିଅ; କେଉଁ ଗୁଣ ତାର ନାହିଁ ସୁନ୍ଦରୀ, ସୁଶ୍ରୀ, ନମ୍ର, ମିଷ୍ଟଭାଷିଣୀ—ସବୁ ଗୁଣରେ ସେ ପରିପୂର୍ଣ୍ଣ । ଫାଦର୍‌ କହନ୍ତି—ଶାନ୍ତା ଏକ ଅଭିଶପ୍ତା ଏଞ୍ଜେଲ୍‌ । ନୋହିଲେ ଏମିତିକା ଝିଅ ସହଜରେ ଜନ୍ମ ନିଏନା ଶାନ୍ତା ପାଇଁ ଅପେକ୍ଷା କରିବା ବ୍ୟତୀତ ଧୂର୍ଜଟୀର ଆଉ ଅନ୍ୟ ପନ୍ଥା ନ ଥିଲା ।

 

ଶାନ୍ତା ବସି ବସି କହେ—ସେଇ ଆଲୋକମୟ ମୁହୂର୍ତ୍ତ ଆସିବ ଧୂର୍ଜଟୀ; ତୁମେ ନିରାଶ ହୁଅନି ।

 

କିନ୍ତୁ ଧୈର୍ଯ୍ୟର ଗୋଟାଏ ସୀମା ଅଛି । ଶାନ୍ତା ଧୂର୍ଜଟୀକୁ ବିବାହ କରିବି ଗୋଟାଏ ସର୍ତ୍ତରେ—ସେ ଯଦି ଖ୍ରୀଷ୍ଟିୟାନ୍‌ ହୁଏ । ମାତ୍ର ଧୂର୍ଜଟୀର ସେ ସାହସ ନଥିଲା । କୁଳୀନ ବ୍ରାହ୍ମଣ ଘରର ପିଲା—ବାପ ମା, ବନ୍ଧୁ କୁଟୁମ୍ୱ, ସମାଜ ସବୁକୁ ଛାଡ଼ିଦେଇ ସେ ଖ୍ରୀଷ୍ଟିୟାନ୍‌ ହେବ, ସେଥିପାଇଁ ଯେତେ ଦମ୍ଭ ଦରକାର ସେତକ ଦମ୍ଭ ତାର ନଥିଲା । ବିବାହ ନହେଲେ ଶାନ୍ତା ଦୁଷ୍ପ୍ରାପ୍ୟ-

 

ଦିନକର ସନ୍ଧ୍ୟା । ସେଇ ପ୍ରାର୍ଥନା-କକ୍ଷର ପାବଚ୍ଛ ଉପରେ ପାଖ ପାଖ ହୋଇ ବସିଥିଲେ ଧୂର୍ଜଟୀ ଆଉ ଶାନ୍ତା । ଶାନ୍ତାର କୁଞ୍ଚିତ କେଶର ମହକ ତରୁଣ ଧୂର୍ଜଟୀ ପ୍ରାଣରେ ତୋଳୁଥିଲା ଆଲୋଡ଼ନ । ସେ ତାର ପୁଷ୍ପମଣ୍ଡିତ ଗଭାକୁ ତା’ ଛାତି ଉପରକୁ ଆଉଜାଇ ଆଣି କହିଲା—ଶାନ୍ତା, ଏଞ୍ଜେଲ୍‌, ତୁମ ସ୍ୱର୍ଗୀୟ ଦେହଗନ୍ଧରେ ମୁଁ ମତୁଆଲ୍‌ ହେଇଉଠିଲିଣି—ଆଉ ଅପେକ୍ଷା କରିବା ସମ୍ଭବ ନୁହେଁ ।

 

ଶାନ୍ତା ତାର ଭ୍ରୂଯୁଗଳ ନଚାଇ ଅନୁପମ ଭଙ୍ଗୀରେ କହିଲା—ଧୂର୍ଜଟୀ, ତୁମେ ମହତ୍‌, ତୁମେ ଉଦାର । ଏଇ ଯେଉଁ ଛବି ସାମନାରେ ଦେଖୁଛ, ସେଇ ମହାପୁରୁଷ ବିଶ୍ୱସଂସାରର ପ୍ରେମ ପାଇଁ କ୍ରୂଶରେ ନିଜର ଜୀବନ ବଳିଦେଇଥିଲେ । ସେ ଯେଉଁ ଅସୀମ ତ୍ୟାଗର ପଥ ଦେଖାଇ ଯାଇଛନ୍ତି, ତା’ ମଣିଷକୁ ଯୁଗ ଯୁଗ ପାଇଁ ପଥ ଦେଖାଇଯାଇଛି । ସେଇଭଳି ନିଷ୍ଠା, ସେଇଭଳି ତ୍ୟାଗ ତୁମେ କଣ ମୋ ପାଇଁ କରିପାରିବ ନାହିଁ ?

 

ଧୂର୍ଜଟୀ ଭାବପ୍ରବଣ ହେଇଉଠିଚି । ସେ ଚିତ୍କାର କଲା—ନିଶ୍ଚୟ ପାରିବି ।

 

ତା’ପରେ ଶାନ୍ତା ପୁଣି କହିଲା—ତେବେ ଚାଲ, ଏଇ ସହରଠାରୁ ଦୂରକୁ ଚାଲିଯିବା—ଯେଉଁଠି ହେଲେ ଚାକିରି କରି ଚଳିଯିବା । କେହି କାହାର ଧର୍ମ ନବଦଳାଇ ବିବାହ କରିବା । ତୁମେ ରହିବ ହିନ୍ଦୁ ଆଉ ମୁଁ ଖ୍ରୀଷ୍ଟିୟାନ୍‌—କ୍ଷତି କଣ ?

 

ଏ ପ୍ରସ୍ତାବ ଧୂର୍ଜଟୀର ମନକୁ ମାନିଛି । ମାଂସଲୋଭରେ ବାଘ ଗୁଳିମୁହଁକୁ ଆସିବା ଭଳି ସେ ଭୁଲିଗଲା ଅଭାବିତ ବିପଦର ପଦଧ୍ୱନିକୁ ।

 

ସେଦିନର କମନୀୟ ରାତ୍ରିରେ ଉଭୟେ ଏଇ ସହର ଛାଡ଼ି ଚାଲିଗଲେ । ପରଦିନ ସଦେଇ ମିଶ୍ର ଆସି ମତେ କହିଲେ ଯେ—ଝାଡ଼େଶ୍ୱର ହୋଟେଲର ମାଲିକ ଜୀବନ ତିଆଡ଼ି ପୋଲିସକୁ ହାତକରି ସଦେଇ ମିଶ୍ରଙ୍କୁ ଗିରଫ କରିବା ପାଇଁ ମତାଉଛନ୍ତି । ସଦେଇ ମିଶ୍ର ଗିରଫ ହେଲେ କାଳୀମାତା ହୋଟେଲ ବନ୍ଦ ହୋଇଯିବ । ମୁଁ ବସି ବସି ଭାବୁଥିଲି, ସଦେଇ ମିଶ୍ର ବିନା ଦୋଷରେ ଦଣ୍ଡିତ ହେବେ କାହିଁକି ? ପୁଅର ଅପକର୍ମ ପାଇଁ ବାପ କିପରି ଦାୟୀ ହେବ ? ସଦେଇ ମିଶ୍ର ତାଙ୍କ ଉଦ୍ଧାର ପାଇବାର ବାଟ ମତେ ପଚାରୁଥିଲେ ।

 

ଭାବି ଭାବି ଗୋଟାଏ ବାଟ ମୁଁ ଠିକ୍‌ କଲି । ସଦେଇ ମିଶ୍ରଙ୍କୁ ସଙ୍ଗରେ ନେଇ ଫାଦର ଏଣ୍ଟୋନୀଙ୍କ ପାଖରେ ଯାଇ ପହଞ୍ଚିଲା । ଫାଦର ସେତେବେଳେକୁ ପ୍ରାର୍ଥନା କରୁଥିଲେ । ଆମକୁ ବାହାରେ ଅପେକ୍ଷା କରିବାକୁ ପଡ଼ିଲା । ପ୍ରାୟ ଘଣ୍ଟାଏ ପରେ ସେ ହାତରେ ଗୋଟାଏ ଲାଲ୍‌ ଆଲୁଅ ଧରି ବାହାରକୁ ଆସିଲେ । ଆମେ ନମସ୍କାର କଲୁ । ସେ ଆମକୁ ଭିତରକୁ ଡାକିନେଲେ । ସୁସଜ୍ଜିତ ଗୀର୍ଜା ଭିତରକୁ ଯାଇ ମୋର ମଧ୍ୟ ମନେହେଉଥିଲା ମୁଁ ଯେମିତି ଜଣେ ଖ୍ରୀଷ୍ଟିଆନ୍‌ । ଫାଦର ଆମ୍ଭମାନଙ୍କ କୁଶଳ ସମାଚାର ପଚାରି ଆସିବାର କାରଣ ପଚାରିଲେ । ମୁଁ ତାଙ୍କୁ ସବୁକଥା କହିଲି ଆଉ ପଚାରିଲି ଉଦ୍ଧାର ପାଇବାର ଉପାୟ । ସେ ତାଙ୍କର ଧଳାଦାଢ଼ିରେ ଲାଲ୍‌ହାତ ବୁଲାଉ ବୁଲାଉ କହିଲେ—ଈଶ୍ୱରଙ୍କୁ ପ୍ରେମ କଲେ ସେ ଉଦ୍ଧାର କରିବେ । ପ୍ରେମ ହିଁ ଏ ଜଗତର ମୂଳ । ଧୂର୍ଜଟୀ ଯଦିଚ ବିଧିବଦ୍ଧ ଭାବରେ ଖ୍ରୀଷ୍ଟିୟାନ୍‌ ହୋଇନାହିଁ, ତଥାପି ମୋ ଆଖିରେ ସେ ଖ୍ରୀଷ୍ଟିୟାନ୍‌ । ସେ ଜଗତର ଆଲୋକ ଦେଖିଛି । ପ୍ରଭୁ ଯୀଶୁ ତାକୁ ଆଶ୍ରୀବାଦ କରିବେ । ଶାନ୍ତା ତାର ଉପଯୁକ୍ତ ସହଧର୍ମିଣୀ ହୋଇପାରିବ । ଆପଣମାନେ ଆଉ ଆପତ୍ତି କରନ୍ତୁ ନାହିଁ । ଶାନ୍ତା ଆଉ ଧୂର୍ଜଟୀର ବିବାହ ଏଇ ଲାଲ୍‌ଗୀର୍ଜାରେ ମୁଁ ସମ୍ପନ୍ନ କରିଦିଏ ।

 

ଫାଦର ନୀରବ ରହିଲେ । ସଦେଇ ମିଶ୍ରେ ମୋ ମୁହଁକୁ ଚାହିଁ ରହିଥିଲେ । ସମ୍ଭବତଃ ତାଙ୍କ ଆଖିକି ଲୁହ ଆସୁଥିଲା ।

 

ଫାଦର ପୁଣି କହିଲେ—ଧୂର୍ଜଟୀ ବିରୁଦ୍ଧରେ ଯେଉଁ କେସ୍‌ ହେବାକୁ ଯାଉଛି, ତାହା ଏକ ଶକ୍ତ କେସ୍‌ । ସେହି କେସ୍‌ରୁ ଉଦ୍ଧାର ପାଇବାର ଏକମାତ୍ର ଉପାୟ ଉଭୟଙ୍କର ବିବାହ ।

 

ମିଶ୍ରେ କହିଲେ—ତା’ହେଲେ କଣ ଧୂର୍ଜଟୀକି ଖ୍ରୀଷ୍ଟିୟାନ୍‌ ହବାକୁ ହେବ ?

 

—ତା’ ଛଡ଼ା ଆଉ ଉପାୟ କଣ ମିଶ୍ରେ ? ତୁମେ ଭୁଲ ବୁଝୁଛ । ତା’ ଭଳି ମହତ୍‌ ଲୋକର ଖ୍ରୀଷ୍ଟିୟାନ୍‌ ହବା ଦରକାର । ପୋଲିସ କେସ୍‌ ରୁଜୁ କରିବାପାଇଁ ମତେ ଥାନାକୁ ଡକାଇଛି-। ଏତକ କହି ଫାଦର ତାଙ୍କ ପକେଟରୁ ସମନ୍‌ କାଢ଼ି ଆମକୁ ଦେଖାଇଲେ, ଆଉ କହିଲେ—ଚାଲ, ସମସ୍ତେ ଥାନାକୁ ଯିବା । ମିଶ୍ର, ତୁମେ ସେଇଠି ଲେଖିଦେଇ ଆସିବ ଧୂର୍ଜଟୀ ଖ୍ରୀଷ୍ଟିୟାନ୍‌ ହେଲେ ତୁମର କିଛି ଆପତ୍ତି ନାହିଁ । ତା’ପରେ ସେ ଦୁଇଜଣଙ୍କୁ ଖୋଜି ବାହାର କରିବାର ଭାର ଆମ ଉପରେ । କେଉଁଠି ସେ ଲୁଚିବେ—ସେମାନେ ଲୁଚି ରହି ପାରିବେ ନାହିଁ । ସୂର୍ଯ୍ୟର ଆଲୋକରେ ସେମାନେ ଦିନେ ନିଶ୍ଚୟ ପ୍ରକାଶିତ ହେବେ ।

 

ମାତ୍ର ଧୂର୍ଜଟୀ ଖ୍ରୀଷ୍ଟିୟାନ୍‌ ହବା ପରିବର୍ତ୍ତେ ଶାନ୍ତାକୁ ଯଦି ହିନ୍ଦୁ କରି ନିଆଯାଏ—ମାତ୍ର ଆମ ଧର୍ମରେ ତା’ ସମ୍ଭବ ନୁହେଁ । ତେଣୁ କହିବାର ଆଉ କିଛି ନଥିଲା । ତିନିହେଁଯାକ ଫାଦରଙ୍କର ଘୋଡ଼ାଗାଡ଼ିରେ ଚଢ଼ି ଥାନାକୁ ଗଲୁଁ । ଥାନାରେ ଯାଇ ଦେଖିଲୁ ଧୂର୍ଜଟୀ ଆଉ ଶାନ୍ତା ଉଭୟଙ୍କୁ ପୋଲିସ କଲିକତାଠାରୁ ଉଦ୍ଧାର କରି ଆଣିସାରିଛି । ସେତେବେଳେକୁ, ଆଉ ଧୂର୍ଜଟୀ ଲେଖିଦେଇଛି ସେ ଶାନ୍ତାକୁ ବିବାହ କରି ଖ୍ରୀଷ୍ଟିୟାନ୍‌ ହବ ।

 

ଫାଦରଙ୍କର ନିର୍ଦ୍ଦେଶରେ ସଦେଇ ମିଶ୍ର ଧୂର୍ଜଟୀ ଲେଖିଥିବା କାଗଜ ଉପରେ ସାକ୍ଷୀ ପଡ଼ିଲେ; ଆଉ ମୁଁ ମଧ୍ୟ ।

 

ପରଦିନ ଆମ ଦୁହିଁଙ୍କୁ ପୁଣି ଗୀର୍ଜାକୁ ଯିବାକୁ କହି ଫାଦର ଧୂର୍ଜଟୀ ଆଉ ଶାନ୍ତାକୁ ସାଙ୍ଗରେ ନେଇ ଲାଲ୍‌ଗୀର୍ଜାକୁ ଚାଲିଗଲେ । ତା’ପର ଦିନ ଚାରିଟା ବେଳେ ଲାଲ୍‌ଗୀର୍ଜାରୁ ଘନଘନ ଘଣ୍ଟା ଆବାଜ ଭାସିଆସୁଥାଏ । ଆମେ ଦୁହେଁ ଯାଇ ଦେଖିଲୁ ଧୂର୍ଜଟୀ ଆଉ ଶାନ୍ତାର ବିବାହ—ଉତ୍ସବ ସରିଯାଇଛି । ଉପସ୍ଥିତ ଶ୍ରୋତୃମଣ୍ଡଳୀକୁ ଫାଦର ଏଣ୍ଟୋନୀ ଗମ୍ଭୀର ସ୍ୱରରେ ବାଇବେଲ ପଢ଼ି ବୁଝାଉଛନ୍ତି; ଆଉ କହୁଛନ୍ତି—ପ୍ରତ୍ୟେକ ମଣିଷ ସମାନ । ପ୍ରେମ ହିଁ ଜଗତର ମୂଳ ମନ୍ତ୍ର । ପ୍ରେମବଳରେ ହିଁ ତୁମେ ଜ୍ଞାନର ଆଲୋକ ଦେଖିପାରିବ ।

 

ସଦେଇ ମିଶ୍ର କାନ୍ଦିଉଠିଲେ । ଧୂର୍ଜଟୀ ଆଉ ଶାନ୍ତା ଆସି ତାଙ୍କୁ ପ୍ରାଣାମ କଲେ । ଫାଦର ଏଣ୍ଟୋନୀ କହିଲେ—ଆଲୋକ ହିଁ ଆମର ଲକ୍ଷ୍ୟ... । ମାତ୍ର ସଦେଇ ମିଶ୍ର ଭାବୁଥିଲେ ତାଙ୍କର ଏକମାତ୍ର ପୁତ୍ରର ଧର୍ମ ପରିବର୍ତ୍ତନରେ ତାଙ୍କ ବଂଶର ଆଲୋକ ଯେମିତି ନିଭିଯାଇଛି । ଗୀତରେ ଅଛି—ସ୍ୱଧର୍ମେ ନିଧନଂ ଶ୍ରେୟଃ ପରଧର୍ମୋ ଭୟାବହାଃ ।

 

ସେହିଦିନ ରାତିଠାରୁ କାଳୀମାତା ହୋଟେଲ୍‌ ବନ୍ଦ ହେଇଯାଇଛି । ସଦେଇ ମିଶ୍ର ଗାଁକୁ ଚାଲିଯାଇଛନ୍ତି ।

 

ଏକମାସ ପରେ । ଦିନେ ହଠାତ୍‌ ସଂଧ୍ୟା ସମୟରେ ଫାଦର ଏଣ୍ଟୋନୀଙ୍କ ସହିତ କଚେରି ପାଖରେ ଦେଖାହେଲା । ଦେହକୁ ସାଦା ପୋଷାକରେ ଆବୃତ୍ତ କରି ସେ ସାଂଧ୍ୟ ଭ୍ରମଣରେ ଯାଉଥିଲେ । ମୁଁ ତାଙ୍କୁ ନମସ୍କାର କଲି । ସେ କହିଲେ—କି ବାବା, ଭଲ ଅଛ ? ମୁଁ ଶୁଣିଲି ତୁମେ ଆମ ସ୍କୁଲରେ ଚାକିରି କରୁଛ । ଆମ ସ୍କୁଲରେ ଚାକିରି କଲେ ଖ୍ରୀଷ୍ଟିୟାନ୍‌ ହବା ଦରକାର । ମୁଁହରେ ତାଙ୍କର ପ୍ରଶାନ୍ତିର ହସ । ମାତ୍ର ତାଙ୍କର ଏ କଥାଟି ମତେ ଭଲ ଲାଗିଲା ନାହିଁ-। ମୁଁ କହିଲି—ପ୍ରଭାବ ପକେଇ ଏମିତି ଭାବରେ ଧର୍ମ ବଦଳେଇବା କଣ ଆପଣଙ୍କର ବାଇବେଲରେ ଲେଖାଅଛି ?

 

ସେ ହସିଲେ । କହିଲେ—ଏଇ ହଉଚି ଏ ଲାଲ୍‌ଗୀର୍ଜାର ଇତିହାସ— ସେଇଥିପାଇଁ ମୋର ଏଠାରେ ଅବସ୍ଥିତ । ମୁଁ ଏଇ ପନ୍ଦରବର୍ଷ ଭିତରେ ପାଞ୍ଚ ହଜାର ପରିବାରକୁ ଖ୍ରୀଷ୍ଟିୟାନ୍‌ ଧର୍ମର ଦୀକ୍ଷିତ କରାଇଛି । ସେଇଥିପାଇଁ ମୋର ପ୍ରମୋସନ୍‌ ହେଇଛି । ମୁଁ ବଦଳି ହୋଇଯାଉଛି କଲିକତା ।

 

ବାସ୍ତବିକ ଦୁଃଖ ଲାଗିଲା—ଯେତେବେଳେ ମୁଁ ଏଇ ଖ୍ରୀଷ୍ଟିୟାନମାନଙ୍କ ସହିତ ଆମ ଧର୍ମର ଲୋକମାନଙ୍କୁ ତୁଳନା କରୁଥିଲି । ସେମାନଙ୍କର କି ନିଷ୍ଠା, କି ଆଗ୍ରହ ! ଆଉ ଆମର ଶହଶହ ମନ୍ଦିର ଭାଙ୍ଗି ରୁଜି ଧୂଳିସାତ ହେଉଛି—ଭାଗବତ ଟୁଙ୍ଗି ନିଶ୍ଚିହ୍ନ—ମନ୍ଦିରରେ ସନ୍ଧ୍ୟାବେଳେ ଘଣ୍ଟା ବଜେଇବା ପାଇଁ ଲୋକ ମିଳୁନାହାନ୍ତି—ଆମ ଧର୍ମର ଦ୍ୱାର ଅନ୍ୟ ପାଇଁ ରୁଦ୍ଧ । ମାତ୍ର ଏଇ ଲାଲ୍‌ଗୀର୍ଜା ! ପ୍ରତି ସନ୍ଧ୍ୟାରେ ସେଠି ବାଜୁଛି ପ୍ରାର୍ଥନା ଘଣ୍ଟା; ଆଉ ଫାଦର ବୁଝାଉଛନ୍ତି ବାଇବେଲ୍‌ର ମନ୍ତ୍ର..... ।

★★★

 

ଶୂନ୍ୟ ପ୍ରାନ୍ତର

 

ଏକ କୋଳାହଳମୁଖରିତ ସଂଧ୍ୟା ।

 

ଓ୍ୱେଲିଂଟନ ରାସ୍ତାର ଗୋଟିଏ ତ୍ରିତଳ ପ୍ରାସାଦରେ ମଜ୍‌ଲିସ୍‌ଟି ବେଶ୍‌ ସରଗରମ ହେଇଉଠିଥିଲା କୋଠରିଟି ନୀଳ ଆଲୋକରେ ଉଦ୍‌ଭାସିତ । ତଳେ କାଶ୍ମୀରି ଗାଲିଚା ଉପରେ ବେଶ୍‌ ମସୃଣ କାଠର ଆସବାବପତ୍ର—ରଙ୍ଗୀନ୍‌ ଫୁଲଦାନିରେ ରଜନୀଗନ୍ଧା ଫୁଲର ସୁନ୍ଦର ଅଥଚ ଆଡ଼ମ୍ୱରହୀନ ଉତ୍ସବ । ମହୀଶୂରର ଧୂପବତି ଆମୋଦିତ କରୁଥିଲା ସାରା ପ୍ରକୋଷ୍ଠଟିକୁ । ପ୍ରବୀର ସୋଫା ଉପରେ ବସି କାନ୍ଥରେ ଝୁଲୁଥିବା ‘ନାଗୀନ୍‌’ ଛବିର ଏକ ଚିତ୍ରପଟଆଡ଼େ ଚାହିଁରହିଥିଲେ—ପାଖରେ ବିଚିତ୍ରା ବେଶ୍‌ ମନୋଯୋଗ ଦେଇ ବୀଣା ବଜାଉଥିବା ସୁକାନ୍ତଙ୍କୁ ଲକ୍ଷ୍ୟ କରୁଥିଲେ । କି ସୁନ୍ଦର ଛନ୍ଦ ! ନିର୍ଜୀବ ବୀଣା ଯେମିତି ଆଜି ସଞ୍ଜୀବିତ ହେଇଉଠିଛି—ତାଳରେ ଲହାରୀରେ ଫୁଟିଉଠୁଚି କେଉଁ ଏକ ଅବ୍ୟକ୍ତ ହୃଦୟର ମର୍ମସ୍ପଶୀ କବିତା—ଯମୁନା କୂଳର ବିରହୀ ଗୋପାଳ ରାଧାର ଅଭାବରେ ଆଜି ଆତ୍ମହରା, ଯମୁନା ବହି ଚାଲିଚି ତା’ର ଅବିରାମ ଛନ୍ଦ ତୋଳି—ବନ, ପ୍ରାନ୍ତର, ଗ୍ରାମ, ସହର, ସବୁ ଆଜି ପାଗଳ ହେଇଉଠିଛି । କି ଛନ୍ଦ, କି ଲହର, କି ଭାଷା ! ସୁକାନ୍ତଙ୍କ ଚକ୍ଷୁ ମୁଦ୍ରିତ; ସେ ନିଜକୁ ଭୁଲିଯାଇଛନ୍ତି । ତାଙ୍କର ଗତ ପନ୍ଦର ବର୍ଷର ନିରବଚ୍ଛିନ୍ନ ସାଧନା; ସାରା ଭାରତରେ ସେ ଆଜି ଶ୍ରେଷ୍ଠ ବୀଣାବାଦକଙ୍କ ମଧ୍ୟରୁ ଜଣେ । ପ୍ରବୀର ଏବଂ ସୁକାନ୍ତ ବାଲ୍ୟବନ୍ଧୁ, ସ୍କୁଲଠାରୁ ବି. ଏ. ପାଶ୍‍କରିବା ପର୍ଯ୍ୟନ୍ତ ଉଭୟ ସହପାଠୀ ଥିଲେ । ୧୯୪୪ ମସିହାରେ ବି. ଏ. ପାଶ୍‍ କରି ପ୍ରବୀର ସରକାରୀ ଚାକିରିରେ ଭର୍ତ୍ତି ହେଲେ; ଆଉ ଶିଳ୍ପୀ ସୁକାନ୍ତ ତାଙ୍କର ମଫସଲ ଗାଁକୁ ଯାଇ କଳାର ସାଧନାରେ ମନପ୍ରାଣ ଢାଳିଦେଲେ । କଳା ତାଙ୍କର ସବୁ । ଭାଇ-ବନ୍ଧୁ ହୀନ ବିରାଟ ଦୁନିଆରେ ସୁକାନ୍ତଙ୍କର ଏକମାତ୍ର ସଙ୍ଗୀ ତାଙ୍କର ‘ବୀଣା’ ।

 

କଲିକତା ନିଉ ଏମ୍ପାୟାର ଥିଏଟର ହଲରେ ୧୯୫୦ ମସିହା ଏପ୍ରିଲ ମାସରେ ସଙ୍ଗୀତ ସମ୍ମିଳନୀ ହେଉଥାଏ—ପ୍ରବୀର ଖବରକାଗଜରୁ ଦେଖିଲେ ଶିଳ୍ପୀ ସୁକାନ୍ତ ନିମନ୍ତ୍ରିତ ହୋଇ ଏଇ ସମ୍ମିଳନୀରେ ଯୋଗ ଦେଉଛନ୍ତି । ସମ୍ମିଳନୀ ଶେଷରେ ନିଜେ ପ୍ରବୀର ଯାଇ ତାଙ୍କର ବାଲ୍ୟବନ୍ଧଙ୍କୁ ନିମନ୍ତ୍ରଣ କରିଥିଲେ । ବହୁତ ଦିନ ୟା’ ଭିତରେ ଅତୀତ ହେଇଯାଇଥିଲା—ସୁକାନ୍ତଙ୍କ ବୀଣାର ଛନ୍ଦ ପ୍ରବୀର ଶୁଣିବାକୁ ପାଇନଥିଲେ । ଛାତ୍ରଜୀବନରେ ପ୍ରବୀର ହିଁ ଥିଲେ ସୁକାନ୍ତଙ୍କ କଳାର ଏକ ନିଷ୍ଠାପର ଉପାସକ । ସେ ଚାହୁଁ ଥିଲେ ସୁକାନ୍ତ ଦିନେ ବଡ଼ ହୁଅନ୍ତୁ—ଭାରତସାରା ଉଜ୍ଜ୍ୱଳ ହେଇଉଠୁ ତାଙ୍କର ସୁବିମଳ ଯଶରାଶିରେ ।

 

ବୀଣା ବନ୍ଦ ହେଲା । ପ୍ରବୀର ସୋଫା ଉପରୁ ଉଠିପଡ଼ି ସୁକାନ୍ତଙ୍କୁ ଆଲିଙ୍ଗନ କରି ଗୋଟିଏ ଫୁଲତୋଡ଼ା ଉପହାର ଦେଲେ, ଆଉ ବିଚିତ୍ରାଙ୍କୁ ଉଦ୍ଦେଶ୍ୟ କରି କହିଲେ—ଶୁଣିଲ—ଜୀବନରେ ଏମିତି ବୀଣାଛନ୍ଦ ତୁମେ ଆଉ କେଉଁଠି ଶୁଶିଛ ? ଆଶ୍ଚର୍ଯ୍ୟ !

 

ବିଚିତ୍ରା କେଉଁ ଏକ ସ୍ୱପ୍ନ ମହଲରେ ଘୂରିବୁଲୁଥିଲେ ସେତେବେଳକୁ । ସ୍ୱାମୀଙ୍କର କଥା ଶୁଣି ସେ ବାସ୍ତବ ଜଗତକୁ ଫେରିଆସିଲେ । ମନ ଭିତରେ ତଥାପି ତାଙ୍କର ଲାଗିରହିଥିଲା ବନ୍ଦ ହେଇଯାଇଥିବା ବୀଣାର ଝଙ୍କାର । ପ୍ରବୀର କହିଲେ—ତୁ ମୋ ପାଖରେ ସପ୍ତାହେ ରହିବୁ ସୁକାନ୍ତ-। ଏତେ ଦିନ ପରେ ଦେଖାହେଇଚି, ଏତେ ଶୀଘ୍ର ମୁଁ ତୋତେ ଛାଡ଼ିପାରିବି ନାହିଁ । ତୋର ଏଥିରେ କିଛି ଆପତ୍ତି ଅଛି ?

 

ସୁକାନ୍ତ ହସିଲେ—ତୁ ମତେ ସେଇମିତି ପୂର୍ବପରି ଭଲପାଉ ? ଏତେ ଦିନର ବ୍ୟବଧାନ ପରେ ବି ତୁ ମତେ ଏମିତି ନିବିଡ଼ଭାବରେ ମନେ ରଖିଚୁ ?

 

ଛାତ୍ରଜୀବନରେ କେତେ ସନ୍ଧ୍ୟାରେ ବସି ତୁ ମୋ ପାଖରେ ବୀଣା ବଜେଇଚୁ, କହତ ! ମୁଁ ସିନା ନିଜେ ସଙ୍ଗୀତର ଧାରା ଧାରେନାହିଁ; କିନ୍ତୁ ତୁ ବୀଣା ବଜେଇଲେ ମୁଁ କାହିଁକି ସବୁ କଥା ଭୁଲିଯାଏ । ରହିବୁନି ?

 

—ରହିବି ।

 

ବିଚିତ୍ରା ଘର ଭିତରକୁ ଉଠିଗଲେ ଦୁଇ ବନ୍ଧୁଙ୍କ ପାଇଁ ଖାଇବା ଯୋଗାଡ଼ କରିବାକୁ । ପ୍ରବୀର ସୁକାନ୍ତଙ୍କୁ ଡାକି ପାଖରେ ବସେଇଲେ ।

 

—ବାହା ହେଲୁଣି ସୁକାନ୍ତ ?

 

ହଠାତ୍‌ ସୁକାନ୍ତଙ୍କ ମୁହଁ ଶବ ପରି ଫିକା ହୋଇଗଲା । ବିବାହ ? ଜଗତରେ ସେ କେବଳ ଏଇ ଗୋଟିଏ ଜିନିଷକୁ ଭୟ କରନ୍ତି । ଏଇଟା ହୁଏତ ତାଙ୍କର ପଳାୟନପନ୍ଥୀ ମନୋବୃତ୍ତି ହୋଇପାରେ । କିନ୍ତୁ ସେ ନିଜେ କହନ୍ତି—ବିବାହ କଲେ କଳାକୁ ସେ ଆଉ ଏକନିଷ୍ଠଭାବେ ଭଲ ପାଇପାରିବେ ନାହିଁ, ଆଉ ଯାହାକୁ ବିବାହ କରିବେ ତାକୁ ମଧ୍ୟ ପୂର୍ଣ୍ଣପ୍ରାଣରେ ଭଲ ପାଇପାରିବେ ନାହିଁ; ତେଣୁ ସେ ଠିକ୍‌ କରିଛନ୍ତି ବିବାହ କରିବେ ନାହିଁ । ସୁକାନ୍ତଙ୍କର ନୀରବତା ଦେଖି ପ୍ରବୀର ପୁଣି କହିଲେ—କହୁନୁ କାହିଁକି ? ବିବାହ କରିଛୁ ନା ? ପିଲାଛୁଆ କେତୋଟି ହେଲେଣି ? ଥରେ ଶ୍ରୀମତୀଙ୍କୁ ନେଇ ଏଆଡ଼େ ଆ ।

 

ସୁକାନ୍ତ ମୁହଁର ଭାବ ବଦଳେଇ ସ୍ମିତ ହସି କହିଲେ—ବିବାହିତାଟିକି ମୁଁ ତ ସାଙ୍ଗରେ ନେଇ ଆସିଛି !

 

ମତେ ତ କହିନୁ ? ତାଙ୍କୁ ହୋଟେଲରେ ରଖି...

 

ହୋଟେଲରେ କାହିଁକି ରଖିବି—ସେ ତ ମୋ ସାଙ୍ଗରେ ଆସିଛନ୍ତି, ଦେଖ ।

 

ଟେବୁଲ ଉପରେ ଥୁଆହୋଇଥିବା ବୀଣା ବାକ୍ସଟି ଆଡ଼େ ଆଙ୍ଗୁଳି ନିର୍ଦ୍ଦେଶ କରି ସେ ପୁଣି କହିଲେ—ଏଇ ମୋର ବିବାହିତା । ତା’ପରେ ଦୁଇ ବନ୍ଧୁ ଖୁବ୍‌ ଜୋର୍‌ ହସିଉଠିଲେ । ବିଚିତ୍ରା ପଶିଆସିଲେ ଏତିକିବେଳେ ଖାଇବାକୁ ଡାକିବା ପାଇଁ । ପ୍ରବୀର କହିଲେ—ବିଚିତ୍ରା, ଏ ବୀଣାଟି ଆମ ସହିତ ଖାଇବ—ଏ ପରା ହଉଚି ସୁକାନ୍ତର ବିବାହିତା ସ୍ତ୍ରୀ ! ବିଚିତ୍ରା ମଧ୍ୟ ହସିଲେ ।

 

କାନ୍ଥରେ ଝୁଲୁଥିବା ଘଣ୍ଟାରେ ବାଜିଲା ନଅ । ସମସ୍ତେ ଉଠିଗଲେ ଭିତରକୁ ।

 

ଦୁଇ

 

ପ୍ରବୀର ଅଫିସରୁ ଫେରି ଦେଖିଲେ ସୁକାନ୍ତ ଏକାଟିଆ ବସି ଗୁଣୁଗୁଣୁ ହେଇ ଗୀତ ଗାଉଛନ୍ତି । ଭିତରକୁ ଯାଇ ବିଚିତ୍ରାଙ୍କୁ ପଚାରିଲେ—ସୁକାନ୍ତ ପାଖକୁ ତୁମେ ଯାଇଥିଲ ?

 

ବିଚିତ୍ରା ନାହିଁ କଲେ ।

 

ପ୍ରବୀର ଗର୍ଜିଉଠିଲେ ସାଙ୍ଗେ ସାଙ୍ଗେ—ସୁକାନ୍ତ ମୋର ବନ୍ଧୁ ନୁହେଁ, ସେ ମୋ’ ଭାଇ । ଦିନଟା ସାରା ସେ ଏକାଟିଆ ବସିଛି, ତମେ ଟିକିଏ ଯାଇ ତା ସହିତ ଗଳ୍ପ ବି କରୁନ ? ସେ ମତେ କଥା ଦେଇଛି ଏଠି ସାତଦିନ ରହିବ; କିନ୍ତୁ ସେ କ’ଣ ଜେଲଖାନାରେ ରହିବାପରି ରହିବ ?

 

ପ୍ରବୀର ବଡ଼ ଅସ୍ୱସ୍ତି ବୋଧକଲେ । ଅପରାଧୀ ପରି ସୁକାନ୍ତଙ୍କ ପାଖକୁ ଯାଇ ସାଙ୍ଗେ ସାଙ୍ଗେ କ୍ଷମା ମାଗିଲେ—ଭାଇ, ଏକାଟିଆ ତତେ ବସେଇ ରଖି ବିଚିତ୍ରା ମହା ଅପରାଧ କରିଛି, ତାକୁ କ୍ଷମା ଦବୁ ।

 

ସୁକାନ୍ତ କହିଲେ—ଶିଳ୍ପୀର ନିର୍ଜନତା ହିଁ ଚିରସହଚର । ନିର୍ଜନତା ନ ହେଲେ ସାଧନା ହୁଏନା, ମତେ ଆଦୌ ଖରାପ ଲାଗିନି ।

 

ଦୁଇ ବନ୍ଧୁଙ୍କ ପାଇଁ ଚା ଆଣିବାକୁ ବରାଦ କରି ପ୍ରବୀର କହିଲେ—ସୁକାନ୍ତ, ଆଜି ସିନେମା ଗଲେ କେମିତି ହୁଅନ୍ତା ?

 

ଚାଲ, ମୋର ଆପତ୍ତି ନାହିଁ ।

 

ତା’ ହେଲେ ଯିବା ।

 

ବିଚିତ୍ରା ଚା ନେଇ ଆସିଲେ । ପ୍ରବୀର ତାଙ୍କୁ କହିଲେ—ବାହାରିପଡ଼, ସିନେମା ଯିବା ।

 

ନିକଟରେ ଥିବା ‘ହିନ୍ଦ୍‌’ ସିନେମାରେ ‘ଏକ୍‌ ଥୀ ଲଡ଼କୀ’ ବହି, ବେଶ୍‌ ଗହଳିରେ ତୃତୀୟ ସପ୍ତାହ ଚାଲିଥାଏ । ଚାରିଆଡ଼େ ପ୍ରଶଂସା । ତିନିଜଣ ବାହାରିଲେ ‘ହିନ୍ଦ୍‌’ ସିନେମା ଅଭିମୁଖେ ।

 

‘ହିନ୍ଦ୍‌’ ସିନେମା ପ୍ରବୀରଙ୍କ ଘରଠୁ ବେଶିଦୂର ନୁହେଁ । ମଝିରେ ଆଉ ଗୋଟିଏ ବଡ଼ ରାସ୍ତା ପାରହେବାକୁ ହୁଏ—ଗଣେଶଚନ୍ଦ୍ର ଏଭିନିଉ । ଦୁର୍ଭାଗ୍ୟ । ଆଗରେ ଚାଲିଥାନ୍ତି ପ୍ରବୀର, ତାଙ୍କ ପଛକୁ ସୁକାନ୍ତ ଓ ପଛରେ ବିଚିତ୍ରା । ଧର୍ମତାଲା ଆଡ଼ୁ ଗୋଟିଏ କାର୍‌ ଖୁବ୍‌ ଦ୍ରୁତଗତିରେ ଆସି ଗଣେଶଚନ୍ଦ୍ର ଏଭିନିଉ ଆଡ଼କୁ ବୁଲିପଡ଼ିଲା ବେଳକୁ ସାମନାରେ ପଡ଼ିଗଲେ ପ୍ରବୀର । ଡ୍ରାଇଭର ବ୍ରେକ୍‌ ଦେଲା ଖୁବ୍‌ ଜୋର୍‌; କିନ୍ତୁ କାର୍‌ ଟିକିଏ ଆଗେଇ ଆସି ପ୍ରବୀରଙ୍କ ବାଁ ଗୋଡ଼ ଉପରେ ମାଡ଼ିଗଲା । ‘କ’ଣ ହେଲା’ ‘କଣ ହେଲା—’ ପାଟିକରି ବହୁ ଲୋକ ରୁଣ୍ଡହେଲେ । କଂକ୍ରିଟ୍‌ ରାସ୍ତା ଲାଲ ରକ୍ତରେ ଭିଜିଗଲା । ବିଚିତ୍ରା ସ୍ୱାମୀଙ୍କର ଏ ଅବସ୍ଥା ଦେଖି ଜ୍ଞାନଶୂନ୍ୟ ହୋଇପଡ଼ିଲେ । ମେଡ଼ିକାଲ କଲେଜ ହସ୍ପିଟାଲକୁ ଫୋନ୍‌ କରାଗଲା ଆମ୍ୱୁଲାନ୍‌ସ ଗାଡ଼ିପାଇଁ । ସୁକାନ୍ତ କିଂକର୍ତ୍ତବ୍ୟବିମୂଢ଼ ହେଇପଡ଼ିଲେ; ପାଣି ସିଞ୍ଚାସିଞ୍ଚି କରି ବିଚିତ୍ରାଙ୍କ ଚୈତନ୍ୟ ଫେରେଇ ଆଣିଲେ । ଖୁବ୍‌ ଶୀଘ୍ର ଆମ୍ୱୁଲାନସ୍‌ ଗାଡ଼ି ପହଞ୍ଚିଗଲା—ପ୍ରବୀରଙ୍କୁ ଗାଡ଼ିରେ ଉଠାଇ ସୁକାନ୍ତ ଆଉ ବିଚିତ୍ରା ମେଡ଼ିକାଲ କଲେଜ ଚାଲିଲେ ।

 

ଇମାରଜେନ୍‌ସି ଓ୍ୱାର୍ଡ । ଡାକ୍ତର ସାନ୍ୟାଲ ରୋଗୀର କ୍ଷତି ଧୁଆଧୋଇ କରି ପଟି ବାନ୍ଧିଦେଲେ । ତିନିଘଣ୍ଟା ପରେ ପ୍ରବୀରଙ୍କର ଚୈତନ୍ୟ ଫେରିଲା—ପାଖରେ ବିଚିତ୍ରା ଆଉ ସୁକାନ୍ତ-। ପ୍ରବୀର ବିଚିତ୍ରାଙ୍କୁ କହିଲେ—ଦେଖ, ସୁକାନ୍ତର ଯେମିତି କିଛି ଅସୁବିଧା ନହୁଏ ।

 

ସୁକାନ୍ତ କହିଲେ—ଭାଇ, ତୁ ଆଗେ ଭଲ ହୋଇଯା, ମୋ କଥା କାହିଁକି ଭାବୁଛୁ ?

 

—ଡାକ୍ତର କଣ କହୁଛନ୍ତି ? ମୁଁ ଭଲ ହୋଇଯିବି ତ ?

 

—ନିଶ୍ଚୟ ଭଲହେଇଯିବୁ—ବିଶେଷ କିଛି ହେଇନି ।

 

ପ୍ରବୀର ଆଶ୍ୱସ୍ତ ହେଲେ । ରାତି ନ’ଟାରେ ହସ୍ପିଟାଲ ଛାଡ଼ି ଦୁଇଜଣ ଫେରିଆସିଲେ ଘରକୁ—ବିଚିତ୍ରା ଆଉ ସୁକାନ୍ତ ରାସ୍ତାରେ ବିଚିତ୍ରା କହିଲେ—ଦେଖନ୍ତୁ ତ, ଦୁର୍ଯୋଗ କେମିତି ଆସେ ।

 

ସୁକାନ୍ତଙ୍କ ମୁହଁରେ ସମବେଦନାର ଗଭୀର ଛାପ ।

 

ତିନି

 

ପ୍ରବୀର ଭଲ ହେଇ ଆସୁଚନ୍ତି । ସୁକାନ୍ତଙ୍କର ସେଠାରେ ରହିବା ହେଇଗଲାଣି ପନ୍ଦର ଦିନ । ଓ୍ୱେଲିଂଟନ ସ୍କୋୟାର ଘରେ ସୁକାନ୍ତ, ବିଚିତ୍ରା ଏବଂ ଆଉ ଗୋଟିଏ ଚାକରାଣୀ ବ୍ୟତୀତ କେହି ନଥାନ୍ତି । ପ୍ରଭାତର କାକଳି ସହିତ ସୁକାନ୍ତ ତୋଳନ୍ତି ବୀଣାର ଝଙ୍କାର । ପାଖ ଘରୁ ବିଚିତ୍ରାଙ୍କ ନିଦ ଭାଙ୍ଗିଯାଏ । ସେ ଧୀରେ ଧୀରେ ଆସି କବାଟ ପାଖରେ ଛିଡ଼ାହୋଇ ନୀରବରେ ଶୁଣୁଥାନ୍ତି ବୀଣା । ଶୁଣୁ ଶୁଣୁ ସେ ପିତୁଳା ପାଲଟିଯାଆନ୍ତି । ସେ ନିଜେ ଏଇମିତି ବଜାଇପାରୁଥାନ୍ତେ କି ! ସୁକାନ୍ତଙ୍କ ଉଦ୍ଦେଶ୍ୟରେ ସେ ନମସ୍କାର କରନ୍ତି । କି ପ୍ରତିଭା, ଯେକେହି ଲୋକର ମୁଣ୍ଡ ଏଇ ପ୍ରତିଭା ନିକଟରେ ନଇଁଯିବାର କଥା ।

 

ଦିନକର ସକାଳେ । ସୂର୍ଯ୍ୟର ପ୍ରଥମ ରଶ୍ମି ଧରାପୃଷ୍ଠକୁ ଛୁଇଁନାହିଁ । ସୁକାନ୍ତ ଫୁଲଦାନିରୁ ଗୋଲାପ ଫୁଲଟିଏ ଆଣି ମୁଣ୍ଡ ପାଖରେ ଟଙ୍ଗାହୋଇଥିବା ବିଚିତ୍ରାଙ୍କ ଫଟୋ ଉପରେ ରଖିଦେଲେ-। ତା’ପରେ ବୀଣାଟିକି ଧରି ବଜାଇ ଚାଲିଲେ । ବିଚିତ୍ରା ପୂର୍ବପରି ଶଯ୍ୟାତ୍ୟାଗ କରି ବାରଣ୍ଡାକୁ ଉଠିଆସିଲେ । ବାସ୍ତବିକ ଲୋଭନୀୟ ଏଇ ସଙ୍ଗୀତ ! ନା, ସେ ଏଥର ସୁକାନ୍ତଙ୍କର ଛାତ୍ରୀ ହେବେ–ଏମିତି ବୀଣା ବଜେଇପାରିଲେ ସେ ନିଜକୁ ଅଶେଷ ଧନ୍ୟ ମନେକରିବେ । ଧୀରେ ଧୀରେ କବାଟ ଖୋଲି ସେ ଘର ଭିତରକୁ ଆସିଲେ...ସୁକାନ୍ତ ଆଖିବୁଜି ବଜାଇ ଚାଲିଛନ୍ତି—ଠିଆହେଲେ ବିଚିତ୍ରା । ଆରେ, ଏ କଣ ? ତାଙ୍କ ଫଟୋ ଉପରେ ଗୋଲାପ ଫୁଲଟିଏ କିଏ ଦେଲା ? ସୁକାନ୍ତ ? କାହିଁକି ?

 

କାହିଁକି କେଜାଣି ମୁହଁରେ ତାଙ୍କର ଦେଖାଗଲା ପ୍ରଫୁଲ୍ଲତା । ସାହସ ଠୁଳକରି ସେ କହିଲେ—ସୁକାନ୍ତବାବୁ ! ସୁକାନ୍ତଙ୍କର ଖିଆଲ ନାହିଁ...ଏକାଗ୍ରତା । ବିଚିତ୍ରା ଆଉ ଟିକିଏ ଜୋରରେ ଡାକିଲେ—ସୁକାନ୍ତବାବୁ !

 

ହଠାତ୍ ବୀଣା ବନ୍ଦ ହେଇଗଲା । ସୁକାନ୍ତ ଚାହିଁଲେ—କିଏ ?

 

ମୁଁ ।

 

ଏତେ ସକାଳେ ?

 

କିଛି ନୁହେଁ, ମତେ ଟିକିଏ ବୀଣା ବଜେଇବା ଶିଖେଇଦେବେ ?

 

ସୁକାନ୍ତ କିଛି ସମୟ ନୀରବ ରହିଲେ । ମୁହଁରେ ତାଙ୍କର ଗମ୍ଭୀରତା ବିଚିତ୍ରା ଭୟ ପାଇଗଲେ । ସେ କଣ କିଛି ଅନ୍ୟାୟ କଲେ ? କଳାଶିକ୍ଷା କରିବାରେ ଲଜ୍ଜା କାହିଁକି ? ସେ ପୁଣି କହିଲେ—କୁହନ୍ତୁ ?

 

ସୁକାନ୍ତ କହିଲେ—ହଉ, ଶିଖେଇଦେବି ।

 

ବିଚିତ୍ରା ଯାଇ ବସିଲେ । ସୁକାନ୍ତ ତାଙ୍କ ହାତରେ ଧରେଇଦେଲେ ବୀଣା । ଘଣ୍ଟାଏ ପରେ ସୁକାନ୍ତ କହିଲେ—ଆଜି ଏତିକି ଥାଉ । ବନ୍ଦ ହେଲା । ବିଚିତ୍ରାଙ୍କ ମନରେ କି ଉନ୍ମାଦନା—ଜୀବନରେ ଏତେ ଖୁସି ସେ କେବେ ହେଇ ନ ଥିଲେ—ମଧୁଶଯ୍ୟା ରାତିରେ ବି ନୁହେଁ । ବିଚିତ୍ରା ଚାଲିଆସିଲେ । ସୁକାନ୍ତଙ୍କ ମନରେ ଭାବାନ୍ତର । ଚିନ୍ତାକୁଳ ନୟନରେ ସେ ଚାହିଁଲେ । ବିଚିତ୍ରାଙ୍କ ଫଟୋଉପରେ ଗୋଲାପ ଫୁଲଟି ଆହୁରି ସତେଜ ହେଇଉଠିଛି । ସେ ଲଜ୍ଜିତ ହେଲେ । ବନ୍ଧୁ ପତ୍ନୀ କଣ ଭାବିଥିବେ ! ଗୋଲାପ ଫୁଲଟିକୁ ନେଇଆସି ପୁଣି ଫୁଲଦାନି ଉପରେ ରଖିଦେଲେ ।

 

କିଛି ସମୟ ପରେ ଚା ନେଇ ବିଚିତ୍ରା ଆସିଲେ । ଫଟୋ ଉପରେ ଥିବା ଗୋଲାପଟି ନାହିଁ । ମନେ ମନେ ସେ ହସିଲେ । ଫୁଲଦାନି ଉପରୁ ଫୁଲଟିକି ନେଇ ନିଜେ ପୁଣି ଫଟୋ ଉପରେ ରଖିଦେଇ ସେ ଚାଲିଗଲେ ।

 

ସୁକାନ୍ତ ଅନ୍ୟମନସ୍କ ଭାବରେ ଚାହିଁ ରହିଥିଲେ ବାହାରକୁ । ହୁଏତ କିଛି ବୁଝିପାରିଲେ ନାହିଁ ।

 

ଚାରି

 

ଶୀତଳ ସନ୍ଧ୍ୟାର ଏକ କାତର କରୁଣ ମୁହୂର୍ତ୍ତ । ଡ୍ରଇଂରୁମ୍ ଭିତରେ ବସି ବିଚିତ୍ରା ବୀଣା ବଜାଉଥିଲେ, ପାଖରେ ବସିଥିଲେ ସୁକାନ୍ତ । ବାସ୍ତବିକ ବିଚିତ୍ରାଙ୍କ ଆଜି ଏ କି ରୂପସମ୍ଭାର ! କାକକୃଷ୍ଣ ବେଣୀ ତାଳେ ତାଳେ ଦୋହଲି ଦୋହଲି କେଉଁ ଏକ କବିତା ଆବୃତ୍ତି କରୁଥିଲା—କପାଳରେ କୁଙ୍କୁମ, ଆଖିରେ କଜ୍ୱଳ । ସୁକାନ୍ତ ବସିରହି ଏଇ ରୂପସୀଙ୍କର ସୌନ୍ଦର୍ଯ୍ୟ ସହିତ ଉର୍ବଶୀର ସୌନ୍ଦର୍ଯ୍ୟକୁ ତୁଳନା କରୁଥିଲେ । ଆଖିରେ ତାଙ୍କର ଶୋଭାଞ୍ଜନ । ବୀଣାବାଦନ ଶେଷ କରି ବିଚିତ୍ରା ପଚାରିଲେ—ଆପଣଙ୍କୁ ଆମ ଘରେ ରହିବାକୁ ଭଲ ଲାଗୁଛି ?

 

—ବିଚିତ୍ରା, କେତେ ଥର ମୁଁ କହିଲିଣି ମତେ ଆଉ ଆପଣ ବୋଲି କହିବ ନାହିଁ । କାହିଁକି କେଜାଣି ଏଇ ‘ଆପଣ’ ଶୁଣିଲେ ଅନ୍ତରରେ ମୁଁ ଗୁରୁବେଦନା ଅନୁଭବ କରେ ।

 

—ହଉ, ତୁମକୁ ଏଠି ରହିବାକୁ ଭଲଲାଗୁଛି ?

 

—ଲାଗୁଛି ତ ।

 

—ଘରକଥା ଆଉ ମନେପଡ଼ୁନି ?

 

—ଘରେ ମୋର ଆଉ କିଏ ଅଛି ? ମୋ ଜୀବନର ସବୁଠୁ ପ୍ରିୟ ବୀଣା ତ ମୋ ସାଥେ ସାଥେ ଅଛି ।

 

—ତୁମକୁ ମୋ ସହିତ କଥା କହିବାକୁ ଭଲଲାଗେ ?

 

—ଖୁବ୍ ଭଲଲାଗେ ।

 

—ମତେ ବୀଣା ଶିଖାଉଚ, ପ୍ରତିଦାନ ମୁଁ କଣ ଦେବି ?

 

—କିଛିନାହିଁ, ଏଇ ଶିଖେଇବାରେ ତ ମୋର ଆନନ୍ଦ ।

 

—ଆଚ୍ଛା, ସତ କୁହନି, ମୋ କଥା ତମେ ସବୁବେଳେ ଭାବୁଛ ନା ? ମୋ ଫଟୋକୁ ତମେ ସବୁବେଳେ ଚାହିଁ ରହୁଛ କାହିଁକି ? ମୋର କଣ ହେଇଛି କେଜାଣି, ମୁଁ ସବୁବେଳେ ତମରି କଥା ଭାବୁଛି । ତୁମେ ଭାରି ଭଲ, ବେଶ୍ ସରଳ ଆଉ ଅମାୟିକ । ସତ କୁହ, ତମେ ମତେ ଭଲପାଉଛ ?

 

ସୁକାନ୍ତ ପ୍ରକୃତିସ୍ଥ ହେଲେ । ସେ ବିଚିତ୍ରାଙ୍କୁ ଭଲ ପାଉଛନ୍ତି ? ମିଛ କଥା, ବିଚିତ୍ରା ବନ୍ଧୁପତ୍ନୀ । ବନ୍ଧୁ ପ୍ରବୀର ଡାକ୍ତରଖାନାରେ ପଡ଼ିରହି ତାଙ୍କର ଦାୟିତ୍ୱରେ ତାଙ୍କ ପତ୍ନୀଙ୍କୁ ଛାଡ଼ିଯାଇଛନ୍ତି । ତାଙ୍କର ଅନୁପସ୍ଥିତିରେ ସେ ଏତେ ବଡ଼ ଦୁଷ୍କର୍ମ କରିବେ କେମିତି ?

 

ବିଚିତ୍ରା ପୁଣି କହିଲେ—ତମେ ଜାଣ ମୁଁ ବିବାହିତା । ମତେ ଭଲପାଇ କିଛି ଲାଭ ନାହିଁ-

 

ତା’ପରେ ସେ ଚାଲିଗଲେ ଘର ଭିତରୁ ବାହାରକୁ ଝଡ଼ବେଗରେ । ଶୂନ୍ୟ ମନରେ ବସିରହିଲେ ସୁକାନ୍ତ । ବିଚିତ୍ରାଙ୍କର ଗୋଟିଏ କଥା ତାଙ୍କ କାନର ପ୍ରତିଧ୍ୱନିତ ହେଉଥିଲା—ମତେ ଭଲପାଇ କିଛି ଲାଭ ନାହିଁ । ମୁଣ୍ଡରେ ତାଙ୍କର ବହୁପ୍ରକାର ଚିନ୍ତା ବୁଢ଼ିଆଣୀ ଜାଲପରି ଛନ୍ଦି ହୋଇଯାଇଛି । ସେ ଉଠି ଠିଆହେଲେ । ବାହାରକୁ ଯାଇ ଓ୍ୱେଲିଂଟନ୍ ସ୍କୋୟାର ଭିତରେ ଏକ ନିଭୃତ ବେଞ୍ଚ ଉପରେ ବସିରହିଲେ ବହୁତ କ୍ଷଣ । ଆକାଶରେ ତାରା ଆଉ ଚନ୍ଦ୍ରର ଉତ୍ସବ ।

 

ତାଙ୍କର ଚେତନା ନାହିଁ—ରାତି ବହୁତ ହେଇଗଲାଣି । ପାଖରୁ ପରିଚିତ କଣ୍ଠର ଆବାଜ ତାଙ୍କ କାନରେ ବାଜିଲା—

 

ତମେ ଘରୁ ପଳେଇ ଆସି ପାର୍କ ଭିତରେ ବସିଛି; ଏତେ ରାତି ହେଲାଣି—ଫେରୁନାହଁ କାହିଁକି ? ଆସ, ତମେ ଆଉ ମୋ କଥା ଏତେ ଭାବ ନାହିଁ । ପାଗଳ ହେଇଯିବ ।

 

ବିଚିତ୍ରାଙ୍କ କଣ୍ଠ ବାଷ୍ପାକୁଳ—କଣ କରିବି କୁହ, ସମାଜର ବନ୍ଧନରେ ମୁଁ ତ ବାନ୍ଧି ହୋଇସାରିଛି । ତମେ ଆଉ ମୋ କଥା ଭାବିବନି ।

 

ସୁକାନ୍ତ ଉଠିଲେ । ପାଖ ପାଖ ହେଇ ଦୁଇଜଣ ପାର୍କ ବାହାରକୁ ଆସିଲେ । ସୁକାନ୍ତ କହିଲେ—ମୁଁ କାଲି ଗାଁକୁ ଯିବି ।

 

ତା’ ହେଇପାରେନା—ଦୃଢ଼ କଣ୍ଠରେ କହିଲେ ବିଚିତ୍ରା—ହସ୍ପିଟାଲରୁ ନ ଆସିବା ପର୍ଯ୍ୟନ୍ତ ତୁମେ ଯାଇପାରିବ ନାହିଁ । ସେ ତ ଏଇ ଦୁଇ ତିନି ଦିନ ଭିତରେ ଆସିବେ ।

 

ତା ପରେ ଦୁଇଜଣ ନୀରବରେ ଆସି ଘରେ ପହଞ୍ଚିଲେ ।

 

+ + +

 

ପ୍ରବୀର ଫେରିଆସିଛନ୍ତି । ବିଚିତ୍ରା ତାଙ୍କୁ ବୀଣା ବଜାଇ ଶୁଣାଉଛନ୍ତି । ପାଖରେ ବସିଛନ୍ତି ସୁକାନ୍ତ । ବୀଣାବାଦନ ଶେଷ ହେଲା । ସୁକାନ୍ତକୁ କୁଣ୍ଡେଇ ପକାଇ ପ୍ରବୀର କହିଲେ—ବାଃ ସୁକାନ୍ତ, ଏତେ ଅଳ୍ପଦିନ ଭିତରେ ଚିତ୍ରାକୁ ଏମିତି ସୁନ୍ଦର ବୀଣାବଜା ଶିଖେଇ ଦେଇଛୁ ? ଭାଇ, ତୋର ଏ’ ଋଣ ଆମେ ଜନ୍ମେ ଜନ୍ମେ ଶୁଝିପାରିବୁନି ।

 

ସୁକାନ୍ତ ଗମ୍ଭୀର ହେଇ କହିଲେ—ଭାଇ, ଏ ହେଉଚି ତୋର ଅକୃତ୍ରିମ ବନ୍ଧୁତାର ନିଦର୍ଶନ । ବହୁତ ଦିନ ମୁଁ ଆସି ଏଠି ରହିଗଲିଣି, ଆଜି ମତେ ଯିବାକୁ ହେବ ।

 

ପ୍ରବୀର ମନା କରି ପାରିଲେ ନାହିଁ । ସାତଦିନରୁ ଆସି ସାତମାସ ହେଲାଣି । ସେ ଖାଲି କହିଲେ—ହଉ ଭାଇ, ଆମକୁ ଭୁଲିବନି, ମଝିରେ ମଝିରେ ଆସିବୁ ।

 

ନିଶ୍ଚୟ—କହି ସୁକାନ୍ତ ତତ୍‌କ୍ଷଣାତ୍ ଉଠିଲେ । ବିଚିତ୍ରାଙ୍କର ଛଳଛଳ ନୟନ । ପ୍ରବୀର ଆଗେଇଗଲେ ତାଙ୍କୁ ବିଦାୟ ଦେବାକୁ । ତଳେ ଛାଡ଼ିଦେଇ ସେ ପୁଣି ଉପରକୁ ଆସିଲେ । ବିଚିତ୍ରା କହିଲେ—ତାଙ୍କୁ ଅଟକାଇ ପାରିଲେ ନାହିଁ ? ତମେ ଏଡ଼େ କୃତଘ୍ନ ! ଯେ ତମର ଜୀବନ ରକ୍ଷା କରିଛନ୍ତି ତାଙ୍କୁ ତୁମେ ଛାଡ଼ି ଦେଇ ପାରିଲ ?

 

—କଣ କରାଯିବ ? ସଂସାରର ନିୟମ ତ ସେଇଆ ।

 

—ରଖ ତମର ସଂସାରର ନିୟମ । ଏମିତି ପ୍ରତିଭାକୁ କେହି କେବେ ଦୂରକୁ ଫିଙ୍ଗି ଦିଏନି ।

 

—ମୁଁ କଣ ସୁକାନ୍ତକୁ ଦୂରକୁ ଫିଙ୍ଗି ଦେଇଛି ବିଚିତ୍ରା ? ତମେ କଣ କହୁଛ ?

 

ବିଚିତ୍ରା କାନ୍ଦିଉଠିଲେ । ପ୍ରବୀରଙ୍କ ମନକୁ କେମିତି ଗୋଟିଏ ପାପ ଛୁଇଁଲା ।

 

ସେହି ଦିନଠୁ ବିଚିତ୍ରାଙ୍କଠେଇଁ ସବୁବେଳେ ଅନ୍ୟମନସ୍କତା ଦେଖାଗଲା । ପ୍ରବୀର ଜାଣିପାରିଲେ ବିଚିତ୍ରାଙ୍କର ମନ ଆଉ ତାଙ୍କର ଆୟତ୍ତରେ ନାହିଁ । ସୁକାନ୍ତ ତାଙ୍କର ସୁନାର ସଂସାରଟିକୁ ଚୂନାକରିଦେଇ ଯାଇଛନ୍ତି । ବିଚିତ୍ରା ରୁଗ୍‌ଣା ହେଇପଡ଼ିଲେ ଦିନକୁ ଦିନ, ପ୍ରଳାପ କଲେ । ପ୍ରବୀର ଡାକ୍ତର ଡାକିଲେ । ମାନସିକ ବିକାର । ଜଳବାୟୁ ପରିବର୍ତ୍ତନ ପାଇଁ ଡାକ୍ତର ପରାମର୍ଶ ଦେଲେ—ପୁରୀରେ ଯାଇ ସେମାନେ ଦୁଇମାସ ରହିଲେ; କିନ୍ତୁ କିଛି ହେଲା ନାହିଁ । କଲିକତା ଫେରିଆସି ଦିନେ ସକାଳେ ପ୍ରବୀର ସୁକାନ୍ତଙ୍କ ପାଖକୁ ଗଲେ । ବହୁ ଅନୁନୟ କରି ତାଙ୍କୁ ଡାକିଆଣିଲେ । ବିଚିତ୍ରା ସୁକାନ୍ତକୁ ଦେଖି କହିଲେ—ଆସିଲ କାହିଁକି ?

 

ଅଭିମାନରେ ଛୋଟ ମୁହଁଟି ନାଲ ପଡ଼ିଯାଇଥିଲା ବିଚିତ୍ରାର । ସୁକାନ୍ତଙ୍କ ଉପସ୍ଥିତିରେ ବିଚିତ୍ରା କିନ୍ତୁ ଆରୋଗ୍ୟ ହୋଇଆସିଲେ । ଛ’ଦିନ ରହି ସୁକାନ୍ତ ପୁଣି ଫେରିଗଲେ ଗାଁକୁ ।

 

ପ୍ରବୀର ଦିନକୁ ଦିନ ଉତ୍ତ୍ୟକ୍ତ ହେଇଉଠିଲେ । ସ୍ୱାମୀ ହେଇ ସେ ସ୍ତ୍ରୀଙ୍କର ଏ ଅମାର୍ଜନୀୟ ଅପରାଧ ସହନ୍ତେ କେମିତି ? ବିଚିତ୍ରାଙ୍କ ଉପରେ ନାନାପ୍ରକାର ଅତ୍ୟାଚାର ଆରମ୍ଭ କଲେ । ଦିନେ ପ୍ରବୀର ଅନୁପସ୍ଥିତ ଥିବାବେଳେ ବିଚିତ୍ରା ଲୁଚି ସୁକାନ୍ତଙ୍କ ଗାଁକୁ ପଳାଇ ଆସିଲେ । ସୁକାନ୍ତ ବିଚିତ୍ରାଙ୍କୁ ଦେଖି ପ୍ରଥମେ ଡରିଗଲେ । ସାଙ୍ଘାତିକ ବ୍ୟାପାର ! ତା’ପରେ ସୁକାନ୍ତଙ୍କ ଗାଲରେ ପଟାସ୍‌କିନା ଚାପୁଡ଼ାଟାଏ ବସେଇଦେଇ ବିଚିତ୍ରା କହିଲେ—ମତେ ଛାଡ଼ିଦେଇ ଚାଲିଆସିଲ କାହିଁକି ?

 

ସୁକାନ୍ତ ଆଶ୍ଚର୍ଯ୍ୟ ହେଲେ—ବିଚିତ୍ରା ଏକବାରେ ପାଗଳ । ପର ମୁହୂର୍ତ୍ତରେ ବିଚିତ୍ରା ପୁଣି କାନ୍ଦି ଉଠିଲେ—ଆହା, ମୁଁ କଣ କଲି ? ତୁମକୁ ମାଇଲି ?

 

ସୁକାନ୍ତଙ୍କର ପାଦ ଉପରେ ଲୋଟିଯାଇ ଚରଣଯୋଡ଼ିକୁ ଅଶ୍ରୁରେ ଭିଜାଇଦେଲେ ।

 

ଏ ଗୋଟାଏ ବିଚିତ୍ର ଅଭିନୟ ! ସୁକାନ୍ତ କହିଲେ—ବିଚିତ୍ରା, ତୁମେ ପରା ବିବାହିତ ।

 

ହଁ ।

 

ଏସବୁ କଣ କରୁଚ ?

 

—ଦେଖ, ଦି’ଦିନ ମତେ ଘରେ ବାନ୍ଧି ରଖାଯାଇଥିଲା, ଦଉଡ଼ିର ଦାଗ ଏଇ ମୋର ହାତରେ ।

 

ସୁକାନ୍ତ ଦେଖିଲେ, ପ୍ରବୀରଙ୍କ ପ୍ରତି ମନରେ ତାଙ୍କର ଘୃଣା ଆସିଲା ।

 

ବିଚିତ୍ରା କହିଲେ—ମୁଁ ଆଉ ଏଠୁଯିବି ନାହିଁ ।

 

—ବର୍ତ୍ତମାନ ତୁମକୁ ମୋ ସହିତ ଯିବାକୁ ହେବ ।

 

—କେଉଁଠିକି ?

 

—ଯୁଆଡ଼େ ଆଖି ପାଏ ।

 

—ସତରେ ?

 

—ହଁ ।

 

କାରଟାଏ ଯୋଗାଡ଼ ହେଇ ଆସିଲା । ସୁକାନ୍ତ ଆଉ ବିଚିତ୍ରା ବସିଲେ । ଡ୍ରାଇଭର ଗାଡ଼ି ଚଳେଇ ଚାଲିଲା । ଗାଡ଼ି ବନ୍ଦ ହେଲା ଆସି ପ୍ରବୀରଙ୍କ ଘର ଆଗରେ । ସଙ୍ଗେ ସଙ୍ଗେ ସୁକାନ୍ତ ଓହ୍ଲାଇ ଯାଇ ପ୍ରବୀରଙ୍କୁ ଡାକିଆଣିଲେ । ବିଚିତ୍ରା ଗାଡ଼ି ଭିତରେ ଶୋଇଯାଇଥାନ୍ତି । ପ୍ରବୀରଙ୍କ ଆଖିରେ ଅଗ୍ନିର ଝଲକ । ସୁକାନ୍ତ କହିଲେ—ଏକଦମ ପାଗଳ ।

 

ଓହ୍ଲାଇ ଆସି ଚିତ୍ରା—ସୁକାନ୍ତ ଡାକିଲେ ।

 

ବିଚିତ୍ରା ସାମନାରେ ପ୍ରବୀରଙ୍କୁ ଦେଖି ଚିତ୍କାର କରିଉଠିଲେ । ଦୁଇବନ୍ଧୁ ଧରାଧରି କରି ତାଙ୍କୁ ଘର ଭିତରକୁ ନେଇଗଲେ । ସେଇ ପ୍ରଳାପ ଆଉ ଚିତ୍କାର । ସୁକାନ୍ତ ଚାରିଦିନ ରହିଲେ । ବିଚିତ୍ରା ବେଶ୍ ପୂର୍ବ ଅବସ୍ଥାକୁ ଫେରିଆସିଲେ । ଦିନେ ଦୁଇ ବନ୍ଧୁ ବସି କଥାଭାଷା ହଉ ହଉ ପ୍ରବୀର କହିଲେ—ତୋର ଯୋଗୁ ଏସବୁ ଘଟିଲା । ତୁ ଏଡ଼େ ଖରାପ—ମୁଁ ଜାଣି ନଥିଲି !

 

ସୁକାନ୍ତ ଆଜି ପ୍ରବୀରଙ୍କ ଆଖିରେ ଅପରାଧୀ, ତେଣୁ ନିରୁତ୍ତର । ଚତୁର୍ଥ ଦିନ ରାତିରେ ସୁକାନ୍ତ ପ୍ରବୀରଙ୍କ ଘର ଛାଡ଼ି ପଳାଇଆସିଲେ ।

 

+ + +

 

ଛ’ ଦିନ ପରର ଏକ ସଂଧ୍ୟା ।

 

ସୁକାନ୍ତ ପଲ୍ଲୀର ସୌନ୍ଦର୍ଯ୍ୟ-ମନ୍ଦିର ଭିତରେ ବସି ବୀଣାରେ ଦୁଃଖ ଆଉ ବିରହର ଲହର ତୋଳୁଥିଲେ ।

 

ସୁକାନ୍ତ—ବାହାରୁ ଡାକ ଶୁଭିଲା ।

 

ସୁକାନ୍ତ ଉଠିଆସିଲେ—ଆରେ ପ୍ରବୀର ଯେ ! କୁଆଡ଼େ ? ଚିତ୍ରା ଭଲ ଅଛି ।

 

—ହଁ ତୋତେ ଏଇକ୍ଷଣି ମୋ ସାଙ୍ଗରେ ଯିବାକୁ ହେବ । ମୁଁ ଗାଡ଼ି ଆଣିଛି ।

 

—କାହିଁକି ?

 

—ଜରୁରୀ ଦରକାର । ଏଠି କହିବାକୁ ସମୟ ନାହିଁ, ତୁ ସଙ୍ଗେ ସଙ୍ଗେ ଆ ।

 

ସୁକାନ୍ତ ଭାବିଲା—ନିଶ୍ଚୟ କିଛି ଅଘଟଣ ଘଟିଛି, ହୁଏତ ବିଚିତ୍ରାଙ୍କ ପ୍ରଳାପ ପୁଣି ବାହାରିଛି । ସେ ସଙ୍ଗେ ସଙ୍ଗେ ବୀଣାଟି ଧରି ଉଠିଆସିଲେ । ମଟର ଚାଲିଲା । ପ୍ରବୀର କହିଲେ–ଚିତ୍ରା ଭାରି ଅସୁସ୍ଥ, ତୋର ଯିବା ଏକାନ୍ତ ଦରକାର ।

 

ସୁକାନ୍ତଙ୍କ ମୁଖମଣ୍ଡଳରେ କାଳିମାର ଘନ କୁହୁଡ଼ି ।

 

ଗାଡ଼ି ଆସି ପ୍ରବୀରଙ୍କ ଘର ସାମନାରେ ଛିଡ଼ାହେଲା । ଦୁଇବନ୍ଧୁ ଓହ୍ଲାଇ ଉପରକୁ ଉଠିଆସିଲେ । ସୁକାନ୍ତ ଦେଖିଲେ ବିଚିତ୍ରା ପଲଙ୍କ ଉପରେ ଘୋଡ଼ାଘୋଡ଼ି ହୋଇ ଶୋଇଛନ୍ତି । ସେ ତାଙ୍କୁ ନ ଉଠାଇ ପାଖରେ ଥିବା ଚେୟାରରେ ବସିପଡ଼ିଲେ । ପ୍ରବୀର କହିଲେ—ଡାକ, ଶୋଇ ନଥିବ । ସୁକାନ୍ତ ଧୀରେ ଧୀରେ ଡାକିଲେ—ଚିତ୍ରା !

 

—ଶୋଇଯାଇଛି, ହଲେଇଦେ ।

 

ସୁକାନ୍ତ ବିଚିତ୍ରାଙ୍କ ହାତ ଧରି ହଲାଇଦେଲେ । ଏ’ କଣ—ଦେହ ଯେ ବରଫ ପରି ଥଣ୍ଡା ! କଣ ହେଇଚି ?

 

କାତର ଦୃଷ୍ଟିରେ ସେ ଚାହିଁଲେ ପ୍ରବୀରଙ୍କ ଆଡ଼େ । ପ୍ରବୀର ଧୀରେ ବିଚିତ୍ରାଙ୍କ ମୁହଁରୁ ଆବରଣଟା କାଢ଼ି ଦେଲେ ।

 

ବିଚିତ୍ରାଙ୍କ କପାଳ ଉପରେ ସିନ୍ଦୂରରେ ତିନୋଟି ଅକ୍ଷର ଲେଖାଯାଇଚି—‘‘ସୁ-କା-ନ୍ତ’’ ।

 

ସୁକାନ୍ତଙ୍କ ଆଖିରେ ଅଶ୍ରୁ । ପ୍ରବୀର କହିଲେ—ମୁଁ ଜାଣେ ଭାଇ, ସେ ତତେ ଭାରି ଭଲପାଉଥିଲା । ଆଉ ୟା ବି ମୁଁ ଜାଣେ, ତୁ ତାକୁ ଭଲ ପାଉ ନଥିଲୁ—ସତ ନା ?

 

ସୁକାନ୍ତ ନିର୍ବାକ୍‌, ନୀରୁତ୍ତର ।

 

—ଆଜି ସେ ଚାଲିଯାଇଛି । ସୁକାନ୍ତ, ତୁ ତାର ଭାରି ପ୍ରିୟ ଥିଲୁ । ତାକୁ ଆଶୀର୍ବାଦ କର-। ପରପାରରେ ସେ ଖୁସୀ ହେଉ ।

 

ପ୍ରବୀର ବିଚିତ୍ରାର ରକ୍ତହୀନ ମୁହଁରେ ଅଜସ୍ର ଚୁମ୍ବନ ଢାଳିଦେଇ ଠିଆ ହେଲେ । ସୁକାନ୍ତ ଧଳାଲୁଗାରେ ଘୋଡ଼େଇ ଦେଲେ ଶବର ମୁହଁଟିକୁ । ବୀଣାଟିକୁ ସେଇ ପଲଙ୍କ ଉପରେ ଚିତ୍ରା ପାଖରେ ରଖିଦେଇ ସେ ପ୍ରବୀରଙ୍କ ପାଖରେ ଆସି ଠିଆହୋଇ କହିଲେ—ଭାଇ, କ୍ଷମା କର ! ଆଖିରେ ତାଙ୍କର ଅଶ୍ରୁ ।

 

ପ୍ରବୀରଙ୍କ ଛାତି ଫାଟିଗଲା । ସେ ସୁକାନ୍ତଙ୍କ କାନ୍ଧ ଉପରେ ମୁଣ୍ଡ ରଖି ପିଲାଟି ପରି କାନ୍ଦିଉଠିଲେ—ତୋର କିଛି ଦୋଷ ନାହିଁ ଭାଇ !

 

ଦୁଇ ବନ୍ଧୁଙ୍କ ନୟନ—ଲୋତକରେ ଘରର ଚଟାଣ ଭିଜିଗଲା । ସାମନାରେ ଜୀବନର ବିରାଟ ପ୍ରାନ୍ତର—ଶୂନ୍ୟ, ଛନ୍ଦହୀନ ।

★★★

 

ଜୀବନ-ଜ୍ୱାଳା

 

ସଂଧ୍ୟା ଅତିକ୍ରମି ଯାଇଛି ।

 

ଗୋଟାଏ ଦିଗକୁ ଚାହିଁଲେ ଦିଶୁଚି ଶାନ୍ତ ଶୀତଳ କବର; ଅନ୍ୟ ଏକ ଦିଗରେ ଜୀବନ-ସଂଗ୍ରାମମୁଖର ରାଜପଥ । ବିନୟ ହତାଶ ହୋଇପଡ଼ୁଛନ୍ତି । କିଏ ଜାଣେ, କାଲି ହୁଏତ ସମସ୍ତଙ୍କ ଅଜ୍ଞାତରେ ନିଷ୍ଠୁର ମୃତ୍ୟୁଦେବତାର ନିମନ୍ତ୍ରଣ ତାଙ୍କୁ ଗ୍ରହଣ କରିବାକୁ ପଡ଼ିପାରେ । ଯଦିବା ଆଉ କିଛି ଦିନ ପାଇଁ ଏହି ନିଷ୍ଠୁର ନିମନ୍ତ୍ରଣ ନ ଆସେ, ତେବେ ଜଞ୍ଜାଳର ଘୁର୍ଣ୍ଣିଚକ ତଳେ ନିଷ୍ପେଷିତ ଆତ୍ମା ତାଙ୍କର ଚିତ୍କାର କରିଉଠିବ ବାର ବାର । ଗତ ପଚିଶ ବର୍ଷର ଇତିହାସ ଅତ୍ୟନ୍ତ କରୁଣ, ଅତ୍ୟନ୍ତ ମର୍ମସ୍ପର୍ଶୀ । ରୋଗଜୀର୍ଣ୍ଣ ଶରୀର ଉପରେ ବହିଯାଇଚି କେତେ ଅତ୍ୟାଚାରର ଝଡ଼—ଦୁଃଖର ବାତ୍ୟା । ନୈରାଶ୍ୟର ପୁଞ୍ଜିଭୂତ ଅନ୍ଧକାର ଆହୁରି ନିବିଡ଼ ହେଇଛି । ଶନ୍ତି ହରାଇ ସେ ସବୁକିଛି ହରାଇଛନ୍ତି ।

 

ବିନୟ ଆଜି ବୃଦ୍ଧ । ମୁଣ୍ଡର କେଶ ଧଳା ହୋଇଆସିଚି । ଶିଥିଳ ଚର୍ମ—ଶିରାଳ ମାଂସପେଶୀ । ଚକ୍ଷୁର ଜ୍ୟୋତି ନିଷ୍ପ୍ରଭ ହୋଇଯାଇଛି । ଛାତି ଭିତରେ ଅସମ୍ଭବ ବେଦନା—ମରଣର କରାଳ ସ୍ପର୍ଶ । ମରିଯିବାକୁ ଚାହିୁଁଛନ୍ତି ସେ—ଆଉ ବଞ୍ଚି ରହି ଲାଭ କଣ ? କେତେ ଦିନ ବା ଆଉ ବଞ୍ଚିପାରିବେ ?

 

ଡାକ୍ତର ନିରାଶ କଣ୍ଠରେ ଘୋଷଣା କରିଛନ୍ତି ଏ ରୋଗ ଦୁଃସାଧ୍ୟ । ହାୟରେ ! ମଣିଷ ବଞ୍ଚି ଥାଉ ଥାଉ ଏ ଯେଉଁ କରାଳ ପରଓ୍ୱାନା—ବିନୟ ବଡ଼ ମ୍ରିୟମାଣ ହୋଇପଡ଼ୁଥିଲେ ।

 

ଅସମ୍ଭବ କାଶ । କାଶ ସଙ୍ଗରେ ମେଞ୍ଚା ମେଞ୍ଚା ରକ୍ତ । କାଶି କାଶି ଦମ୍ ଅଟକିଯାଉଛି । ଯକ୍ଷ୍ମା ।

 

ଏଇ ଯକ୍ଷ୍ମା ନାଁରେ କଳ୍ପାନାରେ ଆଜି ପ୍ରାଣୀତନ୍ତ୍ରୀ ତାଙ୍କର ଶିହରି ଉଠୁଛି—ହୃତ୍‌କମ୍ପ ହେଉଛି । ହେ ଭଗବାନ, ମଣିଷ ସୃଷ୍ଟି କରି ଏମିତି ସବୁ ଭୟାବହ ରୋଗ ଦାନ କର କାହିଁକି ? ମଣିଷ ବରଂ ସୃଷ୍ଟି ନ ହୋଇଥିଲେ ଭଲ ହୋଇଥାନ୍ତା । ସୃଷ୍ଟି ଭିତରେ ପୁଣି ଧ୍ୱଂସର କଳ୍ପନା ସହିହୁଏନା ।

 

ଜୀବନର ସ୍ଥିତିକୁ ଆଉ ସହି ପାରୁ ନଥିଲେ ସେ । ସଂଧ୍ୟାଠୁ ଅବିରାମ ଭାବରେ ବର୍ଷା ଢାଳୁଛି । ଚନ୍ଦ୍ର ପକ୍ଷର ମଧୁର ରଜନୀର ସମସ୍ତ ମାଧୁରୀ ଲୋପ ପାଇଯାଇଛି । ଅସହାୟ ଶିଶୁଟି ଭଳି ଧୀରଭାବରେ ଭୀତତ୍ରସ୍ତ ହୋଇ ସେ ବସିଛନ୍ତି । ସ୍ତ୍ରୀ କମଳିନୀ ଘର ଭିତରେ କାର୍ଯ୍ୟବ୍ୟସ୍ତ । ଅନ୍ୟ କିଛି କାର୍ଯ୍ୟ ନୁହେଁ, ବିନୟଙ୍କ ଖାଦ୍ୟ ତିଆରିରେ ସେ ଲାଗିଛନ୍ତି ।

 

ଝରକା ସବୁ ଉନ୍ମୁକ୍ତ, ବର୍ଷାଛିଟା ଘର ଭିତରକୁ ପଡ଼ୁଛି । ବେଶ୍ ଥଣ୍ଡା ଲାଗୁଛି ଦେହକୁ । ଝରକାକୁ ଲମ୍ବି ଆସିଥିବା କ୍ରୋଟନ ଗଛର ଡାଳସବୁ ଦୋହଲୁଛି ପବନରେ । ସେ ଏକ ଦୃଷ୍ଟିରେ ଚାହିଁରହିଛନ୍ତି କାନ୍ଥରେ ଝୁଲୁଥିବା ଗୋଟାଏ ଛବି ଆଡ଼େ—କମନୀୟ ଭଙ୍ଗୀ—ଏଇ ଛବିଟିର ମୂଲ୍ୟ କଳନା କରି ହୁଏନା । ତାଙ୍କ ଜୀବନର ଏକ ରସାଳ ସ୍ମୃତିର ପ୍ରତୀକ ଏଇ ଛବି । ତାହାର ଭିତରେ ବହୁତ କିଛି ପାଇ ବହୁତ କିଛି ସେ ପୁଣି ହରେଇ ଦେଇଛନ୍ତି ।

 

ଅନ୍ତନାଡ଼ି ଚିରି ଝଲକାଏ କାଶ ଆସିଲା । କି ସର୍ବନାଶୀ କାଶ । କାଶ ଉଠିଲେ ଭୟଙ୍କର ମୃତ୍ୟୁଦେବତାର ଛବି ଆଖିରେ ଭାସିଯାଏ । କାଶି କାଶି ବେଦମ୍‌ ହେଇପଡ଼ିଲେ ସେ । କି ଯନ୍ତ୍ରଣା—କି ଜ୍ୱଳା ! ଘରର ଚାରିକାନ୍ଥ ପ୍ରତିଧ୍ୱନି ତୋଳୁଛି । ସୁଯୋଗ ପାଇଲେ ସମସ୍ତେ ପରିହାସ କରନ୍ତି । ଦୁର୍ବଳତାର ସୁଯୋଗ ନେଇ ଜଡ଼ ପଦାର୍ଥ ମଧ୍ୟ ଦୁର୍ବ୍ୟବହାର କରେ ।

 

ବିନୟ କାଶୁଥିଲେ । ମୁଣ୍ଡା ମୁଣ୍ଡା ନାଲି ରକ୍ତରେ ସିମେଣ୍ଟ ଚଟାଣର କିୟଦଂଶ ଭିଜିଗଲାଣି; ତଥାପି ବନ୍ଦ ହେଉନି ।

 

କେମିତିକା ଗୋଟାଏ ଅସ୍ପଷ୍ଟ ଚିତ୍କାର କରିଉଠିଲେ ସେ ।

 

କମଳିନୀ ଧାଇଁଆସିଲେ । ପ୍ରତି ମୁହୂର୍ତ୍ତରେ ମନ ଭିତରେ ବିପଦର ଆଶଙ୍କା । ପାଖରେ ବସି ବିନୟଙ୍କର ପିଠି ଛାତି ଆଉଁସି ଦେଲେ । ଦେହରେ ଆଉ ମାଂସ ନାହିଁ—ଖାଲି ହାଡ଼ । ସେ ହାଡ଼ ପୁଣି ଶୀର୍ଣ୍ଣ ।

 

କାଶି କାଶି ବିନୟ କମଳିନୀଙ୍କ ହାତ ଉପରେ ଢଳିପଡ଼ିଲେ । ଏଇ ମୂହୂର୍ତ୍ତରେ ପାଣି ଟିକିଏ ଆବଶ୍ୟକ ହୁଏ । କମଳିନୀ ଡାକିଲେ—ରତନା, ରତନା ।

 

ଇସ୍, ଭୟରେ ଯେମିତି କଣ୍ଠ ତାଙ୍କର ଫିଟିବାକୁ ଚାହେନା । ପୁରାତନ ଚାକର ରତନା ଘର ଭିତରେ ଥାଇ ବୁଝିପାରିଲା କଣ ପାଇଁ ଏ ଡାକରା । ଗ୍ଲାସରେ ପାଣି ମୁନ୍ଦାଏ ଧରି ସେ ପହଞ୍ଚିଲା । ଆଖି ଓ ମୁହଁରେ ପାଣି ଟିକିଏ ମାରି ପାଟିରେ ଟିକିଏ ପାଣି ସେ ଦେଲେ । ଦୁଇଜଣଯାକ ଧରାଧରି କରି ବିନୟଙ୍କୁ ଖଟ ଉପରକୁ ନେଇ ଶୁଆଇଦେଲେ । ନିଷ୍ପ୍ରଭ ମୁଖମଣ୍ଡଳକୁ ଦେଖି ଯେ କେହି ଲୋକରୁ କରୁଣା ଉଦ୍ରେକ ହେବ । ସେ କେଉଁ ଏକ ମଙ୍ଗଳଦିନର ମଙ୍ଗଳ ମୁହୂର୍ତ୍ତରେ ଜନ୍ମ ନେଇଥିଲା ଯେଉଁ ଶିଶୁ, ଯାହାର ଆଗମନରେ ମଣିଷ ସହିତ ପ୍ରକୃତି ମଧ୍ୟ ଆନନ୍ଦର ଗୀତ ଗାଇଉଠିଥିଲା, ତାର ଆଜି ଏ’ କି ଦୂରନ୍ତ ପରିଣତି ?

 

କମଳିନୀ ଧୀରକଣ୍ଠରେ ପୁଣି ଥରେ ଡାକିଲେ—ରତନା ।

 

ଆଖି ଓ ଭାଷା କରୁଣ । ଏଇ ଡାକ ଭିତରେ ଯେମିତି ଲକ୍ଷଯୁଗର ଅସ୍ଫୁଟ ବେଦନା ପୂରିରହିଛି । ଦିନକୁ ଦିନ ସେ ବେଶି ନିରାଶ ହେଉଛନ୍ତି । ଆଉ କେତେ ଦିନ ? ଆଉ କେତେ ରାତ୍ରି-? ରତନା ବିରସ ମୁହଁରେ ଚାହିଁ ରହିଲା । କମଳିନୀ ଆଉ କିଛି କହିବାକୁ ଚାହୁଁ ନଥିଲେ ମଧ୍ୟ ତାଙ୍କର ଏଇ ପଦକ ଡାକି, ବିରସ ଚାହାଣୀ, ଦୀର୍ଘଶ୍ୱାସ ତାଙ୍କର ଚିନ୍ତାକୁ ଧରାପକେଇ ଦେଇଥିଲା-

 

ବିନୟ ଚାହିଁଲେ—ଅର୍ଦ୍ଧ ନିମିଳିତ ତାଙ୍କର ଚକ୍ଷୁ । କମଳିନୀଙ୍କ ନୟନରେ ଅଶ୍ରୁ । ଏଇ ଅର୍ଦ୍ଧ ନିମିଳିତ ଚକ୍ଷୁଯୋଡ଼ିକ ସହିତ ଅଶ୍ରୁଭରା ଚକ୍ଷୁଯୋଡ଼ିକର ବିନିମୟରେ ଉଭୟେ ଯେମିତି ଉଭୟଙ୍କର ଭାଷା ବୁଝିପାରିଲେ ।

 

ରତନା ବାହାରକୁ ଅପସରିଗଲା । ବିନୟ ଧୀର ଅଥଚ ମୃଦୁ ଗଳାରେ କହିଲେ—ଲକ୍ଷ୍ମୀଟି, ମୋ ପାଇଁ କେତେ କଷ୍ଟ....

 

ଆଉ କହିପାରିଲେ ନାହିଁ । ପୁଣି ଛୁଟିଲା କାଶର ଲହରୀ । ସେ ଲହରୀ ଯେମିତି ଭାଙ୍ଗି ବାକୁ ଚାହେଁନା ।

 

କମଳିନୀ ତାଙ୍କ ଛାତି ଆଉଁସି ଦେଉ ଦେଉ ଛାତିରେ ଶୁଭ୍ର ହେଇଆସୁଥିବା କେଶକୁ ଦେଖି ନିଜ ମନକୁ ସାନ୍ତ୍ୱନା ଦେଉଥିଲେ—ଧୂଳି ମାଟିରେ ଏଇ ଦେହ ନିଶ୍ଚୟ ତ ଦିନେ ମାଟିରେ ମିଶିବାର କଥା, ଶୁକ୍ଳ କେଶ ଯେମିତି ନିଶ୍ଚିତ ମୃତ୍ୟୁଦେବତାର ବାର୍ତ୍ତାବହ । ବିନୟ ଆଉ କେତେ ଦିନ ବଞ୍ଚିଥାନ୍ତେ ? ନୋହିଲେ ଏଇ ଯକ୍ଷା ତାଙ୍କ ମୃତ୍ୟୁକୁ ଆଉ ଟିକିଏ ଆଗକୁ ଘୁଞ୍ଚେଇ ଆଣିବ । କିନ୍ତୁ ଖାଲି କ’ଣ ସେତିକି ?

 

କମଳିନୀଙ୍କୁ ଡାକ୍ତର କହିଯାଇଥିଲେ—ବିନୟଙ୍କଠୁ ଅଲଗା ରହିବାକୁ । ଯକ୍ଷ୍ମା ଏକ ସଂକ୍ରାମକ ରୋଗ । ସେ ପ୍ରକାର ରୋଗଠୁ ନିଜକୁ ଅଲଗା କରି ନରଖିଲେ ଆକ୍ରାନ୍ତ ହେବାର ନିଶ୍ଚିତ ସମ୍ଭାବନା । କମଳିନୀଙ୍କର ମାଂସପେଶୀ ମଧ୍ୟ ଦୁର୍ବଳ ହୋଇପଡ଼ିଲାଣି । ଯକ୍ଷ୍ମାର ବଳିଷ୍ଠ ଜୀବାଣୁ ତାଙ୍କ ଦେହରେ ସହଜରେ ପ୍ରବେଶ କରିପାରିବ । ତେଣୁ ଡାକ୍ତର ବାରବାର କରି ତାଙ୍କୁ ଚେତେଇ ଦେଇ ଯାଇଥିଲେ—ଖୁବ୍ ସାବଧାନରେ ଚଳିବାକୁ, ରୋଗୀ ସହିତ ଯେତେଦୂର ସମ୍ଭବ କମ୍ ସମ୍ପର୍କ ରଖିବାକୁ—ରୋଗୀକୁ ଗୋଟିଏ ଏକପାଖିଆ ଘରେ ଅଲଗା କରି ରଖିବାକୁ—ଅଲଗା ବାସନାରେ ରୋଗୀର ଖାଦ୍ୟ ପରଷିବାକୁ—ଏହା ବାଦେ ଆହୁରି କେତେ କଣ । ସ୍ୱସ୍ଥ୍ୟରକ୍ଷା ବହିର ସବୁକିଛି ନିୟମକାନୁନ ମାନି ଚଳିବାକୁ କମଳିନୀଙ୍କୁ ଦିର୍ଦ୍ଦେଶ ଦେଇଯାଇଥିଲେ ।

 

କିନ୍ତୁ ସେ କିଛି ରକ୍ଷାକରି ପାରିନାହାନ୍ତି । ପାରନ୍ତେ ବା କିପରି ? ସ୍ୱାମୀର ମର୍ମଭେଦୀ ଯନ୍ତ୍ରଣାରେ କେଉଁ ସ୍ତ୍ରୀ ନିଜ ଛାତିକୁ ପଥର କରି ରଖିପାରିବ ? ସ୍ୱାମୀ ଦେବତା ସଦୃଶ ବୋଲି ନୀତିକାରମାନେ କହିଯାଇଛନ୍ତି । ଆମର ସାମାଜିକ ସଂସ୍ଥା ଯାହା, ସେଥିରେ ସ୍ତ୍ରୀର ଭଲମନ୍ଦ ସ୍ୱାମୀର ଭଲମନ୍ଦ ଉପରେ ପୂରାପୁରି ନିର୍ଭର କରେ । କବିତା-ବନିତା-ଲତା ବିନାଶ୍ରୟରେ ବଞ୍ଚିପାରନ୍ତି ନାହିଁ । ସେହି ଆଶ୍ରୟ ଟିକକ ହଜିଗଲେ ସ୍ତ୍ରୀ ହୁଏ, ପଥହରା, ନିରାଶ୍ରୟା, ବେଓ୍ୱାରିସ୍‍ ।

 

କମଳିନୀ ସବୁ ବୁଝିଛନ୍ତି । ସ୍ୱାମୀ-ଦେବତାର ସେବା କରିବା ତାଙ୍କ ଜୀବନର ବ୍ରତ ବୋଲି ସେ ଧରିନେଇଛନ୍ତି । ଇହଜନ୍ମରେ ଏଇ ସେବାର ମୂଲ୍ୟ ହୁଏତ ଆଉ କିଛି ନାହିଁ; କିନ୍ତୁ ଏଇ ଜୀବନର ପରେ ଆଉ ଯଦି ଜୀବନ ଆସେ ସେତେବେଳେ ହୁଏତ ଏଇ ସେବାର ଫଳ ମିଳିପାରେ-

 

କାଶ ଥମିଚି । କମଳିନୀ ବିନୟଙ୍କ ଦୁର୍ବଳ ଛାତି ଉପରେ ମଥା ରଖି ତାଙ୍କର ହୃଦୟ ସ୍ପନ୍ଦନକୁ ବେଶ୍ ବୁଝିପାରୁଛନ୍ତି । କି ଦ୍ରୁତ ତାର ଗତି ! ଖେଳଓ୍ୱାଡ଼ ରେସ୍ ସାରି ଧଇଁସଇଁ ହେଇପଡ଼ିଲେ ତା’ ଛାତିର ସ୍ପନ୍ଦନ ଯେମିତି ଦ୍ରୁତ ହୁଏ, ବିନୟଙ୍କ ଛାତିର ସ୍ପନ୍ଦନ ଠିକ୍ ସେମିତି ।

 

ଡାକ୍ତର କହୁଥିଲେ, ଏମିତି ହେଉଁ ହେଉଁ କେତେବେଳେ ସବୁଦିନ ପାଇଁ ଏଇ ଛାତିର ସ୍ପନ୍ଦନ ବନ୍ଦ ହେଇଯିବ ।

 

କମଳିନୀଙ୍କୁ ଜଣାଯାଉଥିଲା ସ୍ପନ୍ଦନର ଶବ୍ଦ ଯେମିତି ବେଳେ ବେଳେ ବନ୍ଦ ହେଇଯାଉଛି-। ସେ ଆହୁରି ଗହୀରେଇ ଶୁଣୁଥିଲେ । ଅମୂଳକ ତାଙ୍କର ଧାରଣା, ଖାଲି ମନର ଭ୍ରାନ୍ତି-

 

—କଷ୍ଟ ହେଉଚି ଆଉ ?

 

ପଚାରିଲେ ସେ ।

 

ବିନୟ ଖୁବ୍ କ୍ଷୀଣଗଳାରେ କହିଲେ—କଷ୍ଟ ଦିହସୁହା ହେଇଗଲେଣି । କଷ୍ଟକୁ ଆଉ ମୋର ଭୟ ନାହିଁ ।

 

କମଳିନୀ ମୁଣ୍ଡ ତୋଳି ବିନୟଙ୍କ ମୁହଁରେ ହାତ ବୁଲାଉଥିଲେ ।

 

ଦୀର୍ଘ ବହୁବର୍ଷ ପରେ । ତାଙ୍କର ଯେମିତି ମନେହେଉଥିଲା ଅଲିଅଳି କୁମାରୀ ଝିଅଟି ପରି ତାଙ୍କ ଛାତି ଉପରେ ଘନ ଘନ ଲୋଟିପଡ଼ନ୍ତେ । ପ୍ରେମରେ କଣ୍ଠଲଗ୍ନା ହୋଇ କହନ୍ତେ—ନା ଗୋ ନା; ମୁଁ ତମକୁ ଛାଡ଼ିବି ନାହିଁ, ଛାଡ଼ି ପାରିବି ନାହିଁ । ମତେ ତମେ ବଞ୍ଚେଇଥିଲ, ମୁଁ ଆଜି ତମକୁ ଛାଡ଼ିବି କିପରି ?

 

କି ମମତା ! କି ଅନୁରକ୍ତି ! ବାର୍ଦ୍ଧକ୍ୟର ନିର୍ଯାତନାରେ ବିନୟଙ୍କ ରୋଗକ୍ଷୀଣ ମୁହଁ ତାର ସମସ୍ତ ସୌନ୍ଦର୍ଯ୍ୟ, ସବୁକିଛି ଲାଳିତ୍ୟ ହରାଇବସିଛି । ତଥାପି ଏଇ ମୁହଁଖଣ୍ଡକ ପାଇଁ ତାଙ୍କର କି ଅନୁରାଗ !

 

ସେ ସେଇ ମୁହଁକୁ ଚାହିଁ ଚାହିଁ ଏକ ତରୁଣ ମୁହଁର ସ୍ୱପ୍ନ ଦେଖୁଥିଲେ । ବହୁଦିନ ତଳେ ଏଇ ଅଧରର ମଧୁ ଚାଖିବା ପାଇଁ ତରୁଣୀ ମନ ପାଗଳ ହୋଇଉଠିଥିଲା । ଶାନ୍ତ ଶୀତଳ ଚଇତାଳ ପବନର କାନ୍ତ ପରଶରେ ବାହାରର ପ୍ରକୃତି ହୋଇଉଠିଥିଲା ଆହୁରି କମନୀୟ । ସଲଜ୍ଜ ଲତାବଧୂର ଅନ୍ତରାଳରେ ଛପି ରହି କୋକିଳ ଗାଉଥିଲା ବସନ୍ତର ବନ୍ଦନା । ଆଜି ଏଇ ଅନୁଭୂତିହୀନ ରାତିରେ ସବୁ ମନେପଡ଼େ । ମନେପଡ଼େ ଶୈଶବର ବାଲିଖେଳ ଚିତ୍ର, ତାରୁଣ୍ୟର ସ୍ନିଗ୍ଧ ଚଳଚ୍ଚିତ୍ର ।

 

ବିନୟ ପଚାରିଲେ—କମଳା, ରାତ୍ରି ଏତେ ଭୀଷଣ କାହିଁକି ? ମେଘ ବନ୍ଦ ହେଲାଣି ?

 

ପୂରା ବନ୍ଦ ନ ହୋଇଥିଲେ ମଧ୍ୟ ମେଘର ଗତି କମିଆସିଛି । ଆକାଶ କୋଳରେ ମେଘଖଣ୍ଡ ଅନ୍ତରାଳରୁ ଫୁଟିଦିଶୁଚି ଇତସ୍ତତଃ ତାରକାପୁଞ୍ଜ—ଚନ୍ଦ୍ରର ଉପସ୍ଥିତ ବାହାରର ଝାପ୍‌ସା ଆଲୋକରୁ ବେଶ୍ ଜଣାପଡ଼ୁଛି ।

 

ତଥାପି ଏଇ ରାତ୍ରି ଭୀଷଣ । ବିନୟଙ୍କୁ ଲାଗୁଥିଲା ସେ ଯେମିତି ଏମିତିକା ରାତ୍ରିରେ ଅଣନିଃଶ୍ୱାସୀ ହେଇପଡ଼ୁଛନ୍ତି ।

 

କମଳିନୀ କହିଲେ—ମେଘ ବନ୍ଦ ହୋଇିଯବ ଏଇନା । ତମପାଇଁ ଟିକିଏ ଗରମ ଦୁଧ ଆଣିଦିଏ । ଥଣ୍ଡାରେ ବସି ଦେହସବୁ ହେମାଳ ହେଇଗଲାଣି ।

 

ପ୍ରତ୍ୟୁତ୍ତର ଦେଲେ ବିନୟ—କାହିଁକି କେଜାଣି ସବୁ ଋତୁକୁ ମୁକ୍ତଭାବରେ ଉପଭୋଗ କରିବାପାଇଁ ଭାରି ଇଚ୍ଛା ହେଉଛି । ବର୍ଷା ଋତୁ ଚାଲିଗଲେ ପୁଣି ଥରେ ତାକୁ ଉପଭୋଗ କରିପାରିବି, ଏ ବିଶ୍ୱାସ ତ ମୋର ନାହିଁ । କେତେବେଳେ କଣ ହେବ... ?

 

—ଛି ଛି, ତମେ ଏସବୁ କଣ କହୁଛ ? ନିଜ ମୁହଁରେ ନିଜର ଅମଙ୍ଗଳ କଥା କହିବାକୁ ଅଛି ? ସେସବୁ ତମେ କାହିଁକି ଚିନ୍ତା କରୁଛ ? ସବୁବେଳେ ଯଦି ଏଇ କଥା ଭାବ, ତୁମର ଅବସ୍ଥା କଣ ହେବ ଜାଣ ? ମୋ ସୁନାଟି, ତମେ ସେସବୁ କଥା ମନକୁ ଆଣ ନାହିଁ ।

 

ବିସ୍ଫାରିତ ହୋଇଗଲା ବିନୟଙ୍କ ନେତ୍ରଯୁଗଳ । କମଳିନୀଙ୍କ ଭାଷାରେ ଯେଉଁ ଦରଦ ରହିଛି ତାହା ତାଙ୍କ ମନକୁ ଅତୀତ ସ୍ମୃତିର ଗହ୍ୱର ଭିତରକୁ ନେଇଗଲା । ଏ ଭାଷା କଣ କମଳିନୀଙ୍କର ? ବାର୍ଦ୍ଧକ୍ୟର ପାଦଦେଶରେ ପହଞ୍ଚି ଜଣେ ନାରୀ କଣ ନିଜକୁ ଏତେ କୋମଳ କରିପାରେ ? ତାର ଭାଷାରେ କଣ ଏମିତିକା ସାବଲୀଳା ଭାବ ଫୁଟିପାରେ ?

 

କମଳିନୀ ପୁଣି କହିଲେ—ଦୁଶ୍ଚିନ୍ତା ପରା ମଣିଷକୁ ସାରିଦିଏ ! ତମେ ବରଂ ବହି ପଢ଼ । ମୋ କଥା ମାନ । ଡାକ୍ତରମାନେ ତ ପଇସାଖୋର୍ । ରୋଗ ଭଲ ହେଲା ବା ନହେଲେ ସେ ବିଷୟରେ ଚିନ୍ତା କରନ୍ତି ନାହିଁ । ଶହେ ଜଣ ରୋଗୀଙ୍କର ଅମଙ୍ଗଳ ଘଟିଲେ ସେମାନଙ୍କର କିଛି ଯାଏ-ଆସେନା । ନିତିଦିନ ସେମାନେ କେତେ ଦୁର୍ଘଟଣା ଘଟଉଛନ୍ତି । ମଣିଷ-ଜୀବନ ପ୍ରତି ସେମାନଙ୍କର ପରବାୟ ନାହିଁ ।

 

ବିନୟ କିଛି କହିଲେ ନାହିଁ । କମଳିନୀଙ୍କର ଏଇ ଉପଦେଶ ଅତ୍ୟଧିକ ସ୍ନେହର ନିଦର୍ଶନ । ଗୋଟାଏ ଜନ୍ମର ପରିଚୟ, ଘନିଷ୍ଠତା ଦୁଇଟି ପ୍ରାଣକୁ ଏକ କରିଦେଇଛି । ଜଣକର ଚିନ୍ତାର ଛାପ ଅନ୍ୟର ମନଉପରେ ପଡ଼େ । ବାସ୍ତବିକ ସ୍ୱାମୀ-ସ୍ତ୍ରୀର ବନ୍ଧନରଜ୍ଜୁ କେଡ଼େ ଶକ୍ତ !

 

ବିନୟ ତାଙ୍କର ଥରିଲା ଛାତି ଭିତରେ ନୂଆ ଏକ ଅନୁଭୂତିର ସ୍ପର୍ଶ ପାଉଥିଲେ । ବିବାହର ପ୍ରଥମ ଲଗ୍ନରେ ଏଇ କମଳିନୀଙ୍କ ମୁହଁଖଣ୍ଡିକ ଥିଲା କି ସୁନ୍ଦର—କୁଞ୍ଚିତ କେଶଗୁଚ୍ଛରେ ରଜନୀଗନ୍ଧା ଫୁଲର ବିକାଶ ଭାରି ଚମତ୍କାର ଦିଶୁଥିଲା । କପାଳର ମଧ୍ୟଦେଶର ଚିକ୍ ଚିକ୍ କରୁଥିଲା ରକ୍ତ ରଙ୍ଗର ସିନ୍ଦୂର । କାନରେ ଝରା ବକୁଳ—ଆଖିରେ ସରୁ କଜ୍ଜ୍ୱଳର ଗାର । ତାଙ୍କର ସୁନା ରଙ୍ଗର ପତଳା ଦେହକୁ ଆକାଶୀ ରଙ୍ଗର ଶାଢ଼ି ବେଶ୍ ମାନୁଥିଲା । ମାନସରୋବରର କଳ୍ପିତ ଦେବକନ୍ୟାର ସୁଷମା ନେଇ ନିସ୍ତବ୍ଧ ରାତ୍ରିର ଅନ୍ଧାର ପକ୍ଷତଳେ ସେ ଯେତେବେଳେ ଶୟନକକ୍ଷରେ ପ୍ରବେଶ କରୁଥିଲେ ସେବତେବେଳେ ତରୁଣ ବିନୟଙ୍କର ସମସ୍ତ ଅବୟବ ଶିହର ଉଠୁଥିଲା—ଭାଷା ସ୍ଫୁର ନ ଥିଲା ମୁଖରୁ । ନିଜକୁ ସେ ଦୁର୍ବଳ ମନେ କରୁଥିଲେ । ଯୁବତୀ ସ୍ତ୍ରୀର ସଲଜ୍ଜ ବଦନର ଦୀପ୍ତ ହାସ୍ୟରେଖା ଆଜି ହୁଏତ ସ୍ୱପ୍ନ...

 

ସେଦିନ କଣ ଆଉ ଥରେ ଫେରିବ ? ସେ ଆଉ ଫେରିପାରେନା । ତଟିନୀର ଯେଉଁ ଜଳ ନିମ୍ନଗାମୀ ହୋଇ ମହାସିନ୍ଧୁ ସଙ୍ଗରେ ନିଜକୁ ମିଶେଇ ଦେଇସାରିଛି, ସେ ଜଳ ଆଉ କେବେ ତଟିନୀର ବକ୍ଷକୁ ଲେଉଟି ଆସେ ନାହିଁ । ବିଗତ ହୋଇଯାଇଚି ଯେଉଁ ଯୌବନ, ସେ ଆଉ ଲେଉଟି ଆସେନା ।

 

ମନ କିନ୍ତୁ ବୁଝେନା ।

 

ବିନୟଙ୍କର ମନେହେଉଥିଲା ସେ ଯେମିତି ଆଜି କମଳିନୀଙ୍କ ସ୍ପର୍ଶରେ ନୂତନ ଜୀବନର ଗନ୍ଧ ପାଉଛନ୍ତି । ଭାରି ଇଚ୍ଛା ହେଉଥିଲା ତାଙ୍କ କଣ୍ଠର ସଙ୍ଗୀତ ଗୋଟିଏ ଶୁଣିବାକୁ । ବୟସ ଯେତେବେଳେ ଥିଲା ସେ ସେତେବେଳେ କେତେ ସଂଗୀତ ଶୁଣାଇଛନ୍ତି । ସେହି ସଂଗୀତ ହିଁ ଥିଲା ଦୁହିଁଙ୍କ ମଧ୍ୟରେ ପ୍ରଧାନ ଆକର୍ଷଣ ।

 

ବିନୟ ଚିତ୍ରଶିଳ୍ପୀ—କବି ମଧ୍ୟ । କମଳିନୀ ତାଙ୍କର କବିତା । ଦୁହିଁଙ୍କର ମିଳନ ଯୁକ୍ତିଯୁକ୍ତ, ରୁଚିକର ।

 

ସେଇ ଅତୀତ ଚିନ୍ତାରେ ବିନୟଙ୍କ ପ୍ରାଣ ଆଜି ପୁରିଉଠୁଛି । ଏମିତିକା ଶୀତଳ ରାତ୍ରିରେ କମଳିନୀଙ୍କ ପରଶ ବେଶ୍ ଭଲ ଲାଗୁଛି ।

 

ଦୁର୍ବଳ ହାତ ଦୁଇଟିକୁ ସେ କମଳିନୀଙ୍କ କଣ୍ଠଦେଶରେ ଛନ୍ଦିଆଣିଲେ । କି ଶାନ୍ତି ସତେ ଏଇ ମିଳନରେ !

 

ପର ମୁହୂର୍ତ୍ତରେ କିନ୍ତୁ ସେ ଚମକି ଉଠିଲେ । ସେ ଏକ ସାଂଘାତିକ ରୋଗରେ ଆକ୍ରାନ୍ତ–କମଳିନୀ ସୁସ୍ଥ । ସ୍ୱାମୀତ୍ୱର ଅଧିକାର ଜାହିର କରି ସେ ଅନ୍ୟାୟ କରୁନାହାନ୍ତି ତ ?

 

କମଳିନୀ ବିନୟଙ୍କ ମୁଣ୍ଡରେ ହାତ ମାରୁ ମାରୁ କହିଲେ—ଭଗବାନ କେଡ଼େ ନିଷ୍ଠୁର, ନୁହେଁ କି ?

 

ବିନୟ କଥା ନକହି ମୁଣ୍ଡଟି ହଲାଇ ସମ୍ମତି ଜଣାଇଲେ । ନିଷ୍ଠୁର ନ ହୋଇଥିଲେ ଏଇ ଦମ୍ପତିର ଆଜି ଏ ଦୁର୍ଦ୍ଦଶା ହୋଇଥାନ୍ତା କାହିଁକି ? କମଳିନୀ ପୁଣି କହିଲେ—ତମେ କହୁଥିଲ ନା ଗୋଟେ ଗୀତ ଶୁଣିବ ବୋଲି ? କିନ୍ତୁ...... । ନୀରବ ରହିଲେ ସେ ।

 

ବିନୟ କହିଲେ—କମଳା ବି, ସୁନ୍ଦର ଯେ ସେ ସବୁଦିନେ ସୁନ୍ଦର ତୁମର ଗୀତ ସବୁବେଳେ ମତେ ଭଲ ଲାଗେ । ତୁମେ ଗାଅ ।

 

ସ୍ୱାମୀଙ୍କ ମନ ଭାଙ୍ଗି ଦବାର ଇଚ୍ଛା କମଳିନୀଙ୍କର ମୋଟେ ନଥିଲା । ଗୀତ ଗାଇବାର ସ୍ପୃହା ନାହିଁ । ଏ ବୟସରେ ବା ସେ କି ଗୀତ ଆଉ ଗାଆନ୍ତେ ? ତଥାପି ଗାଇଲେ । ହାରମୋନିୟମ ବହୁଦିନ ହେଲା ବ୍ୟବହୃତ ହୋଇନାହିଁ । ବେସୁରା ମଧ୍ୟ ହୋଇଗଲାଣି । ତଥାପି ସେଇ ବେସୁରା ଯନ୍ତ୍ରଟିରେ ସ୍ୱର ସଂଯୋଗ କରିବାକୁ ପଡ଼ିଲା ।

 

ଗୀତ ଶେଷ ହେଲା । ସେହି ଚିରପରିଚିତ ପ୍ରିୟ ଗୀତଟି । ଯୌବନର କେଉଁ ଜୁଆରିଆ ମୁହୂର୍ତ୍ତରେ ବିନୟ ଏହି ଗୀତଟି ରଚନା କରିଥିଲେ । ଗୀତଟିର ଛକ୍ରେ ଛକ୍ରେ ଯୌବନର ଉଦ୍ଦାମ ଆକାଂକ୍ଷା—ବଞ୍ଚିରହି ଉପଭୋଗ କରିବାର ପ୍ରବଳ ପିପାସା ।

 

ଜୀବନର ସନ୍ଧିକ୍ଷଣରେ ସେହି ଗୀତଟିକୁ ପୁଣି ଥରେ ଶୁଣି ସେ ଚିତ୍କାର କରିଉଠିଲେ—କମଳା, ନା ନା ମୁଁ ମରିବାକୁ ଚାହେଁନା । ମୁଁ ବଞ୍ଚିବି । ତମର ନିରାପଦ ଅଞ୍ଚଳ ତଳେ ମତେ ବାନ୍ଧିରଖ । ମୁଁ ପୁଣି ଥରେ ଜୀବନକୁ ଉପଭୋଗ କରିବି କମଳା...ତୁମେ ମୋତେ ବଞ୍ଚେଇ ପାରିବ-?

 

ହଠାତ୍ ଏ କଣ ହେଲା ?

 

କମଳିନୀଙ୍କ ମୁହଁ ଶୁଖିଯାଇଚି । ନୟନ କୋଣରେ ଢଳଢଳ କରୁଛି ଅଶ୍ରୁ । ସେ ମଧ୍ୟ ପାଟି କରି ଉଠିଲେ—ମୋତେ କ୍ଷମା କର ଗୋ । ମୋର ଭୁଲ ହେଇଚି । ଏଇ ପୁରୁଣା ଗୀତଟିକି ଗାଇ ତମ ମନରେ ପୁଣି ମୁଁ ପୂର୍ବର ସ୍ମୃତିକୁ ଜଗାଇଦେଇଚି । କ୍ଷମା କର ମୋତେ, ମୋର କୋଟି ଅପରାଧ ।

 

ତାଙ୍କ ଆଖିର ଅଶ୍ରୁ ଟୋପାଏ ଯାଇ ବିନୟଙ୍କ ଛାତି ଉପରେ ପଡ଼ିଲା ସେ କହିଲେ—କମଳା, ତୁମେ କାନ୍ଦୁଛ ? ଛି ଛି....

 

କମଳିନୀଙ୍କ ଛାତି ଫଟାଇ କୋହ ଆସୁଥିଲା । ସେ ଆତ୍ମସମ୍ବରଣ କରି ନପାରି ପଳାଇ ଆସିଲେ । ତାଙ୍କର ଯିବା ବାଟକୁ ଚାହିଁ ରହିଥିଲେ ବିନୟ । ଅତ୍ୟନ୍ତ କରୁଣ ଆଉ ଅର୍ଥପୂର୍ଣ୍ଣ ସେହି ଦୃଷ୍ଟି ।

 

କମଳିନୀ ଚାଲିଆସିଲେ ତାଙ୍କ ଶୋଇବା ଘରକୁ । ଡାକ୍ତରଙ୍କ ପରାମର୍ଶ ଅନୁସାରେ ସ୍ୱାମୀ ସ୍ତ୍ରୀଙ୍କର ଶୋଇବା ଘର ପୃଥକ ହୋଇଯାଇଛି । ପଲଙ୍କ ଉପରେ ପଡ଼ିରହିଲେ ସେ । କାନ୍ଥରେ ଝୁଲୁଚି ବିନୟଙ୍କ ହାତଅଙ୍କା ତାଙ୍କରି ଚିତ୍ରପଟ । ନିଜ ଚିତ୍ରପଟକୁ ଦେଖି ନିଜେ ସେ ଚମକିପଡ଼ିଲେ ।

 

ସେ କଣ ସତରେ ଏଡ଼େ ସୁନ୍ଦରୀ ଥିଲେ ? ଆଜିର ଚେହେରା ସହିତ ପୂର୍ବର ସେଇ ଚେହେରାକୁ ଖାପ ଖୁଆଇ ପାରୁନଥିଲେ କମଳିନୀ । ସେ ବୟସରେ ବାସ୍ତବିକ ସେ ଥିଲେ ରୂପ ଆଉ ଯୌବନର ଏକ ମଧୁମୟ ସଂମିଶ୍ରଣ ।

 

ଏଇ ଚିତ୍ରପଟ । ବିବାହର ପ୍ରଥମ ବର୍ଷରେ ବିନୟ ନିଜ ହାତରେ ଆଙ୍କିଥିଲେ । ଆଜି ସେଇ ସବୁ ସ୍ମୃତି ତାଙ୍କର ମନେପଡ଼ୁଚି ।

 

—ଯୌବନ ଯାଇଚି । ସୁଖ ସମ୍ଭୋଗବାସନା ସବୁ କିଛି ଲୁପ୍ତ । ଆଜି ଆଉ ଏ ଚିତ୍ରର ଆବଶ୍ୟକତା କଣ ? ମରୁଭୂମି ଭିତରେ ରହି ଜଳର ସ୍ୱପ୍ନ ଦେଖିବାରେ କେଉଁ ସାର୍ଥକତା ରହିଛି ?

 

ସେ ଆଉ ବିନୟଙ୍କୁ ପାଗଳ କରିବାକୁ ଚାହୁଁ ନଥିଲେ । ହଠାତ୍ ତାଙ୍କର ସ୍ମୃତିପଟରେ ଉଙ୍କି ମାରୁଥିଲା ଏଇ ରୂପ ତଳର କରୁଣ ଇତିହାସ ।

 

ସେତେବଳେ ସେ ଷୋଡ଼ଶୀ—ଶାନ୍ତିନିକେତନରେ ସଂଗୀତ ଅଧ୍ୟୟନ କରୁଥାନ୍ତି । କବି ରବିନ୍ଦ୍ରଙ୍କ ନନ୍ଦନକାନନରେ ମୁକ୍ତ ମନ ତାଙ୍କର ଘୂରି ବୁଲୁଥାଏ । ଫୁଲର ସ୍ୱପ୍ନ—ଜଗତଟାକୁ ସେ ଦେଖୁଥାନ୍ତି ରଙ୍ଗୀନ ଆଖିରେ ।

 

ତାଙ୍କର ସହପାଠୀ—ଶ୍ରୀମନ୍ତ ଓ ବିନୟ ଉଭୟେ । ଦୁହିଁଙ୍କ ସହିତ ତାଙ୍କର ବନ୍ଧୁତା । ଶ୍ରୀମନ୍ତ ଓ ବିନୟ ଉଭୟ । ଦୁହିଁଙ୍କ ସହିତ ତାଙ୍କର ବନ୍ଧୁତା । ଶ୍ରୀମନ୍ତ କିନ୍ତୁ ଖୁବ୍ ବଡ଼ଲୋକ ଘରର ପିଲା । ଘରେ ଅମାପ ସମ୍ପତ୍ତି । କାର୍ତ୍ତିକେୟ ପରି ଚେହେରା । କମଳିନୀ ପ୍ରଥମ ଦେଖାରେ ହିଁ ତାଙ୍କ ପ୍ରେମରେ ପଡ଼ିଗଲେ । ଯୁବକ ଯୁବତୀ ଜୀବନର କଣ୍ଟକବିହୀନ ପଥରେ ପଦଚାରଣ କରୁ କରୁ ପ୍ରେମ-ବନ୍ଧନ ସ୍ୱାଭାବିକ ଭାବରେ ଘଟେ । ଏ ତ ପୃଥିବୀର ଚିରନ୍ତନ ସତ୍ୟ । ଆଦିପୁରୁଷ ଆଦିମାତାଙ୍କ ପ୍ରେମରେ ପଡ଼ି ନଥିଲେ ଏତେ ବଡ଼ ସୃଷ୍ଟି କଣ ସମ୍ଭବ ହେଇପାରିଥାନ୍ତା ! ପ୍ରେମ ହିଁ ଜଗତର ମୂଳ ।

 

ଶାନ୍ତିନିକେତନର ମଞ୍ଜୁଳ ପରିବେଶରେ ଯୁବକ ଶ୍ରୀମନ୍ତ ଓ ଯୁବତୀ କମଳିନୀ ନିଜ ନିଜକୁ ହରାଇ ବସିଲେ ।

 

ଗୋଟିଏ ଦିନର କଥା—ସ୍ପଷ୍ଟ ମନେ ଅଛି ତାଙ୍କର । ସେ କେଉଁ ଏକ ପର୍ବ ଉପଲକ୍ଷେ ସମଗ୍ର ବିଦ୍ୟାମନ୍ଦିର ମୁଖର ହେଇ ଉଠିଥିଲା । ନାଚଗୀତର ଧୁମ୍‌ଧାମ୍ ଭିତରେ ଜୀବନର ସତ୍ତା ଆହୁରି ସୁନ୍ଦର ହେଲା ।

 

ବକୁଳ କୁଞ୍ଜର ଛାୟାରେ ଶ୍ରୀମନ୍ତ କରିଥିଲେ ପ୍ରଥମ ପ୍ରେମ ନିବେଦନ । ମନର ସ୍ୱର୍ଗୀୟ ଭାବ ଦେହସୁଖ ସ୍ତରକୁ ଓହ୍ଲାଇ ଆସିଥିଲା । ଷଷ୍ଠୀ ଚନ୍ଦ୍ରର ରାତି । ବହୁ ଫୁଲର ଗନ୍ଧରେ ବାୟୁମଣ୍ଡଳ ସୁରଭିତ । ସିମେଣ୍ଟ ବେଞ୍ଚ ଉପରେ ବସିରହିଥିଲେ କମଳିନୀ । କୃଷ୍ଣ କୁଂତଳ ଲମ୍ବି ଆସିଥିଲା ତଳକୁ । ନୀଳ ରଙ୍ଗର ଶାଢ଼ି ଚଞ୍ଚଳ ପବନରେ ଉଡ଼ିବୁଲୁଥିଲା । ମନ ଯାଇ ଉଡ଼ିବୁଲୁଥିଲା ସ୍ୱପ୍ନ-ରାଜ୍ୟରେ ।

 

ପାଖରେ ବସିଛନ୍ତି ଶ୍ରୀମନ୍ତ । ତାଙ୍କର ବଳିଷ୍ଠ ଚେହେରା ଦେଖିଲେ ଯେ କେହି ନାରୀ ତରଳିଯିବ । ନାରୀ-ଦମ୍ଭହରା ରୂପ ସତେ !

 

ଶ୍ରୀମନ୍ତ କହିଲେ—କମଳା, ଆଜିର ଏ ରାତ୍ରିଟି ଜୀବନରେ ସ୍ମରଣୀୟ ହୋଇ ରହୁ । ରତ୍ରିଚାରୀ ପକ୍ଷୀର କଳରବ ଶୁଭୁଚି । ଶ୍ରୀମନ୍ତ ଘୁଞ୍ଚିଆସିଲେ ଆହୁରି ନିକଟକୁ । କମଳିନୀଙ୍କର ଦେହରେ କେମିତି ଏକ ଅନନୁଭୂତ ରୋମାଞ୍ଚ ।

 

ସେ କହିଲେ—ଦେଖୁନାହଁ, ଏଇ ଗଛ ଡାଳରେ ବସି କେଉଁ ପକ୍ଷୀଟିଏ ଚାହିଁରହିଛି ଆମ ଆଡ଼କୁ ।

 

ଶ୍ରୀମନ୍ତ ହସିଲେ । ଅନ୍ଧାରିଆ ଗଛ ଡାଳରେ ପକ୍ଷୀ ବସିଚି । ତା’ ବସିବା ସହିତ କଣ ସମ୍ପର୍କ ବା ଅଛି ଏଇ ପରିବେଶର ।

 

ମଦନ ଦେବତା ଅନ୍ଧ । ସେହି ଦେବତାଙ୍କ ଉପାସକମାନେ ମଧ୍ୟ ମୂହୂର୍ତ୍ତକ ପାଇଁ ଅନ୍ଧ ହୋଇଯାନ୍ତି ।

 

ଜଣେ କିଏ ସେମାନଙ୍କ ଆଡ଼କୁ ଆସୁଚି । ଉଭୟ ଶଙ୍କିଗଲେ । ନା, ଆଉ କିଛି ଭୟ ନାହିଁ । ଆଗନ୍ତୁକ ଅନ୍ୟ ରାସ୍ତା ଧରିଛନ୍ତି ।

 

ଯୁବକ-ଯୁବତୀର ପ୍ରାଣ-ତନ୍ତ୍ରୀରେ ବାଜୁଥିଲା ପଞ୍ଚମ ରାଗିଣୀ । ରାତ୍ରି ହେଉଥିଲା ଗୀତମୟ ।

 

ଶ୍ରୀମନ୍ତ ଆଉ କମଳିନୀ । ବିଦ୍ୟାମନ୍ଦିରର ବହୁ ଗ୍ରନ୍ଥ-ଛାତ୍ରୀଙ୍କର ଆଲୋଚନାର ବିଷୟବସ୍ତୁ ଥିଲେ । ଉଦ୍ଦାମ ଯୌବନର ଅମାନିଆ ସ୍ରୋତ ଭିତରେ ଯୁବକ ଯୁବତୀ ବାହାରର ସବୁକିଛି ଯେମିତି ଭୁଲିଯାଆନ୍ତି । ବାହାରର ପରିସ୍ଥିତି, ସମାଜର ଶାସନ ସବୁକୁ ସେମାନେ ମଣନ୍ତି ତୁଚ୍ଛ ।

 

ପୁଣି କିଛିଦିନ ପରର କଥା । ବିନୟ ବିଦ୍ୟାମନ୍ଦିରର ଚିତ୍ର ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ଅଧିକାର କରି ଶ୍ରେଷ୍ଠ ଚିତ୍ରଶିଳ୍ପୀରୂପେ ପୁରସ୍କୃତ ହୋଇଥାନ୍ତି । ଓଡ଼ିଶାର ଛାତ୍ରଛାତ୍ରୀଗଣ ତାଙ୍କୁ ଅଭିନନ୍ଦନ ଦେବାପାଇଁ ଏକ ସଭାର ଆୟୋଜନ କରିଥିଲେ । ଏହି ସଭାରେ ପ୍ରାରମ୍ଭିକ ସଙ୍ଗୀତ ଗାଇଥିଲେ କମଳିନୀ । କୋକିଳଜିଣା କଣ୍ଠରେ ତାଙ୍କର ସେ କି ଛନ୍ଦ ମଧୁର ରାଗିଣୀ ! ସଭାସ୍ଥ ସମସ୍ତେ ଚମତ୍କୃତ ହୋଇଥିଲେ ।

 

ସଭାପରେ । କମଳିନୀଙ୍କ ପ୍ରକୋଷ୍ଠକୁ ଯାଇ ତାଙ୍କୁ ଅଭିନନ୍ଦନ ଜଣେଇଲେ ବିନୟ । ତା’ପରର କଥା ଅତି ସହଜ । ଯେଉଁ ବାଘ ଥରେ ମଣିଷ ମାଂସ ଆସ୍ୱାଦନ କରିଛି ସେ ଆଉ ତା ଲୋଭ ସମ୍ଭାଳି ପାରେ ନେହିଁ । ଶିକାର ଆଶାରେ ଗୁଳିମୁହଁକୁ ମଧ୍ୟ ସେ ଚାଲିଯାଏ । ପରିଣାମ କଥା ଭାବିବାର ବେଳ ନଥାଏ କମଳିନୀ ଏଥର ବିନୟଙ୍କ ପାଖରେ ଆପେ ଆପେ ଧରାଦେଇଥିଲେ । ବିନୟ କବି-ଶିଳ୍ପୀ । ଶିଳ୍ପୀ କେବେ ତାର ଶିଳ୍ପକୁ ଓ କବି କେବେ ତାର କବିତାକୁ ଅନାଦର କରିପାରେନା ।

 

ବର୍ଷକ ପରର ଆଉ ଏକ ସନ୍ଧ୍ୟାର କଥା । ବକୁଳ କୁଞ୍ଜରେ ସାନ୍ଧ୍ୟ ଚନ୍ଦ୍ରର ଛାୟାରେ ବସିଥିଲେ ଯୁବକ ବିନୟ ଓ ଯୁବତୀ କମଳିନୀ । କମଳିନୀଙ୍କ ହୃଦୟରେ ପ୍ରେମର କାଉଁରୀ ସ୍ଫର୍ଶ । ବିନୟ କିନ୍ତୁ ପ୍ରେମ ନିବେଦନ କରିନଥିଲେ—ଅର୍ଥାତ୍ ଦେହର ମିଳନରେ ଯେଉଁ ସୁଖ ଆସେ ତା’ ସେ କେବେ ଚାହିଁ ନଥିଲେ । କବି କଳ୍ପନାରେ ହିଁ ପାଏ ଆନନ୍ଦ । ଯେଉଁମାନେ କବିଙ୍କୁ ଚରିତ୍ରହୀନତା ଦୋଷରେ ଦୋଷୀ କରନ୍ତି ସେମାନେ ଅନେକ ସମୟରେ ଅବିଚାର କରିଥାନ୍ତି । କବିର ଦିଗନ୍ତପ୍ରସାରୀ ମନ ସବୁ କିଛିର କଳ୍ପନା କରେ—ତା ନକଲେ ସେ ବଞ୍ଚିପାରିବ ନାହିଁ ।

 

କମଳିନୀଙ୍କର ଆଜି ମନେପଡ଼ୁଛି—ସେଦିନ ସନ୍ଧ୍ୟାରେ ବିନୟ ଶାନ୍ତ ବିନମ୍ର କଣ୍ଠରେ କହିଥିଲେ—କମଳା, ତୁମେ କ’ଣ ଜୀବନର ଧାରା ବଦଳାଇ ପାରିବ ନାହିଁ ? ତମେ ଯେଉଁ ଅନିଶ୍ଚିତ ପଥରେ ପାଦ ଦେଇଛ ତାହା ବିପଜ୍ଜନକ । ବିଶୃଙ୍ଖଳ ଜୀବନ ସବୁଦିନ ପାଇଁ କ’ଣ ତମକୁ ଆନନ୍ଦ ଦେଇ ପାରିବ ?

 

କମଳିନୀଙ୍କ ଆଗରେ ଗୁରୁତର ପ୍ରଶ୍ନ ! ଶୃଙ୍ଖଳିତ ଜୀବନ ସେ ଚାହାନ୍ତି ନା ସେ ଚାହାନ୍ତି ମୁକ୍ତ ବିହଙ୍ଗୀ ଭଳି ବନ୍ଧନବିହୀନ ଜୀବନ ?

 

ସେ ନୀରବ ରହିଥିଲେ । ପ୍ରେମର ନିଶ୍ଚତ ପରିଣତି ଯଦି ବିବାହ, ସେ ପ୍ରେମ ସେ ଚାହୁଁ ନ ଥିଲେ । ତାଙ୍କର ଏଇ ନୀରବତାରେ ବିନୟ କହିଲେ—ବିଦାୟ କମଳା, ଆଜି ମୁଁ ଯାଉଛି । ଭାବିଚିନ୍ତି ମୋ ପ୍ରଶ୍ନର ଉତ୍ତର ଦେବ । ଯଦି ମୋ କଥାକୁ ଗ୍ରହଣ କରିପାର, ପରେ ସାକ୍ଷାତ କରିବ-

 

କମଳିନୀ ସନ୍ଦିଗ୍ଧ ଦୃଷ୍ଟିରେ କ୍ଷଣକାଳ ଚାହିଁରହିଥିଲେ । ତାଙ୍କର ମନ କାହିଁକି କେଜାଣି ଜୀବନର କୌଣସି ବନ୍ଧନକୁ ସମର୍ଥନ କରି ପାରୁ ନ ଥିଲା ।

 

ରୂପବତୀ ସେ । ପିଞ୍ଜରୀ ଭିତରେ ଆବଦ୍ଧ ରହି ନିଜକୁ ପ୍ରସ୍ଫୁଟିତ କରିବାକୁ ନ ଦେଇ ମଉଳିଯିବେ କାହିଁକି ?

 

ଚକ ପୁଣି ଘୂରିଗଲା । ବିନୟ ତାଙ୍କ ପଥରେ କଳାଚର୍ଚ୍ଚା କରି ଚାଲିଲେ ଆଉ କମଳିନୀ-?

 

ହଠାତ୍ ତାଙ୍କର ଦେହ ଆଜି ଥରିଉଠିଲା । ଇସ୍, କି ମାରାତ୍ମକ ଭୁଲ ସେ ନ କଲେ ଜୀବନରେ ? ଜୀବନର ବାରମାସ ଯଦି ମଧୁମାସ ହୋଇଥାନ୍ତା, ତାହାହେଲେ କିଛି ଅନୁଶୋଚନା ନ ଥିଲା । ବସନ୍ତ ପରେ ଗ୍ରୀଷ୍ମର ଅସହ୍ୟ ଜ୍ୱାଳା ଯେ ସହିବାକୁ ପଡ଼ିବ, ଗ୍ରୀଷ୍ମ ନ ଆସିଲା ପର୍ଯ୍ୟନ୍ତ ଅନେକେ ତାହା ଉପଲବ୍ଧି କରିପାରନ୍ତି ନାହିଁ । କମଳିନୀଙ୍କ ଜୀବନରେ ତାହାହିଁ ଘଟିଥିଲା ।

 

ସେ ଆଉ ବିନୟଙ୍କୁ ସାକ୍ଷାତ କରି ନ ଥିଲେ । କାହିଁକି ବା କରନ୍ତେ ? ଜୀବନକୁ ଯେ ଜୀବନ ଭଳି ଉପଭୋଗ କରିବାକୁ ଚାହିଁନ୍ତି ନାହିଁ ସେ ଯେ କେମିତିକା ମଣିଷ, କମଳିନୀ ତାହା ବେଶ୍ କଳ୍ପନା କରି ପାରୁଥିଲେ । ସେ ତାଙ୍କ ନିଜ ପଥ ବାଛି ନେଲେ । ଯାବଜ୍ଜୀବଂ ସୁଖମ୍ ଜୀବେଦ୍...ଭସ୍ମୀଭୂତସ୍ୟ ଦେହସ୍ୟ ପୁନରାଗମନଂ କୁତଃ ।

 

ବାଧା-ବନ୍ଧ ମ ମାନି ସେ ଚାଲିଲେ । ଆଜି ସେ ନିଜେ ମଧ୍ୟ ବିଶ୍ୱାସ କରିପାରନ୍ତି ନାହିଁ, ଅତୀତରେ ଦିନେ ସେ ଏତେ କାମୁକା ଥିଲେ । ଅଥବା ସୌନ୍ଦର୍ଯ୍ୟ ସହିତ କାମନା ଓତପ୍ରୋତ ଭାବରେ ଜଡ଼ିତ । ବ୍ୟଭିଚାରୀ ରାତ୍ରିର ନିଃଶବ୍ଦ ଲଗ୍ନରେ ସେ ସାଜୁଥିଲେ ଅଭିସାରିକା ।

 

ଜୀବନ ମଧୁମାସରେ ପୁଣି ଦେଖାଦେଇଥିଲେ ଶ୍ରାମନ୍ତ । ବେଶ୍ ଆନନ୍ଦରେ କଟିଯାଇଥିଲା ପୁଣି କିଛି ଦିନ ।

 

କିନ୍ତୁ ତା’ପରେ ଘୋଟି ଆସିଥିଲା ତମିସ୍ରାର ଝଡ଼ । ମିଳନ ଲଗ୍ନର ଅବ୍ୟବହିତ ପରେ କମଳିନୀ ଶୁଣିଲେ ଭାବୀ ଶିଶୁର ହୃତ୍‍ସ୍ପନ୍ଦନ । ସର୍ବନାଶ ! ନିଜକୁ କୁମାରୀ ବୋଲାଇ ସେ ଦେଖିଲେ ଜନନୀ ହେବାର ଦୁଃସ୍ୱପ୍ନ ।

 

ମୋହ ତାଙ୍କର କଟିଗଲା । ମାତ୍ର ଉପାୟ ??

 

ଉପାୟ...ଉପାୟ....ଉପାୟ.....

 

କୌଣସି ଉପାୟ ନ ପାଇ ସେ ଧାଇଁଲେ ଶ୍ରୀମାନ୍ତଙ୍କ ପାଖକୁ । ତାଙ୍କରି ମୁହଁରୁ ବହୁ ଆଶ୍ୱାସନା ସେ ପାଇଛନ୍ତି । ଏଥର ମଧ୍ୟ ପାଇବେ । ମନେପଡ଼ୁଥିଲା ବିନୟଙ୍କ କଥା । ଠିକ୍ କହି ନଥିଲେ କି ସେ ?

 

କିନ୍ତୁ ହାୟରେ ! ନିଷ୍ଠୁର ସତ୍ୟକୁ ବହୁତ ଡେରିରେ ସେ ଉପଲବ୍ଧି କଲେ । କମଳିନୀ ଯାଇ ପହଞ୍ଚିବା ବେଳକୁ ଶ୍ରୀମନ୍ତ ଏକ ସୁନ୍ଦରୀ ଅପ୍‌ସରାର ମୂର୍ତ୍ତି ଆଙ୍କି ବସିଥିଲେ । କମଳିନୀଙ୍କୁ ଦେଖି ସେ ପ୍ରେମଗଦ୍‌ଗଦ ହୋଇ ଅସ୍ଥିର ହାତ ଦୁଇଟିକୁ ପ୍ରସାରି ଦେଲେ । କିନ୍ତୁ ତାଙ୍କର ବାହୁବନ୍ଧନ ଭିତରେ ବନ୍ଦିନୀ ହେବା ପୂର୍ବରୁ କମଳିନୀ ହଠାତ୍‌ ଠିଆ ହୋଇଗଲେ । ଶ୍ରୀମନ୍ତ କହିଲେ—କ’ଣ ହେଇଚି ? ପାଖକୁ ଆସ କମଳା ! ଏତେ ଦିନ ପରେ ମଧ୍ୟ ତୁମର ଏପରି ବ୍ୟବହାର ବଡ଼ ଅସହ୍ୟ ହୋଇଉଠିଚି । ମୁଁ ଯେ ଦିନରାତି ତୁମରି କଥା ସ୍ୱପ୍ନ ଦେଖୁଚି । ଆସ ।

 

କମଳିନୀ କିନ୍ତୁ ଆଉ ଆଗେଇ ପାରିଲେ ନାହିଁ । ଅନାଗତ ଦିନର ଭୟରେ ଅନ୍ତର ସାରା ଦୋହଲିଗଲା ।

 

ଶ୍ରୀମନ୍ତ ଉଠି ଆସିଲେ—ରାଣୀଟି ପରା, ଆସ ।

 

କମଳିନୀଙ୍କର ହାତ ଧରି ସେ ତାଙ୍କୁ ନେଇ ଖଟ ଉପରେ ବସାଇ ଦେଲେ । ଏ କ’ଣ ? ଲଜ୍ଜା ଆଉ ସଂକୋଚରେ ସାରା ପ୍ରାଣପୁର ଯେମିତି ଦୋହଲିଗଲା ଏଇ ତରୁଣୀଙ୍କର । ବହୁତ କଷ୍ଟରେ ଚୁପି ଚୁପି ଶ୍ରୀମନ୍ତଙ୍କ କାନପାଖରେ କହିଲେ ତାଙ୍କ ଦୁର୍ଦ୍ଦଶାର କରୁଣ କଥା । ପୂର୍ଣ୍ଣମୀ ଚାନ୍ଦକୁ ରାହୁ ଗ୍ରାସ କଲେ ସାରା ପୃଥିବୀ ଯେମିତି ଅନ୍ଧକାର ହୋଇଯାଏ ତାଙ୍କ କଥା ଶୁଣି ଶ୍ରୀମନ୍ତଙ୍କ ମୁଖଚନ୍ଦ୍ର ସେମିତି ବିମର୍ଷ ଅନ୍ଧକାରରେ କଳା ହୋଇଗଲା ।

 

ତଥାପି ଆଶା ଅଛି । ସେ ସାହସ ମଧ୍ୟ ଦେଲେ—କହିଲେ ଆଚ୍ଛା, ତୁମେ କାଲି ସେ କମଳିନୀ, ମୁଁ ସବୁ ବନ୍ଦୋବସ୍ତ କରିଦେବି ।

 

କମଳିନୀ କହିଲେ—ଆଉ ଅନ୍ୟ କିଛି ପନ୍ଥା ନାହିଁ । ତୁମେ ମତେ ବିବାହ କରିବାକୁ ହେବ ।

 

ଶ୍ରୀମନ୍ତ ଉତ୍ତର ଦେଲେ—ଆଜି ଦିନଟି ମତେ ସମୟ ଦିଅ । ମୁଁ ସବୁ କଥା ଧୀର ସ୍ଥିର ଭାବରେ ଭାବିନିଏ । ତା’ପରେ ଆଗାମୀର କର୍ମପନ୍ଥା ଠିକ୍‌ କରିବା ।

 

କମଳିନୀ ଅଶ୍ରୁଳ ନୟନରେ ଫେରିଆସିଲେ । ଏ ଆଘାତ ତ କମ୍‌ ନୁହେଁ ! ସାରା ପୃଥିବୀ ଯେମିତି ତାଙ୍କୁ ଉପହାସ କରି ଉଠୁଛି । ଗଛ ପତ୍ର ଲତା ହସ-ବିବର୍ଜିତ ହୋଇ ପଡ଼ିଛନ୍ତି—କୋଇଲି ହରାଇ ବସିଛି ଗୀତର ଛନ୍ଦ—ବସନ୍ତ ପରିଣତ ହୋଇଛି ନିଦାଘରେ ।

 

ପରଦିନ । ନିର୍ଦ୍ଧାରିତ ମୂହୂର୍ତ୍ତରେ ଶ୍ରୀମନ୍ତ ପାଖକୁ ଗଲେ ସେ । କିନ୍ତୁ ଯାଇ ଯାହା ଶୁଣିଲେ ତାଙ୍କର ବଜ୍ରାଘାତ ହେଲା । ଶ୍ରୀମନ୍ତ ସେଇଦିନ ସକାଳେ ଗାଁକୁ ଚାଲିଯାଇଛନ୍ତି ।

 

ପର ମୁହୂର୍ତ୍ତରେ କମଳିନୀ ଭାବିଲେ—ଶ୍ରୀମାନ ବୋଧହୁଏ ଘରକୁ ଯାଇଛନ୍ତି ଏ ବିଷୟରେ ଗୋଟାଏ ସ୍ଥାୟୀ ବ୍ୟବସ୍ଥା କରିବାକୁ; ସବୁ ଠିକ୍‌ କରି ସେ ନିଶ୍ଚୟ ଫେରିଆସିବେ ।

 

ଦିନ ପରେ ଦିନ ଚାଲିଗଲା । ଶ୍ରୀମନ୍ତ ଆଉ ଫେରିଲେ ନାହିଁ । ଅସ୍ଥିର ହେଇ ପଡ଼ିଲେ କମଳିନୀ । ଆଉ କିଛି ଦିନ ଗଲେ ତାଙ୍କ ଅପକୀର୍ତ୍ତିରେ ସାରା ବିଦ୍ୟାମନ୍ଦିର ଦୋହଲି ଉଠିବ । ସାଙ୍ଗସାଥି ବନ୍ଧୁ ବାନ୍ଧବମାନେ ଶୁଣିବେ ଏ କଥା । ଆଉ ବିନୟ ? ତାଙ୍କୁ ସେ ମୁହଁ ଦେଖାଇବ କେମିତି ?

 

ବିନୟ ସାଧନାରତ । ଜଣେ ଦକ୍ଷ ଶିଳ୍ପୀ ହିସାବରେ ସେ ପରିଚିତ । ସେଦିନ ଥାଏ ଛୁଟି-। କମଳିନୀ ସ୍ଥିର କଲେ ଏଥର ସେ ଆଉ ଅପେକ୍ଷା କରିପାରିବେ ନାହିଁ । ବିନୟଙ୍କ ପାଖକୁ ଯାଇ ସେ ସବୁ କଥା କହିବେ । ଉଦ୍ଧାର ପାଇବାର ପଥ ପଚାରିବେ । ଯଦି ସାହାଯ୍ୟ ମିଳେ ରକ୍ଷା-। ଯଦି ନ ମିଳେ ଏ କଳଙ୍କିତ କୁହଁକୁ ଦେଖେଇ ବଞ୍ଚି ରହିବା ଅସମ୍ଭବ । ସେ କରିବେ ଆତ୍ମହତ୍ୟା-

 

ଗୋଧୂଳି ଲଗ୍ନ । ଛାତ୍ରଛାତ୍ରୀଗଣ କ୍ରୀଡ଼ାରତ । କମଳିନୀ ଯାଇ ପହଞ୍ଚିଲେ ବିନୟଙ୍କ ପାଖରେ । ବିନୟ ସେତେବେଳକୁ କବିତା ଲେଖୁଛନ୍ତି । କମଳିନୀଙ୍କୁ ଦେଖି ପ୍ରଥମେ ସେ ବିଶ୍ୱାସ କରି ପାରିଲେ ନାହିଁ । ଯେଉଁ ସୁନ୍ଦରୀ ତରୁଣୀଙ୍କ ପରିକଳ୍ପନାରେ କିଛି ସମୟ ତାଙ୍କର କଟିଯାଇଛି, ସେ ଆସି ସମ୍ମୁଖରେ । ବିନୟ ହସି ହସି ସ୍ୱାଗତ ସମ୍ଭାଷଣ ଜଣାଇଲେ ।

 

କମଳିନୀ କହିଲେ—ଶିଳ୍ପୀ, ଆପଣହିଁ ଜିତିଲେ, ମୁଁ ହାରିଗଲି ।

 

ବିନୟ ମୃଦୁ ହସି କହିଲେ—ଜିତିବା ହାରିବା ତ ଜଗତର ଦୈନନ୍ଦିନ ନିୟମ । ସେଥିରେ ଗୋଟାଏ ଆଉ ବଡ଼ କଥା କ’ଣ ?

 

କମଳିନୀ ଉତ୍ତର ଦେଲେ—ମୋ ଜୀବନରେ ଆଜି ତାର ଗୁରୁତ୍ୱ ଖୁବ୍‌ ବେଶି । ଲୁଚେଇ ଆଉ ଲାଭ ନାହିଁ....

 

ସ୍ୱାଭାବିକ ଗତିରେ ସବୁ କଥା ସେ କହିଗଲେ, ଆଉ ରକ୍ଷା ପାଇବାର ଉପାୟ ପଚାରିଲେ ।

 

ତାଙ୍କ କଥା ଶୁଣି ବିନୟ ନୀରବ ରହିଲେ ।

 

କମଳିନୀ ଚାହିଁରହିଲେ ଉତ୍ତର ଆଶାରେ । ସେ ଚାହାନ୍ତି ଏକ ନିର୍ଭୀକ ଉତ୍ତର । ସେ ପୁଣି କହିଲେ—ଶ୍ରୀମନ୍ତବାବୁଙ୍କ ପରି ଆପଣ ମଧ୍ୟ ନିରୂପାୟ । କଣ କରୁଛନ୍ତି ?

 

ବିନୟ ଭଦ୍ର । ଏଇ ରୂପସୀର ଆସନ୍ନ ବିପଦରେ ନିଜେ ଥରିଉଠୁଥିଲେ । କିଛିକାଳ ନୀରବତା ରକ୍ଷାକରି ସେ କହିଲେ—ତୁମକୁ ଆସନ୍ନ ବିପଦରୁ ମୁଁ ଆଗେ ରକ୍ଷା କରିସାରେ—ତା’ପରେ ଯାଇ ଅନ୍ୟ କଥା ।

 

କମଳିନୀଙ୍କ ମସ୍ତକ ଉପରୁ ଖୁବ୍‌ ଗୋଟାଏ ଭାରି ଜିନିଷ ଖସିଗଲା ଯେମିତି । ସେ ଅଶ୍ୱସ୍ତିର ନିଃଶ୍ୱାସଟିଏ ମାରିଲେ । ବିନୟଙ୍କ ପ୍ରଶାନ୍ତ ମୁହଁରେ ଆଶ୍ୱାସନାର ମୃଦୁ ସଙ୍ଗୀତ । କମଳିନୀ କୃତଜ୍ଞତାରେ ଝରିପଡ଼ିଲେ ।

 

କମଳିନୀଙ୍କୁ ନେଇ ବିନୟ କଲିକତା ଆସିଲେ । କୌଣସି ଏକ ନର୍ସିଂହୋମରେ ଅସ୍ତ୍ରୋପଚାର କରାଗଲା ।

 

ଏ ପାପ କାହାର ? କମଳିନୀଙ୍କର ନା ବିନୟଙ୍କର ?

 

କାହାର ଏ ପାପ, ଏ ଭାବନା ବିନୟଙ୍କର ନଥିଲା । କାରଣ ସେ ଭଲରୂପେ ଜାଣିଥିଲେ ଆଉ ଯାହା କିଛି ହେଉ ତାଙ୍କର କର୍ତ୍ତବ୍ୟ ସେ କରିଛନ୍ତି ।

 

ନର୍ସିଂ ହୋମରେ ରୁଗ୍‌ଣା କମଳିନୀ । ବିନୟ ତାଙ୍କର ପାଖେ ପାଖେ ଥାନ୍ତି । ଅତ୍ୟନ୍ତ ଆତ୍ମୀୟ ପାଖରେ ଥିଲେ ମନ ଭିତରେ ଯେମିତି ସାହସ ଥାଏ, ବିନୟ ପାଖରେ ଥିବାରୁ କମଳିନୀ ସେମିତି ଆଶ୍ୱସ୍ତ ।

 

ସେଦିନ ବିନୟଙ୍କ ପାଦ ଛୁଇଁ ସେ ଶପଥ କଲେ—ବିନୟ ବାବୁ, ଜୀବନରେ ଆଉ ଏସବୁ ନୁହେଁ । ଆପଣଙ୍କ କଥାରେ ମୁଁ ରାଜି । ଆପଣ ମତେ ଗ୍ରହଣ କରନ୍ତୁ । ଝରାଫୁଲ ପରି ମତେ ଯଦି ଫିଙ୍ଗିଦିଅନ୍ତି ଭାବୁଚନ୍ତି ତ ମୋ ଅବସ୍ଥା କଣ ହେବ ? ରାସ୍ତାର ଆବର୍ଜନା ସହିତ ମିଶିଯାଇ ମୁଁ ସିନା ମୋ ନିଜତ୍ୱ ହଜାଇ ବସିବି !

 

ନା, ଏହା କଦାପି ହୋଇପାରେନା । କମଳିନୀଙ୍କ ଚାରୁ ଦେହର ଶୋଭାକୁ ସେ ବ୍ୟର୍ଥ ହେବାକୁ ଦେବେ ନାହିଁ । ମଣିଷ ଜୀବନରେ ଅନେକ କିଛି ଭୁଲ କରି ବସେ । ସେ ଭୁଲର ଯଦି ସଂଶୋଧନ ନହୁଏ ତେବେ ସଂସାର ତିଷ୍ଠି ପାରିବ ନାହିଁ ।

 

ବିନୟ କମଳିନୀଙ୍କ ମୁହଁ ତଳେ ବେଶ୍‌ ଆନ୍ତରିକତାର ପରଶ ପାଉଥିଲା । କ୍ଷତି କଣ ? କବି ଯଦି ତାର ଲୁପ୍ତ କବିତାକୁ ଫେରିପାଏ ସେ ତ ଆଗୌରବର କଥା ନୁହେଁ ।

 

ବିନୟ କଥା ଦେଇଥିଲେ ସେ ନିଶ୍ଚୟ କମଳିନୀଙ୍କୁ ଗ୍ରହଣ କରିବେ । ସେ ତାଙ୍କ କଥା ରକ୍ଷା କରିଛନ୍ତି । ଆଉ କମଳିନୀ, ସେ ମଧ୍ୟ ପ୍ରାଣ ପର୍ଯ୍ୟନ୍ତ ଚେଷ୍ଟା କରିଛନ୍ତି ତାଙ୍କୁ ସନ୍ତୁଷ୍ଟ କରିବାକୁ-

 

ଉଭୟ ଉଭୟଙ୍କୁ ବିବାହ କରି ଶାନ୍ତିନିକେତନରୁ ଫେରିଆସିଲେ । ତା’ପରେ ଆରମ୍ଭ ହେଲା ବିନୟଙ୍କ କର୍ମ ଜୀବନ । କମଳିନୀ ହେଲେ ଗୃହିଣୀ । ବିସ୍ମୃତି ଗର୍ଭରେ ଶ୍ରୀମନ୍ତଙ୍କ ସ୍ମୃତି ଲୁଚିଗଲା ।

 

ଜୀବନର ପ୍ରଥମ ମଧୁ ଲଗ୍ନ ବେଶ୍‌ କଟିଗଲା । ଶୟନକକ୍ଷରେ ଯେଉଁ ଛବିଖଣ୍ଡିକୁ ଦେଖି ସେ ଆଜି କଇଁ କଇଁ ହୋଇ କାନ୍ଦିଉଠୁଥିଲେ, ସେଇଟିକୁ ବଡ଼ ଯତ୍ନରେ ଆଙ୍କି ବିନୟ ଏକ ସ୍ମରଣୀୟ ମୁହୂର୍ତ୍ତରେ ତାଙ୍କୁ ଉପହାର ଦେଇଥିଲେ ।

 

କମଳିନୀ ବସି ଏକ ସଙ୍ଗୀତର ସୁର ଛୁଟାଇ ଦେଇଥାନ୍ତି । କଣ୍ଠର ଲହରରେ ସାରା ବାୟୁମଣ୍ଡଳ ଗୀତମୁଖରିତ ହୋଇଉଠୁଥାଏ । ଗୀତଟି ବିନୟଙ୍କ ରଚନା । କମଳିନୀଙ୍କ କଣ୍ଠରେ ଜୀବନର ସଂଗୀତ—ସେ ଗୀତବିଭୋରା ।

 

ତାଙ୍କ ଅଜ୍ଞାତରେ ଛପି ଛପି ଆସି ଯୁବକ ବିନୟ କେତେବେଳେ ଗୀତ ଶୁଣୁଛନ୍ତି ତାହା ତାଙ୍କୁ ଜଣାନାହିଁ । ଗୀତ ଶେଷ ହେବା ପର୍ଯ୍ୟନ୍ତ ବିନୟ ଆଉ ଅପେକ୍ଷା କରିପାରିଲେ ନାହିଁ । ଆବେଗରେ କମଳିନୀଙ୍କ ପାଖରେ ଯାଇ ବସିପଡ଼ିଲେ—କମଳିନୀ ଚମକି ଉଠିଲେ । ଦୁଷ୍ଟ ତୁମେ-। ଲୁଚି ଲୁଚି ଆସି ଡରାଇବାରେ ଚେଷ୍ଟା କରୁଚ ?

 

ବିନୟ ତାଙ୍କ କାନ୍ଧ ଉପରେ ହାତ ଥୋଇ କହିଲେ—କମଳା ଦେଖିଲ ଏ ଛବିଟି କେମିତି ହେଇଚି ?

 

କମଳିନୀ ବାସ୍ତବିକ ନିଜ ଆଖିକି ବିଶ୍ୱାସ କରିପାରିଲେ ନାହିଁ । ଶିଳ୍ପୀ ଜୀବନ୍ତ ମୁର୍ତ୍ତିର ନିଖୁଣ ଚିତ୍ର ଯେ ଆଙ୍କିପାରେ, ଆଉ ସେଇ ନିର୍ଜୀବ ଚିତ୍ରରେ ଜୀବନ୍ତ ପରିଳ୍ପନା ଫୁଟିଉଠିଥାଏ, ଏହା ତାଙ୍କର କଳ୍ନନାର ବାହାରେ ଥିଲା । ଏକଦମ୍‌ ନିଖୁଣ—ବାସ୍ତବ ମୁର୍ତ୍ତିଠୂ ଆହୁରି ସୁନ୍ଦର । ସରୁ ସରୁ ଭ୍ରୂଯୁଗଳରେ ପ୍ରାଣଭରା ପ୍ରେମର ନିବେଦନ ।

 

ଏଇ ଚିତ୍ର...ତାଙ୍କ ଯୁବତୀ ଦିନର ଅଭୁଲା ପ୍ରତୀକ । ଆଜି ସେଇ ଛବିଟିକୁ ଦେଖି ସେ କାହିଁକି କେଜାଣି ସହି ପାରୁ ନଥିଲେ ।

 

କାହାନ୍ତି ସେ କମଳିନୀ ? କାହିଁ ତାଙ୍କର ସେହି ଯତି-ମନୋହରା ରୂପଲାବଣ୍ୟ ? ସେଇ କଟାକ୍ଷ, ଭ୍ରୂବିଳାସ, ଅଧରକୋଣରେ ସ୍ମିତହାସ୍ୟ ? ସବୁ ଆଜି ମରିଯାଇଚି । ସମୟର ପ୍ରଭାବରେ ସବୁ ଏମିତି ମରିଯାଏ ।

 

—ମା ।

 

କମଳିନୀ ଶଯ୍ୟା ଉପରୁ ଗ୍ରୀବା ଭାଙ୍ଗି ଚାହିଁଲେ ।

 

—କଣ ହେଇଚି ରତନା ? ମନରେ ପୁଣି ଭୟର ସଂଚାର ହେଉଥିଲା ।

 

ରତନା କହିଲା—ମା, ବାବୁ ଡାକୁଛନ୍ତି ।

 

ଯାଉଛି କହି ରତନାକୁ ବିଦାୟ କରିଦେଲେ ସେ । ପଣତରେ ଆଖିର ଲୋତକ ପୋଛିଆଣିଲେ । ବଡ଼ ଦୁର୍ବଳ ଲାଗୁଛି । ସୃଷ୍ଟିକର୍ତ୍ତା ! ତମେ ଯଦି ମଣିଷକୁ ସ୍ମୃତିଶକ୍ତିରୁ ବଞ୍ଚିତ କରିଥାନ୍ତ, ଏକ ପକ୍ଷରେ ଭଲ ହୋଇଥାନ୍ତା । ପଶୁ ପକ୍ଷୀ ଇତର ପ୍ରାଣୀ କୌଣସି କଥା ମନେ ରଖି ପାରନ୍ତି ନାହିଁ; ତେଣୁ ଦୁଃଖର ମାତ୍ରା ତାଙ୍କର କମ୍ । ସ୍ମୃତି ସର୍ବନାଶୀ । ଯାହ ସମୟର ପଦ୍ମପତ୍ରତଳେ ଲୁଚିଯାଇଛି, ତାର ସ୍ମୃତି ମନତଳେ ପୁଣି ଖେଳେ କାହିଁକି ? ବ୍ୟର୍ଥତା, ନୈରାଶ୍ୟ, ଦୁଃଖ ଆସେ ଯାହା ଖାଲି ତାର ପ୍ରତିବଦଳରେ ।

 

କମଳିନୀ ଶେଯ ଛାଡ଼ି ଉଠିପଡ଼ିଲେ । ବିନୟଙ୍କ କୋଠରିକୁ ଯାଇ ଦେଖିଲେ ସେ ଗୁଣୁ ଗୁଣୁ ହୋଇ କଣ ଆଉଡ଼ାଉଛନ୍ତି । ସେ ନିଃଶବ୍ଦରେ ଆହୁରି ନିକଟକୁ ଗଲେ । ଏ କଣ ? କମଳିନୀଙ୍କର ପୁରୁଣା ଦିନର ଛବିଟିଏ ଧରି ସେ କହୁଛନ୍ତି—ସୁନ୍ଦରେ ତୃପ୍ତିର ଅବସାଦ ନାହିଁ—ଯେତେ ଦେଖୁଥିଲେ ନୂଆ ଦିଶୁଥାଇ । କମଳା ତୁମେ ରାଗ କଲ ନା ? ମତେ ଆଉ ଥରେ ତମକୁ ସ୍ପର୍ଶ କରିବାକୁ ଦିଅ । ସେଇ ରୂପରେ ମୁଁ ତୁମକୁ ଚାହେଁ, ଯେଉଁ ରୂପ ନେଇ ତୁମେ ଶାନ୍ତିନିକେତନରେ ମୋ ପାଖକୁ ଯାଇଥିଲ । ସେଇ ଆଗାମୀର ଜନନୀବେଶରେ ଆଉ ଥରେ ଆସ । ଏଥର କିନ୍ତୁ ତୁମକୁ ଆଉ କଲିକତା ଯିବାକୁ ପଡ଼ିବ ନାହିଁ । ପେଟରେ ଅସ୍ତ୍ରୋପଚାର କରିବା ପାଇଁ ଡାକ୍ତରଙ୍କୁ ଅର୍ଥର ଲୋଭ ଦେଖେଇବାକୁ ପଡ଼ିବ ନାହିଁ । ଯାହାକୁ ଦିନେ ତମେ କଳଙ୍କ ବୋଲି ଭାବୁଥିଲ, ଆଜି ସେ ହେବ ତୁମର ଗୌରବ....

 

କମଳିନୀ ବିର୍ବାକ୍‌ ହୋଇ ଲେଉଟି ଆସିଲେ । ଏ ଖାଲି ପ୍ରଳାପ । ସେ ଆଉ ଜନନୀ ହେବେ ଏ କଥା ସ୍ୱପ୍ନାତୀତ । ନିଷ୍ଠୁର ଭାବରେ ଦିନେ ମାତୃତ୍ୱକୁ ସେ ପ୍ରତ୍ୟାଖ୍ୟାନ କରିଥିଲେ । ଆଜି ତାର ପରିଣତ ତାଙ୍କୁ ଭୋଗିବାକୁ ପଡ଼ୁଚି । ସେଇ କାମରେ ଅକୁଣ୍ଠିତ ଚିତ୍ତରେ ସାହାଯ୍ୟ କରିଥିଲେ ବିନୟ । ଜଣେ ଯୁବତୀର ସମ୍ମାନ ଆଉ ଇଜ୍ଜତ୍‌ ରକ୍ଷାପାଇଁ ଗୋଟାଏ ଭ୍ରୂଣକୁ ଶାଣିତ ଛୁରୀରେ ହତ୍ୟା କରିବାକୁ ସେ ଅନାୟାସରେ ଆଦେଶ ଦେଇଥିଲେ । ସେ ଦିନ ରାତ୍ରିର ସେଇ ରକ୍ତ ବଲବଲ ଦୃଶ୍ୟ ଆଜି ସତେଜ ହୋଇଉଠୁଚି ମନରେ । ବିନୟ କଣ ସେଦିନର ପାପ ପାଇଁ ଦାୟୀ ନୁହଁନ୍ତି ?

 

କାହିଁକି ?

 

ସେ ଯଦି ଏଇ କାର୍ଯ୍ୟର ଭାର ନିଜ ହାତକୁ ନେଇ ନଥାନ୍ତେ କମଳିନୀ ନିଶ୍ଚୟ ଆତ୍ମହତ୍ୟା କରିଥାନ୍ତେ । ବିଶ୍ୱ-ଉପବନରେ ଗୋଟିଏ ପ୍ରସ୍ଫୁଟିତ ଫୁଲର ମୂଲ୍ୟ ଯଥେଷ୍ଟ ବେଶୀ । କମଳିନୀଙ୍କୁ ରକ୍ଷା କରିବା ତାଙ୍କର ପ୍ରଥମ କର୍ତ୍ତବ୍ୟ ବୋଲି ସେ ଧରିନେଇଥିଲେ ।

 

ସାରା ଜୀବନ ଆକାଂକ୍ଷାର ଅନଳରେ ଦଗ୍ଧ ହୋଇଛନ୍ତି ସେ । କମଳିନୀ ମାତୃତ୍ୱ କାମନା କରି ବହୁ ଦେବଦେବୀଙ୍କ ପୂଜାର୍ଚ୍ଚନା କରିଛନ୍ତି; କିନ୍ତୁ ନିଷ୍ଫଳ ହେଇଛି ସବୁ । ବସ୍ତୁ ଜଗତରେ ଗୋଟାଏ ଆକସ୍ମିକ ବିସ୍ଫୋରଣ ଫଳରେ ପ୍ରାଣୀର ସୃଷ୍ଟି ହୋଇଥିଲା ବୋଲି ଅନେକ ବୈଜ୍ଞାନିକ କହିଥାନ୍ତି । ତା ଯଦି ସତ୍ୟ ହୋଇଥାଏ କମଳିନୀଙ୍କ ପୂଜାର୍ଚ୍ଚନା ବ୍ୟର୍ଥ ହେବାର ବିସ୍ମିତ ହେବାର କିଛି ନାହିଁ ।

 

ରାତ୍ରି ପରେ ରାତ୍ରି ବିତିଯାଇଛି । ଗ୍ରୀଷ୍ମ ବର୍ଷା ଶୀତ ବସନ୍ତର ଆଗମନରେ ନୂତନ ଦିନର ସ୍ୱପ୍ନ ଖେଳିଯାଇଛି ମନରେ । କେତେ କାମନା ଆକାଂକ୍ଷା ବିତିଯାଇଛି । ନିଷ୍କ୍ରିୟ ଜରାୟୁରେ ଜୀବନର ସଞ୍ଚାର ତଥାପି ହୋଇ ନାହିଁ । ବହୁ ଡାକ୍ତର, କବିରାଜ, ଗୁଣୀ, ସନ୍ନ୍ୟାସୀ ଚେଷ୍ଟା କରି ବିଫଳ ହୋଇଛନ୍ତି । କମଳିନୀ ଆଉ ମାଆ ହୋଇପାରିନାହାନ୍ତି ।

 

ବିନୟ କର ଲେଉଟାଇଲେ । ତାଙ୍କ କଣ୍ଠରୁ ଅସ୍ପଷ୍ଟ ଭାଷାରେ ଶୁଭୁଥାଏ....ମୋ ପରେ କିଏ ? ଶେଷ ହୋଇଯିବ ସବୁ । ତାଙ୍କର ଦିନ ଗଣି ହେଇଯାଉଛି । ତାଙ୍କ ପରେ ବଂଶର ପ୍ରଦୀପ ଚିରଦିନ ପାଇଁ ନୀର୍ବାପିତ ହେବ । କମଳା, କମଳା....ପୁଣି କ୍ଷୀଣକଣ୍ଠରେ ଡାକିଲେ ସେ । କମଳିନୀ ସେତେବେଳକୁ ତାଙ୍କ ତରୁଣୀ ଦିନର ଚିତ୍ରପଟ ସବୁକୁ ନଷ୍ଟ କରିଦେବା ଉଦ୍ଦେଶ୍ୟରେ ଏକାଠି କରୁଥାନ୍ତି ।

 

ବିନୟଙ୍କ ଡାକ ତାଙ୍କ କାନରେ ବାଜିଲା । ସେ ଆଉ ଯିବାକୁ ଚାହୁଁ ନ ଥିଲେ । ପୁଣି ବାହାରିବ ସେଇ ପାଗଳାମି । ଡାକ୍ତର କହିଛନ୍ତି, ଏ ସବୁ ଲକ୍ଷଣ ଭଲ ନୁହେଁ । ଉତ୍ତେଜିତ ହେବା ତାଙ୍କ ସ୍ୱାସ୍ଥ୍ୟପକ୍ଷରେ ଅତ୍ୟନ୍ତ କ୍ଷତିକାରକ । ଦୀପ ଲିଭିଯିବା ଆଗରୁ ଜଳିଉଠେ । ଚିରଦିନ ପାଇଁ ବାସନାର ସମାପ୍ତି ହେବା ପୂର୍ବରୁ ସେ ପୁଣି ଉଗ୍ର ଭାବରେ ଜାଗିଉଠେ ।

 

ଉଃ—କେମିତି ଏକ ଅସ୍ଫୁଟ ଚିତ୍କାର କରିଉଠିଲେ ବିନୟ । ଯା’ ହବାର ପଛେ ହବ....କମଳିନୀ ଆଉ ଥୟ ଧରିପାରିଲେ ନାହିଁ । ଏକା ନିଶ୍ୱାସକେ ସେ ଯାଇ ଶେଯ ପାଖରେ ଉପସ୍ଥିତ ହେଲେ ।

 

କାନ୍ଥରେ ଝୁଲୁଥିବା ଚିତ୍ରଟିଆଡ଼େ ଏକଦୃଷ୍ଟିରେ ଚାହିଁରହିଛନ୍ତି ବିନୟ—ବାଁ ହାତରେ ଛାତି ଉପରଟାକୁ ଚିପିଧରିଛନ୍ତି । ଆଖି କୋଣରେ ମୁକ୍ତା ଭଳି ଚିକ୍‌ ଚିକ୍‌ କରୁଛି ଅଶ୍ରୁ ।

 

ପୁଣି ସେ ଚିତ୍ର ! ସେଇ କାମନା ! କମଳିନୀ ଯାଇ କାନ୍ଥରେ ଝୁଲୁଥିବା ଚିତ୍ରଟିକୁ ଓଲଟାଇ ଦେଲେ । ବିନୟଙ୍କ ଦୃଷ୍ଟି ଚିତ୍ର ଉପରୁ ଅପସରି ଆସିଲା । ସେ କହିଲେ—ଲକ୍ଷ୍ମୀ, ଭାରି କଷ୍ଟ, ପାଣି ଟିକିଏ ।

 

କମଳିନୀ ପରିଷ୍କାର କାଚ ଗ୍ଳାସରେ ପାଣି ଢାଳି ଧୀରେ ଧୀରେ ପିଆଇଦେଲେ । ପାଣିପିଇ ଟିକିଏ ଆଶ୍ୱସ୍ତିର ନିଃଶ୍ୱାସ ମାରିଲେ ବିନୟ । ତାପରେ କହିଲେ—ତମର ଧାରଣା ଅମୂଳକ । ଯେଉଁ ଛବିକୁ ନେଇ ତମେ ଆଶଙ୍କା କରୁଛ ତାର ମଡ଼େଲ ଆଉ ବର୍ତ୍ତମାନ ଜୀବିତ ନାହିଁ-। ସେ ମରିଯାଇଚି; ଜୀଇରହିଚି ଖାଲି ସ୍ମୃତି । କମଳା, ତମର ସେ ଦିନର ରୂପ ମନଗହନରେ ବ୍ୟଥାର ସ୍ୱର ତୋଳୁଛି । ମତେ କଣ ଆଉ ଥରେ ତୁମେ ପାଗଳ କରି ପାରିବ ନାହିଁ-? ତା ନହେଲେ ମୁଁ ବଞ୍ଚିବି କେମିତି ? ମୋର ଶିଳ୍ପୀପ୍ରାଣ ବଞ୍ଚିବ କେମିତି ? କମଳିନୀ ଚିତ୍କାର କରି ଉଠିଲେ—ଥାଉ, ଥାଉ, ତୁମେ ଏସବୁ ବନ୍ଦ କର । ଦିନକୁ ଦିନ ତୁମର କଣ ହେଉଚି-? ପିଲା ହେଇଯାଉଚ ନା କଣ ?

 

ବାଳ-ବୃଦ୍ଧ ସମାନ—ଯେଉଁ ଶାସ୍ତ୍ରକାର ଏହି ଉକ୍ତି କରିଥିଲେ ସେ ଏକ ନିରାଟ ସତ୍ୟକୁ ସେଦିନ ପ୍ରକାଶ କରିଥିଲେ । ବିନୟ କହିଲେ—କବିତ୍ୱ ମୋର ମରିଯାଇଚି—କିନ୍ତୁ ତୁମେ କବିତା ରୂପରେ ଆଉ ଥରେ କଣ ସେଇ ମୃତ ଶକ୍ତିକୁ ଜାଗ୍ରତ କରାଇ ପାରିବ ନାହିଁ ? କବିତା ଚିରଯୌବନା; କିନ୍ତୁ ତୁମ ପାଖରେ ଆଜି ଏ ବ୍ୟତିକ୍ରମ ସମ୍ଭବ ହେଲା କେମିତି ?

 

କମଳିନୀ ଆଜି କିନ୍ତୁ ଏଇ ସବୁ ଭାବନାଠୁ ବିନୟଙ୍କୁ ଦୂରେଇ ରଖିବାକୁ ଚାହୁଁଥିଲେ । ସେ କହିଲେ—କଥା କହିବା ପରା ଖରାପ—ତୁମେ କଥା କୁହନାହିଁ ।

 

ବିନୟ ଦୀର୍ଘ ନିଃଶ୍ୱାସ ତୋଳିଲେ । କିଛି ସମୟ ନୀରବ ରହି ପୁଣି କହିଲେ—ଭଜନା ଆଜି ଆସିନାହିଁ ? ତା ମା’ର କଣ ହେଲା କେଜାଣି ?

 

ଭଜନା ପ୍ରତିଦିନ ଆସେ । ତେର ଚଉଦ ବର୍ଷର ପିଲାଟିଏ । ସଂସାରରେ ମା ବ୍ୟତୀତ ତାର ଆଉ କେହି ନାହିଁ । ସେମାନେ ବଡ଼ ଦରିଦ୍ର । ବିନୟଙ୍କ ପଡ଼ିଶା ସେମାନେ । ଭଜନା ପିଲାଟି ଖୁବ୍‌ ଭଲ । ଦରିଦ୍ର ଘରେ ଜନ୍ମ ନେଇ ଥିଲେ କଣ ହେବ, ବେଶ୍‌ ଶାନ୍ତ ଆଉ ସୁଧୀର ।

 

ସେମାନଙ୍କ ପରିବାରର ସମସ୍ତ ସୁବିଧା ଅସୁବିଧା କଥା ବିନୟଙ୍କୁ ବୁଝିବାକୁ ପଡ଼େ । କମଳିନୀ ଖୁବ୍‌ ଦୟାଶୀଳ । ସେମାନଙ୍କର ଅଭାବ ତୁରନ୍ତ ପୂରଣ ହୋଇଯାଏ ।

 

ତିନିଦିନ ହେଲା ଭଜନାର ମା’କୁ ହେଇଚି ଜ୍ୱର । ରତନା ଯାଇ ବେଳେ ବେଳେ ତା’ କଥା ବୁଝିଆସେ । କିନ୍ତୁ ଏଇ କେଇଦିନ ହେଲା ବିନୟଙ୍କ ଦେହ ଖରାପ ଆଡ଼କୁ ଯାଉଥିବାରୁ ସେ ଆଉ ଘର ଛାଡ଼ି ବାହାରକୁ ଯାଉନାହିଁ ।

 

ଭଜନା ମଧ୍ୟ ଆସିନାହିଁ ।

 

ପରଦିନ ସକାଳେ ଭଜନା ଆସି କମଳିନୀଙ୍କ ପାଖରେ ହାଜର ହେଲା । ତାର ମୁହଁ ଶୁଖିଯାଇଛି । ତାର ଶୁଖିଲା ମୁହଁ ଦେଖି ସେ ପଚାରିଲେ—ଭଜ, ତୋ ମା କେମିତି ଅଛି ?

 

ହଠାତ୍‌ ଭଜନା ଛାତିରେ କ୍ରନ୍ଦନର ବିସ୍ଫୋରଣ ହେଲା । ସେ କହିଲା—ମା, ମା ଆଜି ଭୋରରୁ ମରିଯାଇଛି ।

 

ତାର କ୍ରନ୍ଦନର ସ୍ୱର ଖୁବ୍‌ ଉଚ୍ଚକୁ ଉଠିଯାଇଛି । ଘରେ ରୋଗୀ କମଳିନୀ ତାକୁ ଆଦର କରି ନିଜ ଛାତି ଉପରକୁ ଆଉଜାଇ ଆଣିଲେ—କାନ୍ଦିଲେ କଣ ମା ଫେରିଆସିବରେ ଭଜ ! ଯେ ଯିବାର କଥା ତାକୁ ତ ଆଉ ଅଟକେଇ ହେବ ନାହିଁ ।

 

ବିନୟ ଶୁଣିଲେ ଭଜର ମାଆ ମରିଯାଇଛି । ସେ ଉଠି ତାର ଆତ୍ମାର ସଦ୍‌ଗତି ପାଇଁ ନୀରବ ପ୍ରାର୍ଥନା କଲେ ।

 

ଅନ୍ତ୍ୟେଷ୍ଟି କ୍ରିୟାର ଯାବତୀୟ ଖର୍ଚ୍ଚ ବିନୟଙ୍କୁ କରିବାକୁ ପଡ଼ିଲା ।

 

କିଛିଦିନ ପରର କଥା । ଖରାତେଜ ପ୍ରଖର ହୋଇଥାଏ । ବିନୟଙ୍କର ଖିଆଲ ହେଲା ସନ୍ଧ୍ୟାରେ ସେ ଗାଁ ଆଡ଼େ ଯିବେ । ଚାକିରି ଜୀବନର ଅବ୍ୟବହିତ ପରେ ସେ ଏଇ ଗାଁ ମାଟିକୁ ଅତି ଆପଣାର କରିନେବେ ବୋଲି ଭାବିଥିଲେ । ଚାକିରି-ଜୀବନ ସମାପ୍ତ ହେବା ପୂର୍ବରୁ ତାଙ୍କୁ ବାଧ୍ୟ ହୋଇ ଦାସତ୍ୱକୁ ବିଦାୟ ଦେବାକୁ ହେଲା ।

 

ସେ ଥିଲେ ସାମାନ୍ୟ ବେତନଭୋଗୀ ଜଣେ ଡ୍ରଇଂ ଶିକ୍ଷକ । ପିତାଙ୍କ ଅନ୍ତେ ଯାହା ଜମିବାଡ଼ି ଥିଲା ତାହା ତାଙ୍କ ପାଇଁ ଯଥେଷ୍ଟ । ସେଇଥିରୁ କେତେ ମାଣ ଜମି ବିକ୍ରି କରିଦେଇ ପୁରାତନ ଘର ଡିହ ଉପରେ ନୂତନ ଧରଣର ଏଇ ଘରଟି ତିଆରି କରିଛନ୍ତି । ବାଡ଼ିରେ ଛୋଟ ପୋଖରୀଟିଏ କାଟି ପହଣା ମାଛ ଛାଡ଼ିଛନ୍ତି । କଦଳୀ, ଆମ୍ବ, ପଣସ, ଲିଚୁ ପ୍ରଭୃତି ନାନାପ୍ରକାର ଗଛ ଲଗେଇଛନ୍ତି । ଆର୍ଟିଷ୍ଟ ସେ—ନାନା ରଙ୍ଗର ଫୁଲଗଛରେ ସଜେଇ ଦେଇଛନ୍ତି ଘରର ଚତୁର୍ଦ୍ଦିଗକୁ ।

 

ବେଳେବେଳେ ଭବିଷ୍ୟତ ନେଇ ସେ ବ୍ୟସ୍ତ ହୋଇପଡ଼ନ୍ତି । ଉତ୍ତରାଧିକାରୀ କେହି ନାହିଁ—ନିଜେ ଯକ୍ଷ୍ମାକ୍ରାନ୍ତ । ତାଙ୍କ ଅନ୍ତେ ? କମଳିନୀ ଆଉରି ଦୀର୍ଘାୟୁ ହେଉନ୍ତୁ—ତାଙ୍କର ପରମାୟୁ ଶହେ ବର୍ଷ ହେଉ । ସେ ଏ ବଂଶର ଶେଷ ସନ୍ତକ ।

 

ସଂଧ୍ୟାବେଳ । ଚଉତରାମୂଳରେ ରତନା ସଞ୍ଜବତି ଲଗେଇ ଦେଇଛି । ଅଳ୍ପଦୂରରେ କମଳିନୀ ବସି ମନାସୁଛନ୍ତି ନିଜର ଆଶୁ ମରଣ । ସେ ମରିଯାଆନ୍ତେ କି ?

 

କିନ୍ତୁ ସେ ମରିଗଲେ ରୁଗ୍‌ଣ ବିନୟଙ୍କ ଶୁଶ୍ରୂଷା କରିବ କିଏ ? ଭବିଷ୍ୟତ ?

 

ବିନୟ ପ୍ରସ୍ତାବ କଲେ—କମଳା, ଆମ ଦୁଇଜଣଙ୍କ ସ୍ମୃତିରକ୍ଷା ପାଇଁ ଆମର ସମସ୍ତ ସମ୍ପତ୍ତିକୁ କୌଣସି ଏକ ମହତ୍‌ ଅନୁଷ୍ଠାନକୁ ଦାନ କରିଦେଇଗଲେ କେମିତି ହୁଅନ୍ତା ? କମଳିନୀଙ୍କର ମନେପଡ଼ୁଥିଲା ଭଜନା କଥା । ସେ ପିଲାଟି କେମିତି ଚଳିବ ? ମାତୃବିୟୋଗ ପରେ ସେ ଆସି ତାଙ୍କରି ଘରେ ଆଶ୍ରୟ ନେଇଛି । ସନ୍ତାନ-ପାଗଳୀ କମଳିନୀ ତାହାରି ପାଇଁ ବ୍ୟସ୍ତ ହେଉଛନ୍ତି । ପିଲାଟିକୁ ଥୟ କରିଗଲା ସବୁ ଦିନକୁ ନାଁ ରହନ୍ତା ।

 

ସେତିକିରେ କଥା ଶେଷ ହେଲା ।

 

ବିନୟ ଧୀରେ ଗାଁକୁ ବାହାରିଲେ । ଗ୍ରୀଷ୍ମସଂଧ୍ୟା—ପବନ ବେଶ୍‌ ଶାନ୍ତିପ୍ରଦ । କମଳିନୀ ମନାକରୁଥିଲେ—ଅତି ମାତ୍ରାରେ ଦୁର୍ବଳ, ଗୋଡ଼ ଥରୁଛି । ମାତ୍ର ସେ ମନା ମାନିଲା ନାହିଁ । ଏଇ ଗାଁର ପ୍ରତ୍ୟେକ ପଦାର୍ଥ ତାଙ୍କ ନିକଟରେ ଅତି ପ୍ରିୟ । ସେହି ସବୁ ପ୍ରିୟ ପଦାର୍ଥକୁ ଆଉ ଥରେ ଭଲ କରି ଦେଖିବା ପାଇଁ ତାଙ୍କର ମନ ବଳିଛି । ପଡ଼ିଶା ଲୋକଙ୍କ ସହିତ ବହୁତ ଦିନରୁ ସେ ଆଳାପ କରିନାହାନ୍ତି । ସେ ଏହି ଶକ୍ତ ସଂକ୍ରାମକ ବ୍ୟାଧିରେ ଜଡ଼ିତ ହେଇପଡ଼ିଛନ୍ତି ଜାଣି ଅତି ଆପଣାର ପଡ଼ିଶା ଲୋକେ ମଧ୍ୟ ତାଙ୍କ ପାଖକୁ ଆଉ ଆସୁନାହାନ୍ତି ।

 

ହାୟରେ ଜୀବନ ! ଏ ମରଦେହର କି ଭୟାନକ ପରିଣାମ । ‘ଛୁଇଁବେ ନାହିଁ ତୋତେ ବୋଲିବେ ମଡ଼ା, ଛ ଖଣ୍ଡି କାଠ ହେବ ତୋ ପାଇଁ ଲୋଡ଼ା’—ବିନୟଙ୍କ ଅଙ୍ଗ-ପ୍ରତ୍ୟେଙ୍ଗ ଥରୁଛି । ଧଇଁସଇଁ ହେଇପଡ଼ୁଛନ୍ତି । ନା, ନିଷ୍ଫଳ ଚେଷ୍ଟା । ଏ ଜୀବନରେ ହୁଏତ ମୁକ୍ତ ପ୍ରକୃତିକୁ ଆଉ ଉପଭୋଗ କରିବା ସମ୍ଭବ ନୁହେଁ ।

 

ସେ ଫେରିଆସିଲେ ।

 

ସେହିଦିନ ରାତ୍ରିରେ ସେ ଭୀଷଣ ଅସୁସ୍ଥ ହୋଇପଡ଼ିଲେ । ଭଜନା ଓ ରଚନା ଉଭୟ ମିଳି ଡାକ୍ତରଙ୍କୁ ଡାକିବାକୁ ଯାଇଥିଲେ ।

 

ଡାକ୍ତରଖାନା ସେଠାରୁ ଏକ ମାଇଲ ଦୂର । ସରକାରୀ ଡାକ୍ତରଖାନା । ପୂର୍ବରୁ ଯେଉଁ ଡାକ୍ତର ଜଣକ ସେଠାରେ ଥିଲେ, ସେ ୟା ଭିତରେ ବଦଳିଗଲେଣି । ତାଙ୍କ ସ୍ଥାନରେ ଜଣେ ନୂଆ ଡାକ୍ତର ଆସିଛନ୍ତି । ଯୁବକ । ଅଳ୍ପ ଦିନ ଭିତରେ ଜଣେ ଭଲ ଡାକ୍ତର ହିସାବରେ ତାଙ୍କ ନାମ ଚାରିଆଡ଼େ ପ୍ରସାରୀ ଗଲାଣି ।

 

ଭଜନା ଆଉ ରତନା ସାଙ୍ଗରେ ଏଇ ନୂଆ ଡାକ୍ତର ଜଣକ ଆସିଲେ । କମଳିନୀ ଏଇ ଡାକ୍ତରଙ୍କୁ ଦେଖି ଚମକି ପଡ଼ିଲେ । ଠିକ୍‌ ଶ୍ରୀମନ୍ତଙ୍କ ଭଳି ଚେହେରା । ସେଇ ଆଖି, ସେଇ ନାକ, ଭ୍ରୂଲତା, ମୁହଁ—ସବୁ କିଛି ।

 

ପୁଣି ଥରେ ଲୁପ୍ତ ସ୍ମୃତି ତାଙ୍କ ମନପଟରେ ଜାଗ୍ରତ ହେଲା । ଏ କଣ ଶ୍ରୀମନ୍ତଙ୍କ ପୁଅ ?

 

ଡାକ୍ତର ଆସି ଚିକିତ୍ସା ଆରମ୍ଭ କରିଦେଲେ ।

 

—ବହୁଦିନଧରି ନିୟମିତ ଚିକିତ୍ସା ଆବଶ୍ୟକ । ଡାକ୍ତର କହିଲେ ।

 

କମଳିନୀ ଆଶାୟୀ କଣ୍ଠରେ ପଚାରିଲେ—ନିୟମିତ ଚିକିତ୍ସା କଲେ ଏ ରୋଗ କଣ ଭଲ ହେବ ?

 

ଡାକ୍ତର ହସିଲେ । ଇସ୍‌, ଶ୍ରୀମନ୍ତଙ୍କ ହସର ଅବିକଳ ନକଲ । କମଳିନୀଙ୍କ ଛାତିରେ ଛୁରୀ ଚାଲିଗଲା ଯେମିତି । ମନେପଡ଼ିଲା ତାଙ୍କର ଜୀବନ ଯୌବନର ପ୍ରଥମ ଅଙ୍କରେ ଶାନ୍ତିନିକେତନର ଅଭିନୟ । ସେ ଆଖି ବନ୍ଦ କରିଦେଲେ ।

 

ଡାକ୍ତର ପୁଣି କହିଲେ—ଆଜିକାଲି ଯକ୍ଷ୍ମା ଆଉ କଣ ଦୁଃସାଧ୍ୟ ହେଇ ରହିଛି ?

 

—କଣ କହିଲେ ? କମଳିନୀ ଏ କଥାକୁ ବିଶ୍ୱାସ କରିପାରିଲେ ନାହିଁ ଯେମିତି ।

 

—ଯଦି କହନ୍ତି, ମୁଁ ଚେଷ୍ଟା କରିବି । ୟା’ ଭିତରେ ଯକ୍ଷ୍ମା ପାଇଁ ବହୁ ଔଷଧ, ଇଞ୍ଜେକସନ୍‌ ବାହାରିଲାଣି । ଚେଷ୍ଟା କଲେ ହୁଏତ ସଫଳ ହେଇପାରେ । ଡାକ୍ତର କହିଲେ ।

 

—ଯକ୍ଷ୍ମା ଭଲ ହେବ ? ଯଦି ଭଲ ହୁଏ ସବୁ କିଛିର ବିନିମୟରେ କମଳିନୀ ଚେଷ୍ଟା କରିବାକୁ ପ୍ରସ୍ତୁତ ।

 

ପୁଣି ଆସିବେ କହି ଡାକ୍ତର ଚାଲିଗଲେ । ଯିବାବେଳେ ଭଜନା ଦଉଡ଼ିଯାଇ ପଚାରିଥିଲା ତାଙ୍କ ନାମ ।

 

ସେ ହସିଥିଲେ—ମୋ ନାଁରୁ କଣ ପାଇବ ? ମୁଁ ତ ଡାକ୍ତର, ମତେ ଡାକ୍ତର ବୋଲି ଡାକିବ ।

 

ଭଜନା କହିଲେ—ନା, ମା ପଚାରି ପଠେଇଲେ ଆପଣଙ୍କ ନାଁ ।

 

ମା ? ଗତ ପାଞ୍ଚବର୍ଷର ଚାକିରି-ଜୀବନରେ କୌଣସି ମା’ର ସଂସ୍ପର୍ଶରେ ସେ ଆସିନାହାନ୍ତି । ନିଜର ବାରବର୍ଷ ବେଳୁ ମା’କୁ ହରାଇ ମାତୃସ୍ନେହରୁ ସେ ବଞ୍ଚିତ ହୋଇଛନ୍ତି । ଆଜି କାହିଁକି କମଳିନୀଙ୍କୁ ଦେଖି ତାଙ୍କର ଭାବାନ୍ତର ହେଉଛି !

 

କମଳିନୀ ସନ୍ତାନ-ସ୍ନେହରୁ ବଞ୍ଚିତ; ଆଉ ଡାକ୍ତର ମାତୃ-ସ୍ନେହରୁ ବଞ୍ଚିତ । ଡାକ୍ତର କହିଲେ—ମୋ ନା ଶ୍ରୀକାନ୍ତ ପଟ୍ଟନାୟକ ।

 

ତା’ପରେ ଚାଲିଗଲେ ସେ ।

 

ଶ୍ରୀକାନ୍ତ ପଟ୍ଟନାୟକ ! ସେ ଥିଲେ ଶ୍ରୀମନ୍ତ ପଟ୍ଟନାୟକ । ଆଜି ଯଦି ସେ ବଞ୍ଚିଥିବେ ନିଶ୍ଚୟ ବୃଦ୍ଧ ହେଇଯିବେଣି; କିନ୍ତୁ ସେତେବେଳେ ସେ ଠିକ୍‌ ଏମିତି ଥିଲେ । ଏ ଯେ ତାଙ୍କରି ପୁଅ, କମଳିନୀଙ୍କର ଏ ବିଶ୍ୱାସ ଦୃଢ଼ ହେଇଗଲା ।

 

ବିନୟ ଡାକିଲେ—କମଳା, କମଳା !

 

—କଣ କହୁଛ ? ଶୁଣିଲ, ଏ ଡାକ୍ତର କଣ କହିଗଲେ ?

 

ଉତ୍କଣ୍ଠିତ ହେଇ ବିନୟ ପଚାରିଲେ—କଣ କହିଗଲେ ? ଆଉ କେତେ ଦିନ ?

 

—ନା ଗୋ ନା, ସେ କହିଗଲେ ତୁମର ରୋଗ ଭଲ ହେଇଯିବ ।

 

ଏଇ ଆଶାର ବାଣୀ ଶୁଣି ତାଙ୍କ ମୁଖମଣ୍ଡଳ ଉଜ୍ଜ୍ୱଳ ହେଇଉଠିଲା । ସେ ଆତ୍ମସମ୍ବରଣ କରି ନ ପାରି ପାଟି କରିଉଠିଲେ—କାହିଁ ? କାହିଁ ସେ ଡାକ୍ତର ? ତାକୁ ଆଉ ଥରେ ମୋ ପାଖକୁ ଡାକିଦିଅ ।

 

—ସେ କାଲି ପୁଣି ଆସିବେ ।

 

ତା’ପରେ ଏକ ଶାନ୍ତ ଶୀତଳ ପରିବେଶ । ବାୟୁମଣ୍ଡଳ ନିସ୍ତବ୍ଧ ।

 

ପରଦିନ ଡାକ୍ତର ଶ୍ରୀକାନ୍ତଙ୍କ ପରାମର୍ଶରେ ନିୟମିତ ଚିକିତ୍ସା ଚାଲିଲା । ସ୍ୱୟଂ ମୃତ୍ୟୁଦେବତାଙ୍କ ସହିତ ରୀତିମତ ଯୁଦ୍ଧ । ଭବିଷ୍ୟତ ହିଁ କେବଳ କହିବ ମଣିଷର ଐକାନ୍ତିକ ଚେଷ୍ଟା, ଏକନିଷ୍ଠ ଏକାଗ୍ରତା ଜୟୀ ହେବ ନା ହିଂସ୍ରକ ମୃତ୍ୟୁଦେବତାର ଇଚ୍ଛା ହିଁ ପୂର୍ଣ୍ଣ ହେବ ।

 

କମଳିନୀ ବିନୟଙ୍କର ଆରୋଗ୍ୟ ପାଇଁ ସେବାପୂଜା ଆରମ୍ଭ କରି ଦେଇଛନ୍ତି । ମନୁଷ୍ୟ ଅବସ୍ଥାର ଦାସ । ଶାନ୍ତିନିକେତନରେ ଛାତ୍ରୀ ଥିବାବେଳେ ସେ ହୁଏତ ଭାଗ୍ୟ ଆଉ ଦେବତା ବିଶ୍ୱାସ କରୁ ନଥିଲେ । ବସ୍ତୁବାଦୀ ଦୁନିଆରେ ବସ୍ତୁର ହିଁ ମୂଲ୍ୟ ଥିଲା ତାଙ୍କ ନିକଟରେ ଚରମ ସତ୍ୟ । କାଳଚକ୍ରର ଆବର୍ତ୍ତନରେ ସବୁ ଯେମିତି ବଦଳିଗଲା । ଥରେ ସନ୍ତାନପ୍ରାପ୍ତି ଆଶାରେ ସେ ଏମିତି ସେବାପୂଜା ଆରମ୍ଭ କରିଦେଇଥିଲେ; କିନ୍ତୁ ସେ ହୋଇଥିଲା ନିଷ୍ଫଳ; ଏଥର ଦେଖାଯାଉ କଣ ହେଉଛି ?

 

ଡାକ୍ତର ଶ୍ରୀକାନ୍ତ । ଦିନୁଦିନ ଏଇ ଯୁବକଟି ପ୍ରତି କମଳିନୀଙ୍କର ମାତୃହୃଦୟ ଆକୃଷ୍ଟ ହେଉଛି । ସେ ଏମିତି ଜଣେ ସନ୍ତାନର ଜନନୀ ହୋଇପାରିଥାନ୍ତେ କି ?

 

ସେଦିନ ଏଇ ଚିନ୍ତାରେ ହିଁ ବସି ବସି ସେ ଲୁହ ଝରାଉଥିଲେ । ଭଜନା ଆସି ସମ୍ବାଦ ଦେଲା—ଡାକ୍ତର ଆସିଛନ୍ତି ।

 

ଲୁହଧାର ବନ୍ଦ କରି ସେ ଉଠିଗଲେ । ବିନୟ ବେଶ୍‌ ଆରାମରେ ଶୋଇଛନ୍ତି । ରୋଗ ଯାହା ହେଉ, ଏ କେଇ ଦିନ ହେଲା ସେ ବେଶ୍‌ ଶାନ୍ତିରେ ଶୋଉଛନ୍ତି । ଡାକ୍ତର ଗୋଟିଏ ଚେୟାର ଟାଣିନେଇ ରୋଗୀ ଶେଯ ପାଖରେ ବସିଲେ ।

 

କମଳିନୀ ମୃଦୁକଣ୍ଠରେ ପଚାରିଲେ—କଣ ଦେଖୁଛ ବାପ ?

 

—ଏତେ ଶୀଘ୍ର ମୁଁ କିଛି ଦେଖିବାକୁ ପାଇନାହିଁ । ତେବେ ଶୋଇବାଟା ଖୁବ୍‌ ଭଲ ଲକ୍ଷଣ ।

 

—ଭଲ ହେବାର ଆଶା ଦେଖୁଛ ?

 

—ଡାକ୍ତରମାନେ ତ ସବୁବେଳେ ଆଶାୟୀ ମା ! ମୁଁ ଖୁବ୍‌ ଭଲ ଆଶା ଦେଖୁଚି । ଶ୍ରୀକାନ୍ତଙ୍କ ମୁହଁରେ ନିର୍ଲିପ୍ତଭାବ । ଡାକ୍ତରଙ୍କ କର୍ତ୍ତବ୍ୟ ସେବା କରିବା । ଫଳାଫଳ ଉପରେ ତାଙ୍କର ହାତ ନାହିଁ । ନିଶ୍ଚିତ ମୃତ୍ୟୁ ଜାଣି ମଧ୍ୟ ଡାକ୍ତର ରୋଗୀକୁ ସାନ୍ୱାନା ଦିଅନ୍ତି, ଆଶା ଦିଅନ୍ତି । ତଥାପି ଏହି ଆଶା ଅନେକ ସମୟରେ ନିରର୍ଥକ ଯାଏନା । ରୋଗୀର ମନୋବଳ ବଢ଼ିଲେ ରୋଗର ବଳ ହଟିଯାଏ ।

 

କମଳିନୀ ଏଯାଏ ଶ୍ରୀକାନ୍ତଙ୍କ ପରିଚୟ ପଚାରି ନଥିଲେ । ହଠାତ୍‌ ସେ ପଚାରିବସିଲେ ସେଇସବୁ କଥା ।

 

ଶ୍ରୀକାନ୍ତ ଶ୍ରୀମନ୍ତଙ୍କ ଜ୍ୟୋଷ୍ଠପୁତ୍ର । ଶ୍ରୀମନ୍ତ ବର୍ତ୍ତମାନ ସୁଦ୍ଧା ଜୀବିତ—କଳା ଚର୍ଚ୍ଚାରେ ରତ ।

 

ଏହାଠୁ ଆଉ ବେଶୀ ଜାଣିବାକୁ କମଳିନୀ ଚାହୁଁ ନ ଥିଲେ । ଚାହିଁ ବା ଲାଭ କଣ ? ସେ ସବୁ ସ୍ମୃତି ଚିରଦିନ ପାଇଁ ଅତୀତର ଗର୍ଭରେ ଲୁଚିଯାଉ । ଏ ବୟସରେ ସେ ସବୁ କଥା ମନ ଭିତରକୁ ନବା ପାପ, ମହାପାପ ।

 

ତଥାପି—ସେଇ ଅତୀତ ସ୍ମୃତି ତାଙ୍କୁ ମହା ବ୍ୟସ୍ତ କରୁଛି । ତାଙ୍କ ଜୀବନ କାନନରେ ଝଡ଼ ଭଳି ପ୍ରବେଶ କରିଥିଲେ ଶ୍ରୀମନ୍ତ; ପରାଜୟର ମାଳା ପନ୍ଧାଇ ଦେଇ ପୁଣି ଅନ୍ତର୍ଦ୍ଧାନ ହେଇଗଲେ । ତାପରେ ଭ୍ରୂଣହତ୍ୟା—ଯାହାର ପରିଣାମ ଗୋଟିଏ ଜନ୍ମ ପାଇଁ ସେ ଭୋଗ କରୁଛନ୍ତି-

 

ମନେପଡ଼ୁଛି ତାଙ୍କର ଆଜି—କଲିକତାର ଡାକ୍ତର ତାଙ୍କୁ ପରୀକ୍ଷା କରି ପିଲା ନ ହେବାର କାରଣ ସ୍ୱରୂପ କହିଥିଲା ଏକ ନିର୍ମମ ସତ୍ୟ । ଗର୍ଭରେ ଅସ୍ତ୍ରୋପଚାର ହେବା ଫଳରେ ସବୁଦିନ ପାଇଁ ତାଙ୍କର ଜନନଶକ୍ତି ନଷ୍ଟ ହୋଇଯାଇଛି; ତାହା ଆଉ ଫେରିଆସିପାରେନା ।

 

ଏଥିପାଇଁ ଦାୟୀ ଶ୍ରୀମନ୍ତ । ତାଙ୍କରି ପୁଅ ଆଜି ପିତୃଋଣ ପରିଶୋଧ କରୁଛି, କରୁ । ଯଦି ବିନୟ ଭଲ ହେଇଯାନ୍ତି, ତେବେ ଶ୍ରୀମନ୍ତଙ୍କର ସବୁ ପାପ ନିଶ୍ଚୟ ଖଣ୍ଡନ ହେଇଯିବ ।

 

ବିନୟଙ୍କର ନିଦ ଭାଙ୍ଗିଗଲା । ସେ ପାଟିକରି ଉଠିଲେ—କମଳା, କୁଆଡ଼େ ଗଲ କମଳା ? ଓଃ, ଭୟଙ୍କର ଦୁଃସ୍ୱପ୍ନ ଦେଖିଲି । ନା, ଦିନକୁ ଦିନ ମୋ ଅବସ୍ଥା ଖରାପ ହେଉଛି । ଡାକ୍ତର ତୁମେ କିଛି ଲକ୍ଷ୍ୟ କରିପାରୁଛ ?

 

—ଭୁଲ, ଭୁଲ କଥା ଆପଣ କହୁଛନ୍ତି । ଆଗଠାରୁ ଆପଣ ଆଉ ଟିକିଏ ଭଲ ଆଡ଼କୁ ଆସିଛନ୍ତି । ଡାକ୍ତର କହିଲେ ।

 

—ବୋଗସ୍‌, ରବିସ୍‌ ! ଏଇ ସବୁ ଡାକ୍ତରୀ ବହିକି ତମେ ନଦୀଗର୍ଭରେ ଫିଙ୍ଗି ଦେଇଆସ । ବିନୟଙ୍କ କଣ୍ଠରେ ନୈରାଶ୍ୟର ଭାବ ।

 

—ଆପଣ ନିଶ୍ଚିନ୍ତ ରହନ୍ତୁ ।

 

—ମୁଁ କି ନିଶ୍ଚିନ୍ତ ରହିପାରେ ଡାକ୍ତର ? କେହି କ’ଣ ରହିପାରେ ? ଗୋଟିଏ ପାଦ ଶ୍ମଶାନ ଉପରକୁ ଟେକିଦେଇ ମୁଁ ନିଶ୍ଚିନ୍ତ ରହିବି କେମିତି ? ମୋ ପାଇଁ ଆଉ କଷ୍ଟ କରନା । ଲାଭ କ’ଣ ମିଳିବ ସେଥିରୁ ? ବରଂ ମୋତେ ଛାଡ଼ିଦିଅ ମୋ ଭାଗ୍ୟ ଭୋଗିବାକୁ ।

 

ଆଉରି କ’ଣ କହିଥାନ୍ତେ ବିନୟ; କିନ୍ତୁ କମଳିନୀ ବାଧା ଦେଇ କହିଲେ—ତମେ ବେଶୀ କଥା କୁହ ନାହିଁ । ଆମ କାମ ଆମକୁ କରିବାକୁ ଦିଅ ।

 

ଡାକ୍ତର ଇଞ୍ଜେକ୍‌ସନ ଦେଲେ । ସବୁଦିନେ ଦିଅନ୍ତି । ବାଧା ଦେଲେ ନାହିଁ ବିନୟ । କମଳିନୀଙ୍କ ଇଚ୍ଛା ପୂର୍ଣ୍ଣ ହେଉ ।

 

କାନ୍ଥଘଡ଼ିରେ ବାଜିଲା ଛ’ । ନୀଡ଼ଫେରନ୍ତା ପକ୍ଷୀଦଳର କଳରବ ଯେମିତି ଏକ ଅଶାନ୍ତ ବାୟୁମଣ୍ଡଳ ସୃଷ୍ଟି କରିଛି । ଡାକ୍ତର ତାଙ୍କ କାମ ଶେଷ କରି ଚାଲିଗଲେ । କମଳିନୀ ବସିରହିଥିଲେ ବିନୟଙ୍କ ଶେଯ ପାଖରେ ।

 

ସାମାନ୍ୟ ନୀରବତା । ତା’ପରେ ବିନୟ କହିଲେ—କମଳା, ଆଜି କାହିଁକି ପୁନର୍ବାର ବଞ୍ଚିବାର ଆଶା ମରିଯାଉଛି । ଆଉ ବଞ୍ଚିରହି ଲାଭ କ’ଣ ? ତୁମେ ହିଁ କୁହ । ଡାକ୍ତର ମୁହଁରୁ ତ ଶୁଣିଛ—ଯଦିବା ମୁଁ ଭଲ ହୁଏ, ସବୁଦିଦ ପାଇଁ ଅକର୍ମଣ୍ୟ ହୋଇଯିବି । ପରିଶ୍ରମ ଯିବନାହିଁ ଦେହରେ । କି ଲାଭ ମିଳିବ ସେ ଜୀବନରୁ ?

 

କମଳିନୀଙ୍କ କପାଳ-ସିନ୍ଦୂର ଦାଉଦାଉ ଜଳୁଥିଲା । ସେ ଭାବୁଥିଲେ ସେଇ ସିନ୍ଦୂରର ମହତ୍ତ୍ୱ । ସେତକ ଥିଲା ପର୍ଯ୍ୟନ୍ତ ନାରୀ ସର୍ବସୁଲକ୍ଷଣା ଥାଏ । ସେତକ ଚାଲିଗଲେ ସେ ହୁଏ ଅଭାଗିନୀ, ଅପବିତ୍ରା । ସ୍ୱାମୀ ପଙ୍ଗୁ ହେଉ, ଅନ୍ଧ ହେଉ, ଅକର୍ମଣ୍ୟ ପଛେ ହେଉ, ସ୍ୱାମୀ ଥିବାରେ ଗୌରବ । ସେହି ଗୌରବଟିକିକ ଯଦି ରହେ, ସେତିକି ଯଥେଷ୍ଟ ! ତା’ ବ୍ୟତୀତ ଆଉ ତ କିଛି କାମନା ବର୍ତ୍ତମାନ ତାଙ୍କର ନାହିଁ ।

 

ବିନୟଙ୍କ ଦେହ ରକ୍ତଶୂନ୍ୟ ହୋଇଯାଇଛି । ଡାକ୍ତର ଶ୍ରୀକାନ୍ତ କହୁଥିଲେ ରକ୍ତ ଦେବାକୁ-। କିଏ ଦେବ ତାଙ୍କ ପାଇଁ ରକ୍ତ ? କମଳିନୀ ଦୁର୍ବଳ ହେଇ ପଡ଼ିଛନ୍ତି—ପୁତ୍ର କନ୍ୟା ନାହାନ୍ତି-। କିଏ ଦେବ ରକ୍ତ ?

 

କମଳିନୀ ବସି ବସି ସେହି କଥାହିଁ ଭାବୁଥିଲେ । ଭଜନା ସହିତ ଡାକ୍ତର ଆସି ପହଞ୍ଚିଲେ । ସାମନାରେ କମଳିନୀଙ୍କୁ ଦେଖି ପଚାରିଲେ—କଣ ହେଲା ମା ? ତୁରନ୍ତ ରକ୍ତ ଦେବା ଦରକାର । ନୋହିଲେ....

 

କମଳିନୀ ବିମର୍ଷ ମୁଖରେ କ୍ଷଣକାଳ ଚାହିଁ ଦୀର୍ଘ ନିଃଶ୍ୱାସ ଛାଡ଼ିଲେ । ଆଖିରେ ନୈରାଶ୍ୟର ଭାବ । ସେ ଯେମିତି କାହାର ସାହାଯ୍ୟ ଚାହୁଁଛନ୍ତି । ମାତ୍ର କିଏ ଦେବ ସାହାଯ୍ୟ ? କିଏ ଅଛି ତାଙ୍କର ?

 

ବିନୟ ଆର୍ତ୍ତନାଦ କରୁଛନ୍ତି । ତାଙ୍କ ଛାତିର କୋମଳ ମାଂସକୁ ପଳେ ପଳେ ଦଂଶନ କରୁଛି ଯକ୍ଷ୍ମା କୀଟ ।

 

କମଳିନୀଙ୍କ ମୁହଁକୁ ଚାହିଁ ଡାକ୍ତର କି ସଙ୍କେତ ପାଇଲେ କେଜାଣି, ସେ ସ୍ୱତଃପ୍ରବୃତ୍ତ ହେଇ କହିଲେ—ଆଚ୍ଛା ମା, ମୁଁ ରକ୍ତ ଦେବି ।

 

କମଳିନୀ ନିର୍ବାକ୍‌ ।

 

ଯଥାସମୟରେ ବିନୟଙ୍କ ଦେହରେ ରକ୍ତ ଦିଆଗଲା । କମଳିନୀ ସେ ଦିନ ଡାକ୍ତରଙ୍କୁ କହିଥିଲେ—ବାବା, ଆର ଜନ୍ମରେ ତମେ ମୋର ପୁଅ ଥିଲ ନିଶ୍ଚୟ । ତମର ଏ ଉପକାର ଆମେ ଶୁଝିପାରିବୁନି ।

 

ପ୍ରତିଉତ୍ତରରେ ଡାକ୍ତର ହସି ହସି କହିଥିଲେ—ଆପଣଙ୍କ ଭଳି ମା ଭାଗ୍ୟରେ ଥିଲେ ମିଳେ ।

 

ୟା ଭିତରେ ଛଅଟି ମାସ ବିତିଯାଇଛି । ସଂସାରର ଇତିହାସ ପାଞ୍ଜିରେ ବହୁ ନୂଆ କଥା ଘଟିଯାଇଛି । କେତେ ପୁରାତନ ଧ୍ୱଂସ ପାଇଛି । କେତେ ମଣିଷ ସଂସାର ବନ୍ଧନ ତୁଟାଇ ଆରପୁରର ଯାତ୍ରୀ ହେଇଛନ୍ତି—କେତେ ନବାଗତ ଶିଶୁର କ୍ରନ୍ଦନରେ ଧରଣୀର ଛାତି ମୁଖରିତ ହେଇଛି । କେତେ ନୈରାଶ୍ୟ ରଜନୀ ବିତିଯାଇଛି, ଆଶା ସକାଳର ଆଗମନରେ ପଥଘାଟ ଦୀପ୍ତ ହେଇଉଠିଛି । ଫୁଲ ଫୁଟିଛି ଅମାପ, ଝରିଯାଇଛି ବି ଅମାପ ।

 

କମଳିନୀଙ୍କ ପରିବାରରେ ଈଷତ୍‌ ଆଶା ସଞ୍ଚରିଯାଇଛି । ବିନୟଙ୍କ ଦେହ ଅପେକ୍ଷାକୃତ ଭଲ ହେଇ ଆସିଛି । ଡାକ୍ତର ଶ୍ରୀକାନ୍ତ ଅକ୍ଳାନ୍ତ ପରିଶ୍ରମ କରିଛନ୍ତି—ବେଳେ ବେଳେ ସାରା ରାତ୍ରି ରୋଗଶଯ୍ୟା ପାଖରେ ବସି କଟାଇ ଦେଇଛନ୍ତି ।

 

ଏଇ ତରୁଣ ଡାକ୍ତରଙ୍କ ପ୍ରତି କମଳିନୀଙ୍କ ହୃଦୟ ଏକାଧାରରେ ସ୍ନେହ ଆଉ କୃତଜ୍ଞତାରେ ଭରିଯାଇଛି ।

 

ବିନୟ ଟିକିଏ ଟିକିଏ ଚାଲିବୁଲି ପାରିଲେଣି । ଉଦ୍ୟାନରେ ନୂଆ ଫୁଲ ଫୁଟିବାର ଦେଖିଲେ ତାଙ୍କ ପ୍ରାଣ ଆନନ୍ଦରେ ଭରିଉଠୁଚି ।

 

ପାଖରେ ଅଛନ୍ତି କମଳିନୀ । ସଞ୍ଜ ପବନ ଦେହକୁ ବେଶ୍‌ ଭଲ ଲାଗୁଛି । ସେ ଧୀରେ ଧୀରେ ବୁଲୁଛନ୍ତି ।

 

ପୂର୍ବାକାଶରେ ସାଦା ମେଘଖଣ୍ଡେ ଖେଳିବୁଲୁଛି । ଶିଳ୍ପୀପ୍ରାଣରେ ତାର ପ୍ରତିଚ୍ଛବି ।

 

ଘାସ ଉପରେ ଯାଇ ସେ ବସିଲେ । ପ୍ରାଣରେ ଶାନ୍ତି । ସେ ସ୍ୱପ୍ନରେ ସୁଦ୍ଧା ଭାବି ନ ଥିଲେ ମୁକ୍ତ ପ୍ରକୃତିର ଶୋଭା ପୁଣି ଥରେ ଜୀବନରେ ଉପଭୋଗ କରି ପାରିବେ ବୋଲି ।

 

ସେ କହିଲେ—କମଳା, ଯୌବନର ରଙ୍ଗିମା ଥିଲେ ଆଜି ରାତି କେଡ଼େ ମଧୁମୟ ହେଇ ନ ଥାନ୍ତା ?

 

ତାଙ୍କର ଏଇ କଥା ଶୁଣି କମଳିନୀ ହସିଲେ—ଆଉ ଥରେ କ’ଣ ଫେରିଯାଇହବ ପଛକୁ ?

—ତୁମ ପାଖରେ ମୁଁ ହାରିଯାଇଛି କମଳା ! ବିନୟ କହିଲେ ।

ହାରିଯାଇଛନ୍ତି ? କମଳିନୀଙ୍କ ପ୍ରାଣତନ୍ତ୍ରୀରେ ଆଘାତ କରୁଥିଲା ଯବନିକା ତଳର ଇତିବୃତ୍ତ ।

ପୁଣି ସେଇ ଶ୍ରୀମନ୍ତ—ଠିକ୍‌ ଏମିତିକା ଏକ ସନ୍ଧ୍ୟାରେ ସେ ଏହି କଥା କହିଥିଲେ । ମାତ୍ର ପର ମୁହୂର୍ତ୍ତରେ ବାସ୍ତବ ଜୀବନରେ ତା’ର ବିପରୀତ ଘଟିଲା । ଶ୍ରୀମନ୍ତ ଜିତିଗଲେ; ହାରିଗଲେ କମଳିନୀ ।

ଆଜି ପୁଣି ବିନୟ ସେହି କଥା କହୁଛନ୍ତି । ଶ୍ରୀମନ୍ତଙ୍କ ପ୍ରତିଚ୍ଛବି ପୁଣି ଆଖିଆଗରେ ନାଚୁଛି । ତାଙ୍କର ସବୁ ଚିନ୍ତାଧାରା ଗୋଳମାଳ ହୋଇଗଲା । ସେ କହିଲେ—ସନ୍ଧ୍ୟା ହେଲାଣି, ଏବେ ଘରକୁ ଚାଲ ।

—ମୁଁ ଆଉ ଘରର ଚାରିକାନ୍ଥ ଭିତରେ ବନ୍ଦୀ ହେବାକୁ ଚାହେଁନା କମଳା ! ସେଠିକି ଯିବା ମୋ ପାଖରେ ଯମ-ଯନ୍ତ୍ରଣା । ମୁଁ ଏଇଠି ବସିବି ।

ଯେଉଁ ବିହଙ୍ଗ ବନ୍ଦୀତ୍ୱରୁ କ୍ଷଣିକ ପାଇଁ ମୁକ୍ତି ପାଏ, ସେ ଆଉ ଚାହେଁନା ଫେରିଯିବାକୁ ସୁବର୍ଣ୍ଣ ପିଞ୍ଜରାକୁ । ବହୁଦିନ ଘର ଭିତରେ ବନ୍ଦୀ ହେଇ ଯେ ବାହାରର ଆଲୋକକୁ ଆସିଛି ତାକୁ ଆଉ ଘରର ଅନ୍ଧକାର ଭଲ ଲାଗେନା ।

ଆକାଶରୁ ସାଦା ମେଘ ଖଣ୍ଡକ ଅନ୍ତର୍ଦ୍ଧାନ ହେଇଗଲାଣି । ତା’ସ୍ଥାନରେ ଦେଖାଦେଇଚି କଳା ବଉଦ—ବୃଷ୍ଟି ହେବାର ସମସ୍ତ ଲକ୍ଷଣ ନେଇ ।

ଚାଲ । ମେଘ ଆସିଲାଣି ଦେଖୁନାହଁ !-କମଳିନୀ ପୁଣି କହିଲେ ।

ବିନୟ ଉତ୍ତର ଦେଲେ—ମୁଁ ସେଇୟା ଚାହୁଁଛି । ପ୍ରକୃତିକୁ ଉପଭୋଗ କରିବାକୁ ପ୍ରବଳ ଇଚ୍ଛା । ମତେ ବାଧା ଦିଅନା କମଳା !

ମେଘ ପକେଇବାକୁ ଆରମ୍ଭ କରିଛି । କମଳିନୀ ବ୍ୟସ୍ତ ହେଇପଡ଼ିଲେ—ଉଠ, ଭିଜିଗଲେ ଥଣ୍ଡା ଲାଗିବ । ଯକ୍ଷ୍ମା ରୋଗୀ ତୁମେ, ଥଣ୍ଡା ତମର ଚିର ଶତ୍ରୁ ।

 

—ମୋର ସବୁଠୁଁ ବଡ଼ ଶତ୍ରୁକୁ ମୁଁ ଆଜି ମିତ୍ରଭାବରେ ଦେଖିବାକୁ ଚାହେଁ । ତମେ ବାଧା ଦିଅନା ।

 

କମଳିନୀ ଏଥର ବିନୟଙ୍କର ଗୋଟାଏ ହାତ ଧରି ଟାଣିଲେ—ପାଗଳ ଭଳି ହେଉଛ କାହିଁକି ? ଉଠିଆସ ଚଞ୍ଚଳ ।

 

ବିନୟ ବାଧ୍ୟ ହୋଇ ଉଠିଲେ । ତାଙ୍କର ଅନ୍ତରଟାକୁ ବାହାରେ ଛାଡ଼ି ଦେଇ ଘରର ଅନ୍ଧକୂପ ଭିତରେ ନିଜକୁ ମିଶେଇଦେଲେ ।

 

ବିନୟ ଭଲ ହେଇଆସିଛନ୍ତି । ଡାକ୍ତର ଶ୍ରୀକାନ୍ତଙ୍କ ମୁହଁରେ ସଫଳତାର ହସ । ଗୋଟିଏ ପରିବାର ଭୁଷୁଡ଼ି ପଡ଼ିଥାନ୍ତା, ଗୋଟିଏ ଜୀବନକୁ ରକ୍ଷା କରିପାରିଛନ୍ତି ସେ । ଡାକ୍ତରଙ୍କ ପକ୍ଷରେ ଏହା କମ୍‌ ବଡ଼ ଗୌରବର କଥା ନୁହେଁ । ବିନୟଙ୍କର ପରିବାର ସହିତ ସେ ବର୍ତ୍ତମାନ ଖୁବ୍‌ ଘନିଷ୍ଠ ଭାବରେ ଜଡ଼ିତ । କମଳିନୀ ତାଙ୍କର ସଂଚିତ ମାତୃସ୍ନେହ ଡାକ୍ତର ଶ୍ରୀକାନ୍ତଙ୍କ ଉପରେ ଅଜାଡ଼ି ଦେଇଛନ୍ତି । ନାରୀର ହୃଦୟ ଏମିତି ଯେ, ଯେଉଁଠି ସେ ସ୍ନେହ ଢାଳିଦିଏ ସେଠି ଅନ୍ୟ କିଛି ବିଚାର ତାର ନ ଥାଏ ।

 

ସେଦିନ ତିନିଜଣଯାକ ଘର ସାମନାରେ ବସିଥାନ୍ତି । ବିନୟ ରୋଗରୁ ଉଠିବା ପରେ ଗୋଟାଏ ଚିତ୍ର ଆଙ୍କି ତାକୁ ସମାପ୍ତ କରୁଥାନ୍ତି । ଶ୍ରୀକାନ୍ତ ଏହି ଚିତ୍ରପଟକୁ ଦେଖି ତାଙ୍କର ଅସାମାନ୍ୟ କଳା-ପ୍ରତିଭାର ଭୂରି ଭୂରି ପ୍ରଶଂସା କରୁଛନ୍ତି ।

 

ବିନୟ କହିଲେ—ତମେ ଦେଖିନାହଁ ଡାକ୍ତର ମୋ ଜୀବନର ଶ୍ରେଷ୍ଠ ଚିତ୍ରଟିକୁ । ସେହି ଚିତ୍ରଟିକୁ ଦେଖିଲେ ଆଜି ବି ମୋର ମନେହୁଏ ମୁଁ ଯେମିତି ତରୁଣ—ବାର୍ଦ୍ଧକ୍ୟର ସମସ୍ତ କଳ୍ପନା ଅନ୍ତର୍ଦ୍ଧାନ ହୋଇଯାଏ ମନରୁ । ତମର ଆଜିକାଲିକାର ‘ମିସ୍‌ଇଣ୍ଡିଆ’ଙ୍କର ରୂପ ସେହି ଛବି ଆଗରେ ନିଷ୍ପ୍ରଭ ହେଇଯିବ ।

 

ଆହୁରି ସେ କହିଥାନ୍ତେ, ମାତ୍ର ଏହି ସମୟରେ ଡାକ୍ତରଙ୍କୁ ଖୋଜି ଖୋଜି ଜଣେ ଆସି ପହଞ୍ଚିଲା । ତାର ବାପ ବେମାର—ଦି’ଦିନ ହେଲା ଅଚେତ । ଡାକ୍ତର ସେହି ଲୋକଟା ସାଙ୍ଗରେ ଚାଲିଗଲେ ।

 

ବିନୟ କହିଲେ—ମୁଁ ଯେଉଁ ଚିତ୍ରଟି କଥା କହୁଥିଲି ତମେ ଜାଣ କମଳା—ତୁମରି ସେଇ ଚିତ୍ରଟି.... । ମୋ ଜୀବନର ସେଇ ବୋଧହୁଏ ସର୍ବଶ୍ରେଷ୍ଠ ଚିତ୍ର । ତାଙ୍କୁ ଆଙ୍କିବାବେଳେ କୌଣସି ଐଶ୍ୱରିକ ଶକ୍ତି ମୋ ଭିତରେ କାମ କରୁଥିଲା ।

 

କମଳିନୀ ଅନ୍ୟମନସ୍କା ଥିଲେ । ବିନୟ ପୁନର୍ବାର କହିଲେ—ଯାଅ କମଳା, ସେ ଚିତ୍ରଟିକୁ ଆଣ । ମୁଁ ତାକୁ ଆଉ ଥରେ ଭଲକରି ଦେଖେ । ଅତୀତକୁ ଫେରିଯିବାକୁ ଅନେକ ସମୟରେ ଭାରି ଭଲଲାଗେ ।

 

କମଳିନୀଙ୍କ ମୁହଁ ଫିକା ପଡ଼ିଗଲା ହଠାତ୍‌ । ତାଙ୍କର ଯୁବତୀ ଦିନର କୌଣସି ଚିତ୍ର ବା ଫଟୋ ସେ ଆଉ ରଖି ନାହାନ୍ତି । ସେଦିନ ସବୁଗୁଡ଼ିକୁ ସେ ଟିକି ଟିକି କରି ଚିରି ନଷ୍ଟ କରିଦେଇଛନ୍ତି ।

 

ବିନୟ ବ୍ୟସ୍ତ ହେଇପଡ଼ୁଥିଲେ—ଯାଅ, ମୋର ସେଇ ରୂପରାଣୀ କମଳାକୁ ଥରେ ମୋତେ ଦେଖିବାକୁ ଦିଅ ।

 

କମଳିନୀ ଭାବୁଥିଲେ—ରୂପରାଣୀ କମଳା ସବୁଦିନ ପାଇଁ ହଜିଯାଇଛି । ଊଷର ମରୁଭୂମିର ନଦୀଭଳି କୌଣସି ଚିହ୍ନ ସେ ରଖିଯାଇନାହିଁ । କି ପ୍ରୟୋଜନ ଥିଲା ଆଉ ଏକ ନିର୍ଜୀବ ଛବିରେ ! ରୋଗଗ୍ରସ୍ତ, ଉନ୍ମାଦ ବିନୟଙ୍କୁ ରକ୍ଷା କରିବାକୁ ଯାଇ ସେଦିନ ସେ ସବୁକୁ ନଷ୍ଟ କରିଦେଇଛନ୍ତି ।

 

ରତନାକୁ ଡାକି ସେହି ଛବିଟି ଆଣିବା ପାଇଁ ବିନୟ ନିର୍ଦ୍ଦେଶ ଦେଲେ । ମାତ୍ର ସେ ମଧ୍ୟ ନୀରବ ରହିଲା । ଛବି ତ ନାହିଁ—ଆଣିଦେବ କୁଆଡ଼ୁ ସେ ? ବିନୟ ଆଶ୍ଚର୍ଯ୍ୟ ହେଲେ । କମଳିନୀଙ୍କ ଆଖିତଳୁ ସରୁ ସରୁ ଲୁହଧାର ଝରିଆସୁଥିଲା ।

 

—କଣ ହେଇଚି କମଳା—କୁହ, ତୁମେ ହଠାତ୍‌ କାନ୍ଦୁଛ କାହିଁକି ? କୁହ ।

 

ତଥାପି ସେ ନିର୍ବାକ । ଶିଳ୍ପୀ ଯେତେବେଳେ ଜାଣିବେ ତାଙ୍କର ସର୍ବଶ୍ରେଷ୍ଠ ଚିତ୍ରଟିକୁ ନଷ୍ଟ କରିଦିଆଯାଇଛି ସେ ସେତେବେଳେ ତାଙ୍କୁ କ୍ଷମା କରି ପାରିବେ ତ ?

 

ପାରିବେ ? କମଳିନୀ ଆକାଶ-ପାତାଳ ଭାବିଯାଉଥିଲେ । ମନରେ ପୁଣି ଆଶାର ସଂଚାର ହେଉଥିଲା । ଯେଉଁ ଶିଳ୍ପୀ ଦିନେ ଏକ ଅକ୍ଷମଣୀୟ ଅପରାଧକୁ କ୍ଷମା ଦେଇପାରିଥିଲେ, ସେ ଆଜି ଏଥିପାଇଁ କଣ କ୍ଷମା ଦେବେ ନାହିଁ ?

 

ବିନୟ ପୁଣି ପଚାରିଲେ—କଣ ହେଇଚି ? ତମେ ସବୁ ଚୁପ୍‌ ରହିଛ କାହିଁକି ?

 

ଅଶ୍ରୁଳ କଣ୍ଠରେ କମଳିନୀ କହିଲେ—ତମକୁ ଆଜି ମତେ କ୍ଷମା କରିବାକୁ ପଡ଼ିବ । ସେଇ ଚିତ୍ରଟିକୁ ମୁଁ ନଷ୍ଟ କରିଦେଇଛି ।

 

—ନଷ୍ଟ କରିଦେଇଛ ? ଚିତ୍କାର କରି ଉଠିଲେ ବିନୟ । ତମେ କଣ କରିଛ କମଳିନୀ-? ଶିଳ୍ପୀର ସବୁଠୁଁ ଆଦରର ଚିତ୍ରଟିକୁ ତମେ ନଷ୍ଟକରି ଦେଇଛ ? ଶିଳ୍ପୀର ଶିଳ୍ପକୁ ତୁମେ ହତ୍ୟା କରିଛ ?

 

—ମତେ କ୍ଷମା କର ଗୋ, ତମରି ଭଲ ପାଇଁ ମୁଁ ଏୟା କରିଛି ।

 

—ନା, ନା, ତମର ଏ କଥା ଶୁଣି ମୋ ମୁଣ୍ଡ କଣ ହେଇଯାଉଛି । ତମେ ତ ଜାଣିଛ, ମୋର କେତେ ପ୍ରିୟ ଥିଲା ସେ ଚିତ୍ରଟି ! ବିନୟ କହିଲେ ।

 

—ସବୁ ମୁଁ ଜାଣିଛି, ତଥାପି ତମରି ଭଲ ପାଇଁ....

 

—ମୋରି ଭଲ ପାଇଁ ନା ମୋରି ମରଣ ପାଇଁ ତମେ ଏମିତି କରିଛ ? କହିପାରିବ ପାଷାଣୀ, ସେଇ ଚିତ୍ରଟିକୁ ନଷ୍ଟକରି କେଉଁ କାମନା ତମେ ଚରିତାର୍ଥ କଲ ? ତମ ପାଖରେ ମୁଁ କି ଅପରାଧ କରିଥିଲ କମଳା, ଏ ବୟସରେ ତମେ ମତେ ଏ ଶାସ୍ତି ଦେଲ ? ତମକୁ ନର୍କରୁ ଉଦ୍ଧାର କରି ଦେବୀର ସମ୍ମାନ ମୁଁ ଦେଇଥିଲି ତମେ ମୋ କଳାର ଆଦର କରିବ ବୋଲି—ମାତ୍ର.....

 

ସେ ଆଉ କହିପାରିଲେ ନାହିଁ । ତାଙ୍କର କଣ୍ଠ ରୁଦ୍ଧ ହୋଇଗଲା । ଦିନେ ସେ ଯାହାର ହିମାଳୟ ପରି ଅପରାଧକୁ ହସି ହସି କ୍ଷମା ଦେଇଥିଲେ, ସେ ଆଜି କମଳିନୀଙ୍କର ଏଇ ଭୁଲ ପାଇଁ ତାଙ୍କୁ କ୍ଷମା ଦେବାକୁ ନାରାଜ ।

 

ସଙ୍ଗେ ସଙ୍ଗେ ଯେମିତି ଘୋଟିଗଲା ଅମାବାସ୍ୟାର ଅନ୍ଧକାର । ବିନୟଙ୍କ ମୁଖମଣ୍ଡଳ କଳାପଡ଼ିଗଲା । ସାରା ଦେହ ଥରିଉଠିଲା । ସେ ପାଟିକରି ଉଠିଲେ—ଏ ଅବିଶ୍ୱାସୀ ଦୁନିଆରେ ମୁଁ ଆଉ ବଞ୍ଚିରହିବାକୁ ଚାହେଁନା । କମଳା, ତମକୁ ମୁଁ ଆଜି ଅଭିଶାପ ଦେବି ।

 

କମଳିନୀ ଧୀରକଣ୍ଠରେ କହିଲେ—ତମେ ଅବୁଝା ହୁଅନା । ଯାହାର ଚିତ୍ରପଟ ପାଇଁ ତମେ ଏତେ ବ୍ୟାକୁଳ, ସେ ତ ରକ୍ତ-ମାଂସର ଶରୀର ନେଇ ତୁମ ସାମନାରେ ରହିଛି । ଜୀବନ୍ତ କମଳିନୀ ଥାଉ ଥାଉ ନିର୍ଜୀବ ଛବି ପାଇଁ ଏତେ ଅନୁଶୋଚନା କାହିଁକି ?

 

ବିନୟଙ୍କ ମୁହଁରେ ବିଦ୍ରୂପର ହସ । ସେ କହିଲେ—କାହିଁ ସେ କମଳିନୀ ? ଯେଉଁ କମଳିନୀର ଛବିକୁ ତୁମେ ନଷ୍ଟ କରିଛ, ତୁମେ ତ ସେ ନୁହଁ ।

—ନୁହେଁ ? ମୁଁ କଣ ସେଇ କମଳିନୀ ନୁହେଁ ? ରୋଗରୁ ଉଠି କଣ ହେଇଚି ତୁମ ମୁଣ୍ଡ-?

—ଠିକ୍‌ ଅଛି ମୋ ମୁଣ୍ଡ; ବରଂ ତୁମର ମୁଣ୍ଡ ବିଗିଡ଼ିଯାଇଛି । ଯେଉଁ କଳ୍ପନା-ରାଜ୍ୟର ଅପରୂପା ସୁନ୍ଦରୀ କମଳିନୀର ଛବି ମୁଁ ଆଙ୍କିଥିଲି, ସେ କମଳିନୀ କେବେହେଲେ ରକ୍ତମାଂସର କମଳିନୀ ହେଇପାରେନା । ସେ କମଳିନୀ ଜରାଗ୍ରସ୍ତ ହେଇ ତାର ସମସ୍ତ ସୌନ୍ଦର୍ଯ୍ୟ ହରାଇପାରେନା । ସେ ଚିରସୁନ୍ଦରୀ, ଚିରଯୌବନା, ଚିରଶୋଭନା....ଶିଳ୍ପୀ କଳ୍ପନା କରେ ଅକ୍ଷତଯୌବନା ସୁନ୍ଦରୀ ମୂର୍ତ୍ତିର । ଶିଳ୍ପୀର ଚକ୍ଷୁରେ ଜରାଗ୍ରସ୍ତ ରୋଗ-ବିକଳାଙ୍ଗ ଛବିର ମୂଲ୍ୟ ନାହିଁ-। ତୁମେ ଭ୍ରାନ୍ତ । ଶିଳ୍ପୀ ରୂପେ ତୁମର ସେଇ ତରୁଣୀ ମୂର୍ତ୍ତି ଥିଲା ମୋର ଆରାଧ୍ୟା—ତୁମର ଏଇ ରକ୍ତମାଂସର ଶରୀର ମୋ ଆଗରେ ତୁଚ୍ଛ—ୟାର ଦାମ୍‌....

—ବନ୍ଦ କର, ବନ୍ଦ କର ଗୋ ତମର ଏ ବକ୍ତୃତା । ଏ ସବୁ ଶୁଣିବା ଆଗରୁ ମତେ ମରିବାକୁ ଦିଅ ।

—ତମକୁ ଶୁଣିବାକୁ ହେବ କମଳା, ତମେ ଶୁଣିବାକୁ ବାଧ୍ୟ । ଶିଳ୍ପୀ ଆଗରେ ସୌନ୍ଦର୍ଯ୍ୟର ମହତ୍ତ୍ୱ କେବଳ ଫୁଟିଉଠେ । କହିପାରିବ, ବର୍ତ୍ତମାନ ତୁମ ପାଖରେ ସେ ସୌନ୍ଦର୍ଯ୍ୟ ଅଛି କି ?

—କିଛି ନାହିଁ, କିଛି ନାହିଁ । ତମ ଆଖିରେ ମୁଁ ମୂଲ୍ୟହୀନ ଝରାଫୁଲ ।

—ଶିଳ୍ପୀ ଆଖି ଚିର ସବୁଜ । ତାହା ବିକାଶର ସ୍ୱପ୍ନ ଦେଖେ—ଧ୍ୱଂସର ଦୃଶ୍ୟ ତା ପାଖରେ ଅସହ୍ୟ ।

—ତାହାହେଲେ ?

କମଳିନୀ କରୁଣ ଦୃଷ୍ଟିରେ ଚାହିଁଲେ । ସାମନାରୁ ଜଣେ କିଏ ଭଦ୍ରଲୋକ ଆସୁଛନ୍ତି । ନିକଟେଇ ଆସିବାରୁ ଜଣାଗଲା ସେ ଡାକ୍ତର ଶ୍ରୀକାନ୍ତଙ୍କ ପିତା ଶ୍ରୀମନ୍ତ । ଏ ଦୁଃସମୟରେ ସେ ପୁଣି କାହିଁକି ? ହାୟ ଭଗବାନ ! ଧ୍ୱଂସମୁଖୀ ସ୍ମୃତିକୁ ବହନ କରି କାଳପୁରୁଷ ପରି ସେ କାହିଁକି ଆସୁଛନ୍ତି ? କମଳିନୀ ଅସ୍ତବ୍ୟସ୍ତ ହୋଇ ଘର ଭିତରକୁ ଧାଇଁଗଲେ । ତାଙ୍କର ଅନ୍ତର ଭିତରୁ କିଏ ଯେମିତି ଚିତ୍କାର କରୁଥାଏ—ଫେରିଯାଅ ଶ୍ରୀମନ୍ତ ! ଫେରିଯାଅ ଦସ୍ୟୁ !

ଶିଳ୍ପୀ କଣ ଚିରଦିନ ମରୀଚିକାର ସ୍ୱପ୍ନ ଦେଖେ ? ଅକ୍ଷତଯୌବନର କଳ୍ପନା ପାଗଳ ବ୍ୟତୀତ ଆଉ କିଏ କରେ ? ତେବେ ଶିଳ୍ପୀ ମାତ୍ରେଇ କଣ ପାଗଳ !

ଶ୍ରୀମନ୍ତଙ୍କୁ ଦେଖି ବିନୟ ଉଠିପଡ଼ିଲେ ।

ଶ୍ରୀମନ୍ତ କହିଲେ—ଭାଇ, ମୋ ପୁଅଠୁ ଶୁଣିଲି ତୋର ଦୁରବସ୍ଥା କଥା । ଭଗବାନଙ୍କ ଦୟାରୁ ଯା’ହେଉ ଭଲ ହେଇଆସିଛୁ । ଶୁଣିଥିଲି ତୁ କୁଆଡ଼େ କମଳିନୀକୁ ବିବାହ କରିଛୁ । ମୋର ସବୁ ଦୋଷ ଭାଇ । ତୁମ ଦୁହିଁଙ୍କ ପାଖରୁ ମୁଁ କ୍ଷମା ନବାକୁ ଆସିଛି ।

ବିନୟ ମାର୍ବଲର ଏକ ପ୍ରତିମୂର୍ତ୍ତି ଭଳି ଛିଡ଼ାହେଇଥିଲେ । ନିରୀକ୍ଷଣ କରି ନ ଚାହିଁଲେ ଆଖିପତା ତାଙ୍କର ପଡ଼ୁଥିଲା କି ନା କହିହେବନାହିଁ ।

 

ଶ୍ରୀମନ୍ତ ପୁଣି ପଚାରିଲେ—ତୁ କଥା କହୁନୁ କାହିଁକି ବିନୟ ? କମଳିନୀ କାହିଁ ?

 

ତନ୍ଦ୍ରା ଯେମିତି ତୁଟିଗଲା । ବିନୟ ବଡ଼ ରୁକ୍ଷ କଣ୍ଠରେ କହିଲେ—କମଳିନୀ ନାହିଁ । ସେ ମରିଯାଇଛି ।

 

—ମରିଯାଇଛି ? କେବେ ? କେତେବେଳେ ?

 

ରତନା ଧାଇଁ ଆସି ଖବର ଦେଲା—ବାବୁ, ମା ବିଷ ଖାଇଦେଇଛନ୍ତି ।

 

ବିନୟଙ୍କର ସବୁ ମୋହ ଯେମିତି କଟିଗଲା । ସେ ପାଗଳଙ୍କ ଭଳି ଘର ଭିତରକୁ ଧାଇଁଗଲେ—ଶ୍ରୀମନ୍ତ ମଧ୍ୟ ତାଙ୍କର ଅନୁଗମନ କଲେ ।

 

କମଳିନୀ ବିଷ ଖାଇଦେଇଛନ୍ତି । ସର୍ବାଙ୍ଗ ତାଙ୍କର ଜଳୁଛି—ବିଷ ଜ୍ଜ୍ୱାଳାରେ ସେ ଛଟପଟ ହେଉଛନ୍ତି । ଭଜନା ଧାଇଁଯାଇଛି ଡାକ୍ତର ଡାକିବାକୁ ।

 

ଶ୍ରୀମନ୍ତ କିଛି ହେଲେ ବୁଝି ପାରୁ ନ ଥିଲେ । ସବୁ ଯେମିତି ନାଟକୀୟ ମନେହେଉଥିଲା-। ଏଇ ଦୂରନ୍ତ ପରିଣତି ପାଇଁ ଦାୟୀ କିଏ ?

 

କମଳିନୀଙ୍କ ମୁଖରୁ ଜ୍ୟୋତି ନିଷ୍ପ୍ରଭ ହୋଇଆସୁଛି । କରୁଣ ସେ ଦୃଶ୍ୟପଟ । ଶ୍ରୀମନ୍ତ ତରୁଣୀ କମଳିନୀଙ୍କ ସହିତ ଆଜିର କମଳିନୀଙ୍କର ତୁଳନା କରୁଥଲେ । ବୟସ ମଣିଷକୁ କଣ ନ କରିଦିଏ ? ତାଙ୍କର ମନେହେଉଥିଲା ପୂର୍ବର ସେଇ କମଳିନୀ ଯେମିତି ବହୁ ଦିନ ଆଗରୁ ମରିଯାଇଛନ୍ତି; ସେ ଯାହାକୁ ଦେଖୁଛନ୍ତି ସେ କମଳିନୀର ପ୍ରେତାତ୍ମା ।

 

କମଳିନୀଙ୍କ ମୁହଁରେ ଅସ୍ପଷ୍ଟ ଭାଷା—ତମେ ଫେରିଯାଅ । ମତେ ମୁକ୍ତି ଦିଅ ।

 

ଆଖିପତା ତାଙ୍କର ବୁଜିଆସୁଛି । ଶ୍ରୀମନ୍ତଙ୍କ ପ୍ରାଣରେ ଉଠଛି ଭୟାବହ ସ୍ମୃତିର ଝଂକାର-। କି ଅନ୍ୟାୟ ସେ ନ କରିଛନ୍ତି ? ତାଙ୍କ ଚକ୍ଷୁରେ ଅଶ୍ରୁ ଜମିଆସୁଛି ।

 

ଡାକ୍ତର ଶ୍ରୀକାନ୍ତ ପ୍ରବେଶ କଲେ । ସାମନାରେ ପଡ଼ିଛନ୍ତି କମଳିନୀ । ନିଷ୍ପ୍ରଭ ଚେହେରା-। ସେ ମା ମା ଡାକି ଦଉଡ଼ିଗଲେ । କମଳିନୀଙ୍କର ଆଖିପତା ଟିକିଏ ଖୋଲିଯାଇ ସବୁଦିନ ପାଇଁ ବନ୍ଦ ହେଇଗଲା-। ସେ ଦେଖିଲେ ଶେଷ ଥର ପାଇଁ ଗୋଟିଏ ପୁଅର ଚେହେରା ।

 

ଶ୍ରୀକାନ୍ତ ଦେଖିଲେ ବିନୟ ଆଉ ଶ୍ରୀମନ୍ତ ଦୁଇ ପାଖରେ ଠିଆ ହୋଇ ଅଶ୍ରୁ ଝରାଉଛନ୍ତି-। ସେ ନିଃଶବ୍ଦରେ ଘର ଭିତରୁ ବାହାରିଆସିଲେ ।

 

ଦେହର ଆବେଷ୍ଟନୀରୁ ମୁକ୍ତି ପାଇ ଯେଉଁ ବିହଙ୍ଗୀଟି ସୁଦୂରକୁ ଚାଲିଯାଇଛି ତା ପାଇଁ ଆକୁଳ ପ୍ରାର୍ଥନା ଜଣେଇଲା ଦୁଇଟି ହୃଦୟ ।

 

ହଠାତ୍‌ କଣ ହେଲା କେଜାଣି ବିନୟଙ୍କର ପୁଣି କାଶ ଉଠିଲା । କାଶି କାଶି ସେ ବେଦମ୍‌ ହେଇ ତଳେ ପଡ଼ିଗଲେ । କାଶ ସାଙ୍ଗରେ ପୁଳାଏ ରକ୍ତ ଦୂରକୁ ଛିଟିକିପଡ଼ି କମଳିନୀଙ୍କ ସୀମନ୍ତ ସିନ୍ଦୂରକୁ ଢାଙ୍କି ପକେଇଲା ।

Image